ଘଣ୍ଟା କଣ୍ଟା ଭଳି, ପ୍ରତି ମାସରେ ଏକ ଭୟାନକ ପେଟ ଯନ୍ତ୍ରଣା ଗାୟତ୍ରୀ କଚ୍ଛରାବିଙ୍କୁ ଅତିଷ୍ଠ କରି ଦେଇଥାଏ। ଗତ ଏକ ବର୍ଷ ପୂର୍ବରୁ ତାଙ୍କର ଋତୁସ୍ରାବ ବନ୍ଦ ହୋଇସାରିଛି କିନ୍ତୁ ଏହି ତିନି ଦିନର ଯନ୍ତ୍ରଣା ତାଙ୍କୁ ସେହି ଦିନ କଥା ମନେ ପକାଇ ଦେଇଥାଏ।
ଗାୟତ୍ରୀ କୁହନ୍ତି, ‘‘ମୁଁ ଜାଣିଛି ଏହା ମୋର ମାସିକ ଧର୍ମ କିନ୍ତୁ, ମୋର ରକ୍ତସ୍ରାବ ହେଉନାହିଁ।’’ ଏହି ୨୮ ବର୍ଷ ମହିଳା ଜଣଙ୍କ ଆହୁରି କୁହନ୍ତି, ‘‘ବୋଧହୁଏ ତିନି ଜଣ ପିଲାଙ୍କୁ ଜନ୍ମ ଦେବା ପରେ ମୋ ମାସିକ ଧର୍ମରେ ଆଉ ରକ୍ତସ୍ରାବ ହେଉନାହିଁ।’’ କିନ୍ତୁ ଏମେନୋରିୟା – ମାସିକ ଧର୍ମର ଅନୁପସ୍ଥିତି – ମାସିକ ପେଟ ଯନ୍ତ୍ରଣା ଓ ପିଠି ଦରଜ କମାଇ ନାହିଁ। ଏହା ଏତେ କଷ୍ଟ ଦେଇଥାଏ ଯେ ଗାୟତ୍ରୀ କୌଣସି ଶାରୀରିକ ଶ୍ରମ କଲା ଭଳି ଅନୁଭବ କରିଥାନ୍ତି ବୋଲି କୁହନ୍ତି। ‘‘ଉଠିବା ମଧ୍ୟ କଷ୍ଟକର ହୋଇପଡ଼େ।’’
ଗାୟତ୍ରୀ ଡେଙ୍ଗା ଓ ପତଳା, ତାଙ୍କର ଆଖି ଆକର୍ଷଣୀୟ ଏବଂ କହିବାରେ ତାଙ୍କର ଏକ ସ୍ଥିର ଶୈଳୀ ରହିଛି। ସେ କର୍ଣ୍ଣାଟକର ହାବେରୀ ଜିଲ୍ଲାର ରାନୀବେନ୍ନୁର ତାଲୁକ ଅନ୍ତର୍ଗତ ଅସୁଣ୍ଡି ଗାଁର ବାହ୍ୟ ଇଲାକାରେ ଥିବା ଦଳିତ ସମ୍ପ୍ରଦାୟ ମଡ଼ିଗାମାନଙ୍କର କଲୋନୀ ମଡ଼ିଗାର କେରୀରେ ସେ ରହିଥାନ୍ତି। ସେ ଜଣେ କୃଷି ଶ୍ରମିକ ଏବଂ ଫସଲର କୁଶଳୀ ହସ୍ତ ପରାଗସଙ୍ଗମକାରୀ ଭାବେ ତାଙ୍କର ପରିଚୟ ରହିଛି।
ଗୋଟିଏ ବର୍ଷ ପୂର୍ବରୁ ପରିସ୍ରା କରିବାରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ। ତାଙ୍କ ଗାଁଠାରୁ ୧୦ କିଲୋମିଟର ଦୂର ବ୍ୟାଡ଼ଗିରେ ଥିବା ଏକ ଘରୋଇ କ୍ଲିନିକରେ ସେ ଦେଖାଇଥିଲେ।
















