ଠେଲୁ ମହତୋ ବୋଧହୁଏ ସବୁଠୁ ବୟସ୍କ ଜୀବିତ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯାହାଙ୍କୁ ମୋ ପୁସ୍ତକ ଦ ଲାଷ୍ଟ ହିରୋଜ୍ ରେ ସ୍ଥାନ ମିଳିଛି। ୬ ଏପ୍ରିଲ ୨୦୨୩, ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଥିବା ନିଜ ଘରେ ତାଙ୍କର ପରଲୋକ ଘଟିଛି । ପୁସ୍ତକ ପ୍ରକାଶ ପାଇବା ସମୟରେ ଜୀବିତ ଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ ପ୍ରଥମେ ତାଙ୍କର ପରଲୋକ ଘଟିଛି । ୧୯୪୨ ମସିହାରେ ପୁରୁଲିଆର ୧୨ଟି ପୁଲିସ ଥାନାରେ ହୋଇଥିବା ଐତିହାସିକ ବିଦ୍ରୋହରେ ସାମିଲ ଥିବା ଅନ୍ତିମ ଜୀବିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ, ଯଦିଓ ଏହି ଘଟଣା ଏବେ ଅନାଲୋଚିତ ହୋଇ ରହିଛି । ମୃତ୍ୟୁ ବେଳକୁ ଠେଲୁଙ୍କ ବୟସ ହୁଏତ’ ୧୦୩ରୁ ୧୦୫ ବର୍ଷ ମଧ୍ୟରେ ହୋଇଥିବ ।
ତାଙ୍କର ପରଲୋକ ସହିତ ଆମ ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଏବଂ ଭାରତକୁ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କରିବାରେ ସହାୟତା କରିଥିବା ଆମ ସ୍ୱର୍ଣ୍ଣିମ ପିଢ଼ିକୁ ହରାଇବା ଦିଗରେ ଆମେ ଆଉ ପାଦେ ନିକଟତର ହୋଇଛୁ। ଆସନ୍ତା ପାଞ୍ଚ କିମ୍ବା ଛଅ ବର୍ଷରେ ଏ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଜଣେ ହେଲେ ବ୍ୟକ୍ତି ଜୀବିତ ନଥିବେ। ଭାରତର ନୂଆପିଢ଼ି ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବା ଲୋକମାନଙ୍କୁ ଦେଖିବା, କଥା ହେବା କିମ୍ବା ଶୁଣିବା ଲାଗି ସୁଯୋଗ ପାଇବେ ନାହିଁ । ସେମାନଙ୍କ ପରିଚୟ କ’ଣ ଥିଲା, ସେମାନେ କ’ଣ ପାଇଁ ଲଢ଼ିଥିଲେ – ଏବଂ ସେମାନେ କାହିଁକି ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ, ସେ କଥା କେବେବି ସେମାନେ ସିଧାସଳଖ କହିନାହାନ୍ତି ।
ଆଉ ଠେଲୁ ମହତୋ ଏବଂ ତାଙ୍କର ଆଜୀବନ କମରେଡ୍ (ବନ୍ଧୁ) ଲୋଖୀ ମହତୋ ନିଜ କାହାଣୀ ଶୁଣାଇବା ଲାଗି ବେଶ ଉତ୍ସୁକ ଥିଲେ। ସେମାନେ ଏହା ଚାହୁଁଥିଲେ ଯେ ଯୁବ ଏବଂ ନୂଆପିଢ଼ି ଏକଥା ଜାଣନ୍ତୁ ଯେ ସେମାନେ ଦେଶ ପାଇଁ ଲଢ଼େଇ କରିଛନ୍ତି ଏବଂ ଏହା କରିଥିବାରୁ ସେମାନେ ଗର୍ବିତ। ଠେଲୁ ଏବେ ଆଉ ନିଜ କାହାଣୀ କହିପାରିବେ ନାହିଁ। ତାଙ୍କ ପିଢ଼ିର ଅନ୍ୟ ଜୀବିତ ସଂଗ୍ରାମୀମାନେ ମଧ୍ୟ ଆଉ ପାଞ୍ଚ-ଛଅ ବର୍ଷ ପରେ ନିଜ କାହାଣୀ କହିବାକୁ ସକ୍ଷମ ହେବେ ନାହିଁ।
ଭବିଷ୍ୟତର ଯୁବ ଭାରତୀୟମାନଙ୍କ ପାଇଁ ଏହା ଏକ ବଡ଼ କ୍ଷତି ସାବ୍ୟସ୍ତ ହେବ। ବର୍ତ୍ତମାନ ପିଢ଼ି ଏବେ ବି ଅନେକ କ୍ଷତି ସହିଲାଣି। ଆମ ନିଜ ସମୟର ଠେଲୁଙ୍କ ଭଳି ସଂଗ୍ରାମୀ, ସେମାନଙ୍କର ବଳିଦାନ କିମ୍ବା ସେମାନଙ୍କର ସେହି ଗୁରୁତ୍ୱପୂର୍ଣ୍ଣ ଜୀବନ କାହାଣୀ ଯାହାଦ୍ୱାରା ଆମେ ନିଜ ଜୀବନକୁ ରୂପ ଦେଇପାରିବା, ସେ ବିଷୟରେ ଆମେ ଖୁବ୍ କମ୍ ଜାଣିଛୁ।
ବିଶେଷ କରି ଏପରି ଏକ ଯୁଗରେ ଯେଉଁଠି ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସର ପୁନର୍ଲିଖନ ହେଉନାହିଁ ଯେତିକି ପ୍ରସ୍ତୁତ ହୋଇଛି ତାହା ମନଗଢ଼ା, କାଳ୍ପନିକ ଓ ଜୋରଜବଦସ୍ତ ଥୋପି ଦିଆଯାଇଛି। ସାର୍ବଜନୀନ ପରିଦୃଶ୍ୟରେ, ଗଣମାଧ୍ୟମର ଏକ ବଡ଼ ବର୍ଗର ବିଷୟବସ୍ତୁରେ, ଏବଂ ଚିନ୍ତାଜନକ ଭାବେ ଆମର ସ୍କୁଲ ପାଠ୍ୟକ୍ରମରେ ମୋହନଦାସ କରମଚନ୍ଦ ଗାନ୍ଧୀଙ୍କ ହତ୍ୟା ସହ ଜଡ଼ିତ ପ୍ରମୁଖ ସତ୍ୟଗୁଡ଼ିକୁ ଲଗାତର ବିଲୋପ କରି ଦିଆଯାଉଛି।






