‘‘ଜବ ପ୍ୟାର କିୟା ତୋ ଡରନା କ୍ୟା... ପ୍ୟାର କିୟା କୋଇ ଚୋରି ନହିଁ... ଘୁଟ୍ ଘୁଟ୍ କର୍ ୟୁଁ ମରନା କ୍ୟା...’’
ପ୍ରେମ ଯଦି କରିଛ ଡର କାହିଁକି... ପ୍ରେମ ଏକ ଅପରାଧ ନୁହେଁ... ଏମିତି ଶ୍ୱାସରୁଦ୍ଧ ହୋଇ ମରିବା କାହିଁକି...
ବିଧି ଗତ କିଛି ଦିନ ହେବ ୬୦ ଦଶକର ଲୋକପ୍ରିୟ ଚଳଚ୍ଚିତ୍ର ମୁଗଲ-ଏ-ଆଜମର ଏହି ଗୀତକୁ ଗୁଣୁ ଗୁଣୁ ହୋଇ ଗାଇ ଚାଲିଛନ୍ତି । ସେ କେନ୍ଦ୍ରୀୟ ମୁମ୍ବାଇରେ ନିଜର ଭଡ଼ା ଘରେ ରହୁଛନ୍ତି ଏବଂ ଗାଇବା ମଝିରେ ସାମାନ୍ୟ ଅଟକି ଯାଇ ପଚାରନ୍ତି, ‘‘ଆମେ ବି କିଛି ଅପରାଧ କରିନାହୁଁ। ଆମେ କାହିଁକି ଭୟଭୀତ ହୋଇ ରହିବୁ?’’
ତାଙ୍କର ପ୍ରଶ୍ନ ଆଳଙ୍କାରିକ ନୁହେଁ କିନ୍ତୁ ଚିନ୍ତାଜନକ। ହତ୍ୟାର ଶିକାର ହେବା ଭୟ ତାଙ୍କ ପାଇଁ ସମ୍ପୂର୍ଣ୍ଣ ବାସ୍ତବିକ ଅଟେ। ଯେଉଁଦିନ ସେ ନିଜ ପ୍ରେମିକ-ତାଙ୍କ ସ୍କୁଲ ସହପାଠିନୀ ଆରୁଷୀଙ୍କ ସହ ଘର ଛାଡ଼ି ପଳାଇ ଆସିଥିଲେ ଓ ପରିବାର ବିରୋଧରେ ବିଦ୍ରୋହ ଘୋଷଣା କଲେ, ସେଦିନଠାରୁ ସେ ଏମିତି ଡରି ଡରି ବଞ୍ଚି ରହିଛନ୍ତି । ଉଭୟ ପରସ୍ପରକୁ ଭଲ ପାଉଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ସେମାନଙ୍କ ମିଳନକୁ ବୈଧ ସାବ୍ୟସ୍ତ କରିବାର ରାସ୍ତା ଦୀର୍ଘ, ଶ୍ରମସାଧ୍ୟ ଓ ଅନେକ କଠିନ ଆହ୍ୱାନରେ ପରିପୂର୍ଣ୍ଣ। ସେମାନଙ୍କ ଡର ହେଉଛି ଯେ ତାଙ୍କ ପରିବାର ଉଭୟଙ୍କ ସମ୍ପର୍କକୁ ସ୍ୱୀକାର କରିବ ନାହିଁ କି ଜଣେ ମହିଳା ଭାବେ ଆରୁଷୀ ନିଜର ପରିଚୟକୁ ନେଇ କରୁଥିବା ସଂଘର୍ଷକୁ ବୁଝିପାରିବ ନାହିଁ। ଆରୁଷୀ ଜଣେ ପରଲିଙ୍ଗି ପୁରୁଷ (ଟ୍ରାନ୍ସମ୍ୟାନ) ଭାବେ ନିଜକୁ ପରିଚୟ ଦେଉଛନ୍ତି ଏବଂ ସେ ଏବେ ନିଜ ନାଁ ଆରୁଷ ରଖିଛନ୍ତି।
ମହାନଗରକୁ ଆସିବା ପରେ ସେମାନଙ୍କୁ ଲାଗିଲା ଯେ ସେମାନେ ଏବେ ପରିବାରଠାରୁ ସ୍ୱାଧୀନତା ପାଇଯାଇଛନ୍ତି। ବିଧିଙ୍କ ପରିବାର ଠାଣେ ଜିଲ୍ଲାର ଏକ ଗାଁରେ ରୁହନ୍ତି, ଆରୁଷଙ୍କ ଗାଁ ଏଠାରୁ ୨୦ କିଲୋମିଟର ଦୂର ପାଲଘର ଜିଲ୍ଲାରେ ରହିଛି। ବିଧି (୨୨) ମହାରାଷ୍ଟ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଭାବେ ବର୍ଗୀକୃତ ଅଗ୍ରୀ ସମ୍ପ୍ରଦାୟର ବାସିନ୍ଦା। ଆରୁଷ (୨୩) ମଧ୍ୟ ଓବିସି ଭାବେ ତାଲିକାଭୁକ୍ତ କୁନବୀ ସମୁଦାୟର ବାସିନ୍ଦା, କିନ୍ତୁ କଠୋର ଜାତିଗତ ଭେଦଭାବ ଥିବା ସେମାନଙ୍କ ଗ୍ରାମରେ ଏହି ସମୁଦାୟକୁ ଅଗ୍ରୀମାନଙ୍କ ଠାରୁ ‘ନୀଚ’ ଭାବେ ଦେଖାଯାଏ।
ଗୋଟିଏ ବର୍ଷ ହେବ ସେମାନେ ଘର ଛାଡ଼ି ମୁମ୍ବାଇ ଚାଲି ଆସିଛନ୍ତି; ଘରକୁ ଫେରିବା ଲାଗି ସେମାନଙ୍କର କୌଣସି ଯୋଜନା ନାହିଁ। ଗାଁରେ ଥିବା ନିଜ ପରିବାର ବିଷୟରେ ଆରୁଷ ଖୁବ୍ କମ୍ କଥା କୁହନ୍ତି, କିନ୍ତୁ କହିଥାନ୍ତି ଯେ, ‘‘ମୁଁ ସବୁବେଳେ କଚ୍ଚା ଘରେ ରହୁଥିଲି ଏବଂ ମୋତେ ସବୁବେଳେ ଏହାକୁ ନେଇ ଲଜ୍ଜା ଲାଗୁଥିଲା। ଏହାକୁ ନେଇ ସବୁବେଳେ ମୁଁ ମୋ ଆଇ (ମା’)ଙ୍କ ସହ ଝଗଡ଼ା କରୁଥିଲି’’, ସେ କୁହନ୍ତି।












