କଟ୍ଟୁପଲ୍ଲୀ ଉପକୂଳରେ ସୂର୍ଯ୍ୟୋଦୟ ହେବା ପୂର୍ବରୁ ହିଁ ବେଳାଭୂମି ଚଳଚଞ୍ଚଳ ହୋଇଉଠେ। ଇରୁଲାର ସମୁଦାୟର ସଦସ୍ୟମାନେ ବଙ୍ଗୋପସାଗରର ଢେଉ ଭିତରେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ଭଟ୍ଟାକୁ ଅପେକ୍ଷା କରନ୍ତି। ସେମାନେ ଜୁଆର ସମୟରେ କୂଳକୁ ଆସୁଥିବା କିଲିଞ୍ଜଲ (ଶାମୁକା)ଗୁଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଜାଲ ଦ୍ୱାରା ଶୀଘ୍ର ସଂଗ୍ରହ କରି ନିଅନ୍ତି।
‘‘ଜୁଆର ସମୟରେ ଆମେ ଶାମୁକା ସଂଗ୍ରହ କରିପାରୁନାହିଁ, ତେଣୁ ଭଟ୍ଟା ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼େ। ସେହି ସମୟ ମଧ୍ୟରେ, ଆମେ ଘରକୁ ଖାଇବାକୁ ଯାଉ, ନହେଲେ ସମୁଦ୍ର କୂଳରେ ହିଁ ଅପେକ୍ଷା କରୁ,’’ - କୁହନ୍ତି ରମେଶ (ସେ କେବଳ ଏହି ନାଁ ବ୍ୟବହାର କରନ୍ତି)। ତାଙ୍କ ଭଳି ଇରୁଲାର ସମୁଦାୟର ସଦସ୍ୟଙ୍କ ପାଇଁ ଶାମୁକା ସଂଗ୍ରହ କେବଳ ଏକ ବୃତ୍ତି ନୁହେଁ, ଏହା ତାମିଲନାଡୁର ତିରୁବଲ୍ଲୁର ଜିଲ୍ଲାର ସମୁଦ୍ରର ଲହଡ଼ି ସହ ଜଡ଼ିତ ଏକ ପାରମ୍ପରିକ ଜୀବିକା।
ସଂଗ୍ରହ କରାଯାଇଥିବା ଶାମୁକାଗୁଡ଼ିକୁ ଶୁଖାଯାଇ ବଳଦ ଗାଡ଼ିରେ ପରିବହନ କରାଯାଏ, ଯେଉଁଠାରେ ସେଗୁଡ଼ିକୁ ଗୁଣ୍ଡ କରିଚୂନ ପଥରରେ ପରିଣତ କରାଯାଏ। ଶ୍ରମିକମାନଙ୍କୁ ପ୍ରତି ଗାଡ଼ି ପାଇଁ ପ୍ରାୟ ୫୦୦ ଟଙ୍କା ମିଳିଥାଏ, ଏବଂ ହାରାହାରି ଜଣେ ବ୍ୟକ୍ତି ସପ୍ତାହକୁ ସାତ ଥର ଏହି ପରିବହନ କାମ କରିପାରନ୍ତି। ଏହି ଶାମୁକାଗୁଡ଼ିକୁ ପ୍ରକ୍ରିୟାକରଣ କରି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଚୂନ ଏବଂ ସୁନ୍ନାମ୍ବୁ (ଗୁଣ୍ଡ ହୋଇଥିବା ଶାମୁକା) ପ୍ରସ୍ତୁତ କରାଯାଏ।
























