ସୀତା ସସାନେ ଯେତେବେଳେ ତାଙ୍କ ସ୍ୱାମୀଙ୍କ ଆଡ଼କୁ ଅନାଇଲେ, ତାଙ୍କର ମଧ୍ୟାହ୍ନ ଭୋଜନ ବିରତି ଏକ ଭୟଙ୍କର ସ୍ୱପ୍ନରେ ପରିଣତ ହୋଇଗଲା। ଆଖି ସାମ୍ନାରେ, ତାଙ୍କ ସ୍ୱାମୀ କେଶବଙ୍କ ମୁହଁଟି ଗୋଟିଏ ପାର୍ଶ୍ୱକୁ ବଙ୍କା ହୋଇଗଲା। ସେ ତାଙ୍କ ଆଡ଼କୁ ଦୌଡ଼ିଗଲେ, ଆଉ ଦେଖିବାକୁ ପାଇଲେ ଯେ କେଶବ ପରିସ୍ରା କରି ଦେଇଛନ୍ତି।
ଅନେକ ବର୍ଷ ପରେ, ସୀତା ଏହି ଘଟଣାକୁ ମନେ ପକାଇ କହନ୍ତି, ‘‘ମୁଁ ତାଙ୍କ ନାଁ ଧରି ପାଟିକରି ଡାକିଲି, କିନ୍ତୁ ସେ କିଛି ଉତ୍ତର ଦେଲେ ନାହିଁ।’’ ଆମେ ମହାରାଷ୍ଟ୍ରର ବିଡ଼ ଜିଲ୍ଲାର ଅହେରୱାହେଗାଓଁ ଗାଁରେ ଥିବା ତାଙ୍କର ଏକ ବଖରା-ବିଶିଷ୍ଟ ଘରେ ବସିଛୁ।
କୋହ୍ଲାପୁରର ଏକ ଚିନି କଳ ପାଇଁ ଏହି ଦମ୍ପତି ଆଖୁ କାଟିବା ଏବଂ ତାକୁ ଟ୍ରାକ୍ଟରରେ ଲୋଡ୍ କରିବାରେ ପୂରା ସକାଳଟା ବିତାଇଥିଲେ। ସେମାନଙ୍କ ଦୁଇ ପୁଅ ମଧ୍ୟ ପଶ୍ଚିମ ମହାରାଷ୍ଟ୍ରର ସେହି ସମାନ କ୍ଷେତରେ ଏକାଠି କାମ କରୁଥିଲେ।
ବଡ଼ି ଭୋରରୁ ଆରମ୍ଭ ହେଉଥିବା ଏହି କଠିନ ପରିଶ୍ରମ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାଲୁଥିଲା - କେବଳ ଦିନ ୧୨ଟା ବେଳେ ଅଧା ଘଣ୍ଟାର ମଧ୍ୟାହ୍ନ ଭୋଜନ ବିରତି ମିଳୁଥିଲା। ୪୫ ବର୍ଷୀୟା ସୀତା କ୍ଷେତରେ ଏକ ଚାଦର ବିଛାଇ, ଘରୁ ରାନ୍ଧି ଆଣିଥିବା ଖାଦ୍ୟ ବାହାର କଲେ। ଏହି ଖାଦ୍ୟ ସେ ତାଙ୍କ ଅସ୍ଥାୟୀ ଝୁମ୍ପୁଡ଼ି ଘରେ ସକାଳୁ ଶୀଘ୍ର ଶୀଘ୍ର କାମ କରି ରାନ୍ଧି ଆଣିଥିଲେ। ସେ ଚାରିଟି ଥାଳି ପ୍ରସ୍ତୁତ କଲେ ଏବଂ ପ୍ରଥମ ଥାଳିଟି ତାଙ୍କ ସ୍ୱାମୀ ୫୫ ବର୍ଷୀୟ କେଶବଙ୍କ ହାତକୁ ବଢ଼ାଇଦେଲେ। କିନ୍ତୁ କେଶବ ଯେପରି ନିଜ ଦୁନିଆରେ ହଜିଯାଇଥିବା ପରି ଦେଖାଯାଉଥିଲେ। ଆଉ ଠିକ୍ ସେତିକିବେଳେ ତାଙ୍କ ମୁହଁ ବଙ୍କା ହୋଇଗଲା।
ଅକ୍ଟୋବର ୨୦୨୩ର ସେହି ଭୟାନକ ଦ୍ୱିପ୍ରହରକୁ ମନେ ପକାଇ ସୀତା କହନ୍ତି, ‘‘ମୁଁ ଭୟଭୀତ ହୋଇପଡ଼ିଲି ଏବଂ ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଗଲି।’’
ପରୀକ୍ଷା କରି ଡାକ୍ତର ଖୁବ୍ ଶୀଘ୍ର ରୋଗ ଚିହ୍ନଟ କଲେ - ଏହା ଥିଲା ପକ୍ଷାଘାତ (ପାରାଲିଟିକ୍ ଷ୍ଟ୍ରୋକ୍)। କେଶବଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ପଡ଼ିଲା।
ତଥାପି, ସେମାନେ କାମ ଛାଡ଼ି ଯାଇପାରିଲେ ନାହିଁ। ଅନ୍ୟ ଗରିବ ପ୍ରବାସୀ ଶ୍ରମିକମାନଙ୍କ ପରି, ଏହି ପରିବାର ବି ଦେଢ଼ ଲକ୍ଷ ଟଙ୍କା ଅଗ୍ରୀମ ବା ଆଡଭାନ୍ସ ନେଇଥିଲେ। ଛଅ ମାସର ଆଖୁକଟା ସିଜିନରେ ସେମାନେ ଯେତେ କିଲୋ ଆଖୁ କାଟିବେ, ସେହି ଅନୁସାରେ ମଜୁରି ମିଳିବ ଏବଂ ଅଗ୍ରୀମ ଟଙ୍କା ଭରଣା ହେବ।
ଦଳିତ ପରିବାରର ସୀତା କୁହନ୍ତି, ‘‘ଯେଉଁ ଠିକାଦାର ଆମକୁ ଲଗାଇ ଥିଲେ, ସେ ଆମକୁ ଯିବାକୁ ଦେଲେ ନାହିଁ।’’ ଠିକାଦାରଙ୍କ ସହ ତାଙ୍କର ଯୁକ୍ତିତର୍କ ହେଲା। ଦୟା ଦେଖାଇବାକୁ ସେ ଅନୁନୟ ବିନୟ ହେଲେ, କିନ୍ତୁ ଠିକାଦାର ଆଦୌ ରାଜି ହେଲେ ନାହିଁ। ତାଙ୍କର ଦୁଇ ପୁଅ -୨୩ ବର୍ଷୀୟ ସୌରଭ ଏବଂ ୨୧ ବର୍ଷୀୟ ସୂରଜଙ୍କ ସହିତ ସେ କାମ ଜାରି ରଖିବାକୁ ବାଧ୍ୟ ହେଲେ, ଏପଟେ କ୍ଷେତର ଏକ ଅସ୍ଥାୟୀ ତମ୍ବୁରେ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ କେଶବ।












