“କୋଇ ସରକାର ନହିଁ ଚଙ୍ଗି ଆମ ଲୋକାଁ ଲାୟି (ସାଧାରଣ ଲୋକଙ୍କ ପାଇଁ କୌଣସି ସରକାର ଭଲ ନୁହେଁ),” ୭୦ ବର୍ଷୀୟା ଗୁରମିତ କୌର କହନ୍ତି । ଲୁଧିଆନାର ଜଗରାଓଁରେ ଆୟୋଜିତ କିଷାନ-ମଜଦୁର ମହାପଞ୍ଚାୟତ (କୃଷକ ଓ ଶ୍ରମିକମାନଙ୍କର ବିଶାଳ ଗ୍ରାମସଭା) ରେ ଯୋଗ ଦେବା ଲାଗି ବସିଆଁ ଗାଁରୁ ଆସିଥିବା ଦଳେ ମହିଳାଙ୍କ ସହିତ ସେ ଏକ ଚାଳିଆ ତଳର ଛାଇରେ ବସିଛନ୍ତି ।
“ଚାକିରି ଦେବେ ବୋଲି (ପ୍ରଧାନ ମନ୍ତ୍ରୀ) ମୋଦି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କୌଣସି ପ୍ରତିଶ୍ରୁତି ପୂରଣ ହେଲାନାହିଁ । (ତେଣୁ ଏବେ) ଏନା ଦା କୋଇ ହକ୍ ନହିଁ ସାଡ଼େ ଇଥେ ଆ କେ ଭୋଟାଁ ମାଗାଁ ଦା (ଏଠାକୁ ଆସି ଭୋଟ ମାଗିବାର କୌଣସି ଅଧିକାର ସେମାନଙ୍କର ନାହିଁ),” ସେ କହନ୍ତି । ଗୁରମିତ କୌର ଦକୌନ୍ଦାର ଭାରତୀୟ କିଷାନ ୟୁନିଅନ (ବିକେୟୁ ଏକତା) ସହ ସମ୍ବନ୍ଧିତ ଏବଂ ସେ ‘ପରୀ’କୁ କହନ୍ତି ଯେ, ୨୦୧୯ର ଲୋକସଭା ନିର୍ବାଚନରେ ସେ ମୋଦିଙ୍କୁ ଭୋଟ ଦେଇଥିଲେ ।
ଜଗରାଓଁର ନୂତନ ଶସ୍ୟ ବଜାରରେ ମେ ମାସ ୨୧ ତାରିଖ ଦିନ ଅନୁଷ୍ଠିତ ମହାପଞ୍ଚାୟତରେ ପାଖାପାଖି ୫୦,୦୦୦ ଲୋକ ଯୋଗ ଦେଇଥିଲେ । ସେମାନେ ସମସ୍ତେ ନିଜର ଶକ୍ତି ପ୍ରଦର୍ଶନ ସହିତ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ପ୍ରତିବାଦ କରିବା ଲାଗି ବିଭିନ୍ନ କୃଷକ ସଂଗଠନ, ଶ୍ରମିକ ସଂଘ, ଅଙ୍ଗନବାଡ଼ି କର୍ମୀ ସଂଘ ଏବଂ ଡାକ୍ତରୀ ଚିକିତ୍ସା ଅଧିକାରୀ ସଂଘ ତରଫରୁ ଆସିଥିଲେ । ମଞ୍ଚ ଉପରେ ଲାଗିଥିବା ବ୍ୟାନରରେ କୁହାଯାଇଥିଲା, ‘ବିଜେପି ହରାଓ, କର୍ପୋରେଟ୍ ଭଜାଓ, ଦେଶ ବଚାଓ (ବିଜେପିକୁ ହରାଅ । କର୍ପୋରେଟ ସଂସ୍ଥାମାନଙ୍କୁ ତଡ଼ିଦିଅ । ଦେଶ ବଞ୍ଚାଅ) ।’
“ଆମେ ପଞ୍ଜାବରେ ମୋଦିଙ୍କୁ କଳାପତାକା ଦେଖାଇବୁ,” ମହାପଞ୍ଚାୟତରେ ଉପସ୍ଥିତ ଥିବା ‘ବିକେୟୁ-ଲଖୋୱାଲ ଚାପ୍ଟର’ ସଭାପତି ହରିନ୍ଦର ସିଂହ ଲଖୋୱାଲ କହନ୍ତି ।
ପଞ୍ଜାବରେ ୨୦୨୪ ଜୁନ ୧ ତାରିଖ ଦିନ ଭୋଟଗ୍ରହଣ କରାଯିବ ଏବଂ ରାଜ୍ୟରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ନରେନ୍ଦ୍ର ମୋଦି ପ୍ରସ୍ତୁତ ହୋଇ ରହିଛନ୍ତି । ସେହି ରାଜ୍ୟରେ, ଯେଉଁଠି କୃଷକମାନଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବର ପ୍ରତିବାଦ କରାଯାଇଆସୁଛି । କୃଷକମାନଙ୍କ ଦାବିଗୁଡ଼ିକ ହେଲା: ସ୍ୱାମୀନାଥନ କମିଶନଙ୍କ ସୁପାରିସ ମୁତାବକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି) ନିଶ୍ଚିତ ରୂପେ ଲାଗୁ କରିବା, କୃଷିଋଣ ସଂପୂର୍ଣ୍ଣ ଛାଡ଼ କରିବା, ଲଖିମପୁର ଖିରି ଗଣହତ୍ୟାର ପୀଡ଼ିତ ବ୍ୟକ୍ତିମାନଙ୍କୁ ନ୍ୟାୟ ପ୍ରଦାନ, କୃଷକ ଏବଂ ଶ୍ରମିକମାନଙ୍କ ପାଇଁ ପେନ୍ସନ୍ ଯୋଜନା କରିବା ଏବଂ ୨୦୨୦-୨୦୨୧ର ପ୍ରତିବାଦ ଆନ୍ଦୋଳନ ବେଳେ ସହିଦ ହୋଇଥିବା କୃଷକମାନଙ୍କ ପରିବାରକୁ କ୍ଷତିପୂରଣ ଦେବା । ପଢ଼ନ୍ତୁ: କୃଷକ ଆନ୍ଦୋଳନ ସଂପର୍କିତ ‘ପରୀ’ର ପୂର୍ଣ୍ଣାଙ୍ଗ ରିପୋର୍ଟ












