ସେବନ୍ତୀ ରାୟଙ୍କ ନୃତ୍ୟଗୁରୁ ତାଙ୍କ ଛାତ୍ରୀ ସେବନ୍ତୀଙ୍କର କାନ୍ଧର ଅସମାନତାକୁ ସର୍ବପ୍ରଥମେ ଦେଖିଲେ। ଜଣେ ନୃତ୍ୟାଙ୍ଗନା ହେବାକୁ ଆକାଂକ୍ଷା ରଖିଥିବା ସେହି ଛାତ୍ରୀଙ୍କର ଚଳପ୍ରଚଳ ବନ୍ଦ ହୋଇଗଲା। ଅଳ୍ପ ଦିନ ପରେ ସେହି ୧୩-ବର୍ଷୀୟା ଝିଅଟିକୁ ସ୍କୋଲିଓସିସ ହୋଇଥିବା ଜଣା ପଡ଼ିଲା। “ପ୍ରଥମେ, ଯେହେତୁ ମୋ ପିଲାବେଳେ ହ୍ରିତିକ ରୋଶନ (ନୃତ୍ୟରେ ଦକ୍ଷତା ଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା) ମୋର ଅତି ପ୍ରିୟ ଥିଲେ, ମୁଁ ସେହି ଡାକ୍ତରୀ ଅନୁସନ୍ଧାନ ବାବଦରେ ଅଦ୍ଭୁତ ଭାବେ ଆଗ୍ରହୀ ଥିଲି”, ସେବନ୍ତୀ ହସିହସି ମନେ ପକାନ୍ତି।
ରୋଶନଙ୍କୁ ୨୧ ବର୍ଷ ହେଇଥିଲା ବେଳେ ତାଙ୍କର ସ୍କୋଲିଓସିସ ଥିବା ଜଣା ପଡ଼ିଥିଲା, ଓ ସେ ନୃତ୍ୟ କରିପାରିବେନି ବୋଲି ତାଙ୍କୁ କୁହାଗଲା। ସ୍କୋଲିଓସିସ କାରଣରୁ ମେରୁଦଣ୍ଡ ଗୋଟିଏ କଡ଼କୁ ବଙ୍କେଇଯାଏ। ସମସ୍ତଙ୍କ ମେରୁଦଣ୍ଡ ସ୍ଵାଭାବିକ ଭାବେ ସବୁଆଡ଼କୁ ବଙ୍କେଇ ପାରେ, କିନ୍ତୁ ସ୍କୋଲିଓସିସ ଥିବା ଛୋଟପିଲା ଓ କିଶୋରମାନଙ୍କର ମେରୁଦଣ୍ଡ ବା ଏହାର କେତେକାଂଶ ଆସ୍ଵାଭାବିକ ଭାବେ ଗୋଟିଏ ଇଂରାଜୀ ‘ଏସ’ (S) କିମ୍ବା ‘ସି’ (C) ଆକାରରେ ବଙ୍କେଇଯାଏ।
କିଶୋରୀ ସେବନ୍ତୀ ତା’ର ଆଡୋଲେସେଣ୍ଟ ଇଡିଓପାଥିକ ସ୍କୋଲିଓସିସ (ଏଆଇଏସ) ଅସ୍ତ୍ରୋପଚାର କରିବା ପାଇଁ ତାଙ୍କ ଘର ଦକ୍ଷିଣ ୨୪ ପ୍ରଗଣାରୁ କୋଲକାତା ଗଲେ। ଏହି ଅସ୍ତ୍ରୋପଚାର ପଦ୍ଧତିରେ ତାଙ୍କ ମେରୁଦଣ୍ଡକୁ ସିଧା କରିବା ପାଇଁ ଦୁଇଟି ରଡ୍ ଓ ୧୪ଟି ପେଚ ତାଙ୍କ ପିଠିରେ ଭର୍ତ୍ତି କରାଗଲା।
“ଏବେ ମତେ କିଛି ଲାଗୁ ନାହିଁ”, ସେ ଏବେ ୧୨ ବର୍ଷ ପରେ କହନ୍ତି। “ଜୀବନ ବେଶ୍ ସାଧାରଣ। ମୁଁ ସ୍କୋଲିଓସିସ ସହ ବଞ୍ଚିବା ଶିଖିଲି ଓ ସାଧାରଣ ଜୀବନକୁ ଫେରି ଆସିଲି”, କହିଲା ବେଳକୁ ତାଙ୍କ ମୁହଁରେ ହସଟିଏ ଫୁଟି ଉଠିଲା। ପଶ୍ଚିମବଙ୍ଗର ଡାଇମଣ୍ଡ ହାରବୋର ସହର, ଯେଉଁଠାରେ ହୁଗୁଳି ନଦୀ ବଙ୍ଗୋପସାଗରରେ ମିଶିଛି ସେଠାରେ ଥିବା ତାଙ୍କ ଜେଜେବାପାଙ୍କ ଘରର ଛାତ ଉପରେ ଥିବା ଘରେ ଆମେ ବସିଥିଲୁ।
ସ୍କୋଲିଓସିସ ଯୋଗୁଁ ସେବନ୍ତୀ କେବଳ ଅସହାୟ ଅନୁଭବ କରୁଥିବା ବେଳେ ଲକ୍ଷ ଲକ୍ଷ ଅନ୍ୟ ରୋଗୀମାନଙ୍କ ପାଇଁ ଏହି ରୋଗ କଷ୍ଟଦାୟକ, କ୍ଷୀଣକାରୀ, ଓ ହୃଦରୋଗର କାରଣ ହେବା ସହ ଶାସକ୍ରିୟା ନେବାରେ ସମସ୍ୟା ସୃଷ୍ଟି କରିପାରେ। ଗ୍ରାମାଞ୍ଚଳର ରୋଗୀମାନଙ୍କ ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ସଠିକ ନିଦାନ କରିବା ମଧ୍ୟ କଷ୍ଟକର।


















