“ଗତ କିଛି ବର୍ଷ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆମେ ତାଙ୍କୁ ଚିକିତ୍ସା ପାଇଁ ଆସାମର ସିଲଚର [୧୨୦ କିଲୋମିଟର ଦୂର] ପ୍ରତି ମାସରେ ଏକାଧିକ ଥର ନେଇଥାଉ । ମୁଁ ଏଥିପାଇଁ ପ୍ରାୟ ପାଞ୍ଚଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲିଣି । ଏବଂ ଯେହେତୁ ମୋତେ ଏହି ଟଙ୍କା ଧାର କରିବାକୁ ପଡ଼ିଥିଲା, ମୁଁ ଏବେ ବହୁତ ଋଣରେ ବୁଡ଼ି ରହିଛି । ଏପରିକି ମୁଁ ମୋର କିଛି ପଣସ ଗଛକୁ କାଠ କରି ବିକ୍ରି କରିଦେଇଛି । ଶେଷ ଗଛଟିକୁ ୪,୦୦୦ ଟଙ୍କାରେ ବିକ୍ରି କରିଥିଲି,” ବୋଲି ରତିଶ କୁହନ୍ତି ।
ଯେତେବେଳେ ବଢ଼େଇ କାମ ଥାଏ, ରତିଶ ଦିନକୁ ୫୦୦ ଟଙ୍କା ମଜୁରି ପାଆନ୍ତି । ମାସକୁ ସେ ସର୍ବାଧିକ ୭,୦୦୦ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଏପରି ସମୟ ବି ଆସେ ଯେତେବେଳେ ଦୁଇ-ତିନି ମାସ ପର୍ଯ୍ୟନ୍ତ ତାଙ୍କୁ କୌଣସି କାମ ମିଳେନାହିଁ । “ସେଥିପାଇଁ ମୁଁ ବାଦ୍ୟଯନ୍ତ୍ର ବିକ୍ରି କରିବାକୁ ଧର୍ମନଗର ଯିବା ଆରମ୍ଭ କଲି । ତାହା ହିଁ ଆମ ପାଇଁ ଟଙ୍କା ରୋଜଗାରର ଏକମାତ୍ର ମାଧ୍ୟମ ହୋଇପାରେ । ମୋ ପାଖରେ କୌଣସି ସଞ୍ଚୟ ନାହିଁ । ମୋର ବଡ଼ ପୁଅ ସହରର ଏକ ଅଳଙ୍କାର ଦୋକାନରେ କାମ କରେ ଏବଂ ସେ ଯଥାସମ୍ଭବ ସାହାଯ୍ୟ କରେ,” ବୋଲିରତିଶ କୁହନ୍ତି । ତାଙ୍କର ଚାରି ସନ୍ତାନ - ତିନି ପୁଅ ଏବଂ ଜଣେ ଝିଅ - ଜ୍ୟୋତ୍ସ୍ନାଙ୍କୁ ହସ୍ପିଟାଲ୍ ନେବା କାମ ବୁଝାବୁଝି କରନ୍ତି । ସାନ ଝିଅ ରିମିତା (୧୭) ଏବେ ମଧ୍ୟ ହାଇସ୍କୁଲ୍ରେ ପଢ଼ୁଛି ।
ଏହି ସଙ୍ଗୀତ ଶିଳ୍ପୀଙ୍କ ପାଇଁ ତାଙ୍କ ସଙ୍ଗୀତ ହିଁ ଏକମାତ୍ର ଆଶ୍ୱାସନା । “ମୁଁ ଏକ ଗୀତ କିମ୍ବା ସୁର ବାଛି ନିଜ ମନକୁ ମନ ବଜାଇ ଚାଲେ । ମୋତେ କେହି କେବେ ଶିଖାଇ ନାହାନ୍ତି । ଯେତେବେଳେ ମୁଁ ଦୋତାରା ବଜାଏ, ମୁଁ ସମୟ ଜ୍ଞାନ ଭୁଲିଯାଏ । ମୁଁ କେବେ ଏଥିରୁ ଟଙ୍କା ରୋଜଗାର କରିବା କଥା ଭାବିନଥିଲି । ମାତ୍ର ପାଞ୍ଚବର୍ଷ ପୂର୍ବେ, ଯେତେବେଳେ ମୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲି, ଜଣେ ବ୍ୟକ୍ତି ମୋତେ ଦୋତାରା ତିଆରି କରି ବିକ୍ରି କରିବାକୁ ପରାମର୍ଶ ଦେଇଥିଲେ ।” ସେ ଏ ପର୍ଯ୍ୟନ୍ତ ୧୩ଟି ଦୋତାରା ବିକ୍ରି କରି ସାରିଛନ୍ତି । ଗୋଟିଏ ବାଦ୍ୟଯନ୍ତ୍ର ପାଇଁ ସେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରନ୍ତି । “ଗୋଟିଏ ଦୋତାରା ତିଆରି ପାଇଁ କଞ୍ଚାମାଲ ବାବଦରେ ହିଁ ୨,୦୦୦ ଟଙ୍କା ଖର୍ଚ୍ଚ ହୋଇଯାଏ । କିନ୍ତୁ ମୁଁ ପ୍ରଥମେ ତିଆରି କରିଥିବା ଦୋତାରାଟିକୁ କେବେହେଲେ ବିକ୍ରି କରିନାହିଁ । ତା ସହିତ ମୋର ବହୁତ ଆବେଗିକ ସମ୍ପର୍କ ରହିଛି ।” ଏକଥା କହିବା ବେଳେ ରତିଶଙ୍କ ମୁହଁ ଉଜ୍ଜ୍ୱଳ ହୋଇଉଠେ ।
ଏବେ ତାଙ୍କ ପାଖକୁ ଗ୍ରାହକମାନେ ଆସୁଛନ୍ତି । “ମୁଁ ସଙ୍ଗୀତକୁ ଭଲପାଏ ଏବଂ ରତିଶ ନିଜେ ମଧ୍ୟ ଜଣେ ଭଲ ବାଦକ । ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ସେ ଦୋତାରା ତିଆରି କରୁଛନ୍ତି, ମୁଁ ତୁରନ୍ତ ମୋ ପାଇଁ ଗୋଟିଏ ତିଆରି କରିବାକୁ ତାଙ୍କୁ କହିଲି,” ବୋଲି ଜଣେ ବିଜ୍ଞାନ ଶିକ୍ଷକ ସୁରେନ୍ଦ୍ର ନାଥ (୪୫) କୁହନ୍ତି । ସେ ରତିଶଙ୍କର ପ୍ରଥମ ଗ୍ରାହକ ଥିଲେ । ସେ ଏପରିକି ତାଙ୍କୁ ଅଧିକ ବାଦ୍ୟଯନ୍ତ୍ର ତିଆରି କରିବାକୁ ଉତ୍ସାହିତ କରିଥିଲେ ଏବଂ ଏକ ସ୍ଥାନୀୟ କ୍ଲବରେ ପରିବେଷଣ କରିବାକୁ ତାଙ୍କୁ ନିମନ୍ତ୍ରଣ କରିଥିଲେ ।