ଅମରଜିତ୍ କୌର ଅଧାବାଟରେ ଅଟକି ଯାଆନ୍ତି, ତସଲା – ଏକ ଧାତବ ପାତ୍ର, ଯାହାକୁ ସେ ନିଜ ମୁଣ୍ଡ ଉପରକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି, ତାହା କିଛି ସେକେଣ୍ଡ ପାଇଁ ଟିକିଏ ଅସ୍ଥିର ମନେହୁଏ। ତା'ପରେ ଧୀରେ ଧୀରେ, ସେ ଛୋଟ, ଥରୁଥିବା ପାଦରେ ରୁଡ଼ି – ଗୋବର ଗଦା ଆଡ଼କୁ ଚାଲିବା ଆରମ୍ଭ କରନ୍ତି, ମଇଁଷି ଗୁହାଳରୁ ସଂଗ୍ରହ କରିଥିବା ଆଉ କିଛି ଗୋବର ବାହାରେ ଫୋପାଡ଼ିବାକୁ। ଏମିତି ବି ଦିନ ଥିଲା ଯେତେବେଳେ ସେ ତସଲାକୁ ପୂରା କ୍ଷମତାରେ ଭର୍ତ୍ତି କରି, ପ୍ରାୟ ୧୦-୧୨ କିଲୋଗ୍ରାମ ଓଜନର ନିଜ ମୁଣ୍ଡରେ ମୁଣ୍ଡାଇ ଚାଲିପାରୁଥିଲେ। କିନ୍ତୁ ୭୨ ବର୍ଷ ବୟସରେ ଏହା କଷ୍ଟକର ଅଟେ। ଯଦିଓ ଆଜି ତାଙ୍କ ହୃଦୟର ଦୁଃଖ ତାଙ୍କ ମୁଣ୍ଡରେ ଥିବା ପାତ୍ରଠାରୁ ଅଧିକ ଭାରୀ ମନେହେଉଛି, ଯାହା ତାଙ୍କ ଗତିକୁ ମନ୍ଥର କରିଦେଉଛି।
ତାଙ୍କ ପରିବାର ବିଷୟରେ ମୁଁ ପଚାରିଥିବା ଏକ ସାଧାରଣ ପ୍ରଶ୍ନ ବୋଲି ମୁଁ ଯାହା ଭାବିଥିଲି, ତାହା ସ୍ମୃତିର ଏକ ସୁନାମି ଆଣିଦେଇଥିଲା ଯାହା ଅମରଜିତଙ୍କୁ ୨୪ ବର୍ଷ ଅତୀତକୁ ଟାଣି ନେଇଥିଲା। "ଉନହାଁ ଦସ୍ୟା ପଟ୍ଟି ମୋଡ୍ ତେ ତେରା ମୁଣ୍ଡା ମର୍ ଗୟା ଆକ୍ସିଡେଣ୍ଟ୍ ନାଲ୍ [ସେମାନେ ଆସି ମୋତେ କହିଲେ, 'ପଟ୍ଟି ପାଖ ବୁଲାଣିରେ ଏକ ଦୁର୍ଘଟଣାରେ ତୁମ ପୁଅ ମରିଗଲା']," ସେ କହନ୍ତି ଏବଂ ଆହୁରି ଗୋବର ଏକାଠି କରିବା ପାଇଁ ତଳେ ବସିପଡ଼ନ୍ତି। ତାଙ୍କ ହାତ ଏକ ମେସିନ୍ ପରି ଚାଲୁଥାଏ, ଚଟାଣରେ ଉଭୟ ଗୋଡ଼ ଭାଙ୍ଗି ବସିବା ବେଳେ ତାଙ୍କ ଆଣ୍ଠୁରୁ କଟ୍ କଟ୍ ଶବ୍ଦ ହେଉଥାଏ। "ସେ ରିକ୍ସା ଚଳାଉଥିଲା। ତାକୁ ମାତ୍ର ୧୮ ବର୍ଷ ହୋଇଥିଲା।" ପାଞ୍ଚ ବର୍ଷ ପରେ ସେ ତାଙ୍କର ଦ୍ୱିତୀୟ ପୁତ୍ର, ୨୧ ବର୍ଷକୁ ହରାଇଥିଲେ।
୩୬ ବର୍ଷ ପୂର୍ବେ ଯେତେବେଳେ ତାଙ୍କ ମଦ୍ୟପ ପିତାଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ପିଲାଦୁଇଟିଙ୍କୁ ମାତ୍ର ଛଅ ଏବଂ ଚାରି ବର୍ଷ ହୋଇଥିଲା। ଯଦି ଅମରଜିତ୍ ବିବାହ ଦିନଠାରୁ ଗୋହା-କୁଡ଼ା (ଗୋବର ସଂଗ୍ରହ) କରିନଥାନ୍ତେ, ତେବେ ସେ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ (ଯେଉଁମାନେ ବର୍ତ୍ତମାନ ବିବାହିତ) ଙ୍କ ଲାଳନପାଳନ କରିପାରି ନଥାନ୍ତେ। ପୁଣି ଥରେ ମନେ ପଡ଼ିଯାଇଥିବା ଦୁଃଖ ସହିତ ସେ ଖାଲି ହାତରେ ଆହୁରି ଗୋବର ଗୋଟାନ୍ତି, ଏବଂ ଏକ ସମୟରେ ମୁଠାଏ ଲେଖାଏଁ ପାତ୍ରରେ ଖାଲି କରନ୍ତି। ସେ ପାତ୍ରଟିକୁ ନିଜ ମୁଣ୍ଡ ଉପରକୁ ଉଠାଇବା ବେଳେ ଏକ ଲମ୍ବା ଦୀର୍ଘଶ୍ୱାସ ନିଅନ୍ତି ଏବଂ ପ୍ରାୟ ୧୦୦ ମିଟର ଦୂରରେ ଥିବା ରୁଡ଼ି ଆଡ଼କୁ ଥରି ଥରି ଚାଲନ୍ତି। ଆଜି ସକାଳେ ସଫା କରିବା ଆରମ୍ଭ କରିବାଠାରୁ ୟାକୁ ମିଶାଇ ତାଙ୍କର ୨୦ଥର ହେଲାଣି। ସେ ପଞ୍ଜାବରେ ଅନୁସୂଚିତ ଜାତି ଭାବରେ ତାଲିକାଭୁକ୍ତ ମେହରେ ଶିଖ୍ ସମ୍ପ୍ରଦାୟର ଅଟନ୍ତି। ଜଣେ ଭୂମିହୀନ ଦଳିତ, ଅମରଜିତ୍ ଗୁଜୁରାଣ ମେଣ୍ଟାଇବା ପାଇଁ ପଟ୍ଟି ସହରର ସାତୋଟି ଘରୁ ଗୋହା-କୁଡ଼ା ଉଠାନ୍ତି।
"ଜଦୋଁ ମେଁ ଡଙ୍ଗରାଁ ଦା ଗୋହା ଚୁକ୍କଣ ଥଲ୍ଲେ ବେହନ୍ଦିଆଁ ତାଁ ଓହ ଅକ୍ସର ମେରେ ସିର୍ ତେ ହି ମୂତ୍ ଦିନ୍ଦିଆଁ ନେ। ମେଁ ରୋଜ୍ ରୋଜ୍ ସିର୍ ନହିଁ ଧୋ ସକଦି ତେ ସାମ୍ପୁ ସାବୁନ ଦା ଖର୍ଚ୍ଚା ୱି ନହିଁ ଚୁକ୍କ ସକଦି। ଇସ୍ ଲଇ ଆହ ଲିଫାଫା ପା ଲେନିଆଁ [ମୋତେ ଏହି ପ୍ଲାଷ୍ଟିକ୍ ବ୍ୟାଗ୍ଟିକୁ ମୋ ମୁଣ୍ଡରେ ଗୁଡ଼ାଇବାକୁ ପଡ଼େ କାରଣ ଅନେକ ସମୟରେ ଗୋବର ଉଠାଇବା ବେଳେ, ମଇଁଷିମାନେ ମୋ ଉପରେ ପରିସ୍ରା କରିଦିଅନ୍ତି। ଏବଂ ମୁଁ ପ୍ରତିଦିନ ମୋ କେଶ ଧୋଇ ପାରିବି ନାହିଁ କି ସାବୁନ୍ ଏବଂ ସାମ୍ପୁ ପାଇଁ ଟଙ୍କା ଖର୍ଚ୍ଚ କରିପାରିବି ନାହିଁ]।" ଅମରଜିତ୍ ମୋତେ ସେହି କଳା ବ୍ୟାଗ୍ଟିକୁ ଦେଖାନ୍ତି ଯାହାକୁ ସେ ବର୍ତ୍ତମାନ ନିଜ ମୁଠାରେ ଧରିଛନ୍ତି। ସେ ଆଜି ଦିନର ପ୍ରଥମ ଘରେ ଏବେ ମାତ୍ର କାମ ଶେଷ କରିଛନ୍ତି। ଯାହା ୧୦ ଟି ମଇଁଷି ଥିବା ଜଣେ ଜମିଦାର କୃଷକଙ୍କର ଅଟେ। ସେ ବର୍ତ୍ତମାନ ଏଠାରୁ ଅନ୍ୟ ଏକ ଘରକୁ ଚାଲି ଚାଲି ଯିବେ।





