ଯେତେବେଳେ କେତେକ ବ୍ୟକ୍ତି ତାଙ୍କ କଚ୍ଚା ଘର ପାଖକୁ ଆସି ତାଙ୍କୁ ଜମି ବିକିଦେବା ପାଇଁ କହିଲେ, ସେତେବେଳେ ପ୍ରଥମ ଥର ପାଇଁ ସେ ଜଣେ ଜମିଦାର ବୋଲି ଜାଣିଲେ ଗଜାନନ୍ଦ ସହରିୟା । “ସେମାନେ ମୋତେ କହିଲେ ଯେ ମୋ ନାଁରେ ୧୦ ବିଘା (ମୋଟାମୋଟି ଛଅ ଏକର) ଜମି ଅଛି । ମୁଁ ସେହି ଜମି ଦେଖିବାକୁ (ପ୍ରାୟ ଦୁଇ କିଲୋମିଟର ଦୂର) ଗଲି । ସେଥିରେ ଅନାବନା ଗଛ ବଢ଼ି ପୂରାପୂରି ଭର୍ତ୍ତି ହୋଇଯାଇଥିଲା । ଆମ ଦ୍ୱାରା ହେଉ କି ଆଉ କାହା ଦ୍ୱାରା, ଏହି ଜମିରେ କେବେ ହେଲେ ଚାଷ କରାଯାଇ ନଥିଲା,” କାଲୋନି ଗାଁର ଏକ ଆଦିବାସୀ ପଲ୍ଲୀ ଗାଁ ମୁନ୍ଦିୟାରର ଏହି ବାସିନ୍ଦା ଜଣକ କହନ୍ତି ।
ତାଙ୍କର ଏହି ନୂତନ ଭାବେ ଆବିଷ୍କୃତ ସାମାଜିକ ମାନ୍ୟତାକୁ ସହଜରେ ବିଶ୍ୱାସ କରିପାରୁ ନଥିଲେ ବି ଆଗକୁ ଏଥିରୁ ଟଙ୍କା ମିଳିବ ବୋଲି ଖୁସି ହୁଅନ୍ତି ଏହି ୩୫ ବର୍ଷୀୟ ସହରିୟା ଆଦିବାସୀ ଜଣକ । ଦିନକୁ ୨୦୦ ଟଙ୍କା ମଜୁରିରେ ତାଙ୍କୁ ମାସକୁ ଅତି ବେଶୀରେ ଚାରି ପାଞ୍ଚ ଦିନ କାମ କରିବାକୁ ମିଳେ; କାମଧନ୍ଦା ପାଇଁ ସେ ମଧ୍ୟ ଗାଁ ଛାଡ଼ି ଅନ୍ୟ ସ୍ଥାନକୁ ଯାଇଥାଆନ୍ତି । ଶାହବାଦ ଜଙ୍ଗଲରୁ କାଠ ବ୍ୟତୀତ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ (NTFP) ସଂଗ୍ରହ ଉପରେ ନିର୍ଭର କରନ୍ତି ଗଜାନନ୍ଦଙ୍କ ୧୫ ଜଣିଆ ଯୌଥ ପରିବାର । “ଜଙ୍ଗଲରୁ ଆମେ ମହୁଆ, କେନ୍ଦୁ, ଜାଳେଣି କାଠ, ଆଚାର, ଅଁଳା ଆଣୁ”, ଗୋଟିଏ ପରେ ଗୋଟିଏ କରି ସେ କହି ଚାଲନ୍ତି । “ଏଥିରୁ ଆମ ଘର ଚଳେ।” ଏସବୁ ସାମଗ୍ରୀ ବିକ୍ରି କରି ସେମାନେ ମାସକୁ ଅଳ୍ପ କେଇ ହଜାର ଟଙ୍କା ରୋଜଗାର କରନ୍ତି ।
ପୂର୍ବ ରାଜସ୍ଥାନରେ, ୧୭୯ ବର୍ଗ କିଲୋମିଟର ବ୍ୟାପୀ ରହିଥିବା ଶାହବାଦ ତଲେତି ଜଙ୍ଗଲ ଉପରେ ସେମାନେ ନିର୍ଭର କରନ୍ତି। ନାନା ପ୍ରକାର ବିରଳ ଗଛଲତା, ବଡ଼ ବଡ଼ ଗଛ ଏବଂ ବନ୍ୟପ୍ରାଣୀରେ ଭରପୂର ଏହି ଘଞ୍ଚ ଜଙ୍ଗଲ । ଅଳ୍ପ ଦିନ ତଳେ, ୨୦୨୨ରେ ହିଁ ବନ ବିଭାଗ ଏହାର ପରିବେଶଗତ ତାତ୍ପର୍ଯ୍ୟକୁ ଲକ୍ଷ୍ୟ କରି ଏହାକୁ ସୁରକ୍ଷିତ ସଂରକ୍ଷିତ ଜଙ୍ଗଲ ରୂପେ ନାମିତ କରିଥିଲା । କେବଳ ଶାହବାଦର ଏହି ଜଙ୍ଗଲ ଭଳି ଅଳ୍ପ କେତେକ ଜଙ୍ଗଲରେ କାରାୟା (ଷ୍ଟେରକୁଲିଆ ୟୁରେନ୍ସ) ଗଛ ଦେଖାଯାଏ ଏବଂ ଏହା ବ୍ୟତୀତ ଏଠାରେ ଆହୁରି ଶହ ଶହ ଔଷଧୀୟ ବୃକ୍ଷ ରହିଛି ।
ଏହି ଜଙ୍ଗଲରେ ଅନୁସୂଚୀ-୧ରେ ତାଲିକାଭୁକ୍ତ ପଶୁ ଓ ପକ୍ଷୀମାନେ ବସବାସ କରନ୍ତି । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁସାରେ ସେମାନଙ୍କୁ ଶିକାରରୁ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ତାଲିକାରେ: ବେଙ୍ଗଲ ଏବଂ ଗୋଲଡେନ୍ କୋକିଶିଆଳି, ଭାରତୀୟ ଗଧିଆ, ଚିତାବାଘ (ପାନ୍ଥେରା ପାରଡସ୍), ଭାରତୀୟ ଧୂସର ନେଉଳ, ଗାରଗାରିଆ ହେଟାବାଘ (ହ୍ୟାଏନା ହ୍ୟାଏନା), ବ୍ୟାଜର ନାମକ ଏକ ରାତ୍ରିଚର ପ୍ରାଣୀ, ଜଙ୍ଗଲି ବିଲେଇ, ଭାଲୁ, ନାଲିମୁଣ୍ଡିଆ ଶାଗୁଣା, ଭାରତୀୟ ମୟୂର ଏବଂ ଆହୁରି ଅନେକ ପଶୁପକ୍ଷୀ ଅନ୍ତର୍ଭୁକ୍ତ ।
ଏହା ମଧ୍ୟ କୁନୋ ଜାତୀୟ ଉଦ୍ୟାନଠାରୁ ଘଣ୍ଟାକରୁ କମ୍ ସମୟ ଦୂରତାରେ ଅବସ୍ଥିତ ଏବଂ କୁନୋକୁ ମଧ୍ୟପ୍ରଦେଶର ଗାନ୍ଧି ସାଗରରେ ରହିଥିବା ଚିତାବାଘମାନଙ୍କର ଦ୍ୱିତୀୟ ବାସସ୍ଥଳୀ ସହିତ ସଂଯୋଗ କରି ପ୍ରସ୍ତାବିତ କରିଡର ପରିସର ଭିତରେ ଏହା ରହିଛି । ଚିତାବାଘମାନଙ୍କ ମୃତ୍ୟୁ କାରଣରୁ ଦିନକୁ ଦିନ ସେମାନଙ୍କ ସଂଖ୍ୟା ଦ୍ରୁତ ହାରରେ ହ୍ରାସ ପାଉଥିବା ବେଳେ ଏହି କରିଡର ସେମାନଙ୍କ ବଂଶବୃଦ୍ଧି ଦିଗରେ ସହାୟକ ହେବ ବୋଲି ସରକାରୀ ଅଧିକାରୀ ବର୍ଗ ଆଶା ରଖିଛନ୍ତି ।
ଜୁନ୍ ମାସର ଏ ସପ୍ତାହ ସାରା ବର୍ଷା ଲାଗି ରହିଛି । ଛୋଟ ଛୋଟ ନଈ ଭଳି ମନେ ହେଉଥିବା ପାଣିର ସୁଅ ବଡ଼ ବଡ଼ ଝରଣାରେ ମିଶିବା ପୂର୍ବରୁ ଜଙ୍ଗଲ ଚଟାଣକୁ ଧୋଇ ଦେଇଛି । ପାଣିର ଏହି ସୁଅଗୁଡ଼ିକ କୁନ୍ଦା ଖୋ ଜଳପ୍ରପାତ ଆଡ଼କୁ ବହି ଯାଇ ୧୦୦ ଫୁଟ ଗଭୀର ଖାଇରେ ବହିଯାଉଥିବା ଏକ କାଦୁଆ ପାଣିର ନଈରେ ମିଶୁଛି । ତଳେ ଅଙ୍କାବଙ୍କା ହୋଇ ବହିଯାଇଛି କୁନୋ ନଦୀ । ଅବିରତ ବର୍ଷା ସତ୍ତ୍ୱେ, ଏଠାକାର ଗାଁ ଲୋକେ ଅଣ-କାଠ ଜଙ୍ଗଲଜାତ ଦ୍ରବ୍ୟ (NTFP) ସଂଗ୍ରହରେ ଲାଗି ପଡ଼ିଛନ୍ତି ।



















