୨୦୨୫ ସେପ୍ଟେମ୍ବର ମାସ ସାରା ଶୋଇପାରି ନାହାନ୍ତି ୨୪ ବର୍ଷୀୟା ବୀନା ରାନୀ । ଘଣ୍ଟା ଘଣ୍ଟା ଧରି ସେ ଗୋଟିଏ ଦଉଡ଼ିଆ ଖଟ ଉପରେ ଆଖି ବୁଜି ପଡ଼ି ରହନ୍ତି, ତାଙ୍କ ଆଖି ଆଗରେ ଭାସି ଉଠେ ଗତ ମାସର ସେହି ବନ୍ୟା, ଯେଉଁଥିରେ ସଂପୂର୍ଣ୍ଣ ଭାବରେ ବୁଡ଼ି ଯାଇଥିଲା ପଞ୍ଜାବର ଫାଜିଲକା ଜିଲ୍ଲା ଅନ୍ତର୍ଗତ ୱାଲେ ଶାହ ଉତ୍ତର ଗାଁରେ ଥିବା ତାଙ୍କ ପରିବାରର ଚାଷଜମି ଏବଂ ତାଙ୍କ ଘର ଭିତରେ ବି ବନ୍ୟାପାଣି ପଶିଯାଇଥିଲା ।
“ଆଗ ଅପେକ୍ଷା ମୁଁ ଟିକେ ଭଲ ଅଛି,” ଶୋଇବାକୁ ଯିବା ପୂର୍ବରୁ ବଟିକାଟିଏ ଗିଳି ଦେଉ ଦେଉ ବୀନା କହନ୍ତି । ଗାଁ ବାହାରେ ଥିବା ସେମାନଙ୍କର ସେହି ତିନି ବଖୁରିଆ ପକ୍କା ଘରଟି ସତଲେଜ ନଦୀର ଏକ କ୍ଷୁଦ୍ର ଉପନଦୀକୁ ଲାଗି ରହିଛି । ତାଙ୍କ ଘର ପାଖରୁ ଏହା ଶାନ୍ତ ଦିଶୁଥିଲେ ବି ଉପନଦୀଟି ଆଠ ଫୁଟ ଯାଏଁ ଗଭୀର । ଏହାର କଡ଼େ କଡ଼େ ରହିଛି ସେମାନଙ୍କର ଚାରି ଏକରର ଚାଷଜମି ।
“ସେ ଆଉ ହସିଲାନି,” ବୀନାଙ୍କର ୨୬ ବର୍ଷୀୟା ଭଉଣୀ କୈଲାସ ରାନୀ କହନ୍ତି । ଯଦି ତାକୁ ବାଧ୍ୟ କରି ବସାଇ ଦିଆଯାଉଥିଲା, ତେବେ ସେ କାନ୍ଦିବା ଆରମ୍ଭ କରିଦେଉଥିଲା ବୋଲି ପୁରୁଣା କଥା ମନେ ପକାଇ କହନ୍ତି ସେମାନଙ୍କ ବାପା ୫୨ ବର୍ଷ ବୟସ୍କ ଜର୍ଣ୍ଣେଲ ସିଂହ ।
“ମୋର କେବଳ ସେହି ଚିନ୍ତା ଥିଲା ଯେ, ଫସଲ ନଷ୍ଟ ହୋଇଯିବା ପରେ ଏବେ ଆମେ କେଉଁଠୁ ପଇସା ପାଇବୁ, ଆଉ କେତେ ଦିନ ଯାଏଁ ଆମ ଜମି ପାଣିରେ ବୁଡ଼ି ରହିବ, ଆସନ୍ତା ଋତୁରେ ଆମେ ଆଉ ଗହମ ବୁଣି ପାରିବୁ କି ନାହିଁ,” ବୀନା କହନ୍ତି । କାହିଁକି ସେ ଦୁଶ୍ଚିନ୍ତାରେ ବୁଡ଼ି ରହୁଛନ୍ତି ବୋଲି ନିଜଲୋକମାନେ ଯେତେବେଳେ ପଚାରି ବସିଲେ, ସେମାନଙ୍କୁ ଉତ୍ତର ଦେବା ଲାଗି ତାଙ୍କୁ ସଂଘର୍ଷ କରିବାକୁ ପଡୁଥିଲା। “ମୋ ମୁଣ୍ଡ ଭିତରେ ଯେମିତି କିଛି ଗୋଟିଏ ଭାରୀ ଜିନିଷ ଚାପି ହୋଇଯାଉଥିଲା।”
ବନ୍ୟା ଯୋଗୁଁ ଗାଁର ସମସ୍ତେ ଚିନ୍ତାରେ ବୁଡ଼ି ରହିଥିଲେ, ଏବଂ ବୀନା ଭାବିଲେ, ଏ ଚିନ୍ତା ବି ଦୂର ହୋଇଯିବ ।
ହେଲେ, ତାହା ହେଲାନି । ଦିନକୁ ଦିନ ସେ ଅଧିକରୁ ଅଧିକ ଚିନ୍ତାଗ୍ରସ୍ତ ଏବଂ ନିସ୍ତେଜ ହୋଇପଡ଼ିବାରୁ ତାଙ୍କ ପରିବାର ଲୋକେ ସେଠାରୁ ୫୦ କିଲୋମିଟର ଦୂର ଆବୋହରର ଜଣେ ମାନସିକ ରୋଗ ଚିକିତ୍ସକଙ୍କ ପାଖକୁ ତାଙ୍କୁ ନେଇଗଲେ । ସେଠାରେ ସେ ଅବସାଦଗ୍ରସ୍ତ ବୋଲି ଚିହ୍ନଟ କରାଗଲା ଏବଂ ତାଙ୍କୁ ପାଞ୍ଚ ମାସ ପାଇଁ ଔଷଧ ଖାଇବାକୁ ପରାମର୍ଶ ଦିଆଗଲା ।
ଡାକ୍ତରଖାନାରେ ବି ସେ କାନ୍ଦୁଥିଲେ। “ଦିମାଗ ଦି ନସା କମଜୋର ହୋ ଗୟି ନେ (ମୋ ମସ୍ତିଷ୍କର ସ୍ନାୟୁଗୁଡ଼ିକ ଦୁର୍ବଳ ହୋଇଯାଇଥିଲା),” ସେ କହନ୍ତି ।
















