‘‘ଅନ୍ୟମାନଙ୍କ ଭଳି ଆମେ ବି ଏ ଦେଶର ନାଗରିକ। ଏହା ପ୍ରମାଣିତ କରିବା ଲାଗି ସରକାର ଓ ଅନ୍ୟ ନାଗରିକଙ୍କୁ କାଗଜପତ୍ର ଦେଖାଇବାରେ ଆମର ସାରା ଜୀବନ ବିତିଯାଇଛି।’’
ବହରୁଲ୍ ଇସଲାମ୍ ବର୍ଜ୍ୟରୁ କବାଡ଼ିଆ ସାମଗ୍ରୀ ଅଲଗା କରିବାରେ ବ୍ୟସ୍ତ ରହିଛନ୍ତି । ସେ ପ୍ଲାଷ୍ଟିକ ବୋତଲ, ଓଦା ବର୍ଜ୍ୟ, କାର୍ଡବୋର୍ଡ ଏବଂ ଥର୍ମୋକୋଲକୁ ଅଲଗା ଅଲଗା ଗଦା କରୁଛନ୍ତି, ସେଗୁଡ଼ିକୁ ଭିନ୍ନ ଭିନ୍ନ ଜରି ଅଖାରେ ଭର୍ତ୍ତି କରୁଛନ୍ତି । ପ୍ରାୟ ୩୫ ବର୍ଷ ବୟସ୍କ ବହୁରୁଲ୍ ସେହି ୧୩ ପ୍ରବାସୀ ପରିବାରର ସଦସ୍ୟ ଯେଉଁମାନେ ଆସାମର ବରପେଟା, ବୋଙ୍ଗଇଗାଓଁ ଏବଂ ଗୋଲପାଡ଼ାରୁ ଏଠାକୁ ଆସି ରହୁଛନ୍ତି। ହରିୟାଣାର ଅସାୱରପୁର ସହରରେ ଥିବା ଖାଲି ଜାଗାରେ ସେମାନେ ସାଥୀ ହୋଇ ରହୁଛନ୍ତି ଏବଂ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ବାଛିବା କାମ କରୁଛନ୍ତି ।
‘‘ଏଠି ଏବଂ ଆସାମରେ, ଉଭୟ ସ୍ଥାନରେ ଲୋକମାନେ ସବୁବେଳେ ଆମ ପରିଚୟକୁ ନେଇ ସନ୍ଦେହ କରିଥାନ୍ତି।’’ ବହରୁଲ୍ କୁହନ୍ତି, ସରକାରୀ କର୍ମଚାରୀ ପ୍ରାୟତଃ ସେମାନଙ୍କ ବସ୍ତିକୁ ଆସି ପରିଚୟ କାଗଜପତ୍ର ଦେଖାଇବାକୁ ଧମକ ଦିଅନ୍ତି। ‘‘ଆମେ ଯେତେବେଳେ କବାଡ଼ିଆ ସାମଗ୍ରୀ ସଂଗ୍ରହ କରିବାକୁ ବାହାରୁ, ଆମେ କେଉଁଠୁ ଆସିଛୁ ବୋଲି ଲୋକମାନେ ଆମକୁ ପଚାରନ୍ତି । ଆସାମରୁ ଆସିଛୁ ବୋଲି ଶୁଣିବା ପରେ ସେମାନେ ଆମକୁ ବାଂଲାଦେଶୀ ବୋଲି ଭାବନ୍ତି।’’ ସେ ଆହୁରି କୁହନ୍ତି, ପୁଲିସ ସେମାନଙ୍କୁ ପ୍ରାୟତଃ ଆସାମରୁ ପୁଲିସ ଯାଞ୍ଚ କରାଇ ନେବା ପାଇଁ କହିଥାଏ, ଯାହାଫଳରେ ସେମାନଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ରହିଛି କି ନାହିଁ ବୋଲି ଜଣାପଡ଼ିବ । ‘‘ଆମେ ଯାହା କହୁ ତାହା ସେମାନେ ବିଶ୍ୱାସ କରନ୍ତି ନାହିଁ,’’ ବହରୁଲ୍ କୁହନ୍ତି। ଆସାମରେ ଜାରି ରହିଥିବା ଜାତୀୟ ନାଗରିକ ରେଜିଷ୍ଟର (ଏନଆରସି) ଅଭିଯାନ ସମ୍ପର୍କରେ ସେ ଜାଣିଛନ୍ତି । କିନ୍ତୁ ତାଙ୍କ ପାଖରେ ଜମି ମାଲିକାନା ଅଧିକାର କାଗଜପତ୍ର ଥିବାରୁ, ସେ ଏଥିପାଇଁ ଚିନ୍ତିତ ହୋଇନଥା’ନ୍ତି।
ସେହି ଜାଗାରେ ରହୁଥିବା ଦୁଇ ଭାଇ ରିୟାଜ୍ ଏବଂ ନୁର୍ ଇସଲାମ କୁହନ୍ତି ଯେ ସେମାନେ ଏଥିପାଇଁ ଆସାମ ଛାଡ଼ିଦେଲେ କାରଣ ବ୍ରହ୍ମପୁତ୍ର ନଦୀ ପାଖରେ ଥିବାରୁ ସେମାନଙ୍କ ଚାଷ ଜମି ସବୁବେଳେ ବନ୍ୟା କବଳକୁ ଚାଲି ଆସୁଥିଲା। ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ଚାଷ ଉପରେ ନିର୍ଭର କରିବା ସମ୍ଭବ ନଥିଲା। ଅନ୍ୟପଟେ ବରପେଟରେ ସେମାନଙ୍କର ୮୦୦ ବର୍ଗଫୁଟ୍ ଜମି ଉପରେ ସେମାନଙ୍କ ବାପାମା’ କଞ୍ଚା ଲଙ୍କା, ବିଲାତି ବାଇଗଣ ଏବଂ ଅନ୍ୟାନ୍ୟ ପରିବା ଚାଷ କରୁଛନ୍ତି। ‘‘ଅଧିକ ବର୍ଷା ହେବା ସ୍ଥିତିରେ ନଦୀ ପାଣି ଆମ ଘରେ ପ୍ରବେଶ କରିଥାଏ, ଏବଂ ଆମକୁ ନିଜ ଜାଗା ଛାଡ଼ିବାକୁ ପଡ଼ିଥାଏ। ଆମେ ଗୋଟିଏ ଜାଗାରୁ ଅନ୍ୟତ୍ର ଯିବାକୁ କଦଳୀ ଗଛର ଗଣ୍ଡିକୁ ବ୍ୟବହାର କରିଥାଉ,’’ ତାଙ୍କର ଭାଇ କୁହନ୍ତି। ନେସନାଲ ରିମୋଟ୍ ସେନ୍ସିଂ ସେଣ୍ଟର୍ (ଏନଆରଏସସି)ର ତଥ୍ୟ ମୁତାବକ ୧୯୯୮ରୁ ୨୦୧୫ ମଧ୍ୟରେ ଆସାମର ପାଖାପାଖି ୨୮.୭୫ ପ୍ରତିଶତ ଭୂଖଣ୍ଡ ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।














