“ପ୍ରାକୃତିକ ରଙ୍ଗ କରାଯାଇଥିବା କପଡ଼ାକୁ ଧୋଇବା ପାଇଁ ନଦୀର ପ୍ରବାହିତ ଜଳ ଦରକାର”, କହନ୍ତି ଅବଦୁଲ ହଲିମ। “ୟହାଁ ପେ ତୋ ହାତ ଧୋନେ କେ ପାନି ନହିଁ ମିଲତା [ଏଠାରେ ତ ହାତ ଧୋଇବାକୁ ପାଣି ମିଳୁନି]”!
ହଲିମ ହେଉଛନ୍ତି ହାତରେ ବ୍ଲକ ଛପାଉଥିବା ତୃତୀୟ ପିଢିର କାରିଗର ଯିଏ ଦ୍ରୁତ ହ୍ରାସ ପାଉଥିବା ଲାଭ ଓ ନକଲି ଜିନିଷର ପରିମାଣ ବୃଦ୍ଧି ଯୋଗୁ ନିଜ କାରଖାନାକୁ ବଞ୍ଚେଇ ରଖିବା ପାଇଁ ଅହରହ ସଂଘର୍ଷ କରୁଛନ୍ତି। ପାଣି ମିଳୁ ନଥିବା ଇନ୍ଦୋର ସହରରେ ଶୀଘ୍ର ଧରୁଥିବା ରାସାୟନିକ ରଙ୍ଗ ବ୍ୟବହାର କରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା।
ବ୍ଲକ ଛପା କାମ କାଠ ବ୍ଲକକୁ ଡିଜାଇନ କରିବାଠାରୁ ଆରମ୍ଭ ହୁଏ, ଓ ହଲିମ ତାଙ୍କ ଡିଜାଇନ କରିସାରିବା ପରେ ତାହାର ବ୍ଲକ ତିଆରି କରିବା ପାଇଁ ଜୟପୁର, ଫରୁଖାବାଦ ଓ ଫତେହପୁରକୁ ପଠାନ୍ତି। ସେମାନେ ବ୍ଲକ ତିଆରି କରିବା ପାଇଁ ସାଧାରଣତଃ ଶାଗୁଆନ (ଟିକ୍) ନତୁବା ଶିଶୁ (ଇଣ୍ଡିଆନ ରୋଜଉଡ) କାଠ ବ୍ୟବହାର କରନ୍ତି।
ଏହି ବ୍ଲକଗୁଡ଼ିକୁ ରଙ୍ଗରେ ମଡ଼ାଯାଇ କପଡ଼ାରେ ଛପାଯାଏ। “ଏହା ଆମ ଏ୍ୟତିହ୍ୟର ଅଂଶ”, ଗୋଟିଏ ଚନ୍ଦେରି ଦୁପଟା ଉପରେ ଛାଡୁ ନଥିବା ରଙ୍ଗ ଯେମିତି କେଉଁଠି ଘଷି ନହେବ ସତର୍କ ରହି ଗୋଲାପୀ ରଙ୍ଗର ଗୋଲାପ ଛାପିବା ପାଇଁ ନଇଁ ପଡ଼ିଲା ବେଳକୁ କହନ୍ତି ହଲିମ। ସେ ବ୍ୟବହାର କରୁଥିବା ରଙ୍ଗର ମିଶ୍ରଣ କପଡ଼ା ଉପରେ ଲଗେଇବା ପୂର୍ବରୁ ଝୋଟ, ମଲମଲ କଟନ ଓ ମଶାରୀ ଜାଲିରେ ଛଣା ଯାଇଥାଏ। ପାଗର ଅବସ୍ଥା, ବିଶେଷ କରି ବର୍ଷା ଦିନେ ଅନ୍ତତଃ ୭୨ ଘଣ୍ଟା ନେଉଥିବା ଶୁଖେଇବା ପ୍ରକ୍ରିୟାକୁ କଷ୍ଟକର କରିଥାଏ।














