“ପାନ୍ତାଭାତ [ଵାସି ପଖାଳ] ଛଡ଼ା ପ୍ରତିଦିନ ଆମ ପାଖରେ ଖାଇବାକୁ ଆଉ କ’ଣ ଅଛି?” ଭାତ ଖାଇଵାକୁ ଅଧିକ ରୁଚିକର ଲାଗିଵା ପାଇଁ ନାଲି ଲଙ୍କା ଓ ଲୁଣ ବାଟୁ ବାଟୁ ବାତୋ ମଲ୍ଲିକ କହନ୍ତି।
ଏବେ ସନ୍ଧ୍ୟା ସମୟ, ଏବଂ ବାତୋ ଓ ତାଙ୍କ ସ୍ୱାମୀ ଯୋଗେନ ମଲ୍ଲିକ ଏବେ ଏବେ ନିକଟସ୍ଥ ଜଙ୍ଗଲରୁ ଫେରିଛନ୍ତି। ଆଦିବାସୀ ବସ୍ତିର ଅନ୍ୟ ସମସ୍ତ ପରିବାର ଭଳି ଏହି ଦମ୍ପତି ମଧ୍ୟ ସାପ୍ତାହିକ ହାଟରେ ବିକ୍ରି କରିବା ନିମନ୍ତେ ଶାଲ୍ (ସୋରିଆ ରୋବଷ୍ଟା) ପତ୍ର ସଂଗ୍ରହ କରିବାରେ ଜଙ୍ଗଲରେ ନିଜର ସାରା ଦିନ ଅତିବାହିତ କରନ୍ତି।
ସେମାନଙ୍କ ଘର ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜିଲ୍ଲାର ବେନାଶୁଳି ଗାଁରେ ଅବସ୍ଥିତ – ଏହା ହେଉଛି ମୁଖ୍ୟତଃ ଶବର ଆଦିବାସୀଙ୍କ (ପଶ୍ଚିମବଙ୍ଗରେ ଏହା ଶଵର ଭାବରେ ତାଲିକାଭୁକ୍ତ) ଏକ ସମ୍ପ୍ରଦାୟ। ଏହି ଆଦିବାସୀ ସମ୍ପ୍ରଦାୟ ଦେଶର ସର୍ବାଧିକ ଗରିବ ଏବଂ ବଞ୍ଚିତ ନାଗରିକମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଭୋକ ଓ ଅପପୁଷ୍ଟି ସହ ସଙ୍କଟାପନ୍ନ ସ୍ଥିତିରେ ଜୀବନଯାପନ କରୁଛନ୍ତି।
ଶବରମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ମୁଁ ଅନେକ ବର୍ଷ ଧରି ଏହି ଅଞ୍ଚଳକୁ ଆସୁଛି। ବ୍ରିଟିଶମାନଙ୍କ ଦ୍ୱାରା ‘ଅପରାଧୀ ଜନଜାତି’ ଭାବରେ ଆଖ୍ୟାୟିତ ହୋଇଥିବା ଏହି ଲୋକମାନଙ୍କୁ ୧୯୫୨ ମସିହାରେ ବିଜ୍ଞପ୍ତିମୁକ୍ତ କରାଯାଇଥିଲା। ବହୁତ କମ୍ ଲୋକଙ୍କ ପାଖରେ ଜମି ଅଛି ଏବଂ ସେମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଜଙ୍ଗଲ ଉପରେ ନିର୍ଭର କରନ୍ତି। ପଢ଼ନ୍ତୁ: ଅନାହାର ଦ୍ୱାରଦେଶରେ ଥିବା ଅବହେଳିତସମୁଦାୟ
ପ୍ରତିଥର ଏଠାକୁ ଆସିଲେ ମୁଁଲକ୍ଷ୍ୟ କରେ ଯେ ସେମାନଙ୍କ ସ୍ଥିତିରେ କୌଣସି ସୁଧାର ଆସିନାହିଁ; ବର୍ଷ ବର୍ଷ ଧରି ନୁହେଁ କି ଦଶନ୍ଧି ଦଶନ୍ଧି ଧରି ମଧ୍ୟ ନୁହେଁ। ନିଜର ଭୋକ ମେଣ୍ଟାଇବା ପାଇଁ ମହୁଆ (ମଧୁକା ଲଙ୍ଗିଫୋଲିଆ) ରୁ ପ୍ରସ୍ତୁତ ଦେଶୀ ମଦ ଖାଦ୍ୟର ଏକ ବିକଳ୍ପ ପାଲଟିଯାଇଛି, କାରଣ ଏହା ପେଟ ଭରିଥିବାର ଅନୁଭବ ଆଣିଦିଏ। ବାସ୍ତବରେ, ପ୍ରାୟ ପ୍ରତ୍ୟେକ ଘରେ ଅତ୍ୟଧିକ ଏବଂ ବଢ଼ୁଥିବା ମଦ୍ୟପାନ ଅଭ୍ୟାସ କାରଣରୁ (ସ୍ଥାନୀୟ ମଦ ପ୍ରାୟ ସବୁଠାରେ ପ୍ରସ୍ତୁତ କରାଯାଏ) ଅପପୁଷ୍ଟି ଏବଂ ରକ୍ତହୀନତା ଏଠାରେ ନିଜର ଚେର ମଜଭୂତ କରିଛି।।























