ଠେଲୁ ମହତୋ ବୋଧହୁଏ ସବୁଠୁ ବୟସ୍କ ଜୀବିତ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯାହାଙ୍କୁ ମୋ ପୁସ୍ତକ ଦ ଲାଷ୍ଟ ହିରୋଜ୍‌ ରେ ସ୍ଥାନ ମିଳିଛି। ୬ ଏପ୍ରିଲ ୨୦୨୩, ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଥିବା ନିଜ ଘରେ ତାଙ୍କର ପରଲୋକ ଘଟିଛି । ପୁସ୍ତକ ପ୍ରକାଶ ପାଇବା ସମୟରେ ଜୀବିତ ଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ପ୍ରଥମେ ତାଙ୍କର ପରଲୋକ ଘଟିଛି । ୧୯୪୨ ମସିହାରେ ପୁରୁଲିଆର ୧୨ଟି ପୁଲିସ ଥାନାରେ ହୋଇଥିବା ଐତିହାସିକ ବିଦ୍ରୋହରେ ସାମିଲ ଥିବା ଅନ୍ତିମ ଜୀବିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ, ଯଦିଓ ଏହି ଘଟଣା ଏବେ ଅନାଲୋଚିତ ହୋଇ ରହିଛି । ମୃତ୍ୟୁ ବେଳକୁ ଠେଲୁଙ୍କ ବୟସ ହୁଏତ’ ୧୦୩ରୁ ୧୦୫ ବର୍ଷ ମଧ୍ୟରେ ହୋଇଥିବ ।

ତାଙ୍କର ପରଲୋକ ସହିତ ଆମ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଏବଂ ଭାରତକୁ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କରିବାରେ ସହାୟତା କରିଥିବା ଆମ ସ୍ୱର୍ଣ୍ଣିମ ପିଢ଼ିକୁ ହରାଇବା ଦିଗରେ ଆମେ ଆଉ ପାଦେ ନିକଟତର ହୋଇଛୁ। ଆସନ୍ତା ପାଞ୍ଚ କିମ୍ବା ଛଅ ବର୍ଷରେ ଏ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଜଣେ ହେଲେ ବ୍ୟକ୍ତି ଜୀବିତ ନଥିବେ। ଭାରତର ନୂଆପିଢ଼ି ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଲୋକମାନଙ୍କୁ ଦେଖିବା, କଥା ହେବା କିମ୍ବା ଶୁଣିବା ଲାଗି ସୁଯୋଗ ପାଇବେ ନାହିଁ । ସେମାନଙ୍କ ପରିଚୟ କ’ଣ ଥିଲା, ସେମାନେ କ’ଣ ପାଇଁ ଲଢ଼ିଥିଲେ – ଏବଂ ସେମାନେ କାହିଁକି ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ, ସେ କଥା କେବେବି ସେମାନେ ସିଧାସଳଖ କହିନାହାନ୍ତି ।

ଆଉ ଠେଲୁ ମହତୋ ଏବଂ ତାଙ୍କର ଆଜୀବନ କମରେଡ୍‌ (ବନ୍ଧୁ)  ଲୋଖୀ ମହତୋ ନିଜ କାହାଣୀ ଶୁଣାଇବା ଲାଗି ବେଶ ଉତ୍ସୁକ ଥିଲେ। ସେମାନେ ଏହା ଚାହୁଁଥିଲେ ଯେ ଯୁବ ଏବଂ ନୂଆପିଢ଼ି ଏକଥା ଜାଣନ୍ତୁ ଯେ ସେମାନେ ଦେଶ ପାଇଁ ଲଢ଼େଇ କରିଛନ୍ତି ଏବଂ ଏହା କରିଥିବାରୁ ସେମାନେ ଗର୍ବିତ। ଠେଲୁ ଏବେ ଆଉ ନିଜ କାହାଣୀ କହିପାରିବେ ନାହିଁ। ତାଙ୍କ ପିଢ଼ିର ଅନ୍ୟ ଜୀବିତ ସଂଗ୍ରାମୀମାନେ ମଧ୍ୟ ଆଉ ପାଞ୍ଚ-ଛଅ ବର୍ଷ ପରେ ନିଜ କାହାଣୀ କହିବାକୁ ସକ୍ଷମ ହେବେ ନାହିଁ।

ଭବିଷ୍ୟତର ଯୁବ ଭାରତୀୟମାନଙ୍କ ପାଇଁ ଏହା ଏକ ବଡ଼ କ୍ଷତି ସାବ୍ୟସ୍ତ ହେବ। ବର୍ତ୍ତମାନ ପିଢ଼ି ଏବେ ବି ଅନେକ କ୍ଷତି ସହିଲାଣି। ଆମ ନିଜ ସମୟର ଠେଲୁଙ୍କ ଭଳି ସଂଗ୍ରାମୀ, ସେମାନଙ୍କର ବଳିଦାନ କିମ୍ବା ସେମାନଙ୍କର ସେହି ଗୁରୁତ୍ୱପୂର୍ଣ୍ଣ ଜୀବନ କାହାଣୀ ଯାହାଦ୍ୱାରା ଆମେ ନିଜ ଜୀବନକୁ ରୂପ ଦେଇପାରିବା, ସେ ବିଷୟରେ ଆମେ ଖୁବ୍‌ କମ୍‌ ଜାଣିଛୁ।

ବିଶେଷ କରି ଏପରି ଏକ ଯୁଗରେ ଯେଉଁଠି ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସର ପୁନର୍ଲିଖନ ହେଉନାହିଁ ଯେତିକି ପ୍ରସ୍ତୁତ ହୋଇଛି ତାହା ମନଗଢ଼ା, କାଳ୍ପନିକ ଓ ଜୋରଜବଦସ୍ତ ଥୋପି ଦିଆଯାଇଛି। ସାର୍ବଜନୀନ ପରିଦୃଶ୍ୟରେ, ଗଣମାଧ୍ୟମର ଏକ ବଡ଼ ବର୍ଗର ବିଷୟବସ୍ତୁରେ, ଏବଂ ଚିନ୍ତାଜନକ ଭାବେ ଆମର ସ୍କୁଲ ପାଠ୍ୟକ୍ରମରେ ମୋହନଦାସ କରମଚନ୍ଦ ଗାନ୍ଧୀଙ୍କ ହତ୍ୟା ସହ ଜଡ଼ିତ ପ୍ରମୁଖ ସତ୍ୟଗୁଡ଼ିକୁ ଲଗାତର ବିଲୋପ କରି ଦିଆଯାଉଛି।

Thelu Mahato's home in Pirra village of Puruliya district, West Bengal where he passed away on April 6, 2023. Thelu never called himself a Gandhian but lived like one for over a century, in simplicity, even austerity.
PHOTO • P. Sainath
PHOTO • P. Sainath

ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ପିରା ଗ୍ରାମରେ ଥିବା ଠେଲୁ ମହତୋଙ୍କ ଘର ଯେଉଁଠି ଗତ ୬ ଏପ୍ରିଲ ୨୦୨୩ରେ ତାଙ୍କର ପରଲୋକ ଘଟିଥିଲା।  ଠେଲୁ କେବେ ବି ନିଜକୁ ଗାନ୍ଧୀବାଦୀ ବୋଲି ପରିଚୟ ଦେଇନାହାନ୍ତି କିନ୍ତୁ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଗାନ୍ଧୀବାଦୀଙ୍କ ଭଳି ସରଳ ଓ ସଂଯମୀ ଜୀବନ ନିର୍ବାହ କରିଛନ୍ତି । ଡାହାଣ : ଠେଲୁ ମହତୋ ଏବଂ ତାଙ୍କ ଆଜୀବନ ବନ୍ଧୁ ଲୋଖୀ ମହତୋ ସେମାନଙ୍କର କାହାଣୀ କହିବା ଲାଗି ବେଶ ଆଗ୍ରହୀ ଥିଲେ

ଠେଲୁ ମହତୋ ନିଜକୁ କେବେବି ଜଣେ ଗାନ୍ଧୀବାଦୀ ବୋଲି ପରିଚୟ ଦେଉନଥିଲେ କିନ୍ତୁ ଗୋଟିଏ ଶତାବ୍ଦୀରୁ ଅଧିକ ସମୟ ଧରି ଗାନ୍ଧୀବାଦୀ ଭାବେ ଜୀବନ ନିର୍ବାହ କରିଥିଲେ। ସେ ସରଳ ଓ ସଂଯମୀ ଜୀବନଯାପନ କରୁଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ, ୧୯୪୨ ମସିହା ଡିସେମ୍ବର ୨୯ ଏବଂ ୩୦ ତାରିଖରେ ସେ ପୁରୁଲିଆର ୧୨ଟି ପୁଲିସ ଷ୍ଟେସନକୁ ଘେରାଉ କରିଥିବା ଆନ୍ଦୋଳନକାରୀମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ। ସେ ନିଜକୁ ଜଣେ ବାମପନ୍ଥୀ ଓ କ୍ରାନ୍ତିକାରୀ ଭାବେ ପରିଚୟ ଦେବାକୁ ପସନ୍ଦ କରୁଥିଲେ। ସେ ଅହିଂସାର ସିଦ୍ଧାନ୍ତରେ ବିଶ୍ୱାସ କରୁଥିଲେ ଏବଂ ଯେପର୍ଯ୍ୟନ୍ତ କୌଣସି ନିର୍ଦ୍ଦୋଷ ଲୋକଙ୍କ ସୁରକ୍ଷା ଓ ଆତ୍ମରକ୍ଷା ପାଇଁ ତାଙ୍କୁ ବାଧ୍ୟ କରାନଯାଇଛି ସେ ଏହି ସିଦ୍ଧାନ୍ତରେ ଅଟଳ ରହୁଥିଲେ।

କିନ୍ତୁ ଆପଣ ପୁଲିସ ଥାନା ଉପରେ ଆକ୍ରମଣ ଘଟଣାରେ ସାମିଲ ଥିଲେ ଏବଂ ସେଥିରେ ହିଂସାକାଣ୍ଡ ଘଟିଥିଲା, ୨୦୨୨ରେ ପିରା ଗ୍ରାମରେ ଥିବା ତାଙ୍କ ଘରେ ମୁଁ ଏକଥା ତାଙ୍କୁ ପଚାରିଥିଲି। ଏହାର ପ୍ରତିବାଦ କରି ସେ କହିଥିଲେ, ବ୍ରିଟିଶ ପକ୍ଷ ପ୍ରଥମେ ହିଂସା ଘଟାଇଥିଲେ। ‘‘ସାଧାରଣ ଜନତାଙ୍କ ଉପରକୁ ପୁଲିସ ଆଖିବୁଜା ଗୁଳି ଚଳାଇଥିଲା’’ ଯେଉଁମାନେ ସେଠାକୁ ଥାନା ଉପରେ ଭାରତୀୟ ପତାକା ଉଡ଼ାଇବା ଲାଗି ଯାଇଥିଲେ। ‘‘ନିଜ ଆଖି ସାମ୍ନାରେ ବନ୍ଧୁ, ପରିବାର ଲୋକ କିମ୍ବା ବନ୍ଧୁମାନଙ୍କୁ ଗୁଳି ମାଡ଼ ଖାଉଥିବା ଦେଖିଲେ ଲୋକମାନେ ତ’ ନିଶ୍ଚିତ ଭାବେ ପ୍ରତିଆକ୍ରମଣ କରିବେ।’’

ଠେଲୁ ମହତୋ ଏବଂ ତାଙ୍କର ଆଜୀବନ ବନ୍ଧୁ ଲୋଖୀ ମହତୋଙ୍କ ସହିତ ଆମେ କଥାବାର୍ତ୍ତା କରିବାରୁ ଜାଣିପାରିଥିଲୁ ଯେ ସେମାନଙ୍କ ପିଢ଼ି କିଭଳି ଭିନ୍ନ ଭିନ୍ନ ବିଚାର ଓ ପ୍ରଭାବ ପ୍ରତି ଖୋଲା ମନୋଭାବ ରଖୁଥିଲା ଏବଂ ସେହିସବୁ ବିବିଧ ପ୍ରଭାବ ଦ୍ୱାରା ସେମାନଙ୍କର ଏକ ମିଶ୍ରିତ ଚରିତ୍ର ଗଠନ ହୋଇପାରିଥିଲା। ଠେଲୁ ଓ ଲୋଖୀ ଆବେଗ ଏବଂ ରାଜନୈତିକ ବିଚାରରେ ସମ୍ପୂର୍ଣ୍ଣ ବାମପନ୍ଥୀ ହୋଇଥିବା ବେଳେ ନୈତିକତା ଏବଂ ଜୀବନଶୈଳୀ ଦୃଷ୍ଟିରୁ ସେମାନେ ଗାନ୍ଧୀବାଦୀ। ସେମାନଙ୍କ ପ୍ରତିବଦ୍ଧତା ଓ ବିଚାର ବାମପନ୍ଥୀ କିନ୍ତୁ ବ୍ୟକ୍ତିତ୍ୱ ଗାନ୍ଧୀବାଦୀ। ଅନେକ ଦଶନ୍ଧି ଧରି ସେମାନେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିଲେ।

ସେମାନେ ଯେଉଁ ଅଞ୍ଚଳରେ ସର୍ବଦା ରହୁଥିଲେ, ସେହି ସ୍ତରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେମାନଙ୍କ ପାଇଁ ଆଦର୍ଶ ହେବା ସ୍ୱାଭାବିକ ଥିଲା। ଠେଲୁ ଓ ଲୋଖୀଙ୍କ ପାଇଁ ନେତାଜୀ ହିଁ ସବୁକିଛି ଥିଲେ। ଗାନ୍ଧୀଜୀଙ୍କୁ ସେମାନେ ଦେଖିପାରିନଥିଲେ, କିନ୍ତୁ ସେ ଥିଲେ ସେମାନଙ୍କ ପାଇଁ ଜଣେ ବିଶାଳ ତଥା ପ୍ରେରଣାଦାୟୀ ବ୍ୟକ୍ତିତ୍ୱ । ରବିନ ହୁଡ଼୍‌ଙ୍କ ଭଳି ତିନି ଜଣ ଡକାୟତ ସେମାନଙ୍କ ପାଇଁ ସ୍ଥାନୀୟ ନାୟକ ଥିଲେ। ଏହି ତିନି ଜଣ ହେଲେ ବିପିନ, ଦିଗମ୍ବର ଓ ପୀତାମ୍ବର ସର୍ଦ୍ଦାର। ଏହି ଡାକୁମାନେ ଭୟଙ୍କର ଭାବେ ହିଂସ୍ରକ ଥିଲେ, କିନ୍ତୁ ସାମନ୍ତବାଦୀ ଜମିଦାର ଓ ଅନ୍ୟ ଦମନକାରୀମାନଙ୍କ ଉତ୍ପୀଡ଼ନରୁ ଶୋଷିତ ଜନତାଙ୍କୁ ସେମାନେ ନ୍ୟାୟ ଦେବା କାମ କରୁଥିଲେ। ଏମାନଙ୍କର ଡକାୟତି ଐତିହାସିକ ଏରିକ ହବ୍ସବମଙ୍କ ଦ୍ୱାରା ବର୍ଣ୍ଣିତ ଚରିତ୍ର ଭଳି ଥିଲା, ଯାହାକି କ୍ରୁର ହେବା ସହିତ ‘‘ସମାନ୍ତରାଳ ଆର୍ଥିକ ଓ ସାମାଜିକ ରାଜନୈତିକ ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା।’’

PHOTO • P. Sainath
PHOTO • P. Sainath

ସେମାନଙ୍କ ପିଢ଼ି କିଭଳି ଭିନ୍ନ ଭିନ୍ନ ବିଚାର ଓ ପ୍ରଭାବ ପ୍ରତି ଖୋଲା ମନୋଭାବ ରଖୁଥିଲା ଠେଲୁ ଓ ଲୋଖୀ ତାହାର ଉଦାହରଣ ଦେଇଛନ୍ତି । ଠେଲୁ ନିଜକୁ ଜଣେ ବାମପନ୍ଥୀ ଓ କ୍ରାନ୍ତିକାରୀ ଭାବେ ପରିଚୟ ଦେଉଥିଲେ, ଅହିଂସା ପାଇଁ ଶପଥ ନେଇଥିଲେ

ଏସବୁ ସ୍ତରରେ ଠେଲୁ ଏବଂ ଲୋଖୀଙ୍କୁ କୌଣସି ବିରୋଧାଭାସ ଦେଖିବାକୁ ମିଳୁନଥିଲା। ଡାକୁମାନଙ୍କ ପ୍ରତି ସେମାନଙ୍କ ଦୃଷ୍ଟିକୋଣ ଘୃଣା ଓ ଶ୍ରଦ୍ଧାର ଏକ ଅଦ୍ଭୂତ ମିଶ୍ରଣ ଥିଲା। ସେମାନେ ଡାକୁମାନଙ୍କୁ ସମ୍ମାନ କରୁଥିଲେ କିନ୍ତୁ କେବେବି ସେମାନଙ୍କର ହିଂସାତ୍ମକ ମାର୍ଗ ଅନୁସରଣ କରୁନଥିଲେ। ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ସେମାନେ ଗାନ୍ଧୀବାଦୀ ଜୀବନଯାପନ କରିବା ସହିତ ନିରପେକ୍ଷ ବାମପନ୍ଥୀ ଭାବେ ବିଭିନ୍ନ ଜମି ଓ ଅନ୍ୟାନ୍ୟ ଆନ୍ଦୋଳନରେ ରାଜନୈତିକ ଭାବେ ସକ୍ରିୟ ଥିଲେ।

ଠେଲୁ ମହତୋ ଜଣେ କୁର୍ମୀ ଥିଲେ । ଜଙ୍ଗଲମହଲର ଅନେକ ବିଦ୍ରୋରେ କୁର୍ମୀ ସମୁଦାୟ ଭାଗ ନେଇଥିଲା। ଇଂରେଜମାନେ କୁର୍ମୀମାନଙ୍କୁ ଦଣ୍ଡିତ କରିଥିଲେ । ୧୯୩୧ ମସିହାରେ ସେମାନଙ୍କଠାରୁ ଆଦିବାସୀ ମାନ୍ୟତା ପ୍ରତ୍ୟାହାର କରି ନିଆଗଲା। ଆଦିବାସୀ ମାନ୍ୟତା ଫେରି ପାଇବା ସେମାନଙ୍କର ସବୁଠୁ ବଡ଼ ଲକ୍ଷ୍ୟ ଥିଲା। ଆଉ ଯେଉଁଦିନ ଠେଲୁଙ୍କର ପରଲୋକ ଘଟିଥିଲା ସେଦିନ ଜଙ୍ଗଲମହଲରେ ସେହି ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନର ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା।

ଠେଲୁଙ୍କୁ କେବେବି ସ୍ୱାଧୀନତା ସଂଗ୍ରାମୀ ଭତ୍ତା ମିଳିନଥିଲା, କିମ୍ବା ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକାକୁ ମାନ୍ୟତା ଦିଆଯାଇନଥିଲା। ଶେଷଥର ପାଇଁ ଆମେ ତାଙ୍କୁ ଭେଟିବା ସମୟରେ ସେ ୧,୦୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତାରେ ଚଳୁଥିଲେ। ତାଙ୍କର ଘର କହିଲେ ଗୋଟିଏ ଟିଣ ଛପର କୋଠରୀ ଥିଲା, ଯାହାକି ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଥିଲା। ଘର ପାଖରେ ଗୋଟିଏ କୂଅ ଥିଲା ଯାହାକୁ ସେ ନିଜ ହାତରେ ଖୋଳିଥିଲେ ଏବଂ ଏହାକୁ ନେଇ ଗର୍ବ କରୁଥିଲେ । କୂଅ ଆଗରେ ଛିଡ଼ା ହୋଇ ସେ ନିଜର ଏକ ଫଟୋ ଉଠାଇବାକୁ ଚାହୁଁଥିଲେ।

ଠେଲୁ ଖୋଳିଥିବା କୂଅ ସେମିତି ରହିଛି । ହେଲେ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଲୋକମାନଙ୍କର ସ୍ମୃତିର କୂଅ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି ।

ନଭେମ୍ବର ୨୦୨୨ରେ ପେଙ୍ଗୁଇନ ପକ୍ଷରୁ ପ୍ରକାଶିତ ପି . ସାଇନାଥଙ୍କ ପୁସ୍ତକ ଦ ଲାଷ୍ଟ ହିରୋଜ୍ ‌ : ଫୁଟ୍ ସୋଲଜର୍ସ ଅଫ ଇଣ୍ଡିଆନ ଫ୍ରିଡମ ରେ ଆପଣ ଠେଲୁ, ଲୋଖୀ ଏବଂ ଅନ୍ୟ ୧୪ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପୂର୍ଣ୍ଣ କାହାଣୀ ପଢ଼ିପାରିବେ।

ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (ପରୀ)ର ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀରେ ସେମାନଙ୍କର ଫଟୋ ଆଲବମ ଏବଂ ଭିଡିଓ ଦେଖନ୍ତୁ

ଏହି ସ୍ତମ୍ଭଟି ପ୍ରଥମେ ଦ ୱେର ରେ ପ୍ରକାଶ ପାଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath

পি. সাইনাথ পিপলস আর্কাইভ অফ রুরাল ইন্ডিয়ার প্রতিষ্ঠাতা সম্পাদক। বিগত কয়েক দশক ধরে তিনি গ্রামীণ ভারতবর্ষের অবস্থা নিয়ে সাংবাদিকতা করেছেন। তাঁর লেখা বিখ্যাত দুটি বই ‘এভরিবডি লাভস্ আ গুড ড্রাউট’ এবং 'দ্য লাস্ট হিরোজ: ফুট সোলজার্স অফ ইন্ডিয়ান ফ্রিডম'।

Other stories by পি. সাইনাথ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE