‘‘ଗୋଟିଏ ଗୋରଲ! ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାର ଛୋଟ ସହର ସିଙ୍ଗଚୁଙ୍ଗର ଅଙ୍କାବଙ୍କା ସଡ଼କରେ ଶାନ୍ତ ଭାବେ ଗାଡ଼ି ଆଗକୁ ନେବା ସମୟରେ ଡକ୍ଟର ଉମେଶ ଶ୍ରୀନିବାସନ ପାଟି କରି କହିଉଠିଲେ।
କିଛି ଦୂରରେ, ଏକ ଛୋଟ ମୋଟା ଧୂସର ରଙ୍ଗର ଛେଳି ଭଳି ପଶୁ ସଡ଼କ ସେପଟେ, ପୂର୍ବ ହିମାଳୟର ଜଙ୍ଗଲ ଏବଂ ପାହାଡ଼ ତଳେ ଦୌଡ଼ି ଦୌଡ଼ି ଯାଉଥାଏ।
‘‘ଆପଣ ଏହାକୁ ପୂର୍ବରୁ କେବେ ଦେଖିନଥିବେ,’’ ଏହି ଆଚମ୍ବିତ ବନ୍ୟଜୀବ ବିଜ୍ଞାନୀ କୁହନ୍ତି ଯିଏକି ୧୩ ବର୍ଷରୁ ଅଧିକ ସମୟ ଧରି ପଶ୍ଚିମ କାମେଙ୍ଗ ଜଙ୍ଗଲରେ କାମ କରି ଆସୁଛନ୍ତି।
ଧୂସର ଗୋରଲ (ନେମୋରହେଡସ୍ ଗୋରଲ) ଏକ ବୋଭିଡ୍ ପ୍ରଜାତି ଅଟେ ଯାହା ହିମାଳୟ ପାର୍ଶ୍ୱବର୍ତ୍ତୀ ଭୂଟାନ, ଚୀନ, ଉତ୍ତରପୂର୍ବ ଭାରତ, ନେପାଳ ଏବଂ ପାକିସ୍ତାନରେ ଦେଖିବାକୁ ମିଳିଥା’ନ୍ତି। କିନ୍ତୁ ୨୦୦୮ ବେଳକୁ ବାସସ୍ଥାନ ନଷ୍ଟ ହେବା ଏବଂ ଶିକାର କାରଣରୁ ଇଣ୍ଟରନେସନାଲ ୟୁନିଅନ୍ ଫର୍ ଦ କଞ୍ଜରଭେସନ୍ ଅଫ୍ ନେଚର୍ (ଆଇୟୁସିଏନ) ଦ୍ୱାରା ଏହାକୁ ‘‘ବିଲୁପ୍ତ ପ୍ରାୟ’’ ପ୍ରାଣୀ ରୂପରେ ତାଲିକାଭୁକ୍ତ କରାଯାଇଥିଲା।
ଅଧିକ ଜନବସତି ଥିବା ନିମ୍ନବର୍ତ୍ତୀ ହିମାଳୟ ଏବଂ ଉତ୍ତରପୂର୍ବ ଭାରତରେ ବିଶେଷ ଭାବେ ଅସୁରକ୍ଷିତ ଥିବା ଏହି ପ୍ରଜାତି ବିଷୟରେ ଅଧିକ ସୂଚନା ଦେଇ ଉମେଶ କୁହନ୍ତି, ‘‘ସେମାନେ ସର୍ବଦା ଘଞ୍ଚ ଜଙ୍ଗଲ ଭିତରେ ରହୁଥିଲେ, ବାହାରକୁ ଆସିବା ପାଇଁ ଡରୁଥିଲେ।’’
ଗୋରଲକୁ ଠାବ କରିବାର କିଛି ସମୟ ପରେ ସିଙ୍ଗଚୁଙ୍ଗରେ ରହୁଥିବା ଜଣେ ଚାଷୀ ନିମା ସେରିଂ ମୋନପା ଆମକୁ ଚା’ ଦିଅନ୍ତି ଏବଂ ଆଉ ଏକ ପ୍ରାଣୀ ଦେଖିବା ସମ୍ପର୍କରେ ସୂଚନା ଦେଇ କୁହନ୍ତି, ‘‘କିଛି ସପ୍ତାହ ପୂର୍ବରୁ, ମୁଁ ଏଠାରୁ କିଛି ଦୂରରେ ଥିବା ଚାଷ ଜମିରେ ଏକ ଲାଲ ପାଣ୍ଡା (ଆଇଲରସ୍ ଫଲଗେନ୍ସ) ଦେଖିଥିଲି।’’ ଚୀନ, ମ୍ୟାଁମାର, ଭୂଟାନ, ନେପାଳ ଓ ଭାରତରେ ଦେଖିବାକୁ ମିଳୁଥିବା ଲାଲ ପାଣ୍ଡା ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ହୋଇଥିବା ବେଳେ ଗତ ତିନି ପିଢ଼ି ହେବ ଏମାନଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇଛି ଏବଂ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଏମାନଙ୍କ ସ୍ଥିତି ଆହୁରି ବିପନ୍ନ ହୋଇପଡ଼ିବ ବୋଲି ଆଇୟୁସିଏନ୍ ଚେତାବନୀ ଦେଇଛି।






















