ସେମାନଙ୍କୁ କେହି ନିରୀକ୍ଷଣ କରୁଥିବା ଧାରଣାକୁ ନା ଘନରାତ୍ରିର ଅନ୍ଧକାର ନା ସମୟ ବ୍ୟବଧାନରେ ଗତି କରୁଥିବା ଟ୍ରେନଗୁଡ଼ିକର ହୁଇସିଲ୍ ଚେତାଇପାରେ।
୧୭ ବର୍ଷୀୟା ନୀତୁ କୁମାରୀ କୁହନ୍ତି, "ରାତିରେ ଉପଲବ୍ଧ ଏକମାତ୍ର ଶୌଚାଳୟ ହେଉଛି ରେଳ ଟ୍ରାକ୍"।
ନୀତୁ ଦକ୍ଷିଣ-କେନ୍ଦ୍ରୀୟ ପାଟଣାର ୟାରପୁର ଅଞ୍ଚଳରେ ୱାର୍ଡ ନମ୍ବର ୯ ବସ୍ତି କଲୋନୀରେ ରୁହନ୍ତି। ଏକା ପରି ଦେଖାଯାଉଥିବା ଘରଗୁଡ଼ିକର ମଧ୍ୟ ଭାଗରେ ଏକ ସିମେଣ୍ଟରେ ନିର୍ମିତ ଚଉତରା ଅଛି ଯେଉଁଥିରେ ଧାଡ଼ି ହୋଇ ଟ୍ୟାପ୍ ଲାଗିଛି। ସେଠାରେ ଦୁଇଜଣ ବ୍ୟକ୍ତି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ନିଜ ଦେହରେ ଜୋରରେ ସାବୁନ୍ ଲଗାଉଛନ୍ତି। ପ୍ରାୟ ଏକ ଡଜନ ବାଳକ ଖସଡ଼ା ଚଟାଣରେ ଓଲଟି, ପରସ୍ପରକୁ ଟାଣି କରି, ହସଖୁସିରେ ପାଣି ସହିତ ଖେଳୁଛନ୍ତି।
ପାଖାପାଖି ୫୦ ମିଟର ଦୂରରେ ସ୍ଥିତ ଏକ ଶୌଚାଳୟ ବ୍ଲକ - ଏହି କଲୋନୀରେ ଏକମାତ୍ର - ଅବ୍ୟବହୃତ ହୋଇ ରହିଛି, ଏହାର ପ୍ରତ୍ୟେକ ୧୦ଟି କୋଠରୀ ବନ୍ଦ ରହିଥିଲା, ମହାମାରୀ କାରଣରୁ ଏହି ସର୍ବସାଧାରଣ ସୁବିଧାଟି ଗୋଷ୍ଠିକୁ ହସ୍ତାନ୍ତର କରିବାରେ ବିଳମ୍ବ ଘଟିଛି । ଏକ ଛେଳି ନିଜର ଛୁଆମାନଙ୍କ ସହ ଏହି ଉଚ୍ଚତର ବ୍ଲକର ଦୁଇଟି ପାହାଚ ଉପରେ ବାସ କରୁଛି । ରେଳ ଟ୍ରାକର ପଛପଟେ ଏକ ଅଳିଆ ଗଦା ଅଛି । ନିକଟରେ କାର୍ଯ୍ୟକ୍ଷମ ସର୍ବସାଧାରଣ ଶୌଚାଳୟକୁ ଚାଲିକରି ଯିବା ପାଇଁ ୧୦ ମିନିଟ୍ ସମୟ ଲାଗେ, ଏବଂ କେତେକ ଟ୍ରାକ୍ ଅତିକ୍ରମ କରି ୟାରପୁର ପ୍ରାନ୍ତରେ ଥିବା ଶୌଚାଳୟକୁ ଯିବାକୁ ପସନ୍ଦ କରନ୍ତି - ଏଠାକୁ ମଧ୍ୟ ଚାଲିକରି ଆସିବା ପାଇଁ ୧୦ମିନିଟ୍ ସମୟ ଲାଗିଥାଏ।
‘‘ପୁଅମାନେ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଏହା କରିଦିଅନ୍ତି। ଝିଅମାନେ କେବଳ ରାତିରେ ଟ୍ରାକକୁ ବ୍ୟବହାର କରନ୍ତି’’ ପ୍ରଥମ ବର୍ଷର ବିଏ ଛାତ୍ରୀ ନୀତୁ କୁହନ୍ତି । (ଏହି କାହାଣୀର ସମସ୍ତ ନାମ ପରିବର୍ତ୍ତନ କରାଯାଇଛି )। ଦିନରେ ସେ ୨୦୦ ମିଟର ଦୂରରେ ଥିବା ମାଉସୀଙ୍କ ଘରେ ଥିବା ଶୌଚାଳୟ ବ୍ୟବହାର କରିପାରୁଥିବାରୁ ସେ ନିଜ ଅଞ୍ଚଳର ଅନ୍ୟ ଝିଅମାନଙ୍କ ଅପେକ୍ଷା ନିଜକୁ ଭାଗ୍ୟବାନ ମନେ କରନ୍ତି।
‘‘ଆହୁରି ମଧ୍ୟ, ଆମ ଘରେ ଦୁଇଟି କୋଠରୀ ଅଛି, ଗୋଟିଏରେ ମୋର ସାନ ଭାଇ ଶୋଇଥାଏ ଏବଂ ଅନ୍ୟଟିରେ ମୁଁ ଓ ମୋର ମା’ ଶୋଇଥାଉ। ତେଣୁ ଅନ୍ତତଃ ପକ୍ଷେ ଘରେ ପ୍ୟାଡ୍ ବଦଳାଇବା ପାଇଁ ମୋର ଏକ ବ୍ୟକ୍ତିଗତ ସ୍ଥାନ ରହିଛି’’, ନୀତୁ କୁହନ୍ତି। “ଅନେକ ଝିଅ ଏବଂ ମହିଳା ରେଲୱେ ଟ୍ରାକରେ ରାତିର ଘନ ଅନ୍ଧକାରରେ ନାପକିନ୍ ବଦଳାଇବାକୁ ଦିନସାରା ଅପେକ୍ଷା କରିଥାନ୍ତି।”










