ଚଙ୍ଗକି ମହିଳା କୁମ୍ଭକାରମାନେ ଗଢ଼ିଥିବା ମାଟି ପାତ୍ରଗୁଡ଼ିକ ଏକଦା ସ୍ଥାନୀୟ ଯୁଦ୍ଧରେ ରଣନୀତିକ ଭୂମିକା ନିର୍ବାହ କରୁଥିଲା। ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଅତି ଆବଶ୍ୟକ ସରଞ୍ଜାମ ହୋଇଥିବାରୁ କେହି ହେଲେ ଭୋଜନ ପ୍ରଦାନ କରୁଥିବା ଏହି ପାତ୍ରଗୁଡ଼ିକୁ କ୍ଷତି ପହଞ୍ଚାଇବାକୁ ଚାହୁଁନଥିଲେ! ଅଗ୍ନିକାଣ୍ଡ ଏବଂ ଅନ୍ୟ କିଛି ବିପତ୍ତି ଯୋଗୁ କୌଣସି ଗାଁ ପୋଡ଼ି ପାଉଁଶ ହୋଇଯାଉଥିଲେ ଚଙ୍ଗକିରୁ ଏହି ସବୁ ପାତ୍ରରେ ଶସ୍ୟ ଭର୍ତ୍ତି କରି ଖାଦ୍ୟ ସହାୟତା ରୂପେ ଯୋଗାଇ ଦିଆଯାଉଥିଲା। ଆଓ ଜନଜାତିର ମହିଳାମାନେ ଗର୍ବର ସହିତ ମୋତେ ଚଙ୍ଗକି ପାତ୍ରଗୁଡ଼ିକର ଦୀର୍ଘସ୍ଥାୟିତ୍ୱ ଏବଂ ମହତ୍ୱ ବିଷୟରେ କହିଥା’ନ୍ତି।
ଶହ ଶହ ବର୍ଷ ପରେ ମଧ୍ୟ ଏହି ପାତ୍ରଗୁଡ଼ିକ ପାରମ୍ପରିକ ଢଙ୍ଗରେ ହାତରେ ତିଆରି କରାଯାଉଛି। ‘‘ଆମେ ଚକ କିମ୍ବା ଅନ୍ୟ କୌଣସି ଯନ୍ତ୍ର ବ୍ୟବହାର କରିନଥାଉ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହାକୁ ହାତରେ ତିଆରି କରାଯାଏ,’’ ତିୟାମୋଙ୍ଗଲା ଲୋଙ୍ଗଚାରି କୁହନ୍ତି। ମୋକୋକଚଙ୍ଗ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳର ଜମି, ପାର୍ବତ୍ୟାଞ୍ଚଳ, ଜଙ୍ଗଲ ଓ ନଦୀ କୂଳରୁ ମାଟି ଅଣାଯାଇଥାଏ କାରଣ ଏହି ଉଚ୍ଚତା ଏବଂ ଅଞ୍ଚଳର ମାଟି ହିଁ ପାତ୍ର ତିଆରି କରିବା ଲାଗି ଉପଯୁକ୍ତ ହୋଇଥାଏ।
ଏହି ମାଟିପାତ୍ର ଗଢ଼ିବାର ପରମ୍ପରା ସମ୍ପର୍କରେ ୫୫ ବର୍ଷ ବୟସ୍କ ତିୟାମୋଙ୍ଗଲା କୁହନ୍ତି ‘‘ଆମ ଜେଜେ ମା’ ଏବଂ ଅଣ ଜେଜେମା’ ଯେପରି ଭାବେ ଗଢ଼ିଆସୁଥିଲେ, ଠିକ୍ ସେହିପରି ରହିଛି।’’ ସେ ନାଗାଲାଣ୍ଡର ଏହି ଗାଁରେ ଶେଷ କେତେ ଜଣ ଜୀବିତ କୁମ୍ଭକାରଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ସେ ତାଙ୍କର ବୁଢ଼ି ମା’ଙ୍କ ସାଥୀରେ ରହୁଥିବା ଘରେ ଏସବୁ ତିଆରି କରୁଛନ୍ତି। ପୂର୍ବରୁ ପ୍ରତ୍ୟେକ ପରିବାରରେ ମାଟି ପାତ୍ର ଗଢ଼ୁଥିବା ଜଣେ ମହିଳା କୁମ୍ଭକାର ଥିଲେ। ସେମାନେ ନିଜ ଘରେ ବ୍ୟବହାର କରିବା ଏବଂ ବିକ୍ରି କରିବା ଲାଗି ମାଟି ପାତ୍ର ତିଆରି କରୁଥିଲେ। କିନ୍ତୁ ବର୍ତ୍ତମାନ ନାଗାଲାଣ୍ଡର ଚଙ୍ଗକି ଗାଁରେ, ମାତ୍ର ୧୫ ଜଣ ମହିଳା ଅଛନ୍ତି ଯେଉଁମାନେ ଏବେ ବି ନିଜ ଘରେ ମାଟିପାତ୍ର ଗଢ଼ୁଛନ୍ତି।
ଏହି କାହାଣୀଟିକୁ ପ୍ରସ୍ତୁତ କରିବା ସମୟରେ ପରୀ ଯେଉଁ ମହିଳାମାନଙ୍କୁ ଭେଟିଥିଲା ସେମାନେ କହିଥିଲେ ଯେ, ସେମାନେ ଏକାଠି ହେବା ସହିତ ନାଗାଲାଣ୍ଡରେ ସେମାନଙ୍କ ଜନଜାତିର ମହିଳା ପ୍ରାଧାନ୍ୟ ଏହି ପ୍ରାଚୀନ ପରମ୍ପରାକୁ ଅଭ୍ୟାସ କରିବା ଓ ପରବର୍ତ୍ତୀ ପିଢ଼ିକୁ ସ୍ଥାନାନ୍ତର କରିବାକୁ ସେମାନେ ପସନ୍ଦ କରିଥା’ନ୍ତି। ଆଉ ଏଥିରୁ ହେଉଥିବା ଅତିରିକ୍ତ ଆୟ ସେମାନଙ୍କର ପିଲାମାନଙ୍କ ପାଠପଢ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବେଶ୍ ସହାୟକ ହୋଇଥାଏ।








