ତାରିକ୍ ଅହମ୍ମଦ ଜଣେ ଶିକ୍ଷକ ଭାବେ ୧୦ ବର୍ଷ ଧରି କାମ କରିଛନ୍ତି। ସେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ମୌଳିକ ଶିକ୍ଷାଦାନ କରିଛନ୍ତି। ଏହି ୩୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ୨୦୦୯-୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରୀୟ ସମଗ୍ର ଶିକ୍ଷା ଯୋଜନାରେ ଜଣେ ଶିକ୍ଷା ସହାୟକ ଭାବେ କାମ କରିଛନ୍ତି। ଦ୍ରାସର ଉଚ୍ଚ ଇଲାକାରେ ପ୍ରବାସୀ ବକରୱାଲ ପରିବାରର ପିଲାମାନଙ୍କୁ ପଢ଼ାଇବା ପାଇଁ ତାଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୁଦାୟର ଲୋକମାନେ ନିଜର ଛେଳି, ମେଣ୍ଢା ଚରାଇବାକୁ ଲଦାଖ ଆଣିଥାନ୍ତି।
କିନ୍ତୁ ୨୦୧୯ରେ ଯେତେବେଳେ ରାଜ୍ୟ ଦୁଇ ଭାଗ ହୋଇ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ରୂପରେ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ ହୋଇଥିଲା, ସେ ତାଙ୍କ ଚାକିରି ହରାଇଥିଲେ। ଜାମ୍ମୁ ଓ କାଶ୍ମୀରର ଜଣେ ନାଗରିକ ଭାବେ ତାଙ୍କ ଘର ରାଜୌରୀ ଜିଲ୍ଲାର କାଲାକୋଟ୍ରେ ଥିବାରୁ ସେ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ବାହାରେ ଶିକ୍ଷାଦାନ କରିବା ଲାଗି ଯୋଗ୍ୟ ନୁହନ୍ତି।
ଯାଯାବର ପିଲାମାନଙ୍କ ପ୍ରତି ଅଣଦେଖା କରିଥିବା କାରଣରୁ ସରକାରୀ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇ ତାରିକ୍ କୁହନ୍ତି, ‘‘ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଗଠନ କରାଯିବା ଫଳରେ ଆମ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି।’’
‘‘କାର୍ଗିଲ ଜିଲ୍ଲାର ଜିରୋ ପଏଣ୍ଟଠାରୁ ଦ୍ରାସ୍ ପର୍ଯ୍ୟନ୍ତ ଏହି ଅଞ୍ଚଳରେ କୌଣସି ଭ୍ରାମ୍ୟମାଣ ବିଦ୍ୟାଳୟ, କୌଣସି ସାମୟିକ ଶିକ୍ଷକ ଉପଲବ୍ଧ ନାହାନ୍ତି । ଆମ ପିଲାମାନେ ଦିନ ସାରା ଏଣେତେଣେ ବୁଲୁଛନ୍ତି କିମ୍ବା ଖାଇବା ମାଗି ସ୍ଥାନୀୟ ଲୋକଙ୍କୁ ସମସ୍ୟାରେ ପକାଉଛନ୍ତି,’’ କାଲାକୋଟ୍ରେ ଥିବା ବଠେରା ଗ୍ରାମର ସରପଞ୍ଚ ଶମିମ୍ ଅହମ୍ମଦ ବଜ୍ରନ୍ କୁହନ୍ତି।
ବକ୍ରୱାଲ ସମ୍ପ୍ରଦାୟର ଲୋକମାନେ କୁହନ୍ତି ଯେ, ଜାମ୍ମୁ ଓ କାଶ୍ମୀରରେ ପ୍ରବାସୀଙ୍କ ପାଇଁ ହଜାର ହଜାର ଅସ୍ଥାୟୀ ବିଦ୍ୟାଳୟ ରହିଛି, କିନ୍ତୁ ମେ’ରୁ ଅକ୍ଟୋବର ମାସ ମଧ୍ୟରେ ସେମାନଙ୍କ ପିଲାମାନେ ଲଦାଖ ଚାଲି ଗଲେ ବିଦ୍ୟାଳୟ ପାଠପଢ଼ାରୁ ବଞ୍ଚିତ ରହିଥାନ୍ତି। ଏଠାରେ ସେମାନଙ୍କର ପିଲାମାନେ ପାଠପଢ଼ାଠାରୁ ବଞ୍ଚିତ ରହିଥାନ୍ତି ଏବଂ ନିଜ ସହପାଠୀମାନଙ୍କଠାରୁ ପଛରେ ପଡ଼ିଯାଆନ୍ତି। ବକ୍ରୱାଲ ସମୁଦାୟର ସାକ୍ଷରତା ହାର ୩୨ ପ୍ରତିଶତ ଯାହାକି ରାଜ୍ୟର ସବୁ ଜନଜାତିମାନଙ୍କ ମଧ୍ୟରେ ସର୍ବନିମ୍ନ ବୋଲି ଅନୁସୂଚିତ ଜନଜାତି ଉପରେ ୨୦୧୩ର ଏକ ରିପୋର୍ଟରେ ଦର୍ଶାଯାଇଛି।









