ସକାଳ ୬ଟା ୩୦ରୁ କାମରେ ଲାଗିଛନ୍ତି ତୁଫାନି ଏବଂ ତାଙ୍କ ବୁଣାକାର ଦଳ । ଦିନକୁ ୧୨ ଇଞ୍ଚ ହିସାବରେ, ୨୩x୬ ଫୁଟ୍ର ଏହି ଗାଲିଚା ତିଆରି କରିବା ପାଇଁ ଚାରି ଜଣିଆ ଏହି ବୁଣାକାର ଦଳକୁ ୪୦ ଦିନ ଲାଗିବ ।
ବିଳମ୍ବିତ ମଧ୍ୟାହ୍ନରେ, ବିଶ୍ରାମ ନେବାକୁ ଗୋଟିଏ କାଠ ବେଞ୍ଚ ଉପରେ ବସି ପଡ଼ନ୍ତି ତୁଫାନି ବିନ୍ଦ । ତାଙ୍କ ପଛରେ, ଟିଣ ଛାତଦିଆ ଛୋଟିଆ ଘରଟିଏ, ଯେଉଁଥିରେ ସେ କାମ କରନ୍ତି । ଉତ୍ତର ପ୍ରଦେଶର ପୁର୍ଜାଗିର ମୁଜେହାରା ଗାଁର ତାଙ୍କର ଏହି କର୍ମଶାଳାରେ, ଗୋଟିଏ କାଠ ଫ୍ରେମ୍ରୁ ଝୁଲୁଥାଏ ଅନେକ ଧଳା କପାସୂତା । ଏହା ହିଁ ରାଜ୍ୟରେ ଗାଲିଚା ବୁଣା ଶିଳ୍ପର କେନ୍ଦ୍ରସ୍ଥଳ, ଯେଉଁ ଶିଳ୍ପର ଶୁଭାରମ୍ଭ ହୋଇଥିଲା ମୋଗଲ ଅମଳରେ ଏବଂ ଯାହା ଶିଳ୍ପର ରୂପ ନେଲା ବ୍ରିଟିଶ ଅମଳରେ। ଦରି, ଚଟେଇ ଏବଂ ଗାଲିଚା ବୁଣା କ୍ଷେତ୍ରରେ ଉତ୍ତର ପ୍ରଦେଶର ପ୍ରାଧାନ୍ୟ ରହିଆସିଛି ଏବଂ ୨୦୨୦ର ସର୍ବଭାରତୀୟ ହସ୍ତତନ୍ତ ଜନଗଣନା ଅନୁସାରେ, ଦେଶରେ ଉତ୍ପାଦିତ ମୋଟ ଗାଲିଚାର ପ୍ରାୟ ଅଧା (୪୭ ପ୍ରତିଶତ) ଏଠାରୁ ପ୍ରସ୍ତୁତ କରାଯାଇଥାଏ ।
ମିର୍ଜାପୁର ସହରରୁ ଜାତୀୟ ରାଜପଥ ଛାଡ଼ି ଆଗକୁ ଚାଲିଲେ ପୁର୍ଜାଗିର ମୁଜେହାରା ଗାଁ ଯାଏଁ ଲମ୍ବିଥିବା ରାସ୍ତାଟି ଧୀରେ ଧୀରେ ଅଣଓସାରିଆ ହୋଇଯାଏ । ଗାଁ ରାସ୍ତାର ଉଭୟ ପାଖରେ ରହିଛି ପ୍ରାୟତଃ ଗୋଟିଏ ମହଲାର ପକ୍କା ଘର ଏବଂ ଚାଳଛପର କଚ୍ଚା ଘର, ଘର ଭିତରୁ ଘଷି ଧୂଆଁ ବାହାରି ପବନରେ ମିଶୁଥାଏ । ଦିନବେଳା ଗାଁର ପୁରୁଷମାନେ ବାହାରେ ଦେଖାଯାଆନ୍ତି ନାହିଁ, କିନ୍ତୁ ମହିଳାମାନେ ନିତିଦିନିଆ କାମରେ ବ୍ୟସ୍ତ ଥାଆନ୍ତି । କେଉଁଠି ହ୍ୟାଣ୍ଡ ପମ୍ପ୍ ପାଖରେ ଲୁଗା ଧୋଉଥାଆନ୍ତି ତ ଆଉ କେଉଁଠି ପରିବା ବିକାଳି କିମ୍ବା ପ୍ରସାଧନ ସାମଗ୍ରୀ ବିକାଳିଙ୍କ ସହିତ କଥାବାର୍ତ୍ତା କରୁଥାଆନ୍ତି ।
ଏହା ଯେ ବୁଣାକାରମାନଙ୍କର ଏକ ବସତି ବୋଲି ଗାଁର କେଉଁଠୁ ହେଲେ ସଙ୍କେତ ମିଳେନି- କେଉଁଠି ହେଲେ ଗାଲିଚା ଝୁଲୁ ନଥାଏ କି ବାହାରେ ଥାକମରା ହୋଇ ରଖାଯାଇ ନଥାଏ । ହେଲେ ପ୍ରତି ପରିବାର ପାଖରେ ଗାଲିଚା ବୁଣିବା ଉଦ୍ଦେଶ୍ୟରେ କିଛି ସ୍ଥାନ କିମ୍ବା ଏକ ଅତିରିକ୍ତ କୋଠରିଟିଏ ଥାଏ । ଗାଲିଚା ବୁଣା ସରିବା ମାତ୍ରେ ହିଁ ଏହାକୁ ଧୋଇ ସଫା କରିବା ଲାଗି ମଧ୍ୟସ୍ଥମାନେ ନେଇଯାଆନ୍ତି ।
ବିଶ୍ରାମ ନେଉ ନେଉ ‘ପରୀ’ ସହ କଥାବାର୍ତ୍ତା ଆରମ୍ଭ କରି ତୁଫାନି କହନ୍ତି, “ମୁଁ ଏହା (ବାନ୍ଧ ବୁଣାକାମ) ମୋ ବାପାଙ୍କ ପାଖରୁ ଶିଖିଲି ଏବଂ ୧୨-୧୩ ବର୍ଷ ବୟସରୁ ଏହା କରିଆସୁଛି ।” ତାଙ୍କ ପରିବାର ବିନ୍ଦ ସଂପ୍ରଦାୟର (ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) । ଜନଗଣନା ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶର ଅଧିକାଂଶ ବୁଣାକାର ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ ହୋଇଛନ୍ତି।























