ଜଣେ କିମ୍ବା ଦୁଇ ଜଣ ମହତ୍ୱାକାଂକ୍ଷୀ ସାଂସଦ ପ୍ରାର୍ଥୀଙ୍କୁ ସ୍ୱାଗତ ଜଣାଇବା, ସେମାନଙ୍କୁ ଘରେ ତିଆରି ମକା ଭାଖରୀ କିମ୍ବା, ମଜା କରିବା ପାଇଁ ଗଛ ଉପରକୁ ଚଢ଼ୁଥିବା ପିଲାମାନେ ତୋଳି ଆଣୁଥିବା ମିଠା ଚାରୋଲି ଫଳ ଖୁଆଇବା ସୁଯୋଗର ଆନନ୍ଦକୁ ଉପଭୋଗ କରିବା ଲାଗି ଅମ୍ବାପାଣିର ବାସିନ୍ଦାମାନେ ଅପେକ୍ଷା କରି ରହିଛନ୍ତି।
ତେବେ କୌଣସି ପ୍ରସିଦ୍ଧ ରାଜନୈତିକ ପ୍ରତିନିଧି କେବେ ସେମାନଙ୍କୁ ଭେଟି ନାହାନ୍ତି - ପାଞ୍ଚ ଦଶନ୍ଧି ମଧ୍ୟରେ କେହି ଜଣେ ହେଲେ ନୁହେଁ ଯେବେଠାରୁ ଲୋକମାନେ ପ୍ରଥମ ଥର ବାଉଁଶ, ମାଟି ଏବଂ ଗୋବରରେ ନିଜ ଘର ତିଆରି ଆରମ୍ଭ କରିଥିଲେ। ପଥୁରିଆ ଆବଡ଼ାଖାବଡ଼ା ସତପୁରାର ଚଟାଣ ଶୃଙ୍ଖଳା ଉପରେ ବ୍ୟାପି ରହିଥିବା ଏହି ଗ୍ରାମ ନିକଟତମ ଗାଡ଼ି ଚାଲିବା ଯୋଗ୍ୟ ସଡ଼କଠାରୁ ୧୩ କିଲୋମିଟର ଉଚ୍ଚତାରେ ରହିଛି ।
୮୧୮ ଜନସଂଖ୍ୟା ବିଶିଷ୍ଟ (ଜନଗଣନା ୨୦୧୧) ଅମ୍ବାପାଣିକୁ ରାସ୍ତା ନାହିଁ, ବିଦ୍ୟୁତ ସଂଯୋଗ ନାହିଁ, ପାଣି ସୁବିଧା ନାହିଁ, ମୋବାଇଲ୍ ଫୋନ୍ ନେଟୱର୍କ ନାହିଁ, ସୁଲଭ ମୂଲ୍ୟର ଦୋକାନ ନାହିଁ, କୌଣସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ। ଏଠାକାର ସବୁ ବାସିନ୍ଦା ପାୱରା ଯେଉଁମାନେ ରାଜ୍ୟରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ। ଗାଁର ୧୨୦ ପରିବାର ମଧ୍ୟରୁ ଅଧିକାଂଶ ସେମାନଙ୍କର ବଂଶର ସମ୍ପର୍କ ମଧ୍ୟପ୍ରଦେଶର ମୂଳବାସିନ୍ଦା ହୋଇଥିବା ଚାରି କିମ୍ବା ପାଞ୍ଚଟି କୂଳ ସହିତ ଯୋଡ଼ିଥା’ନ୍ତି ଯେଉଁମାନେ ଏଠାରୁ ଉତ୍ତର ଦିଗରେ ପ୍ରାୟ ୩୦ କିଲୋମିଟର ମଧ୍ୟରେ ହେବ। ଏହି ସମୟରେ କାଉମାନେ ଉଡ଼ିଯାଆନ୍ତି।
ନେଟୱର୍କଠାରୁ ଅପହଞ୍ଚ ଇଲାକାରେ ଥିବା କାରଣରୁ ଏଠାରେ ଟେଲିଭିଜନ୍ ସେଟ୍ କିମ୍ବା ସ୍ମାର୍ଟଫୋନ୍ ନାହିଁ। ମହିଳାଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେତାବନୀ ଠାରୁ ଆରମ୍ଭ କରି କଂଗ୍ରେସର ସମ୍ବିଧାନ ରକ୍ଷା ଆହ୍ୱାନ ପର୍ଯ୍ୟନ୍ତ, ୨୦୨୪ ଲୋକସଭା ଅଭିଯାନର ସବୁଠୁ କଟୁ ସମାଲୋଚନାର ଅଧ୍ୟାୟ ଅମ୍ବାପାଣିର ମତଦାତାଙ୍କ ନିକଟରେ ପହଞ୍ଚି ପାରିନାହିଁ।
‘‘ଗୋଟିଏ ରାସ୍ତା ହୁଏତ,’’ ଆକର୍ଷଣୀୟ ନିର୍ବାଚନ ପ୍ରତିଶ୍ରୁତି ହେବ, ଉଙ୍ଗ୍ୟା ଗୁର୍ଜା ପାୱାରା କୁହନ୍ତି । ୫୬ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଗାଁର ମୂଳନିବାସୀମାନଙ୍କ ମଧ୍ୟରୁ ଜଣଙ୍କର ବଂଶଜ ଅଟନ୍ତି। ପ୍ରାୟ ଏକ ଦଶନ୍ଧି ପୂର୍ବରୁ, ଯେତେବେଳେ ସେ ନିଜ ଘର ପାଇଁ ଷ୍ଟିଲ୍ ଆଲମାରୀ କିଣିବାକୁ ଟଙ୍କା ସଞ୍ଚୟ କରିଥିଲେ, ଚାରି ଜଣ ଲୋକ ୭୫ କିଲୋଗ୍ରାମର ଗୋଟିଏ ଆଲମାରୀକୁ ‘‘ଏକ ଷ୍ଟ୍ରେଚର୍ ଭଳି’’ ଭଳି ବୋହି ଉପରକୁ ଆଣିଥିଲେ।
ଏଠାରୁ ୧୩ କିଲୋମିଟର ଦୂର ପାହାଡ଼ ତଳେ ଥିବା ମୋହରାଲେ ବଜାରକୁ କୃଷିଜାତ ଉତ୍ପାଦ ବାଇକ୍ରେ ବୋହି ନିଆଯାଏ, ଥରକେ ପ୍ରାୟ ଗୋଟିଏ କୁଇଣ୍ଟାଲ୍। ସିଧା ଗଡ଼ାଣିଆ ଅପରିଷ୍କାର ମାଟି ରାସ୍ତା ସହିତ, ଉଚ୍ଚ-ଖାଲ, ତୀଖ ମୋଡ଼ ଓ ବୁଲାଣିର ଶୃଙ୍ଖଳା, ବିଛାଡ଼ି ହୋଇପଡ଼ିଥିବା ବଜୁରୀ ଏବଂ ମଝିରେ ମଝିରେ ସ୍ଲଥ୍ ଭାଲୁକୁ ସାମ୍ନା କରିବାର ଭୟ ଗାଁର ଗମନାଗମନ ମାର୍ଗକୁ ବିପଜ୍ଜନକ କରି ଦେଇଥାଏ।
‘‘ତେବେ ଅନ୍ୟପକ୍ଷରେ, ଏହି ରାସ୍ତା ବେଆଇନ କାଠ କାଟିବାକୁ ପ୍ରୋତ୍ସାହନ ଦେବ କି ବୋଲି କେହି ଜଣେ ନିଶ୍ଚିତ ଭାବେ ଚିନ୍ତା କରିବାକୁ ବାଧ୍ୟ ହେବ,’’ ଉଙ୍ଗ୍ୟା ମନ୍ତବ୍ୟ ଦେଇଥା’ନ୍ତି।



















