ନିଜ ପେଟରେ ବଢୁଥିବା ମାଂସ ପିଣ୍ଡୁଳାକୁ ନେଇ ସୁନୀତା ଦେବୀ ଚିନ୍ତିତ ଥିଲେ। ସେ ଭଲ ଭାବେ ଖାଇପାରୁନଥିଲେ, ଏବଂ ପେଟ ଫମ୍ପେଇବା ଭଳି ଅନୁଭବ କରୁଥିଲେ। ଏହାକୁ ଦୁଇ ମାସ ଧରି ଅଣଦେଖା କରିବା ପରେ, ସେ ତାଙ୍କ ଘର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ଜଣେ ଡାକ୍ତରଙ୍କୁ ଦେଖାଇବାକୁ ଗଲେ। ଡାକ୍ତର ଯାହା କହିଲେ ତାହା ତାଙ୍କୁ ବିସ୍ମିତ କରିଦେଲା: ‘‘ଆପ୍କୋ ବଚ୍ଚା ଠହର ଗୟା ହୈ [ଆପଣ ଗର୍ଭବତୀ ଅଛନ୍ତି]।’’
ତାହା କିପରି ସମ୍ଭବ ହେଲା ସେ ବୁଝିପାରିଲେ ନାହିଁ –ଏକ ଗର୍ଭଧାରଣ ରୋକିବା ଲାଗି ତାଙ୍କୁ କପର-ଟି ଲଗାଇବାର ଅତି ବେଶୀରେ ଛଅ ମାସ ହୋଇଥିଲା ।
୨୦୧୯ର ଘଟଣାକୁ ମନେ ପକାଇ ବର୍ତ୍ତମାନ, ତାଙ୍କର ଶେତା ପଡ଼ିଯାଇଥିବା ମୁହଁ ଆହୁରି ଶେତା ଦେଖାଗଲା। ତାଙ୍କ କେଶକୁ ପଛ ପଟକୁ ନେଇ ଏକ ଖୋସା କରାଯାଇଛି; ତାଙ୍କର ପଶିଯାଇଥିବା ଆଖି ଖୁବ୍ ନିସ୍ତେଜ ଓ କ୍ଲାନ୍ତ ଦେଖାଯାଉଥିଲା। ଏକମାତ୍ର ଉଜ୍ଜ୍ୱଳ ଚିହ୍ନ ଥିଲା ତାଙ୍କ ମଥାରେ ଥିବା ଏକ ନାଲି ବିନ୍ଦି ।
ସୁନୀତା (ତାଙ୍କର ପ୍ରକୃତ ନାମ ନୁହେଁ) ଜଣେ ୩୦ ବର୍ଷୀୟା ମହିଳା ହୋଇଥିବା ବେଳେ ୪ଟି ପିଲାଙ୍କର ମା’। ତାଙ୍କର ଦୁଇଜଣ ଝିଅ ଓ ଦୁଇଜଣ ପୁଅ ଅଛନ୍ତି। ସେମାନଙ୍କର ବୟସ ୪ରୁ ୧୦ ମଧ୍ୟରେ। ମେ ୨୦୧୯ରେ ତାଙ୍କର ସାନ ପିଲାଟି ୨ ବର୍ଷର ହୋଇଥିବା ସମୟରେ ସୁନୀତା ଆଉ ଅଧିକ ପିଲା ଜନ୍ମ ନ କରିବାକୁ ନିଷ୍ପତ୍ତି ନେଲେ। ସେହି ଅଞ୍ଚଳକୁ ଆସିଥିବା ଜଣେ ଆଶା କର୍ମୀଙ୍କଠାରୁ ସେ ପରିବାର ନିୟୋଜନ ଉପାୟ ସଂପର୍କରେ ଜାଣିବାକୁ ପାଇଲେ। ବିକଳ୍ପ ସଂପର୍କରେ ଚିନ୍ତା କରିବା ପରେ ସେ ଅନ୍ତରା, ଇଞ୍ଜେକ୍ସନ୍ ମାଧ୍ୟମରେ ଦିଆଯାଉଥିବା ଏକ ଗର୍ଭନିରୋଧକ ଯାହାକି ୩ ମାସ ଧରି ଗର୍ଭଧାରଣକୁ ରୋକିବାକୁ ଦାବି କରେ ତାକୁ ବାଛିଲେ। ସେ କହିଲେ, ‘‘ମୁଁ ଭାବିଲି ଇଞ୍ଜେକ୍ସନ୍କୁ ବ୍ୟବହାର କରିଦେଖେ।’’
ଆମେ ତାଙ୍କର ୮ x ୧୦ଫୁଟର କୋଠରୀର ଚଟାଣରେ ଏକ ସପ ଉପରେ ବସିଛୁ। ଏବଂ ଗୋଟିଏ କୋଣରେ ଥିବା ଖାଲି ଗ୍ୟାସ୍ ସିଲିଣ୍ଡର ଉପରେ ଆଉ ଅଧିକ ସପ ରଖାଯାଇଛି। ସୁନୀତାଙ୍କର ଦିଅରଙ୍କ ପରିବାର ଏଥିସଂଲଗ୍ନ ଏକ କୋଠରୀରେ ରହନ୍ତି । ସେଠାରେ ଆଉ ଏକ ତୃତୀୟ କୋଠରୀ ବି ଅଛି ଯେଉଁଠାରେ ଅନ୍ୟ ଜଣେ ଦିଅର ରହନ୍ତି। ଘରଟି ଦକ୍ଷିଣ ପଶ୍ଚିମ ଦିଲ୍ଲୀ ଜିଲ୍ଲାର ନଜଫଗଡ଼ର ମହେଶ ଗାର୍ଡେନ୍ ଅଞ୍ଚଳରେ ରହିଛି ।
ଗୋପାଳନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ପିଏଚ୍ସି) ସୁନୀତାଙ୍କ ଘରପାଖରୁ ପ୍ରାୟ ୨ କିମି ଦୂର। ସେଠାକୁ ସୁନୀତା ଆଶା କର୍ମୀଙ୍କ ସହ ଅନ୍ତରା ଇଞ୍ଜେକ୍ସନ୍ ନେବାକୁ ଯାଇଥିଲେ। କିନ୍ତୁ ପିଏଚ୍ସିର ଡାକ୍ତର ତାଙ୍କୁ ଅନ୍ୟ କିଛି ପରାମର୍ଶ ଦେଲେ। ସୁନୀତା କହିଲେ, “ଡାକ୍ତର ମୋତେ ଅନ୍ତରା ବଦଳରେ କପର-ଟି ସଂପର୍କରେ କହିବା ଆରମ୍ଭ କଲେ। ସେ ମୋତେ ତାକୁ ଲଗାଇବାକୁ କହିଲେ କାରଣ ତାହା ନିରାପଦ ଥିଲା।’’ ସ୍ୱର ଦୃଢ଼ କରି ସେ ଆହୁରି କହିଲେ, ‘ମୁଁ କେବେହେଲେ ଡାକ୍ତରଙ୍କୁ କପର-ଟି କଥା ପଚାରି ନ ଥିଲି ।’’ “କିନ୍ତୁ ତାହା ଠିକ୍ ହେବ ବୋଲି ଡାକ୍ତର କହି ଚାଲିଲେ। ‘ତୁମେ ଆଉ ଅଧିକ ସନ୍ତାନ ପ୍ରସବ ବନ୍ଦ କରିବାକୁ ଚାହୁଁନ କି?’ ସେ ମୋତେ ପଚାରିଲେ ।’’








