“ମୁଁ ଏଠାରେ ଜନ୍ମ ହୋଇଛି। ସେହି ବଣ ଓ ଏହି ଡୋଙ୍ଗର [ପାହାଡ଼]ରେ ବୁଲି ବଡ଼ ହୋଇଛି,” ୟେମା ସୋଙ୍ଗାଳ ଏହି ସମ୍ଵାଦଦାତାଙ୍କୁ ତାଙ୍କର ପଲ୍ଲୀଗାଁ ସହିତ ପରିଚିତ କରାଇବା ବେଳେ ହସ ତାଙ୍କ ମୁହଁରେ ବିରାଜମାନ କରୁଥିଲା। ନାଲିମାଟିରେ ତିଆରି ଟାଇଲ ଛପର ଘରଗୁଡ଼ିକୁ ଘଞ୍ଚ ସବୁଜ ସୟାଦ୍ରିଘେରି ରହିଥିଲା-ଲାଗୁଥିଲା ସତେ ଯେପରି ପ୍ରକୃତି ଓ ଜନବସତିର ସୁନ୍ଦର ମିଶ୍ରଣ। ଏକଥା ସେ ଜାଣି ନାହାନ୍ତି ଯେ, ଏହି ସ୍ଥାନଟି ବିଶ୍ଵର ଜୈବବିବିଧତା ତାଲିକାରେ ରହିଥିବା ଆଠଟି ‘‘ସର୍ବଶ୍ରେଷ୍ଠ ସ୍ଥାନ’’ ମଧ୍ୟରୁ ଅନ୍ୟତମ।
ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଖୁବ୍ଶୀଘ୍ର ଏଥିରୁ ୨୮୦ ହେକ୍ଟର ପାଣିରେ ବୁଡ଼ିଯିବାକୁ ଯାଉଛି।
“ଆମର ଚାଷଜମି ସେହିଡୋଙ୍ଗର ଆରପାଖରେ ରହିଛି,” ୟେମା ମହାରାଷ୍ଟ୍ରର ଲାଦେଓ୍ୱାଡ଼ି ବସ୍ତି (କାଳଭୋଣ୍ଡେ ଗ୍ରାମପଞ୍ଚାୟତ)ରେ ଘର ଆଗରେ ଠିଆ ହୋଇ ଇସାରା କରି କହୁଛନ୍ତି। ଯେତେବେଳେ ବି ସେ ତାଙ୍କର ଛୋଟ ଚାଷଜମିରେ ବରଇ (ବର୍ଣ୍ଣୟାର୍ଡ ମିଲେଟ) ଚାଷ କରିବାକୁ ଯାଇଥାନ୍ତି ତାଙ୍କୁ ଏବଂ ତାଙ୍କ ଧର୍ମପତ୍ନୀ ସୁଲିଙ୍କୁ ଘଣ୍ଟାଏ କାଳ ପାହାଡ଼ ଚଢ଼ିବାକୁ ପଡ଼ିଥାଏ-ଏହି ଆଦିବାସୀ ଦମ୍ପତିଙ୍କ ବୟସ ୭୦ ଟପିଲାଣି। “ଏଠାରେ ବର୍ଷାଦିନିଆ ଚାଷ ହୋଇଥାଏ।” ଆମେ ୫-୬ ବସ୍ତା [କ୍ଵିଣ୍ଟାଲ] ଅମଳ କରିଥାଉ। ଏହି ଗୋଟିଏ ଏକରରୁ କମ୍ ଜମିରେ ଏତିକି ମାତ୍ର ଅମଳ ହେଉଥିବା ବେଳେ ଏହା ଏହି ୧୫ଜଣିଆ ପରିବାର ପାଇଁ ସହାୟକ ହୋଇଥାଏ-ୟେମା, ସୁଲି, ତାଙ୍କର ଚାରି ପୁଅ, ତିନି ବୋହୂ ଏବଂ ଛଅଜଣ ନାତିନାତୁଣୀଙ୍କୁ-ପରବର୍ତ୍ତୀ ଅମଳ ଅର୍ଥାତ ବର୍ଷେ ଯାଏ ସେତିକିରେ ଗୁଜରାଣ ମେଣ୍ଟାଇବାକୁ ହେବ। ତେଣୁ ଏହି ପରିବାର ଚାଷଜମି ଉପରେ ଯେତିକି ନିର୍ଭର ଜଙ୍ଗଲ ଉପରେ ମଧ୍ୟ ସେତିକି ନିର୍ଭର କରିଥାଏ।
“ଜଙ୍ଗଲ ଆମକୁ ଅନେକ କିଛି ଦେଇଥାଏ,” ବୋଲି ସେ ପୁଣି କହିଥିଲେ। “ଫଳ, ରାନକନ୍ଦ [ଜଙ୍ଗଲୀ କନ୍ଦା], ପନିପରିବା, ଥଣ୍ଡା, ଜ୍ଵର, ଆଣ୍ଠୁଗଣ୍ଠି ବିନ୍ଧା ଇତ୍ୟାଦି ରୋଗର ଉପଶମ ପାଇଁ ଔଷଧୀୟ ଉଦ୍ଭିଦ ଦେଇଥାଏ।” ଥାନେ ଜିଲ୍ଲା ଶାହାପୁର ତାଲୁକାର ଏହି ଜଙ୍ଗଲରେ ୟେମା ଏବଂ ତାଙ୍କ ସମୁଦାୟ ମାଆ ଠାକୁର ଜନଜାତିର ୯୭ଟି ପରିବାରର ଜୀବନଜୀବିକା ପାଇଁ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। “ଆମେ ଗଛ କାଟିନଥାଉ। ତଳେ ପଡ଼ିଥିବା ଡାଳଗୁଡ଼ିକ ସଂଗ୍ରହ କରି ତାକୁ ଆମେ ଜାଳେଣିକାଠ ଭାବେ ବ୍ୟବହାର କରୁ। ଆମେ ପକ୍କାଘର ମାଟି, ଇଟା ଏବଂ ଜଙ୍ଗଲରୁ ସଂଗ୍ରହ କରିଥିବା କାଠରେ ନିର୍ମାଣ କରିଥାଉ; ଏହା ଦଶନ୍ଧି ଦଶନ୍ଧି ଧରି ଦୀର୍ଘସ୍ଥାୟୀ ହୋଇଥାଏ।”




















