“ସେମାନେ ହାତୀମାନଙ୍କୁ ଆଣି ଆମ ଘର ଭାଙ୍ଗୁଛନ୍ତି”, କହନ୍ତି ଭାରତଜୟ ରିଆଙ୍ଗ।
“ତା’ ସତ୍ତ୍ୱେ (ହାତୀମାନଙ୍କ ଦ୍ଵାରା) ଏହାକୁ ଭାଙ୍ଗିବାକୁ ସକ୍ଷମ ହେଉନାହାନ୍ତି। ପରିଶେଷରେ ସେମାନେ ଆମ ଟଙ୍ଗ-ଘରଗୁଡ଼ିକୁ ଜାଳି ଦେଉଥିଲେ”। ଏହି ୭୫-ବର୍ଷ ବୟସ୍କ ରିଆଙ୍ଗ ଜନଜାତିର ବ୍ୟକ୍ତି ଗୋଟେ ସମୟରେ ଯେତେବେଳେ ଫରେଷ୍ଟ ଅଫିସରମାନେ ତାଙ୍କୁ ଓ ତାଙ୍କ ସ୍ତ୍ରୀ ପିଲାଛୁଆଙ୍କ ସହ ସମସ୍ତଙ୍କୁ ଜୋରଜବରଦସ୍ତି ଆସାମର ଶ୍ରୀଭୂମି ଜିଲ୍ଲାସ୍ଥିତ (ପୂର୍ବରୁ କରିମଗଞ୍ଜ ଥିଲା) ସେମାନଙ୍କ ଘରୁ ଉଚ୍ଛେଦ କରିଦେଇଥିଲେ ସେହି କଥା ମନେ ପକାନ୍ତି। ତାହା ୧୯୮୦ ଦଶକର ପ୍ରାରମ୍ଭ ଥିଲା। ଯେଉଁ ଘରଗୁଡ଼ିକ କଥା ସେ କହୁଛନ୍ତି ସେଗୁଡ଼ିକ ଟଙ୍ଗ ଘର ଭାବେ ଜଣାଶୁଣା, ବା ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୈରିଙ୍ଗ ନୋକ –ଭାରତଜୟଙ୍କ ସମେତ ତ୍ରିପୁରାର ଜନଜାତି ଗୋଷ୍ଠୀର ଲୋକମାନେ ସାଧାରଣତଃ ପାରମ୍ପରିକ ଭାବେ ରହୁଥିବା ସ୍ଥାନ।
‘‘ଆମେ ପାହାଡ଼ି ଲୋକମାନେ ମାଟି କି ଇଟା ତିଆରି ଘରେ କେବେ ବି ରହୁ ନଥିଲୁ। ଆମେ ସବୁବେଳେ ଟଙ୍ଗ-ଘରେ ରହିବାକୁ ପସନ୍ଦ କରୁ”, ଉତ୍ତର ତ୍ରିପୁରା ଜିଲ୍ଲାର ପଡ଼ାରେ ଥିବା ତାଙ୍କ ଘରକୁ ଦେଖେଇ ସେ କହନ୍ତି। ଏହା ବାଉଁଶ ଖୁଣ୍ଟ ଉପରେ ଭୂମିରୁ ଏକ ଫୁଟ ଉପରେ ନିର୍ମିତ ଗୋଟିଏ ଘର। ପାରମ୍ପରିକ ଭାବେ ଏହା ଛଣ ଛପର ଚାଳ ହୋଇଥିଲା ବେଳେ ଭାରତଜୟଙ୍କ ଟଙ୍ଗର ଛାତ ଟିଣରେ ତିଆରି। ଏହା ବାଗବସାଠାରୁ ଯଇଥାଙ୍ଗ ଗାଁର ଶାନ୍ତସ୍ନିଗ୍ଧ ଟଙ୍ଗଚେରା ପଡ଼ା, ଯେଉଁଠାରେ ଆମେ ତାଙ୍କ ସହ କଥା ହେଉଥିଲୁ, ସେ ଆଡକୁ କଠିନ ପଥରର ପ୍ରଲମ୍ବିତ ରାସ୍ତା କଡ଼କୁ ରହିଛି।
ଅତ୍ୟୁଚ୍ଚ ପାହାଡ଼ଗୁଡ଼ିକର ପ୍ରସାରିତ ବାହୁ ଉପରେ ଜଙ୍ଗଲର ସବୁଜିମା ଓ ଶାନ୍ତ ଜଳାଶୟଗୁଡ଼ିକ ଘେରରେ ରହିଥିବା ଏହି ଜନବସତିରେ ପହଞ୍ଚିବା ପରେ ପ୍ରଥମେ ଯେଉଁ କେତୋଟି ଘର ପଡ଼େ, ଭାରତଜୟଙ୍କ ଘର ସେ ମଧ୍ୟରୁ ଗୋଟିଏ। ତ୍ରିପୁରା ରାଜ୍ୟର ଧର୍ମନଗର ସହରଠାରୁ ପ୍ରାୟ ୨୫ କି. ମି. ଦୂରରେ ରହିଥିବା ଏହି ନିଛାଟିଆ ଜନବସତିରେ ରିଆଙ୍ଗ ଜନଜାତି, ଯେଉଁମାନଙ୍କୁ (ରଇଙ୍ଗ ମଧ୍ୟ କୁହାଯାଏ) ରାଜ୍ୟର ଅତି ଦୁର୍ବଳ ଜନଜାତି (ପିଭିଟିଜି) ଭାବେ ପରିଗଣିତ କରାଯାଏ, ସେମାନଙ୍କର ୧୫୦ ପରିବାର ରହନ୍ତି।


















