ଦ୍ରଷ୍ଟବ୍ୟ: ଭାରତରେ ମାନସିକ ସ୍ଵାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏକ ଲେଖା ଶୃଙ୍ଖଳା (ସିରିଜ) ମଧ୍ୟରୁ ଏଇଟି ପ୍ରଥମ।
ଚାଷୀମାନଙ୍କ ଗୋଟିଏ ଛୋଟ ଗାଁ ମଲାଜପୁରରେ ରହନ୍ତି ଦୁଇଜଣ କିଶୋରୀ ଝିଅ – ୧୭-ବର୍ଷୀୟା ସାବି ଧୁର୍ଭେ ଓ ୧୬-ବର୍ଷୀୟା ଆଶା କୋରକୁ (ଛଦ୍ମନାମ) – ସେମାନଙ୍କ ମଧ୍ୟରେ ଗଢ଼ି ଉଠିଛି ବନ୍ଧୁତ୍ଵ ପରି ଲାଗୁନଥିବା ଏକ ସମ୍ପର୍କ। ଏ ବର୍ଷ ଆରମ୍ଭରେ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହେଉଥିବା ଏକ ମେଳାରେ ସେମାନେ ପରସ୍ପରକୁ ଭେଟିଥିଲେ – ଯେଉଁଠାକୁ ସେମାନଙ୍କ ପରିବାର ପକ୍ଷରୁ ଗୋଟିଏ ସ୍ଥାନୀୟ ଗୁଣିଗାରେଡ଼ି ବ୍ୟବସ୍ଥାରେ ଭୂତ ଛଡ଼େଇବାକୁ ଆଣିଥିଲେ। ଉଭୟ କିଶୋରୀ ଓ ସେମାନଙ୍କ ପରିବାର ଜାଣିଥିଲେ ଯେ ଝିଅ ଦୁଇଟିଙ୍କୁ ଭୂତ ଲାଗିଛି।
“ରୁମ୍ର ଚାରିଆଡ଼େ ମୁଁ ପଡ଼ୁଥିଲି ଉଠୁଥିଲି ଓ ମୂର୍ଚ୍ଛା ହେଇଯାଉଥିଲି। କଷ୍ଟରେ ମୁଁ ବଙ୍କେଇ ହେଇ ଯାଉଥିଲି ଓ ନିଦରୁ ଉଠିଲା ପରେ ମୋର କିଛି ମନେ ରହୁନଥିଲା”, ବୁଝେଇବାକୁ ଯାଇ କହେ ସାବି। “ସମାନ”, ସାବିର କଥା ସାରିବା ପୂର୍ବରୁ ଆଶା କହିଉଠେ। “ମୋର ବି କିଛି ମନେ ରହୁ ନଥାଏ”।
ସେମାନେ ପରସ୍ପରକୁ ଚାହାନ୍ତି ଓ ହସନ୍ତି – କିଛି ବା କାହାକୁ ଦେଖିକି ନୁହେଁ, ସବୁ କିଛିକୁ। ଏହା ସମସ୍ତେ ପରିଚିତ ଥିବା କିଶୋର ବୟସରେ ବନ୍ଧୁଙ୍କ ସହିତ ମିଶି ବିଶୃଙ୍ଖଳିତ ଆଚରଣର ସାମର୍ଥ୍ୟ। ଦୁଇଜଣ ଯାକ ଝିଅ ମନ୍ଦିରରେ ପ୍ରାୟ ମାସେ ହେଲା ରହିଲେଣି। ଏହି ସମୟ ମଧ୍ୟରେ ସେମାନେ ପରସ୍ପରଠାରୁ ଅବିଚ୍ଛନ୍ନ ହୋଇଗଲେଣି – ଆରତୀ ବେଳେ କାନ୍ଧରେ କାନ୍ଧ ଯୋଡ଼ିକି ବସିବା, ଗର୍ଭଗୃହରେ ପରିକ୍ରମା କଲାବେଳେ ଫିସଫିସ କରି ମଜା କଥା କୁହାକୁହି ହେବା ପରସ୍ପର ସହ ଶଦ୍ଦ ଗୋଳାମିଶା ଭାଷାରେ କଥା ହେବା, ଇତ୍ୟାଦି।
ସାବି ସ୍ନେହଭରା ଆଖିରେ ଆଶା ଆଡକୁ ଚାହିଁବ ଓ କହିବ, “ସେ ଆକ୍ରାନ୍ତ ହେଉଛି ଇସି...”
“- ମୁଁ ବୁଝେଇ ପାରିବିନି –“
“- ତୁ ଆରତୀ ବେଳେ ଦେଖିବୁ –“
“- କିନ୍ତୁ ମତେ ଏବେ ବହୁତ ଭଲ ଲାଗୁଛି –“ ଆଶା କହିବା ଶେଷ କରୁଛି, ଯେଉଁଥିରୁ ଜଣା ପଡୁଛି କି ମନ୍ଦିରରେ ମାସଟିଏ ରହିବା ତା’ ଅବସ୍ଥା ଭଲ ହେବାରେ ସାହାଯ୍ୟ କରିଛି।
ମଲାଜପୁର ଭୂତ ମେଳା – ସ୍ଥାନୀୟ ଅଞ୍ଚଳରେ ଭୂତୋଁ କା ମେଳା ଭାବେ ଜଣାଶୁଣା – ହେଉଛି ଶହ ଶହ ବର୍ଷ ଧରି ପାଳନ ହେଉଥିବା ଏକ ବାର୍ଷିକ ଆୟୋଜନ। ଏହା ମାଘ ପୂର୍ଣ୍ଣିମାରେ (ଜାନୁଆରୀ-ଫେବୃୟାରୀର ପୂର୍ଣ୍ଣମୀ) ଆରମ୍ଭ ହୁଏ ଓ ବସନ୍ତ ପଞ୍ଚମୀ (ବସନ୍ତ ଋତୁ ଆସିବା ସହ) ଦିନ ଶେଷ ହୁଏ। ଏହି ମେଳା ବେତୁଲ ଜିଲ୍ଲାର ଚିକୋଲି ବ୍ଲକରେ ଥିବା ସନ୍ଥ ଗୁରୁସାହାବ ବାବା ବା ଦେଓଜୀ ମହାରାଜଙ୍କ ସମାଧି ପୀଠ ଚତୁଃପାର୍ଶ୍ଵରେ ଅନୁଷ୍ଠିତ ହୁଏ। ତାଙ୍କ ନିକଟରେ ‘ପ୍ରେତାତ୍ମା’ ଲାଗିଥିବା ଲୋକମାନଙ୍କୁ ଭଲ କରିବା ପାଇଁ ରହସ୍ୟମୟ ଶକ୍ତି ଅଛି ବୋଲି ବିଶ୍ଵାସ କରାଯାଉଥିଲା। ସ୍ଥାନୀୟ ଗ୍ରାମବାସୀମାନେ ବିଶ୍ଵାସ କରନ୍ତି ଯେ ପିଶାଚ ଆତ୍ମାମାନେ ମନ୍ଦିର ପ୍ରାଙ୍ଗଣ ଭିତରେ ଥିବା ବରଗଛର ପତ୍ରଗହଳ ଭିତରେ ବନ୍ଦୀ ହୋଇଯାନ୍ତି। ଏହି ମେଳାକୁ ସାରା ମଧ୍ୟପ୍ରଦେଶ ତଥା ପଡ଼ୋଶୀ ଛତିଶଗଡ଼ ଓ ରାଜସ୍ଥାନରୁ ହଜାର ହଜାର ତୀର୍ଥଯାତ୍ରୀ ଓ ଅନୁଗାମୀମାନେ ଆସନ୍ତି।












