ଏଠି ବର୍ଷା ବି ବଦଳିଗଲାଣି । “ମୁଁ ଏଠାରେ ୩୦ ବର୍ଷ ହେଲା ରହିଆସୁଛି ସତ, ହେଲେ ଏଭଳି ବର୍ଷା ଆଗରୁ ଦେଖିନାହିଁ । ଏଠାରେ ହଠାତ୍ ବର୍ଷା ହୁଏ - ଭୀଷଣ ଏବଂ ଲଗାଣ ବର୍ଷା । ପ୍ରତି ବର୍ଷ ଏହା ଆମକୁ ମାଲିନ କଥା ମନେ ପକାଇ ଦିଏ ।”
ଏଠି ବିପଦ କଳ୍ପନାର ବିଷୟ ନୁହେଁ । ଜଳବାୟୁ ଉଷ୍ମ ହେବା ସହିତ ପରିବେଶ ଅଧିକ ଆର୍ଦ୍ର ହୋଇଯାଏ । “ଏଠାରେ ବୃଷ୍ଟିପାତର ପରିମାଣ ଏବଂ ସମୟ ବଦଳି ଗଲାଣି । ଏକଦା ତିନି ମାସରେ ଯେତିକି ବର୍ଷା ହେଉଥିଲା ଏବେ ତାହା ଦୁଇ ସପ୍ତାହରେ ହେଉଛି,” ପୁଣେର ଗୋଖଲେ ପ୍ରତିଷ୍ଠାନରେ ଥିବା ସେଣ୍ଟର ଫର ସଷ୍ଟେନେବଲ ଡେଭଲପମେଣ୍ଟର ନିର୍ଦ୍ଦେଶକ ଡକ୍ଟର ଗୁରୁଦାସ ନୁଲକାର କହନ୍ତି । ବୃଷ୍ଟିପାତର ଧାରା ପରିବର୍ତ୍ତନ ଏବଂ ଅନିୟନ୍ତ୍ରିତ ନିର୍ମାଣ କାର୍ଯ୍ୟ ଯୋଗୁଁ ଭୂସ୍ଖଳନ ଆଶଙ୍କା ଘନୀଭୂତ ହେଉଛି ବୋଲି ସେ ବୁଝାଇ ଦିଅନ୍ତି । (ପଢ଼ନ୍ତୁ: ଥାନେରେ ବର୍ଷାର ଅନିୟମିତତା)
ପସାରୱାଡ଼ିର ଗଡ଼ାଣିଆ ସ୍ଥାନରେ ତଳକୁ ଗଲେ, ଫସାବାଇଙ୍କ ପଡ଼ୋଶୀ ଜାଭଜୀ ବାଲଚିନ ଆମକୁ ଘର ପଛପଟେ ପଡ଼ିଥିବା ବଡ଼ ବଡ଼ ପଥର ଖଣ୍ଡ ଦେଖାଇ ଦିଅନ୍ତି । ଏଗୁଡ଼ିକରୁ କେତେକ ଜାଭଜୀଙ୍କ ଆଣ୍ଠୁ ଉଚ୍ଚର ତ ଆଉ କେତେକ ଅଣ୍ଟା ଉଚ୍ଚର । “ଗତ ବର୍ଷ ଏହି ପଥର ଖଣ୍ଡଗୁଡ଼ିକ ତଳକୁ ଖସିଥିଲା,” ୮୦ ବର୍ଷ ବୟସ୍କ ଏହି ଚାଷୀ କହନ୍ତି । “ଛୋଟ ଛୋଟ ପଥର ଖଣ୍ଡଗୁଡ଼ିକ ଗଛରେ ଲାଗି ଅଟକି ଗଲା ଏବଂ ଏହି ବଡ଼ ବଡ଼ ପଥରଗୁଡ଼ିକ ତଳକୁ ଖସି ଆସିଲା । ଏ ପର୍ଯ୍ୟନ୍ତ ପଥର ତଳେ କାହାରି ଘର ପେଷି ହୋଇଯାଇ ନାହିଁ ।”
ପସାରୱାଡ଼ି ଗାଁର ଘରଗୁଡ଼ିକ ହାଲୁକା, ମାଟି-ଇଟାରେ ଗଢ଼ା ହୋଇଛି ଏବଂ ଏକଦା ମାଲିନ ଗାଁରେ ବିପଦସଙ୍କୁଳ ସ୍ଥିତିରେ ଠିଆ ହୋଇଥିବା ଘରଗୁଡ଼ିକ ସହିତ ଏଗୁଡ଼ିକର ସାଦୃଶ୍ୟତା ଖୁବ୍ ଅଧିକ । ଗୋଟିଏ ଦଶନ୍ଧି ବିତି ଯିବା ପରେ ବି ଏଠାରେ ରହୁଥିବା ପରିବାର ସମୂହ ପାଇଁ ଦୃଢ଼ ଭିତ୍ତିଭୂମି ଗଠିତ ହୋଇପାରିନାହିଁ ଏବଂ ପାହାଡ଼ରୁ ଖସୁଥିବା ପଥର ଖଣ୍ଡକୁ ଅଟକାଇବା ଲାଗି ସେମାନେ କାଠ ବାଡ଼ ଦେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ।
“ପୂର୍ବରୁ ଏହା ଏମିତି ନଥିଲା । କିନ୍ତୁ ରାସ୍ତା କାମ ଆରମ୍ଭ ହେବା ଦିନରୁ ସମଗ୍ର ଢାଲୁ ସ୍ଥାନ ଫସକା ହୋଇଯିବା ଭଳି ଲାଗୁଛି,” ଜାଭଜୀ କହନ୍ତି । “ସେମାନେ ମାଟି ଖୋଳି ଗଦା କରିବାରେ ଲାଗିଛନ୍ତି । ଆମେ ସାରା ଜୀବନ ଏହିଠାରେ ହିଁ କାଟିଛୁ । ଏବେ ଆମେ ଘର ଭିତରେ ଥାଇ ବି ନିରାପଦ ମଣୁନାହୁଁ ।” ଜାଭଜୀ ଏବଂ ତାଙ୍କ ସ୍ତ୍ରୀ ଯମୁନାବାଇଙ୍କର ଗୋଟିଏ ଗୁଣ୍ଠ (୦.୦୨୫ ଏକର) ରୁ କମ୍ ଚାଷଜମି ରହିଛି ଏବଂ ସେମାନେ ସେଥିରେ ଚାଷ କରି ୨-୩ କୁଇଣ୍ଟାଲ ଚାଉଳ ପାଇଥାଆନ୍ତି । କୃଷି ଶ୍ରମିକ ଭାବେ କାମ କରି ଏବଂ ପୁଣେରୁ ପୁଅ ପଠାଉଥିବା କିଛି ଟଙ୍କା ମିଶାଇ ସେମାନେ ଏହି ରୋଜଗାରକୁ ବଢ଼ାଇ ଥାଆନ୍ତି ।
ଯମୁନାବାଇ ବାଲଚିମ ନରମ ସ୍ୱରରେ କଥା କହନ୍ତି । “ଆମ ପିଲାମାନେ ଏବେ ପୁଣେରେ ରହୁଛନ୍ତି । ଭୂମିରେ ଫାଟ ଏବଂ ବିପଦ ଆଶଙ୍କା କାରଣରୁ ସେମାନେ ଆଉ ଫେରିବାକୁ ଚାହୁଁ ନାହାନ୍ତି ବୋଲି କହନ୍ତି । ଏହି ଦୁଇଟି କୋଠରି (ଘର ଭିତରେ) ସେମାନଙ୍କ ପାଇଁ ତିଆରି ହୋଇଥିଲା, କିନ୍ତୁ ଏବେ କେବଳ ଆମେମାନେ ରହିଛୁ, ପଛରେ ରହିଯାଇଥିବା ବୁଢ଼ାବୁଢ଼ୀ ।”