ରାତୋ ନଦୀରେ ଜଳସ୍ତର ବଢୁଥିବା ନେଇ ବନ୍ୟା ସତର୍କତା ବାର୍ତ୍ତା ଏବଂ ହିନ୍ଦୀରେ ଉପଦେଶାବଳି ତାଙ୍କର ହ୍ଵାଟ୍ସ ଆପ୍ ଗ୍ରୁପ୍କୁ ଏକ ଅଣ ସରକାରୀ ଅନୁଷ୍ଠାନ ତରଫରୁ ଆସିଥିଲା। ୩୨ ବର୍ଷୀୟ ଗଣେଶ ସାଫି ସେପ୍ଟେମ୍ବର ସେହି ସନ୍ଧ୍ୟାରେ ଘରେ ଥିଲେ ଏବଂ ସେତେବେଳେ ହିଁ ଅବଗତ ହେଲେ ଯେ, ତାଙ୍କ ପରିବାର ଏବଂ ଆବଶ୍ୟକୀୟ ଘରକରଣା ଜିନିଷ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ହାତରେ ପାଖାପାଖି ଦୁଇଘଣ୍ଟା ସମୟ ରହିଛି।
ଦକ୍ଷିଣ ନେପାଳରେ ପ୍ରବଳ ବର୍ଷା ହୋଇଥିଲା। ଏହି ତଳିଆ ଅଞ୍ଚଳ ତରାଇ ଭାବେ ଜଣାଯାଏ। ପୂର୍ବାଞ୍ଚଳ ରାଜ୍ୟ ବିହାରର ସୀତାମହୀ ଜିଲ୍ଲା ଅନ୍ତର୍ଗତ ସୁରସଣ୍ଡ ବ୍ଲକ ଅନ୍ତର୍ଗତ ଗଣେଶଙ୍କର ପୈତୃକ ଗ୍ରାମ ସରଖଣ୍ଡିଓ ବିଠାଠାରୁ ୨୨୦ କିଲୋମିଟର ଉତ୍ତରରେ ଅବସ୍ଥିତ।
ଆଠମାସ ପରେ, ୨୦୨୫ ମସିହା ମେ’ ମାସର କୌଣସି ଏକଦିନ ଅପରାହ୍ଣରେ ଗୋଟିଏ ଆମ୍ବଗଛର ଛାଇରେ ବିଶ୍ରାମ ନେଉଥିବା ବେଳେ ଗଣେଶ ଏକଥା ମନେ ପକାଉଥିଲେ, ସେ କିପରି ତାଙ୍କର ଯମଜ ସନ୍ତାନ (୫ବର୍ଷ ବୟସର ଗୋଟିଏ ପୁଅ, ଗୋଟିଏ ଝିଅ), ୨୮ ବର୍ଷୀୟ ତାଙ୍କ ପତ୍ନୀ ନାଗିନା ଦେବୀ, ଦୁଇଟି ଛେଳି ଏକ କ୍ଵିଣ୍ଟାଲ୍ ଖାଦ୍ୟସାମଗ୍ରୀ ଯେପରିକି, ଗହମ, ଡାଲି ଏବଂ ଚାଉଳ ନେଇ କିପରି ତାଙ୍କ ପଡ଼ୋଶୀଙ୍କର ପକ୍କାଘରକୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କ ଘରଠାରୁ ଭିନ୍ନ ତାଙ୍କ ପଡ଼ୋଶୀଙ୍କର ଘର ବନ୍ୟାରୁ ସୁରକ୍ଷିତ ସୁରକ୍ଷିତ ରହିବା ପାଇଁ ଛଅ ଫୁଟ ଉଚ୍ଚ ନିଅଁ ଉପରେ ଇଟା, ପଥରରେ ନିର୍ମିତ ହୋଇଛି।
ତରାଇ ପାର୍ବତ୍ୟାଞ୍ଚଳରୁ ବାହାରିଥିବା ରାତୋ ନଦୀ ଗଣେଶଙ୍କ ଗ୍ରାମ ଦେଇ ପ୍ରବାହିତ ହେଉଛି। ଉପରମୁଣ୍ଡରେ ବର୍ଷା ହେଲେ ବନ୍ୟାପାଣି ସରଖଣ୍ଡିଓ ବିଠାରେ ପହଞ୍ଚିବା ପାଇଁ ପାଖାପାଖି ଦୁଇଘଣ୍ଟା ସମୟ ଲାଗିଥାଏ।
ଦୁଇଦିନ ଧରି ଗଣେଶ ଏବଂ ତାଙ୍କ ପରିବାର ପଡ଼ୋଶୀଙ୍କର ଘରେ ଆଶ୍ରୟ ନେଇଥିଲେ। ପଡ଼ୋଶୀ ତାଙ୍କୁ ସ୍ଵାଗତ କରିଥିଲେ କି ପ୍ରଶ୍ନର ଉତ୍ତର ଦେଇ ଗଣେଶ କହିଥିଲେ, “ହଁ, କାହିଁକି ନୁହେଁ, ବିପଦ ବେଳେ ପଡ଼ୋଶୀ ସାହାଯ୍ୟ କରିବେନି ତ ଆଉ କିଏ କରିବ?”
ତା’ରି ଭିତରେ ତାଙ୍କର ଝାଟିମାଟି ଘରେ ୩ଫୁଟ୍ ଉଚ୍ଚରେ ପାଣି ଚାଲିଥିଲା। ପାଣି ଛାଡ଼ିବା ପରେ ଚଟାଣ, ମାଟି ଚୁଲି ଏବଂ ବାସନକୁସନ ସବୁ ପଟୁ ଓ କାଦୁଅର ପୋତିହୋଇ ରହିଥିଲା। ଗଣେଶଙ୍କୁ ଏହି କୁଡ଼ିଆକୁ ପୁନଃବାସୋପଯୋଗୀ କରିବା ପାଇଁ ଏକ ସପ୍ତାହ ସମୟ ଏବଂ ୧୦,୦୦୦ ଟଙ୍କା (୧୧୭ $) ଲାଗିଥିଲା- ଯାହା ଦୈନିକ ୪୦୦ଟଙ୍କା ରୋଜଗାର କରୁଥିବା ଜଣେ ଭୂମିହୀନ ଶ୍ରମିକ ପାଇଁ ବହୁତ ଅଧିକ ଅଟେ।

















