କିଶନଗଡ଼ ସେଧା ସିଂ ୱାଲାରେ ନିଜ ଘର ବାରଣ୍ଡାରେ ବସି ସୁର୍ଜିତ କୌର କୁହନ୍ତି, ‘‘ଆମ ପିଢ଼ିର ମହିଳାମାନେ ଯଦି ଶିକ୍ଷିତ ହୋଇଥାନ୍ତେ, ପରିସ୍ଥିତି ଭିନ୍ନ ହୋଇଥା’ନ୍ତା।’’ ପଛରେ ତାଙ୍କର ନାତି ନାତୁଣୀ ବସିଛନ୍ତି । ଠିକ୍ ସେମାନଙ୍କ ଭଳି ହୋଇଥିବା ବେଳେ ତାଙ୍କୁ ପଞ୍ଚମ ଶ୍ରେଣୀରୁ ସ୍କୁଲ୍ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା।
‘‘ଶିକ୍ଷା ଜଣେ ବ୍ୟକ୍ତିର ତୃତୀୟ ନୟନ ଖୋଲି ଦେଇଥାଏ,’’ ୬୩ ବର୍ଷୀୟା ଏହି ମହିଳା ଜଣଙ୍କ କୁହନ୍ତି।
ତାଙ୍କର ୭୫ ବର୍ଷ ବୟସ୍କ ପଡ଼ୋଶୀ ଯଶୱିନ୍ଦର କୌର ସହମତି ପୂର୍ବକ ମୁଣ୍ଡ ହଲେଇଥା’ନ୍ତି। ‘‘ମହିଳାମାନେ ପଦାକୁ ଗୋଡ଼ କାଢ଼ିଲେ, ଦୁନିଆ ବିଷୟରେ ଜାଣନ୍ତି,’’ ସେ କୁହନ୍ତି।
ଯଦିଓ ସେମାନେ ନିଜର ସ୍କୁଲ୍ ପାଠପଢ଼ା ସମ୍ପୂର୍ଣ୍ଣ କରିବାର କେବେ ସୁଯୋଗ ପାଇନଥିଲେ, ଆଉ ଗୋଟିଏ ଘଟଣା, ସେମାନେ କୁହନ୍ତି, ସେମାନଙ୍କୁ ଅନେକ ଶିକ୍ଷା ଦେଇଥିଲା। ସୁର୍ଜିତ୍ ଓ ଯଶୱିନ୍ଦରଙ୍କ ସମେତ ସେମାନଙ୍କ ଗାଁର ଆଉ ୧୬ ଜଣ ମହିଳା ୨୦୨୦-୨୧ରେ ହୋଇଥିବା ଐତିହାସିକ ଚାଷୀ ଆନ୍ଦୋଳନରେ ଭାଗ ନେଇ ଦିଲ୍ଲୀ ସୀମାରେ ୧୩ ମାସ ଧରି ରହିଥିଲେ। ଗୋଟିଏ ବର୍ଷରୁ ଅଧିକ ସମୟ ଧରି ତାଙ୍କ ଭଳି ଲକ୍ଷାଧିକ ଚାଷୀ ଦିଲ୍ଲୀ ସୀମାକୁ ଅକ୍ତିଆର କରି ରହିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ତିନୋଟି ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିଥିଲେ ଯାହାକି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥାକୁ ଅଣ ଦେଖା କରିବା ସହିତ ଘରୋଇ ବ୍ୟବସାୟୀ ଏବଂ କର୍ପୋରେସନଗୁଡ଼ିକୁ ଲାଭ ପହଞ୍ଚାଇବ ବୋଲି ସେମାନେ ଆଶଙ୍କା କରୁଥିଲେ । ଚାଷୀ ଆନ୍ଦୋଳନ ଉପରେ ପରୀର ସମ୍ପୂର୍ଣ୍ଣ କଭରେଜ୍ ଏଠାରେ ପଢ଼ନ୍ତୁ।
ଏହି ରିପୋର୍ଟର୍ ମଇ ୨୦୨୪ରେ ଯେତେବେଳେ କିଶନଗଡ଼ ସେଧା ସିଂ ୱାଲା ଗସ୍ତ କରିଥିଲା, ପଞ୍ଜାବର ଅନେକ ଗାଁ ଭଳି ଏହି ଗାଁ ମଧ୍ୟ ଅମଳ ଋତୁ ପାଇଁ ବ୍ୟାପକ ପ୍ରସ୍ତୁତିରେ ବ୍ୟସ୍ତ ରହିଥିଲା । ଶାସକ ଦଳର କୃଷକ ବିରୋଧୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆନ୍ଦୋଳନ ଦ୍ୱାରା ସରଗରମ ହୋଇଥିବା ରାଜନୈତିକ ପାଣିପାଗ ମଧ୍ୟରେ ଜୁନ୍ ପହିଲାରେ ହେବାକୁ ଥିବା ସାଧାରଣ ନିର୍ବାଚନର ମତଦାନ ପାଇଁ ଗ୍ରାମବାସୀ ପ୍ରସ୍ତୁତ ହେଉଥିଲେ ।
ଯଦି ବିଜେପି ପୁଣିଥରେ ଜିତୁଛି ତା’ହେଲେ ସେମାନେ ଏସବୁ (କୃଷି) ଆଇନକୁ ଯେମିତି ହେଉ ପୁଣିଥରେ ଆଣିବେ,’’ ୬୦ ବର୍ଷ ବୟସ୍କା ଜର୍ଣ୍ଣୈଲ କୌର କୁହନ୍ତି, ଯାହାଙ୍କ ପରିବାର ପାଖରେ କିଶନଗଡ଼ ସେଧା ସିଂ ୱାଲାରେ ୧୦ ଏକର ଜମି ରହିଛି। ‘‘ଆମେ ସଚେତନ ହୋଇ ଭୋଟ୍ ଦେବାର ଆବଶ୍ୟକତା ରହିଛି।’’
(ଶିରୋମଣି ଅକାଳୀ ଦଳର ହର୍ସିମରତ୍ କୌର ବାଦଲ 2024 ନିର୍ବାଚନରେ ଭଟ୍ଟିଣ୍ଡା ଲୋକସଭା ଆସନରେ ବିଜୟୀ ହୋଇଛନ୍ତି। ଏହି ଫଳାଫଳ ଜୁନ୍ 4 ତାରିଖ 2024ରେ ଘୋଷଣା କରାଯାଇଥିଲା।)
















