ସମ୍ଭଲ ସହରକୁ ଲାଗି ରହିଥିବା ସରାଇ ତରିନ ଅସ୍ଥି ଓ ଶିଂଘରୁ ପ୍ରସ୍ତୁତ ହେଉଥିବା ବୋତାମ, ବିଅର ପାନପାତ୍ର, ଘରସଜ୍ଜା ଉପକରଣ ଓ ରୋଷେଇ ସରଞ୍ଜାମ ଆଦି ପ୍ରସ୍ତୁତି ପାଇଁ ପ୍ରସିଦ୍ଧ, ଏବଂ ମହମ୍ମଦ ଇସଲାମ ଭଡ଼ାରେ ନେଇଥିବା ଛୋଟ ଦୋକାନଟିକୁ ନିୟମିତ ଗ୍ରାହକଙ୍କ ଧାଡ଼ି ଲାଗିଥାଏ। ସେଠାରେ ପିଲାମାନେ ମିଠେଇ ଓ ଲୋକମାନେ ପ୍ରତିଦିନର ତେଜରାତି ସାମଗ୍ରୀ ପାଇଁ ଗହଳି ଲାଗିଥାଏ। ଆଉ ମଧ୍ୟ କେତେକ ବୟସ୍କ ଲୋକ ସୂକ୍ଷ୍ମ-ଦାନ୍ତବାଲା ପାନିଆ – ଶିଂଘ ପାନିଆ (ମଇଁଷି ଶିଂଘରୁ ତିଆରି) ନେବାକୁ ଆସନ୍ତି, ଯାହା ଇସଲାମଙ୍କ ଦୋକାନରେ ମିଳୁଛି ବୋଲି ଦୋକାନ ବୋର୍ଡରେ ହାତରେ ଲେଖା ଯାଇଥାଏ।
୬୦-ବର୍ଷୀୟ ଇସଲାମ ହେଉଛନ୍ତି ସରାଇ ତରିନର ଶେଷ କେତେଜଣ ଶିଂଘରୁ ପାନିଆ ପ୍ରସ୍ତୁତ କରୁଥିବା ଦକ୍ଷ କାରିଗର। ତାଙ୍କର ଦୀର୍ଘ ଦିନର ବନ୍ଧୁ ସତୁରୀ-ଦଶକରେ ପହଞ୍ଚି ସାରିଥିବା ମକସୁଦ ଖାଁ ହେଉଛନ୍ତି ଏହି ପାନିଆ ଦେଉଥିବା ଅଳ୍ପ କେତେଜଣଙ୍କ ମଧ୍ୟରୁ ଜଣେ।
“ଏହି କାରୁକଳାର ଯେଉଁ କାରିଗରମାନେ ମରିଗଲେଣି ସେମାନଙ୍କ ସହ ତାଙ୍କ କଳା ବି ଚାଲିଗଲା – ଏହାର ପୁନଃରୁଦ୍ଧାର ପାଇଁ କିଛି କରାଯାଉ ନାହିଁ”, ତାଙ୍କ ହୁକ୍କାରୁ କଳେ ଧୂଆଁ ଟାଣିନେଇ କହନ୍ତି ଇସଲାମ। “ପୁରା ସରାଇ ତରିନ ବୁଲି ଆସନ୍ତୁ, ଯଦି ଆପଣ ଶିଂଘ କାମ କାରିଗର ଖୋଜୁଥିବେ, ତେବେ ସମସ୍ତେ ଆପଣଙ୍କୁ ମୋ ପାଖକୁ ଆସିବାକୁ କହିବେ”।
୨୦୨୨ରେ ଏହି କାରୁକଳାକୁ ବୌଦ୍ଧିକ ସମ୍ପତି ସୁରକ୍ଷାରେ ସାହାଯ୍ୟ ତଥା ସେଗୁଡ଼ିକର ମୂଳ ଉତ୍ପତ୍ତି ସ୍ଥଳକୁ ଚିହ୍ନିତ କରୁଥିବା ଭୋଗୋଳିକ ସୂଚକ ବା ଜିଆଇ ଟ୍ୟାଗ ପ୍ରଦାନ କରାଗଲା। ଶିଂଘ ଓ ଅସ୍ଥି ହସ୍ତଶିଳ୍ପକୁ ସମ୍ଭଲର ସ୍ଵତନ୍ତ୍ରତା ଭାବେ ଉତ୍ତର ପ୍ରଦେଶର ହସ୍ତଶିଳ୍ପ ଯୋଜନା ଅନ୍ତର୍ଗତ ‘ଏକ ଜିଲ୍ଲା, ଏକ ସାମଗ୍ରୀ’ ଭାବେ ମଧ୍ୟ ପ୍ରୋତ୍ସାହିତ କରାଗଲା।
“ଜିସକେ ସର ପର ବାଲ, ଉସ୍କି କଙ୍ଗି [ମୁଣ୍ଡରେ ବାଳ ଥାଏ ଯାହାର, ପାନିଆ ତା’ର ଦରକାର”]”, ମଜାଳିଆ ଢଙ୍ଗରେ ଇସଲାମ ଏହି ସାଧାରଣ ଉକ୍ତିକୁ ଉଦ୍ଧୃତ କରି କହନ୍ତି। “ଦିନେ ଏମିତି ଏକ ସମୟ ଥିଲା ପ୍ରତି ଗଳି ମୁଣ୍ଡରେ ଓ ଛକରେ - ଚାରିଆଡ଼େ ପାନିଆ ମିଳୁଥିଲା”।
ସେ ତାଙ୍କ ଦୋକାନ, ଏପରିକି କାରଖାନାକୁ ମାସକୁ ୨୦୦୦ ଟଙ୍କାରେ ଭଡ଼ାରେ ଦିଅନ୍ତି – ଜଣେ ଦୋକାନୀ ଓ ଜଣେ କାରିଗର ବରାବର ତାଙ୍କ ଭୂମିକା ବଦଳାଉ ଥାଆନ୍ତି। ବର୍ତ୍ତମାନ ତାଙ୍କ ସାମ୍ନାରେ ତାଙ୍କର କାରୁକଳାର ଯନ୍ତ୍ରପାତି ପଡିଥାଏ: ବିଭିନ୍ନ ପ୍ରକାରର ଆରି ପାତିଆ, ରୈତ (ଛେଣି), ଛିଲି (ବଟାଳି), କେଇ ଫର୍ଦ୍ଦ ରେଗମାଲ (ବାଲି କାଗଜ) ଓ ପାନିଆ ରଖିବା ପାଇଁ ଆଡ୍ଡା (କାଠ ପଟା), ଇତ୍ୟାଦି।




























