ତୋଫା ହଳଦୀ ରଙ୍ଗର ଶାଢ଼ିକୁ ତାଙ୍କ ଛିଡ଼ା ଚପଲରେ ଛନ୍ଦି ନହେବା ପାଇଁ ସେ କୁଞ୍ଚ କରି ଟେକିକି ଅଣ୍ଟା ପାଖେ ଖୋସିଦେଇ ବଳାଗଣ୍ଠି ଉପରକୁ ରଖି ଜାନୁଆରୀ ମାସର କଣ୍ଟକଣ୍ଟିଆ ଶୀତରେ ସେ ଦ୍ରୁତ ପଦପାତରେ ଚାଲିଥିଲେ । ଫଗୁଣୀ ମୁଣ୍ଡରେ ଭିଡ଼ିଥିବା ଗାଢ଼ ଗୋଲାପି ରଙ୍ଗର ସ୍କାର୍ଫ ବେଳେବେଳେ ପବନରେ ଫରଫରଉ ଥିଲା । ତାଙ୍କ କାନ୍ଧରେ କିଲେ ସରିକି କୁଣ୍ଡଳାକୃତି ଲୋମହୀନ ହାଲକା ବାଦାମି-ସୁନା ରଙ୍ଗର ଛଣପଟା ତନ୍ତୁ ସତେ ଯେମିତି କୌଣସି ଫେସନ ପରିପାଟି ପରି ଝୁଲି ରହିଥିଲା ।
ସେ ତାଙ୍କ ବାଁ ହାତରେ ଗୋଟିଏ ସାଧାରଣ ଚାରି-ଖୁରିଆ ଢେରାରୁ (ଘୂରାରୁ) ଝୁଲିଥିବା ସୂତାକୁ ଧରିଥିଲେ । ଟିକିଏ ଛଡ଼ା ଟିକିଏ ସମୟ ଅନ୍ତରରେ ତାଙ୍କ କାନ୍ଧରେ ଥିବା ତନ୍ତୁରୁ ସେ ଡାହାଣ ହାତରେ ଖିଏ କି ଦିଖିଅ ଟାଣି ନେଇ ସେ ଢେରାକୁ ଘୂରେଇ ଦେଉଥିଲେ, ଓ ତା’ପରେ ତତକ୍ଷଣାତ ତାଙ୍କର ଦୁଇ ହାତ ଲଗାଇ ତନ୍ତୁକୁ ଛନ୍ଦି ଦେଇ ପତଳା ସୁତୁଲି ବନଉଥିଲେ । ଯାଦୁ କଲା ପରି ଖଦଖଦଡ଼ିଆ ଛଣପଟା ତନ୍ତୁକୁ ତାଙ୍କ ହାତର ଆଙ୍ଗୁଠି ଚକମକିଆ ସୁତୁଲିର ରୂପ ଦେଉଥିଲା, ଯେଉଁ ସୁତୁଲିର ଦୈର୍ଘ୍ୟ କ୍ରମେ ବୃଦ୍ଧି ପାଇ ଶେଷକୁ ଢେରା ତଳେ ପଡୁଥିଲା । “ହେ... ହେ... ଚଲ, ଚଲ”, ଫଗୁଣୀ ତାଙ୍କର ତିନିଟି ଗାଈ ଓ ଦୁଇଟି ଛେଳିଙ୍କୁ ତଳୁ ସୁତୁଲିଗୁଡ଼ା ଘୂରାଟିକୁ ଉଠାଇ ଝାଡ଼ିବା ସହ ପୁଣି ଥରେ କାମ ଆରମ୍ଭ କଲା ବେଳକୁ କୋମଳ ଡାକ ଦେଉଥିଲେ ।
“ଗୋଟେ ମୂହୁର୍ତ୍ତ ସେମାନଙ୍କ ଉପରୁ ଆଖି ଉଠିଗଲା ମାନେ ସେମାନେ ସିଧା ଯାଇ ସୋରିଷ କି ଗହମ ଖେତରେ ଯାଇ ପହଞ୍ଚି ଯିବେ”, ସେ ନିଜକୁ ନିଜେ ବିଡ଼ବିଡ଼େଇ ହେଇ କହନ୍ତି । ୫୬-ବର୍ଷୀୟା ଫଗୁଣୀ ଦେବୀ ଯେଉଁ ଭଳି ସହଜ ଓ ସୁନ୍ଦର ଭାବରେ ଏସବୁ କଥା କରିବା ସହ ଆଗର ରାସ୍ତା ଓ ଛେଳିମାନଙ୍କ ଉପରେ ନଜର ରଖିବା ଓ ସାଙ୍ଗସାଥିଙ୍କ ସହ କଥା ହେବା ଆଦି କରନ୍ତି, ତାହା ଦେଖି ମୁଁ ଚକିତ ଓ ଚମତ୍କୃତ ହେବା କଥା ପ୍ରକାଶ କରେ । “ଆମେ ଚୌଧରୀମାନେ ଏହି ଦକ୍ଷତା ସହ ଜନ୍ମ ହୋଇଥାଉ – ଏହା ଆମେ ଗର୍ଭାଶୟରୁ ଶିଖୁ” । ତାଙ୍କ ସ୍ଵରରେ ରହିଥିବା ଗର୍ବିତ ଭାବକୁ ମୁଁ ବୁଝିପାରେ । “ଏ ଗାଁର ପ୍ରତି ପିଲା ଏହା ଜାଣେ” ।


















