“ନର୍ଦ୍ଦମା ଗାତର ଗଭୀରତା ଥିଲା ପ୍ରାୟ ୨୦ ଫୁଟ୍। ପ୍ରଥମେ ପରେଶ ଭିତରକୁ ଗଲେ। ସେ ସେଥିରୁ ଦୁଇ କି ତିନି ବାଲଟି ମଇଳା ବାହାର କରିଲେ। ତା’ପରେ ସେ ଉପରକୁ ଆସିଲେ, କିଛି ସମୟ ବସି ରହିବା ପରେ ପୁଣି ଭିତରକୁ ଗଲେ। ଭିତରକୁ ଯିବା ମାତ୍ରେ ହିଁ ସେ ଚିତ୍କାର କରି ଉଠିଲେ....।
“କ’ଣ ଘଟିଗଲା, ଆମେ ଜାଣି ନଥିଲୁ। ତେଣୁ ଗଲସିଂ ଭାଇ ଭିତରକୁ ଗଲେ। କିନ୍ତୁ ପୁଣି ସବୁ ନିରବ ହୋଇଗଲା। ତା’ପରେ ଅନିପ ଭାଇ ଭିତରକୁ ଗଲେ। ତଥାପି, ଭିତରେ ଥିବା ତିନି ଜଣଙ୍କ ମଧ୍ୟରୁ କେହି କିଛି ହେଲେ କହିଲେନି । ତେଣୁ, ସେମାନେ ମୋତେ ଗୋଟିଏ ଦଉଡ଼ିରେ ବାନ୍ଧି ଭିତରକୁ ପଠାଇଲେ। ମୁଁ କାହାରି ଜଣକର ହାତ ଧରିପାରିଲି। ମୁଁ ଜାଣି ନଥିଲି ତାହା କାହାର ହାତ ଥିଲା । କିନ୍ତୁ ସେହି ହାତଟିକୁ ଧରିବା ମାତ୍ରେ ସେମାନେ ମୋତେ ଉପରକୁ ଟାଣି ଆଣିବାକୁ ଚେଷ୍ଟା କଲେ ଏବଂ ସେହି ସମୟରେ ହିଁ ମୁଁ ଅଚେତ ହୋଇଯାଇଥିଲି।” ନିଶ୍ୱାସ ନେବାକୁ ନ ଅଟକି ଗୋଟିଏ ଥରରେ ଏତକ କହିଦିଅନ୍ତି ଭବେଶ।
ଆମେ ଭବେଶଙ୍କୁ ସାକ୍ଷାତ କରିବା ବେଳକୁ ସେହି ଅଘଟଣକୁ ସପ୍ତାହ ବି ପୂରି ନଥିଲା, ଯେତେବେଳେ ନିଜ ଆଖି ଆଗରେ ତାଙ୍କ ଭାଇ ପରେଶଙ୍କ ସହିତ ଅନ୍ୟ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁକୁ ସେ ଦେଖିଥିଲେ। ସେହି ଦୁଃଖଦ ଘଟଣାର ବିବରଣୀ ମନେ ପକାଇବା ତାଙ୍କ ପକ୍ଷରେ ବେଶ୍ ଯନ୍ତ୍ରଣାଦାୟକ ଥିଲା। କହିଲା ସମୟରେ ତାଙ୍କ କଣ୍ଠରେ ଦୁଃଖ ଓ ବିଷାଦର ଛାପ ସ୍ପଷ୍ଟ ବାରି ହୋଇପଡୁଥିଲା।
ଗୁଜରାଟର ଦାହୋଦ ଜିଲ୍ଲା ଅନ୍ତର୍ଗତ ଖରସାଣା ଗାଁର ୨୦ ବର୍ଷୀୟ ଭବେଶ କଟାରାଙ୍କ ‘ସୌଭାଗ୍ୟ’ ଯେ ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଭରୁଚ ଜିଲ୍ଲାର ଦହେଜ ଗ୍ରାମ ପଞ୍ଚାୟତରେ ଏକ ବିଷାକ୍ତ ନର୍ଦ୍ଦମା ଗାତ ବା ଗଟର୍ ସଫା କରିବାକୁ ଯାଇଥିଲେ ପାଞ୍ଚ ଜଣ ଆଦିବାସୀ ଶ୍ରମିକ ଏବଂ ସେଠାରେ ସଂଘଟିତ ଦୁର୍ବିପାକରୁ ବର୍ତ୍ତି ଯାଇଥିବା ଦୁଇ ଜଣଙ୍କ ମଧ୍ୟରୁ ସେ ଥିଲେ ଜଣେ । ଅନ୍ୟ ଜଣକ ହେଲେ ସେହି ଦାହୋଦ ଜିଲ୍ଲା ଅନ୍ତର୍ଗତ ବାଲେନ୍ଦିୟା-ପେଠାପୁରର ୧୮ ବର୍ଷୀୟ ଜିଗ୍ନେଶ ପରମାର।
ସେମାନଙ୍କ ସହିତ କାମ କରୁଥିଲେ ଜିଗ୍ନେଶଙ୍କ ଗାଁର ୨୦ ବର୍ଷୀୟ ଅନିପ ପରମାର; ଦାହୋଦ ଜିଲ୍ଲା ଦାନ୍ତଗଡ଼-ଚାକଲିୟାର ୨୫ ବର୍ଷୀୟ ଗଲସିଂ ମୁନିୟା; ଏବଂ ଭବେଶଙ୍କ ସହ ଗାଁରେ ରହୁଥିବା ତାଙ୍କର ୨୪ ବର୍ଷୀୟ ଭାଇ ପରେଶ କଟାରା। ନର୍ଦ୍ଦମା ଗାତରେ ଶ୍ୱାସରୁଦ୍ଧ ହୋଇ ଏହି ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । (ଏଠାରେ ଦର୍ଶାଯାଇଥିବା ମୃତକମାନଙ୍କ ବୟସ ସେମାନଙ୍କର ଆଧାର କାର୍ଡରୁ ଉଦ୍ଧୃତ ଏବଂ ଏହାକୁ ଆନୁମାନିକ ବୟସ ବୋଲି ଧରି ନେବାକୁ ହେବ । ଅନେକ ସମୟରେ ଧୈର୍ଯ୍ୟହରା ତଳିଆ କର୍ମଚାରୀମାନଙ୍କ ଦ୍ୱାରା ହିଁ ଏହା ମନଇଚ୍ଛା ନିର୍ଦ୍ଧାରିତ ହୋଇଥାଏ।)





















