ବାରାଣସୀ ଜିଲ୍ଲା ଅନେଇ ଗାଁର ସୁଦାମା ଆଦିବାସୀ କହନ୍ତି, ‘‘ଯଦି ମୋ ପାଖରେ ବିକଳ୍ପ ଥାଆନ୍ତା, ତେବେ ମୁଁ କେବେ ବି ହସ୍ପିଟାଲ ଯାଇ ନ ଥାନ୍ତି ।’’ ସେ ଖୁବ୍ ସ୍ପଷ୍ଟ ଭାବେ କହିଲେ । ‘‘ଆମ ସହ ସେଠାରେ ପଶୁତୁଲ୍ୟ ବ୍ୟବହାର କରାଯାଏ । ଡାକ୍ତର ଆମକୁ ଦେଖିବାକୁ ଆସନ୍ତି ନାହିଁ ଏବଂ ନର୍ସମାନେ ଏମିତି କଥା କୁହନ୍ତି, ‘ସେମାନେ କେମିତି ରହନ୍ତି ! ଏହି ଦୁର୍ଗନ୍ଧପୂର୍ଣ୍ଣ ଲୋକମାନେ କେଉଁଠୁ ଆସନ୍ତି ?’’ ସୁଦାମା ମନେ ପକାନ୍ତି, କେମିତି, କେବେ ଓ କାହିଁକି ସେ ନିଜର ପ୍ରଥମ ପାଞ୍ଚଟି ପିଲାଙ୍କୁ ଘରେ ହିଁ ଜନ୍ମକଲେ ।
ଗତ ୧୯ ବର୍ଷରେ ସୁଦାମାଙ୍କର ନଅଟି ପିଲା ହୋଇଛନ୍ତି । ୪୯ ବର୍ଷ ବୟସରେ, ସେ ଏ ଯାଏଁ ରଜୋନିବୃତ୍ତି ଯାଏଁ ପହଞ୍ଚିନାହାନ୍ତି ।
ସେ ବାରାଗାଁଓ ବ୍ଲକ୍ରେ ଏକ ଗାଁର ପ୍ରାନ୍ତରେ ୫୭ଟି ପରିବାର ବାସ କରୁଥିବା ମୂଷାହାର ବସ୍ତିରେ ରହନ୍ତି, ଯାହା ନିକଟରେ ଉଚ୍ଚ ଜାତିର ଠାକୁର, ବ୍ରାହ୍ମଣ, ଗୁପ୍ତାମାନଙ୍କର ଘର ଅଛି । ସେଠାରେ କେତେକ ମୁସଲମାନ ପରିବାର ଏବଂ ଚମାର, ଢାରକର ଓ ପାସି ଭଳି ହରିଜନ ପରିବାର ମଧ୍ୟ ରହନ୍ତି । ବସ୍ତି ଏହି ସମ୍ପ୍ରଦାୟ ସହ ସଂପୃକ୍ତ ବିଭିନ୍ନ ଋଢ଼ିକୁ ପ୍ରମାଣିତ କରୁଥିବା ଦେଖାଯାଏ – ଅଧା ଲଙ୍ଗଳା, ଧୁଳି ଧୂସରିତ ପିଲା, ଅଇଁଠା ଲାଗିଥିବା ସେମାନଙ୍କର ପତଳା ମୁହଁରେ ମାଛି ବସୁଥାଆନ୍ତି ଏବଂ ସ୍ୱଚ୍ଛତାର ସମ୍ପୂର୍ଣ୍ଣ ଅଭାବ । କିନ୍ତୁ ନିକଟରୁ ଦେଖିଲେ ଏକ ଭିନ୍ନ କାହାଣୀ ସାମ୍ନାକୁ ଆସେ ।
ଉତ୍ତରପ୍ରଦେଶର ଅନୁସୂଚିତ ଜାତି ମଧ୍ୟରେ ତାଲିକାଭୁକ୍ତ ହୋଇଥିବା ମୁଷାହାରମାନେ ମୂଷାଙ୍କୁ ଧରିବାରେ ପାରଙ୍ଗମ ଥିଲେ ଯେଉଁମାନେ ଫସଲକୁ କ୍ଷତି କରୁଥିଲେ । ବର୍ଷ ବର୍ଷ ଧରି, ସେମାନଙ୍କର ବୃତ୍ତି କଳଙ୍କର ଉତ୍ସ ହୋଇଗଲା ଏବଂ ସେମାନେ ‘ମୂଷା ଭୋଜନକାରୀ’ ଭାବରେ ପରିଚିତ ହେଲେ - ତାହା ହେଉଛି ‘ମୂଷାହାର’ ଶବ୍ଦର ଅର୍ଥ। ଏହି ସମ୍ପ୍ରଦାୟ ଅନ୍ୟ ସାମାଜିକ ଗୋଷ୍ଠୀଙ୍କ ଦ୍ୱାରା ବହିଷ୍କାର ଏବଂ ଅପମାନର ସମ୍ମୁଖୀନ ହୁଏ, ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅବହେଳିତ ଏବଂ ସମ୍ପୂର୍ଣ୍ଣ ରୂପେ ବଞ୍ଚିତ ରହେ । ପଡ଼ୋଶୀ ବିହାରରେ, ସେମାନେ ‘ମହାଦଳିତ’ ଶ୍ରେଣୀଭୁକ୍ତ ହୋଇଛନ୍ତି - ଅନୁସୂଚିତ ଜାତିଙ୍କ ମଧ୍ୟରେ ଗରିବ ଏବଂ ସବୁଠାରୁ ଭେଦଭାବପୂର୍ଣ୍ଣ ବର୍ଗ ।








