ରୁଜଲୁକ୍ ସୁ ୟାର୍ସୁ ଥାୟ ଗବ୍ ବାହନୈ ଆନ୍ଥେ ଆନ୍ଥେ, ଏକ୍ ଦମ୍ ଓ ପାଶା ଥୈ ଗବ୍ ହମ୍ଲାଇ ଆନ୍ଥେ ଆନ୍ଥେ…
ସେ ଆସିଲେ ଏବଂ ବାହାନା କରି ଚାଲିଗଲେ, ସେ ମତେ ଦେଖିଲେ ଏବଂ ଚାଲିଗଲେ।
ବାହାନା କରି ସାଙ୍ଗ ମତେ ଛାଡ଼ି ଚାଲିଗଲେ, ମତେ ଦେଖିଲେ ଏବଂ ଚାଲିଗଲେ।



ରୁଜଲୁକ୍ ସୁ ୟାର୍ସୁ ଥାୟ ଗବ୍ ବାହନୈ ଆନ୍ଥେ ଆନ୍ଥେ, ଏକ୍ ଦମ୍ ଓ ପାଶା ଥୈ ଗବ୍ ହମ୍ଲାଇ ଆନ୍ଥେ ଆନ୍ଥେ…
ସେ ଆସିଲେ ଏବଂ ବାହାନା କରି ଚାଲିଗଲେ, ସେ ମତେ ଦେଖିଲେ ଏବଂ ଚାଲିଗଲେ।
ବାହାନା କରି ସାଙ୍ଗ ମତେ ଛାଡ଼ି ଚାଲିଗଲେ, ମତେ ଦେଖିଲେ ଏବଂ ଚାଲିଗଲେ।
ଫରିଦ ଅହମଦ ଲୋନ କିଷæନଗଙ୍ଗା ନଦୀ ଉପରେ ଦୃଷ୍ଟି ନିବଦ୍ଧ କରି ଜାମ୍ମୁ ଓ କାଶ୍ମୀରରେ ଦର୍ଦ-ଶିନ ସମୁଦାୟର ପ୍ରସିଦ୍ଧ କବି ଗୁଲାମ ରସୁଲ ମୁସ୍ତାକଙ୍କର ଏକ କବିତାର ପଂକ୍ତି ମଧୁର ସ୍ୱରରେ ଗାଇ ଶୁଣାଉଛନ୍ତି।
ନଦୀକୂଳରେ ବସି ଆମେ ଦେଖିପାରିବା କିପରି ପତଳା ବରଫ ଚାଦର ଜମାଟ ବାନ୍ଧିବା ଆରମ୍ଭ ହେଲାଣି ଏବଂ ଛୋଟ ଛୋଟ ବରଫ ଖଣ୍ଡ କିପରି ପାଣିରେ ଭାସି ଯାଉଛି। ନଦୀ ଏଯାଏ ଜମାଟ ବାନ୍ଧିନି, କିନ୍ତୁ ପରିବର୍ତ୍ତନ ଦେଖାଗଲାଣି। ଋତୁ କଡ଼ ଲେଉଟାଉଛି।
ମାତ୍ର ଅଳ୍ପକିଛି ମିଟର ଦୂରରେ ସ୍ଥାନୀୟ ମହିଳା ୨୫ରୁ ୩୦ କିଲୋଗ୍ରାମ ଓଜନର ଜାଳେଣିକାଠ ଏବଂ ଘାସ ବିଡ଼ା ବାନ୍ଧୁଛନ୍ତି। ଆଉ ଜଣେ ମହିଳା ଝୁଡ଼ିରେ ଗୋବର ଭର୍ତ୍ତି କରି ନେଉଛନ୍ତି, ଏହା ସାଇତି ରଖିଲେ ଶୀତଦିନରେ ଉହ୍ମେଇ ବା ପାରମ୍ପରିକ ଶୀତ ଚୁଲିରେ ଜାଳେଣି ଭାବେ ବ୍ୟବହାର ହେବ। ଆମ ଚାରିପଟେ ଗୁରେଜ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଧୀରେ ଧୀରେ ଘରବାହୁଡ଼ା ପାଇଁ ପ୍ରସ୍ତୁତ ହେଲେଣି।
ଫରିଦ ଏହି ଋତୁକାଳୀନ ପରିବର୍ତ୍ତନ କେବଳ ନଦୀରେ ନୁହେଁ, ଗୁରେଜର ଶୀତ ପ୍ରସ୍ତୁତିରେ ବି ଦେଖାଗଲାଣି ବୋଲି ନିର୍ଦ୍ଦିଷ୍ଟ ଭାବେ ଉଦ୍ଦେଶ୍ୟ କରି କହିଥିଲେ। ଦର୍ଦ-ଶିନ ଗୋଷ୍ଠୀର ଏହି ବ୍ୟକ୍ତିଙ୍କ କହିବା ପ୍ରକାରେ ୨୦୧୧ ଜନଗଣନା ଅନୁସାରେ ୩୭,୯୯୨ ଦର୍ଦିକ ଲୋକ ଗୁରେଜ ଉପତ୍ୟକାରେ ବସବାସ କରୁଛନ୍ତି।

Muzamil Bhat

Muzamil Bhat

Muzamil Bhat

Muzamil Bhat
ଅକ୍ଟୋବର ପାଖାପାଖି ଶୀତ ଆସିବା ମାତ୍ରେ ସମଗ୍ର ଉପତ୍ୟକା ବରଫ ଚାଦରରେ ଢାଙ୍କି ହୋଇଯାଏ। “କେବଳ ବୟସ୍କମାନେ ରହିଯାଆନ୍ତି,” ବୋଲି ୬୮ ବର୍ଷୀୟ ଫରିଦ କହିଛନ୍ତି। ବରଫପାତ ଯୋଗୁଁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଏକପ୍ରକାର ଅସମ୍ଭବ ହୋଇପଡ଼େ। “ଯେଉଁମାନେ ପଛରେ ରହିଯାଆନ୍ତି, ସେମାନଙ୍କୁ ଅଧିକାଂଶ ସମୟ ଘରେ ହିଁ ରହିବାକୁ ପଡ଼ିଥାଏ।”
ବେଳେ ବେଳେ, ଉପତ୍ୟକାର କେତେକ ସ୍ଥାନରେ ୧୫ ଫୁଟ ପର୍ଯ୍ୟନ୍ତ ବରଫ ପଡ଼ିଥାଏ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ, ଏହା ପାଖାପାଖି ୮୦ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବାଧ୍ୟ କରିଥାଏ। “କିଛି ଲୋକ କାଶ୍ମୀରର ଅନ୍ୟାନ୍ୟ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥାନ୍ତି। ଆଉ କିଛି ହିମାଚଳ ପ୍ରଦେଶ, ପଞ୍ଜାବ ଭଳି ରାଜ୍ୟକୁ ଶ୍ରମିକ ଭାବେ କାମ କରିବାକୁ ଚାଲି ଯାଇଥାନ୍ତି,” ବୋଲି ଉଦ୍ୟାନ କୃଷି ବିଭାଗର ଜଣେ ଅବସରପ୍ରାପ୍ତ ଟେକ୍ନିସିଆନ କହିଥିଲେ। ଯେଉଁମାନେ କାଶ୍ମୀରରେ ରହିଯାଆନ୍ତି, ସେମାନେ ଛୋଟମୋଟ ହୋଟେଲରେ ରୋଷେୟାଙ୍କୁ ସହାୟତା କରିଥାନ୍ତି ଏବଂ ଆଉ କିଛି ଶ୍ରୀନଗର ହାରିଷା ଦୋକାନରେ କାମ କରିଥାନ୍ତି। (ପଢ଼ନ୍ତୁ: ଶ୍ରୀନଗରରେ ଗରମ ହରିସାରସ୍ୱାଦ)
ଭୀଷଣ ଶୀତ ଏବଂ ତୀବ୍ର ପାଣିପାଗ ନିରନ୍ତର ଆହ୍ଵାନ ସୃଷ୍ଟି କରିଥାଏ। ୨୦୧୭ ମସିହା ଜାନୁଆରୀ ୨୫ ତାରିଖରେ ଗୁରେଜରେ ୪ଟି ହିମସ୍ଖଳନ ହୋଇଥିଲା, ଯେଉଁଥିରେ ଫରିଦଙ୍କ ଘରଠାରୁ ପ୍ରାୟ ୨୬ କିଲୋମିଟର ଦୂରରେ ଅବସ୍ଥିତ ମାଜଗୁଣ୍ଡ ନିରୁରେ ୨୦ଜଣ ସୈନିକ ଏବଂ ଚାରି ଜଣ ନାଗରିକଙ୍କ ପ୍ରାଣହାନି ହୋଇଥିଲା।
ସେହି ସମୟର କଥା ସେ ଏବେ ବି ମନେ ରଖିଛନ୍ତି, ଯେତେବେଳେ ଗୁରେଜରେ ମୌଳିକ ଚିକିତ୍ସା ସୁବିଧା ମିଳିବା କଷ୍ଟକର ହୋଇ ପଡୁଥିଲା। ୧୯୭୦ ପ୍ରାରମ୍ଭରେ ଶୀତଦିନେ ନିକଟସ୍ଥ ମାରକୋଟ ଗ୍ରାମର ଜଣେ ମୋଲବୀ (ଇସଲାମିକ୍ ଧର୍ମଗୁରୁ) ଅସୁସ୍ଥ ହୋଇ ପଡ଼ିଥିଲେ। ସେତେବେଳକୁ ୧୨ରୁ ୧୫ ଫୁଟ ଗଭୀର ବରଫପାତ ହୋଇଥିଲା। “ଲୋଗ ଉନକୋ ଚାରପାଇ ପେ ଲେ ଗୟେ [ଲୋକେ ତାଙ୍କୁ ଖଟିଆରେ ବୋହି ନେଇଥିଲେ]”। ପାଖାପାଖି ୮୬ କିଲୋମିଟର ଦୂର ବାନ୍ଦିପୁରା ଡାକ୍ତରଖାନାରେ ପହଞ୍ଚିବା ପାଇଁ ଦୁଇଦିନ ଲାଗିଥିଲା।
ଆଉ ଏକ ଘଟଣାକ୍ରମରେ, ଜଣେ ଉସ୍ତାଦ ମୋହତରମ [ସମ୍ମାନନୀୟ ଶିକ୍ଷକ] ଙ୍କ ଝିଅଙ୍କର ଗର୍ଭାବସ୍ଥାରେ ସମସ୍ୟା ସୃଷ୍ଟି ହୋଇଥିଲା। ସେତେବେଳେ ସେଠାରେ କୌଣସି ବେସାମରିକ ହେଲିକପ୍ଟର ନଥିଲା, ତାଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନେବା ପାଇଁ ଲକ୍ଷେ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାନ୍ତା। ତେବେ ଭାରତୀୟ ସେନା ସହାୟତା ପାଇଁ ଆଗକୁ ଆସିଥିଲା। “ଆର୍ମି ନେ ସଦ୍ଭାବନା କେ ଜରିୟେ ମଦଦ ଦେନା ସୁରୁ କିୟା [ଅପରେସନ ସଦ୍ଭାବନା ମାଧ୍ୟମରେ ସେନା ସହାୟତା କରିଥିଲା]”
ଆଜି, ଯଦିଓ ପରିସ୍ଥିତିରେ ଉନ୍ନତି ଆସିଛି, ଏହି ସମୁଦାୟ ଜାମ୍ମୁ ଓ କାଶ୍ମୀରରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ ହୋଇଥିବା ବେଳେ ଏବେ ବି ଜରୁରୀ ପରିସ୍ଥିତିରେ ସ୍ଥାନାନ୍ତରଣ ପାଇଁ ସେନା ଉପରେ ନିର୍ଭର କରିବାକୁ ପଡୁଛି। ଗର୍ଭାବସ୍ଥା ଏବଂ ପ୍ରସବ, ସମସ୍ୟା ହୋଇ ରହିଛି।

Muzamil Bhat

Muzamil Bhat
ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ନିୟନ୍ତ୍ରଣ ରେଖା ପାଖରେ ରହିଥିବାରୁ ମୌସୁମୀକାଳୀନ ସ୍ଥାନାନ୍ତରଣ ବ୍ୟତୀତ ସୀମାପାର ଗୁଳିବର୍ଷା ତାଙ୍କ ସମୁଦାୟ ପାଇଁ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି।
ଫରିଦ କ୍ୟାମ୍ପ ସାଇଟରେ ଚାଲୁଥିବା ବେଳେ ଅଚାନକ ରହିଗଲେ ଏବଂ କହିଲେ,”ଏହି ରାସ୍ତାର ଏକ ଛବି ଏବେ ବି ମୋ ମନରେ ତାଜା ହୋଇ ରହିଛି, ୨୦୦୫ ମସିହା ବେଳର କଥା, ଜନୈକ ବାପା-ପୁଅ ଏଠାରେ ମେଣ୍ଢା ଚରାଉଥିଲେ। ସେମାନେ ଏହି ପୋଲ ଦେଇ ଗାଁକୁ ଯିବା କଥା,” ବୋଲି ସେ ରାସ୍ତାର ଅନ୍ୟ ଏକ ପାର୍ଶ୍ଵକୁ ସୂଚିତ କରି କହିଥିଲେ।
“ବାପ ପିଛେ ପିଛେ ବେଟା ଆଗେ ଆଗେ” [ବାପା ପଛେ ପଛେ ପୁଅ ଆଗରେ ଆଗରେ] ଫରିଦ ମନେ ପକାଉଛନ୍ତି, ସେତେବେଳେ ସେ ନିକଟସ୍ଥ ଗୋଟିଏ ମସଜିଦରେ ଥିଲେ ଏବଂ ସେମାନଙ୍କୁ ଦେଖି ପାରୁଥିଲେ। ଏହି ସମୟରେ ସେ ଦେଖିଲେ ଯେ, ଗୋଟିଏ ବୋମା ଆସି ସେମାନଙ୍କ ଉପରେ ପଡ଼ିଲା। ଏତିକିରେ କିନ୍ତୁ ଏହି ପରିବାରର ଦୁଃଖ ସରିନଥିଲା ବୋଲି ସେ କହିଥିଲେ। ସେହିଦିନ ହିଁ ସେମାନଙ୍କ ପରିବାରର ଗୋଟିଏ ଝିଅ ସେନା କ୍ୟାମ୍ପ ନିକଟରେ ପରୀକ୍ଷା ଦେବାକୁ ଯିବାବେଳେ ଅନ୍ଧାଧୂନ ଗୁଳିମାଡ଼ର ଶିକାର ମଧ୍ୟ ହୋଇଥିଲେ।
ପିପୁଲ୍ସ ଆର୍କାଇଭ ଅଫ୍ ଇଣ୍ଡିଆ, ପରୀକୁ କହିବା ବେଳେ ତାଙ୍କ କଣ୍ଠ ଥରୁଥିଲା, ଏବଂ ସେ କହିଥିଲେ,‘‘ଏକ ହି ଦିନ ମେଁ ଘର ସେ ଏକ କା ଲଡକା ଗୟା ଏକ କି ଲଡକୀ ଗୟି [ଗୋଟିଏ ଦିନରେ, ଗୋଟିଏ ପରିବାରର ଜଣଙ୍କର ପୁଅ ଚାଲିଗଲା, ଆଉ ଜଣଙ୍କର ଝିଅ ଚାଲିଗଲା]।” ଏହି ଗୁଳି ବିନିମୟରେ ୨୦-୨୫ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗାଈଗୋରୁ ଏବଂ ପଶୁଧନଙ୍କର ମଧ୍ୟ ପ୍ରାଣହାନି ହୋଇଥିଲା।
ଆଉ ଏକ ଘଟଣାରେ, ତୁଲୈଲ ବଜାର ସମ୍ପୂର୍ଣ୍ଣ ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଥିଲା। ଗୁଳିଗୋଳା ବିନିମୟ ବେଳେ ବଜାର ନିକଟରେ ଠିଆ ହୋଇଥିବା ଏକ ବସ୍ରେ ନିଆଁ ଲାଗିଯାଇଥିଲା। ଅଗ୍ନି କ୍ଷିପ୍ରଗତିରେ ବ୍ୟାପି ଯାଇଥିଲା ବୋଲି ସେ କହିଥିଲେ। ତଥାକଥିତ ସମୟରେ ଅଧିକାଂଶ ଘରର ଢାଞ୍ଚା କାଠରେ ତିଆରି ହେଉଥିଲା।
“କିଏ କାହିଁକି ଏଠି ମିରିବାକୁ ଚାହିଁବ? ଏଭଳି ଏକ ସ୍ଥାନରେ କିଏ କାହିଁକି ରହିବାକୁ ଚାହିଁବ,” ବୋଲି ଫରିଦ ପଚାରିଥିଲେ। ସେ ବର୍ତ୍ତମାନ ଦାବରରେ ତାଙ୍କ ପତ୍ନୀ, ଚାରି ପୁଅ ଏବଂ ତିନି ଝିଅଙ୍କ ସହିତ ରହୁଛନ୍ତି, ଯାହା ଲୋକପ୍ରିୟ ତୁଲୈଲ ଉପତ୍ୟକା ଯିବା ବାଟରେ ଶେଷ ବଜାର ଅଟେ।

Muzamil Bhat

Muzamil Bhat
ଏପରିକି ପୂର୍ବରୁ ଗୁରେଜରେ ବିଶେଷ ଆୟର ସୁଯୋଗ ନଥିଲା। “ଲୋକେ କିଏ ଗାଈ ଚରାଇ ତ ଆଉ କିଏ ସେନା ପାଇଁ କୁଲି ଭାବେ କାମ କରି ଗୁଜରାଣ ମେଣ୍ଟାଉଥିଲେ।” ସମସ୍ତଙ୍କ ପାଖରେ ଘୋଡ଼ା ଥିଲା, ଏବଂ “ମୁଲାଜମାତ ବିଲକୁଲ କମ ଥି [ନିଯୁକ୍ତି ସୁଯୋଗ ବହୁତ କମ୍ ଥିଲା],” ବୋଲି ସେ କହିଥିଲେ। ଅଧିକାଂଶ ସେମାନଙ୍କର ପାଟ୍ଟୁ ବୁଣା କାମରେ ଲାଗିଥାନ୍ତି, ଏହା ସେମାନଙ୍କ ସମୁଦାୟର ପାରମ୍ପରିକ ଶିଳ୍ପ ଅଟେ। ପଢନ୍ତୁ: ଅବଲୁପ୍ତପ୍ରାୟ ପଟ୍ଟୁ ବୁଣାକାରିଗରୀ
ଉପତ୍ୟକାର ଅନ୍ୟ ଅଞ୍ଚଳକୁ ଗଲେ ଲୋକେ ଭଲ କର୍ମସଂସ୍ଥାନ, ଶିକ୍ଷା ଏବଂ ସ୍ଵାସ୍ଥ୍ୟସେବା ପାଇ ପାରୁଛନ୍ତି। ସେଥିପାଇଁ, ଲୋକେ ବାନ୍ଦିପୋର, କଙ୍ଗନ, ଗଣ୍ଡେରବାଲ ଏବଂ ଶ୍ରୀନଗର ତଳିଆ ଅଞ୍ଚଳରେ ସ୍ଥାୟୀ ଭାବେ ରହିବା ଆରମ୍ଭ କଲେଣି।
ଯେମିତି ଅଧିକ ସଂଖ୍ୟାରେ ଲୋକ ବାହାରକୁ ଚାଲିଗଲେ, ଆମକୁ ଆମକୁ ଆମ ମାତୃଭାଷାରେ କଥାହେବା ମଧ୍ୟ କଷ୍ଟକର ହୋଇପଡ଼ିଲା। ଦର୍ଦ-ଶିନ ସମୁଦାୟରେ ଲୋକେ ଯେତେବେଳେ ରାସନ ସାମଗ୍ରୀ କିଣିବା ପାଇଁ ବାନ୍ଦିପୋରା ଯାଉଛନ୍ତି, ସେତେବେଳେ ଅନ୍ୟ କାଶ୍ମୀରୀ ଲୋକଙ୍କ ଆଗରେ ଶିନା ଭାଷାରେ କଥାବର୍ତ୍ତା କରନ୍ତି ନାହିଁ। “ଏକ କମ୍ପ୍ଲେକ୍ସ ହୋତା ହୈ। ସାୟଦ ହମ ଅଲଗ ହୈ [ଆମକୁ ଏକପ୍ରକାର କମ୍ପ୍ଲେକ୍ସ ଅନୁଭବ ହୁଏ। ହୁଏତ ଆମେ ଅଲଗା]।”
ଆଗରୁ ଏମିତି ନଥିଲା। “ମୁଁ ଯେତେବେଳେ ଯୁବକ ଥିଲି, ସେତେବେଳେ ସମସ୍ତେ ଶିନ ଭାଷାରେ କଥା ହେଉଥିବା ମୁଁ ଦେଖିଛି,” ବୋଲି ଫରିଦ କହିଥିଲେ। “କିନ୍ତୁ ଆଜିକାଲି ମୁଁ ଯେତେବେଳେ ବଜାରକୁ ଯାଉଛି ଆମ ସମୁଦାୟର ଯୁବକମାନେ ଊର୍ଦ୍ଦୁ, ହିନ୍ଦୀ, କାଶ୍ମୀରୀ ଏବଂ ବେଳେ ବେଳେ ଇଂରାଜୀ ଭାଷାରେ କଥାବାର୍ତ୍ତା ହେଉଥିବା ଦେଖୁଛି।’’
ଶିନା ହେଉଛି ଦର୍ଦିକ ଭାଷା ଯାହା ଭାରତୀୟ-ଆର୍ଯ୍ୟ ଭାଷା ପରିବାର ଅନ୍ତର୍ଗତ ଅଟେ। ଏପରିକି ଯୁନେସ୍କୋ ଏହାକୁ ବିଲୁପ୍ତପ୍ରାୟ ଭାଷା ତାଲିକାରେ ରଖିଛି, ଏହି ଭାଷାରେ କହୁଥିବା ଲୋକଙ୍କ ସଂଖ୍ୟା ଅହେତୁକ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ବର୍ତ୍ତମାନ ସମ୍ବେଦନଶୀଳ ଭାଷା ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।
ଫରିଦ ହବା ଖାତୁନ ସାଂସ୍କୃତିକ ଦଳର ସଦସ୍ୟ ଥିବା ବେଳେ ଗତ ୪୦ବର୍ଷ ଧରି ତାଙ୍କ ମାତୃଭାଷାର ସଂରକ୍ଷଣ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଗୁରେଜର ସ୍ଥାନୀୟ ଲୋକେ ଏହାର ପୃଷ୍ଠପୋଷକତା କରୁଥିବା ବେଳେ କେବେ କେମିତି ପ୍ରଦର୍ଶନ ପାଇଁ ପାରିଶ୍ରମିକ ମିଳିଥାଏ। ଏହି ସାଂସ୍କୃତିକ ସଂଗଠନ ବିଭିନ୍ନ ବିଦ୍ୟାଳୟରେ ସେମାନଙ୍କର ଭାଷା ଓ ସଂସ୍କୃତି ନେଇ ସଚେତନତା ସୃଷ୍ଟି ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରିଥାଏ।

Muzamil Bhat

Muzamil Bhat
ଦିନକୁ ଦିନ ସେହି ପ୍ରୟାସ କଠିନ ହେବାରେ ଲାଗିଛି। ଏଠିକାର ଅଧିକାଂଶ ପିଲା ଗୁରେଜ ବାହାରେ ପାଠ ପଢୁଛନ୍ତି, ତେଣୁ ଶିଖିବା ପାଇଁ କେହି ନାହାନ୍ତି। “ବିଦ୍ୟାଳୟରେ ସକାଳ ପ୍ରାର୍ଥନାଠାରୁ ଆରମ୍ଭ କରି ବହି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଊର୍ଦ୍ଦୁ, ହିନ୍ଦୀ ଏବଂ ଇରାଜୀ ଭାଷାରେ କରାଯାଉଛି’’ ବୋଲି ସେ କହିଥିଲେ, “ବିଦ୍ୟାଳୟରେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଁ ଯେତେବେଳେ ଗୋଟିଏ ଗୀତ ଗାଇଲି, ଅଧିକାଂଶ ଛାତ୍ରଛାତ୍ରୀ ସେହି ଗୀତର ଅର୍ଥ ବୁଝିବାକୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା।”
ସାଧାରଣତନ୍ତ୍ର ଦିବସ ଏବଂ ସ୍ଵାଧୀନତା ଦିବସ ସମାରୋହ କାଶ୍ମୀରୀ ଏବଂ ଊର୍ଦ୍ଦୁ ଭାଷାରେ ପାଳନ କରାଯାଉଛି। “ବର୍ତ୍ତମାନ ଆମ ଦଳ ମାନସିକତାରେ ପରିବର୍ତ୍ତନ ଆଣିବା ସହିତ ଆମ ମାତୃଭାଷାରେ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଏଥିରେ ଲୋକଗୀତ, କବିତା ପାଠ ଭଳି ବିଷୟ ଅନ୍ତର୍ଭୁକ୍ତ କରାଯାଇଛି,” ବୋଲି ମଧ୍ୟ ସେ କହିଥିଲେ।
*****
ତାରିକ ପରଭେଜ ଲୋନ ତାଙ୍କର ଜଣେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କୁ ପଚାରିଲେ, “ତୁମେ ଜାଣିଛ କି ଚୌକ କାହାକୁ କୁହାଯାଏ?” ସେ ଦ୍ଵନ୍ଦ୍ଵାତ୍ମକ ଦୃଷ୍ଟିରେ ଚାହିଁ ରହିଲେ। “ଏହା କଣ ସାର୍? ଏହା କିପରି ଦେଖାଯାଏ?” ବୋଲି ୱାନପୁରା ସରକାରୀ ଉଚ୍ଚବିଦ୍ୟାଳୟର ଜଣେ ଛାତ୍ର ଉତ୍କଣ୍ଠାର ସହିତ ପଚାରିଲେ। ପ୍ରଧାନଶିକ୍ଷକ ଏକ ଅଜଣା ଛବି ଆଙ୍କିବା ଆରମ୍ଭ କଲେ ଏବଂ ତାଙ୍କ ଛାତ୍ରଛାତ୍ରୀଙ୍କୁ କହିଲେ,”ଏହା ହେଉଛି ତନ୍ତ। ଆମର ବୟୋଜ୍ୟେଷ୍ଠମାନେ ଉଲ୍ ପୋଷାକ ତିଆରି ପାଇଁ ବ୍ୟବହାର କରୁଥିଲେ।”
ତାରିକ ସେହିଭଳି ଅଭ୍ୟାସ ଜାରି ରଖିଥିବା ବେଳେ, ବୋର୍ଡରେ ଗୋଟିଏ ଓପିନିଂ ଟପ୍ର ଆଉଟ୍ଲାଇନ ଆଙ୍କିଥିଲେ। “ଶିନା ଭାଷାରେ ଏହାକୁ କ’ଣ କୁହାଯାଏ?” ବୋଲି ତାଙ୍କ ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ। ଜଣେ ଛାତ୍ର ଏହାକୁ ‘ଲଟୁ’ ବୋଲି କହିଥିଲେ, କାଶ୍ମୀରୀ ଭାଷାରେ ସ୍ପିନିଂ ଟପ୍ର ପ୍ରତିଶବ୍ଦ। ତାରିକ ଉତ୍ତର ଦେବା ପର୍ଯ୍ୟନ୍ତ ନିରବତା ହିଁ ନିରବତା, “ଏହା ହେଉଛି ଥୁରକୈତି।“
ସେ ଅଭ୍ୟାସ ଜାରି ରଖିଥାନ୍ତି, ଏବଂ ୩୦ଜଣ ପିଲାଙ୍କ ମଧ୍ୟରୁ ଜଣେ ସେହି ବସ୍ତୁଟିକୁ ଚିହ୍ନିବା ସହିତ ମାତୃଭାଷା ଶିନାରେ ଉତ୍ତର ଦେବାକୁ ସକ୍ଷମ ହୋଇଥିଲେ। ଏପରି ଆହୁରି ଅନେକ ଶବ୍ଦ ରହିଛି, ବୋଲି ତାରିକ କହିଥିଲେ ତେବେ “ଅନ୍ୟ ଭାଷା ବ୍ୟବହାର କରିବା କାରଣରୁ ସେଗୁଡ଼ିକ ଆମ ଦୈନନ୍ଦିନ ଜୀବନରୁ ଅପସରି ଯିବାକୁ ବସିଛି।“

Muzamil Bhat
ଗୁରେଜର ପିଲାମାନେ ଘର ଛାଡ଼ିବା ପରେ ସ୍କୁଲରେ ଦୈନନ୍ଦିନ କଥାବାର୍ତ୍ତା ପାଇଁ ଊର୍ଦ୍ଦୁ ଏବଂ କାଶ୍ମିରୀ ବ୍ୟବହାର କରିଥାନ୍ତି। ଏହାଛଡ଼ା ଅଧିକାଂଶ ପିଲା ହିନ୍ଦୀ ଏବଂ ଇଂରାଜୀ ଶିକ୍ଷା କରୁଛନ୍ତି।
ତାରିକ କହିଛନ୍ତି, ‘‘ବର୍ଷରେ ୧୨ ମାସ ଯେଉଁ ପିଲାମାନେ ଗୁରେଜରେ ରହନ୍ତି ସେମାନେ ଏହି ଭାଷାରେ କଥା ହେବା ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ।” କିନ୍ତୁ ଅନ୍ୟମାନେ ଅର୍ଥାତ୍ ଯେଉଁମାନେ ଜୀବିକା, ପାଠ ପଢ଼ିବା, ସ୍ଵାସ୍ଥ୍ୟ ସମସ୍ୟା ଏବଂ ଜଳବାୟୁ ଜନିତ ସମସ୍ୟା ପାଇଁ ସ୍ଥାନାନ୍ତର ହେଉଛନ୍ତି, ପ୍ରାୟ ସେମାନେ ଅନର୍ଗଳ ଭାବେ ମାତୃଭାଷା କହିବା ବେଳେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
ତାରିକଙ୍କ କଥା ଶୁଣୁ ଶୁଣୁ ଜଣେ ଶିକ୍ଷୟିତ୍ରୀ କହିବା ଆରମ୍ଭ କଲେ, ‘‘ମୋର ସାନ ଝିଅ ନଜେ ନିଜେ ଊର୍ଦ୍ଦୁ ଶିଖିଛି, ଫୋନ ଦେଖ ଦେଖ କର [ଟୋଲିଫୋନରେ (ଭିଡିଓ) ଦେଖି ଦେଖି]।” ସେ ତାକୁ ମାତୃଭାଷା ଶିଖାଇ ନାହାନ୍ତି। ସେ ଯେତେବେଳେ ତାକୁ ଶିନା ଭାଷା ଶିଖାଇବା ପାଇଁ ଚେଷ୍ଟା କରିଥିଲେ ସେ ସେଥିରେ ଆଦୌ ଆଗ୍ରହ ପ୍ରଦର୍ଶନ କରି ନଥିଲା। ଏବେ ବର୍ଷେ ହେବ ଧୀରେ ଧୀରେ ସେ ଭାଷା ଶିଖୁଛି। ତାଙ୍କର ବଡ଼ ଝିଅ ଶିନା ଭାଷାରେ କଥାବାର୍ତ୍ତା କରେ କାରଣ ସେ ଯେଉଁ ବିଦ୍ୟାଳୟରେ ପାଠ ପଢୁଥିଲା ସେଠାରେ ମାତୃଭାଷାରେ ଶିକ୍ଷା ଦିଆଯାଉଥିଲା।
ତାରିକ ଅନୁଭବ କରୁଛନ୍ତି ଯେ, ଭାଷାକୁ ବଞ୍ଚାଇ ରଖିବାକୁ ହେଲେ ଘରେ ଏବଂ ବଜାରରେ ସେହି ଭାଷାରେ କଥା ହେବାକୁ ପଡ଼ିବ। ସେ କହିଛନ୍ତି ଯେ ସେ କଦାପି ଊର୍ଦ୍ଦୁ କିମ୍ବା କାଶ୍ମିରୀ ଭାଷା ଶିକ୍ଷା କରିବାକୁ ବିରୋଧ କରୁନାହାନ୍ତି ଯେହେତୁ ଗୁରେଜରୁ ପିଲାମାନେ ବାହାରି କାଶ୍ମୀରର ଅନ୍ୟ ଅଞ୍ଚଳକୁ ଗଲେ, ଏବଂ ସେଠିକାର ପିଲାମାନଙ୍କର ସଂସ୍ପର୍ଶରେ ଆସିଲେ ଏହା ସେମାନଙ୍କ ପାଇଁ ସହାୟକ ହେବ, କିନ୍ତୁ “ଆମ ଭାଷାକୁ ଭୁଲିଯିବା ଅର୍ଥ ଆମ ପରିଚୟ ଭୁଲିଯିବା,” ବୋଲି ମଧ୍ୟ ସେ କହିଥିଲେ।
କିନ୍ତୁ ସମୁଦାୟର ଅଧିକାଂଶ ପିଲା ସେମାନଙ୍କର ପରିଚୟ ଦର୍ଦିକ ବୋଲି କହିବାକୁ ଅସୁରକ୍ଷିତ ମନେ କରୁଛନ୍ତି ଯେହେତୁ ସେମାନଙ୍କ ମନରେ ଏକପ୍ରକାର ଭୟ ରହୁଛି କାଳେ କିଏ ସେମାନଙ୍କୁ “ଦର୍ଦେ” (ଏହି ଶବ୍ଦ ବେଳେ ବେଳେ ସମୁଦାୟ ଉଦ୍ଦେଶ୍ୟରେ ଅପମାନଜନକ ଭାବେ ବ୍ୟବହାର କରାଯାଇଥାଏ) ବୋଲି ଡାକିବ।

Muzamil Bhat

Muzamil Bhat
*****
ଏକଦା ଗୁରେଜ ଉପତ୍ୟକା କାଶ୍ମୀରବାସୀଙ୍କ ପାଇଁ ଯେଉଁମାନେ ବ୍ୟବସାୟ ଏବଂ ତୀର୍ଥଯାତ୍ରାରେ ବାନ୍ଦିପୋରା ହୋଇ ଗୁରେଜ ରାସ୍ତାରେ ଗିଲଗିଟ ଯାଉଥିଲେ, ସେମାନଙ୍କ ପାଇଁ ଏହା ସିଲ୍କ ରୁଟ (ରେଶମ ମାର୍ଗ) ଥିଲା। ଏହି ରାସ୍ତା ହଜ୍ ତୀର୍ଥଯାତ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି।
ଗୁରେଜ ଏବଂ ଦ୍ରାସର ଦର୍ଦ-ଶିନ ଜନଜାତିଙ୍କର ସାଂସ୍କୃତିକ ଏବଂ ଭାଷାର ମୂଳ ଦର୍ଦିସ୍ତାନ ସହିତ ଯୋଡ଼ିହୋଇ ରହିଛି। ଏହା ଏକ ଐତିହାସିକ କ୍ଷେତ୍ର ଭାବେ କାଶ୍ମୀର ଉପତ୍ୟକାଠାରୁ ଗିଲଗିଟ ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। କାଶ୍ମୀରୀ ଏବଂ ଦର୍ଦଙ୍କ ମଧ୍ୟରେ ସମ୍ପର୍କ ୧୯୪୭ ମସିହାର ବିଭାଜନଠାରୁ ବି ପୁରୁଣା ବୋଲି ମାସୁଦ ଅଲ ହସନ ସାମୋନ କହିଥିଲେ। “ପାର୍ଟିସନ ତୋ କଲ କି ବାତ ହୈ [ବିଭାଜନ ଗତକାଲିର କଥା]।” ଦର୍ଦମାନେ ଶହଶହ ବର୍ଷ ଧରି ଜାମ୍ମୁ ଏବଂ କାଶ୍ମୀରରେ ରହିଆସୁଛନ୍ତି ବୋଲି ଜାମ୍ମୁ ଓ କାଶ୍ମୀର ସରକାରଙ୍କ ଶିକ୍ଷା ବିଭାଗର ୭୩ ବର୍ଷୀୟ ପୂର୍ବତନ ନିର୍ଦ୍ଦେଶକ କହିଛନ୍ତି।
ଦ୍ଵାଦଶ ଶତାବ୍ଦୀର କାଶ୍ମୀରୀ ଐତିହାସିକ କହ୍ଲଣ ତାଙ୍କର କାବ୍ୟାତ୍ମକ ରଚନା ରାଜତରଙ୍ଗିଣୀରେ ଗୁରେଜର ଦର୍ଦମାନଙ୍କ କଥା ଉଲ୍ଲେଖ କରିଛନ୍ତି, ଯାହା କାଶ୍ମୀରର ରାଜାମାନଙ୍କର ଏକ ଐତିହାସିକ ବୃତ୍ତାନ୍ତ, ମାସୁଦ କହୁଛନ୍ତି ଯେ, ଗୁରେଜର ରାଜାମାନେ ପ୍ରାୟ ଉପତ୍ୟକାର ଶାସକମାନଙ୍କ ସହିତ ଯୁଦ୍ଧରେ ଲିପ୍ତ ରହୁଥିଲେ, ଏକ ପ୍ରମୁଖ ଯୁଦ୍ଧ ଦର୍ଦ ଏବଂ ରାଜା ହର୍ଷ (ଭାରତର ହର୍ଷବର୍ଦ୍ଧନ ବୋଲି ଦ୍ଵନ୍ଦ୍ଵ ରଖିବାନି) ଙ୍କ ମଧ୍ୟରେ ମାଉଣ୍ଟ ଦୁଧକାଥରେ ସଂଘଟିତ ହୋଇଥିଲା।
ନିଜର କୌଣସି ବିଶେଷ ଲିପି ନଥିଲେ ସୁଦ୍ଧା ଏହି ଭାଷା ଲୋକକଥା ଏବଂ ଲୋକଗୀତ ଭାବେ ଲୋକଙ୍କ ମୁଖରେ ବଞ୍ଚି ରହିଛି। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଋତୁକାଳୀନ ସ୍ଥାନାନ୍ତରଣ, ସୀମା ଆରପଟୁ ଗୁଳିମାଡ଼ ଏବଂ ଅଞ୍ଚଳରେ ରାଜନୈତିକ ଏବଂ ସାଂସ୍କୃତିକ ହଟଚମଟ ଏହି ସମୁଦାୟକୁ ତାର ମାତୃଭାଷାଠାରୁ ଦୂରକୁ ଚାଲିଯିବାକୁ ଏକପ୍ରକାର ବାଧ୍ୟ କରିଛି।
“ଆପଣ ଯେତେବେଳେ ଶ୍ରୀନଗର ଯାଉଛନ୍ତି ସେଠାରେ ଯଦି ୫୦ଟି ଘର ଭିତରୁ ଗୋଟିଏ ଘରେ କେବଳ ଶିନା ଭାଷାରେ କଥାବାର୍ତ୍ତା କରାଯାଉଥିବ, ତାହାହେଲେ ଭାଷା ବଞ୍ଚିବ କିପରି?” ବୋଲି ସେ କହିଥିଲେ। ତାଙ୍କ ସମୁଦାଯର ପିଲାମାନେ ଅନ୍ୟ ପିଲାମାନଙ୍କ ସହିତ ଯଦି କାଶ୍ମୀରୀ ଭାଷାରେ କିମ୍ବା ଅନ୍ୟ ସାଧାରଣ ଭାଷାରେ କଥାବାର୍ତ୍ତା ହେବେ, ତାହାହେଲେ ହୁଏତ ଆମ ମାତୃଭାଷା ଗୋଟିଏ ପିଢ଼ି ବଞ୍ଚିଯିବ, କିନ୍ତୁ ଦ୍ଵିତୀୟ ପିଢ଼ି ବେଳକୁ ଏହାର ମୃତ୍ୟୁ ହୋଇ ସାରିଥିବ ବୋଲି ସେ କହିଥିଲେ।
ମାସୁଦ ବର୍ତ୍ତମାନ ଶିନା ଭାଷାର ଏକୀକୃତ ଲିପି ପ୍ରସ୍ତୁତି କାମରେ ଲାଗିଛନ୍ତି ଏବଂ ଉତ୍ତର କାଶ୍ମୀରର ବାନ୍ଦିପୋରା ଅଞ୍ଚଳରେ ବସବାସ କରୁଛନ୍ତି।ସେ କହିଛନ୍ତି, “ଏଯାବତ ଶିନା ପାଇଁ ଦୁଇଟି ଲିପି ପ୍ରସ୍ତୁତ ହୋଇସାରିଛି ଗୋଟିଏ ଜର୍ଜ ଆବ୍ରାହମ ଗ୍ରିଏରସନକର ରୋମାନ ଭାଷାରେ ଏବଂ ଅନ୍ୟଟି ଡ. ଶୁଜା ନମୁସଙ୍କ ରଚିତ ଗିଲଗିଟ ଔର ଶିନା ଜୟବାନ, ସେ ଗିଲଗିଟ, ପାକିସ୍ତାନର ଜଣେ ଜିଲ୍ଲା ଶିକ୍ଷା ଅଧିକାରୀ ହୋଇଥିବା ବେଳେ ଏହା ନଷ୍ଟାଲିକ ଲିପି ସହିତ ଊର୍ଦ୍ଦୁରେ ଲେଖା ଯାଇଛି।”
ଉଭୟ କ୍ଷେତ୍ରରେ ଡକ୍ୟୁମେଣ୍ଟେସନ କେବଳ ଗବେଷଣା ପର୍ଯ୍ୟନ୍ତ ସୀମିତ ରହିଥିଲା। ନା ଗ୍ରିଏରସନ ନା ଡ. ନିମୁସ କେହି ବି ଜନ୍ମତଃ ଏହି ଭାଷାର ନୁହନ୍ତି। ଧ୍ଵନି ବିଜ୍ଞାନ ସମ୍ବନ୍ଧିତ ଅନେକ ବିବରଣୀ ସଠିକ ଭାବରେ ପ୍ରଦାନ କରାଯାଇନାହିଁ।
ମାସୁଦ କହନ୍ତି ଶିନା ଭାଷାରେ ଚାରିଟି ବିଶେଷ ବ୍ୟଞ୍ଜନ ଧ୍ଵନି ରହିଛି, “ଯୋ ବାଏଁ ଡାଏଁ କି କିସି ଲାଙ୍ଗୁଏଜ ମେଁ ନହିଁ ହୈ [ଯାହା ଆଖାପାଖର ଅନ୍ୟ କୌଣସି ଭାଷାରେ ନାହିଁ], ଊର୍ଦ୍ଦୁ କିମ୍ବା ପାର୍ସି କଥା ତ ଭୁଲିଯାଅ, ଏହି ଭାଷାର କାଶ୍ମୀରୀ ଭାଷା ସହିତ ମଧ୍ୟ ସାମଞ୍ଜସ୍ୟ ନାହିଁ।” ତେଣୁ, ଧ୍ଵନିଗୁଡ଼ିକ ଦର୍ଶାଇବା ପାଇଁ ବିଶେଷ ସ୍ଵରଚିହ୍ନର ଆବଶ୍ୟକତା ରହିଥିଲା, ତେବେ ଏମାନଙ୍କ ମଧ୍ୟରେ କେହିହେଲେ ସଫଳ ହୋଇପାରିଲେ ନାହିଁ। ସେ ଆହୁରି କହିଛନ୍ତି ଯେ, ପରେ ପାକିସ୍ତାନ କାରାକୋରମ ବିଶ୍ଵବିଦ୍ୟାଳୟର ପ୍ରଫେସର ମହମ୍ମଦ ଅମିନ ଜିଆ ନୂଆ ନଆ କମ୍ପ୍ୟୁଟରର ପ୍ରଚଳନ ଆରମ୍ଭ ହେଉଥିବା ବେଳେ ବ୍ୟାକରଣ ଏବଂ ଏହାର ନିୟମ ରଚନା କରିଥିଲେ। କିନ୍ତୁ ଏହି କୃତି ମଧ୍ୟ ଲିପି ଉପରେ ଆଧାରିତ ନଥିଲା।
ତାରିକ ମାସୁଦଙ୍କ ସହ ଏକମତ ହେବା ସହିତ କହିଛନ୍ତି ଯେ, “ଲିପି ନଥିଲେ ଆମେ ଭାଷା କିପରି ଲେଖିବା ଓ ଶିକ୍ଷା ଦେବା?” ଶିନା ବ୍ୟାକରଣ ପୁସ୍ତକ ପ୍ରକାଶ ପାଇବା ପରେ, ସମୁଦାୟର ଅନେକ ସଦସ୍ୟ ଏକ ହ୍ଵାଟ୍ସଆପ୍ ଗ୍ରୁପ୍ କରିଥିଲେ, ତେବେ ତାହା ମଧ୍ୟ ସଫଳ ହୋଇନଥିଲା ବୋଲି ସେ ପୁଣି କହିଥିଲେ।
ଫରିଦ କହିଛନ୍ତି, “ଏକ ଉପଯୁକ୍ତ ଲିପି ସାହାଯ୍ୟକାରୀ ହେବ, କାରଣ ଏବେ ବି ଅଧିକାଂଶ ଶିନା ସାହିତ୍ୟ ଊର୍ଦ୍ଦୁ ଲିପିରେ ଲେଖା ଯାଉଛି।” ନୂଆ ଲିପି ପ୍ରଚଳନ କରିବା ଦ୍ଵାରା ପିଲାମାନେ ସେମାନଙ୍କର ମାତୃଭାଷାର ଅଧିକ ନିକଟତର ହେବେ। ସେ କହିଛନ୍ତି, “ଯେତେବେଳେ ଆମର ପିଲାମାନେ ରୁଷ୍ କିମ୍ବା ଜର୍ମାନୀ ଯାଉଛନ୍ତି, ଆମେ ସେମାନଙ୍କୁ କ’ଣ ସେହି ବିଦେଶୀ ଭାଷା ଶିଖାଇ ଥାଉ କି? ତାକୁ ସେମାନେ ସେଇଠି ଶିଖିଥାନ୍ତି।”

Muzamil Bhat

Muzamil Bhat
ମାସୁଦ ସ୍ପଷ୍ଟ ଭାବେ କହିଛନ୍ତି, ସାହିତ୍ୟ ହେଉଛି ସେହି ମୌଳିକ ତତ୍ତ୍ଵ, ଯାହା ଭାଷାକୁ ଜୀବିତ ରଖିଥାଏ। ସେ କାଶ୍ମୀରୀ ସାହିତ୍ୟକୁ ଉଦ୍ଦେଶ୍ୟ କରି କହିଛନ୍ତି, ଲାଲ ଦେଦ, ଶେଖ୍-ୟୁଆଇ- ଆଲମ (ନୁନ୍ଦ ଋଷି ଭାବେ ମଧ୍ୟ ଜଣାଶୁଣା) ଏବଂ ମଧ୍ୟଯୁଗୀୟ ଏବଂ ଆଧୁନିକ କାଳର ଅନେକ କବି ରହିଛନ୍ତି। ସେ କହନ୍ତି, ଏପରିକି ଆଜି ବି କାଶ୍ମୀରୀ ଭାଷାରେ ଅନେକ ଗଦ୍ୟ ଓ କବିତା ଲେଖାଯାଉଛି, ଏବଂ ଭବିଷ୍ୟତରେ ଏହି ଭାଷାକୁ ଜୀବିତ ରଖିବା ପାଇଁ ଏହା ଏକ ମାଧ୍ୟମ ହେବ। “କିନ୍ତୁ ଆମ ଭାଷା କ୍ଷେତ୍ରରେ ଆମେ ସେପରି କହିପାରିବୁ ନାହିଁ।“
ଶିନା ଭାଷାରେ ବିଶେଷ ଲିପି ବିକଶିତ କରିବା ପାଇଁ ମାସୁଦ ୧୯୭୫ ମସିହାରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ ସେ କାଶ୍ମୀର ବିଶ୍ଵବିଦ୍ୟାଳୟରେ ପୂର୍ଣ୍ଣକାଳୀନ ଊର୍ଦ୍ଦୁ ଏବଂ ପାର୍ସି ପଢ଼ାଉଥିଲେ। “ମୁଁ ଲୋକକଥା ଏବଂ ଲୋକଗୀତ ଏକତ୍ର କରୁଥିଲି” କିନ୍ତୁ ସେ ନିଜକୁ ନିଜେ ପଚାରୁଥିଲେ, “ଏସବୁ ଲେଖିବି କିପରି!”
ପରବର୍ତ୍ତୀ ସମୟରେ ସେ ଯେତେବେଳେ ଶିକ୍ଷା ବିଭାଗର ନିର୍ଦ୍ଦେଶକ ନିଯୁକ୍ତ ହେଲେ, ଜାମ୍ମୁ ଓ କାଶ୍ମୀରରେ ଏକ ଭାଷା ନୀତି ପ୍ରଣୟନ କରିଥିଲେ। ଯେଉଁଥିରେ ଚତୁର୍ଥ ଶ୍ରେଣୀଠାରୁ ଛାତ୍ରଛାତ୍ରୀ ସେମାନଙ୍କ ମାତୃଭାଷାରେ ପାଠପଢ଼ିବେ ବୋଲି ଘୋଷଣା କରାଯାଇଥିଲା। ସେ କହିଛନ୍ତି, “ଲିପି ଆପଣାଇବା ପାଇଁ ଏହା ପ୍ରକୃଷ୍ଟ ସମୟ ଥିଲା,” ଏବଂ ଏହାକୁ କମ୍ପ୍ୟୁଟର ଅନୁକୂଳ ମଧ୍ୟ କରାଯାଇଥିଲା।
ସେ ଏକ ଲିପି ବିକଶିତ କରିବା ପାଇଁ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ। କିନ୍ତୁ ତା’ପରେ ସେ ଚାକିରି ଛାଡ଼ି ଦେଇଥିଲେ,”ଜୀବନରେ ସବୁକିଛି ଯେପରି ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା,” ଏବଂ ତାକୁ ସେ ପ୍ରକାଶ କରିପାରି ନଥିଲେ। ଅବସର ପରେ ପୁଣିଥରେ ସେ ଉଦ୍ୟମ ଆରମ୍ଭ କରିଥିବା କହିଛନ୍ତି।

Muzamil Bhat

Muzamil Bhat
ଲିପିର ମାନକୀକରଣ ପାଇଁ ଏକାଧିକ ପ୍ରଚେଷ୍ଟା ପରେ, ତାଙ୍କର ପାଠ୍ୟପୁସ୍ତକ ପୁମିକି ଶିନା କିତାବ ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମୁଦ୍ରିତ ହୋଇଥିଲା। ଏପରିକି ସେତେବେଳେ ମଧ୍ୟ ଶିନା ଭାଷା ଇଚ୍ଛାଧୀନ ବିଷୟ ରହିଥିଲା। ସେ କହିଛନ୍ତି, “ଅନ୍ତତଃ ମୁଁ ମୋ ଅଞ୍ଚଳରେ ଜଣେ ଭାଷା କର୍ମୀ ହୋଇପାରିଛି ତେଣୁ ଅନ୍ତତଃ ମୋ ଅଞ୍ଚଳର ଲିପିର ମାନକୀକରଣ ହେବା ଆବଶ୍ୟକ। ମାତୃଭାଷାର ଦସ୍ତାବିଜକରଣ ପାଇଁ ଅନ୍ୟ ଅନେକ ପ୍ରୟାସ ଜାରି ରହିଥିବା ବେଳେ ଶ୍ରୀନଗରସ୍ଥିତ କାଶ୍ମୀର ବିଶ୍ଵବିଦ୍ୟାଳୟର ଭାଷା ବିଜ୍ଞାନ ବିଭାଗ ଶିନା ବ୍ୟାକରଣ ଉପରେ ଏକ ପୁସ୍ତକ ପ୍ରକାଶ କରିଛି।”
ମାସୁଦ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଲିପିର ମାନକୀକରଣ ହୋଇନାହିଁ ସେ ପର୍ଯ୍ୟନ୍ତ ପ୍ରାଥମିକସ୍ତରରେ ଅନ୍ତତଃ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ମାଧ୍ୟମ ଭାଷା କରାଗଲେ, ଏହା ଭାଷାର ଅସ୍ତିତ୍ଵ ପାଇଁ ସହାୟକ ହୋଇପାରିବ। ସେ ଇଙ୍ଗିତ କରି କହିଲେ, ବର୍ତ୍ତମାନ ପରିସ୍ଥିତିରେ ଏହାକୁ ଉଚ୍ଚ ଏବଂ ବୈଷୟିକ ଶିକ୍ଷା କ୍ଷେତ୍ରରେ ଯେପରିକି ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ ଶିକ୍ଷାଦାନର ମାଧ୍ୟମ ଭାଷା ଭାବେ ବ୍ୟବାହର କରିବା ଅସମ୍ଭବ ହୋଇଥିଲେ ସୁଦ୍ଧା ଏହା ଏକ ଅତ୍ୟନ୍ତ ଜରୁରୀ ପ୍ରସଙ୍ଗ ଅଟେ। ଅନ୍ୟଥା ଭାଷା ବିଲୁପ୍ତ ହୋଇଯିବ।
ସେ ତାଙ୍କ ଚାକିରି କାଳରେ ଗୁରେଜରେ ଘଟିଥିବା ଗୋଟିଏ ଘଟଣା ବିଷୟରେ ଉଲ୍ଲେଖ କରୁଛନ୍ତି। ଯେତେବେଳେ ତାଙ୍କ ସମୁଦାୟର କୌଣସି ବ୍ୟକ୍ତି ତାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟୁଥିଲେ ଏବଂ ତାଙ୍କ ସହିତ ଯଦି କାଶ୍ମୀରୀ କିମ୍ବା ଊର୍ଦ୍ଦୁ ଭାଷାରେ କଥା ହେଉଥିଲେ, “ସେ ସେମାନଙ୍କୁ ଗାଳି କରି କହୁଥିଲେ, ମୁଁ ଶିନା ଭାଷାରେ କଥା ହେଉଛି, ତୁମେ ମଧ୍ୟ ସେହି ଭାଷାରେ କଥା ହେବା ଉଚିତ।“
ସେ ପୁଣି ପ୍ରଶ୍ନ କରିଥିଲେ,‘‘ବର୍ତ୍ତମାନ ଆପଣ ଯଦି ଆପଣଙ୍କ ପରିବାରରେ କଥା ହେବେ ତାହାହେଲେ କ’ଣ ଇଂରାଜୀ ଭାଷାରେ କଥା ହେବେ କି? ଫ୍ରେଞ୍ଚମାନେ ଘରେ କଦାପି ଇଂରାଜୀ ଭାଷାରେ କଥା ହୁଅନ୍ତି ନାହିଁ। କେବଳ ଆମ ଭାରତୀୟଙ୍କ ମଧ୍ୟରେ ଏହି ବିମାରି (ରୋଗ) ଅଫ୍ ଅଙ୍ଗ୍ରେଜି କି ଗୁଲାମି ମାନସିକତା [କେବଳ ଆମ ଭାରତୀୟଙ୍କ ମଧ୍ୟରେ ଇଂରାଜୀ ଭାଷା ଉଚ୍ଚକୋଟୀର ବୋଲି ରୁଗ୍ଣ ମାନସିକତା ରହିଛି]।”
ସେ କହିଛନ୍ତି ଆଜିକାଲିର ପିଲାମାନେ ଇଂରାଜୀ ଶିକ୍ଷା କରୁଛନ୍ତି, ଏବଂ ସେମାନଙ୍କର ସମସ୍ତ ମାନସିକ ବଳ ବିଦେଶୀ ଭାଷା ଶିଖିବା ଏବଂ କହିବାରେ ନଷ୍ଟ ହେଉଛି, କଥା ଏମିତି ନାହିଁ ଯେ, “କେବଳ ଅଙ୍ଗ୍ରେଜୀସ(ଇଂରାଜମାନେ) ବୁଦ୍ଧିମାନ ଅଟନ୍ତି। ଆମେ ହିନ୍ଦୁସ୍ତାନୀମାନେ କ’ଣ ମୁର୍ଖ? ଏ କ୍ଷେତ୍ରରେ ତାହା କଦାପି ନୁହେଁ, କିନ୍ତୁ ଯଦି ଆମେ ଆମର ସମୟ ବିଦେଶୀ ଭାଷା ଶିଖିବାରେ ବ୍ୟୟ କରିବା ତାହାହାଲେ ଆମର [ଭାରତୀୟ] ଭାଷାର ବିକାଶ ହୋଇପାରିବ ନାହିଁ.” ବୋଲି ସେ କହିଥିଲେ।

Muzamil Bhat

Muzamil Bhat

Muzamil Bhat

Muzamil Bhat
ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ରେ କୁହାଯାଇଛି ଯେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସେମାନଙ୍କର ମାତୃଭାଷାରେ ପାଠ ପଢ଼ିବେ। “ବୋଧହୁଏ ଭାରତୀୟ ଶିକ୍ଷାକ୍ଷେତ୍ରରେ ଏଯାବତ୍ ଏହା ସବୁଠାରୁ ବିଚାରବନ୍ତ ପଦକ୍ଷେପ ଅଟେ, ତେବେ ଏହା ଆହ୍ଵାନପୂର୍ଣ୍ଣ ହେବ,” ବୋଲି ମାସୁଦ କହିଛନ୍ତି।
ଶିକ୍ଷା ବୋର୍ଡ ପ୍ରଥମ ଶ୍ରେଣୀ ପାଇଁ ପୁସ୍ତକ କାଶ୍ମୀରୀ ଏବଂ ଡୋଗ୍ରିରେ ପ୍ରକାଶ କରିବା ସହିତ ଏହା ଲାଗୁ କରିଛି। ସେ କହିଥିଲେ ଯେ, ସେ ଶିନା ଭାଷାରେ ତାଙ୍କ ପାଠ୍ୟପୁସ୍ତକର ଶୀଘ୍ର ପ୍ରକାଶନକୁ ଅପେକ୍ଷା କରିଛନ୍ତି, ଏହା ସେ ପାଖାପାଖି ବର୍ଷେ ପୂର୍ବରୁ ପଠାଇଥିଲେ।
ଏହାରି ଭିତରେ ମାସୁଦ ତାଙ୍କର ସହଯୋଗୀମାନଙ୍କ ସହିତ ଶିନା ଲିପିର ମାନକୀକରଣ ପାଇଁ କାମ ଜାରି ରଖିଛନ୍ତି, “କିନ୍ତୁ ଏହା କେବେ ସରିବ ତାହା ମୁଁ କହିପାରିବି ନାହିଁ, ଆହୁରି ଅନେକ କାମ ରହିଛି, ମୁଁ ଭୟଭୀତ ଦିନକୁ ଦିନ ମୋର ବୟସ ବଢ଼ିବାରେ ଲାଗିଛି,” ବୋଲି ସେ କହିଥିଲେ।
ଏହି ଆଲେଖ ପ୍ରସ୍ତୁତିରେ ସହାୟତା ପାଇଁ ମାସୁଦ ଅଲ ହସନ ସାମୁନ, ବସିର ଅହମଦ ଟେରୋ, ଫରିଦ ଅହମଦ ଲୋନ ଏବଂ ଅବରାର-ଅଲ-ଆଲମଙ୍କୁ ସମ୍ବାଦଦାତା ଧନ୍ୟବାଦ ଜଣାଇଛନ୍ତି।
ଶିନାକବି ଗୁଲାମ ରସୁଲଙ୍କ କବିତା ଫରିଦ ଆବୃତ୍ତି କରିଥିବା ବେଳେ ତାହାର ସମ୍ପାଦନା ପ୍ରତିଷ୍ଠା ପାଣ୍ଡ୍ୟା କରିଛନ୍ତି। ମାସୁଦ ଅଲ ହସନ ସାମୋନଙ୍କର କବିତାର ଇଂରାଜୀ ଅନୁସୃଜନ ମୁଜାମିଲ ଓ ପ୍ରତିଷ୍ଠା ପାଣ୍ଡ୍ୟା କରିଛନ୍ତି।
ପରୀର ବିଲୁପ୍ତପ୍ରାୟ ଭାଷା ପ୍ରକଳ୍ପ(ଇଏଲ୍ପି) ଅଜିମ ପ୍ରେମଜୀ ବିଶ୍ଵବିଦ୍ୟାଳୟର ଏକ ପ୍ରୟାସର ଅଂଶବିଶେଷ ଅଟେ।ଏହାର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଭାଷା କହୁଥିବା ଲୋକଙ୍କର କଥା ଏବଂ ଅନୁଭୂତିରବିପଦରେ ଥିବା ଭାରତୀୟ ଭାଷାର ଦସ୍ତାବିଜକରଣ କରିବା।
ଏହି କାହାଣୀ ପରୀ ସିନିୟର ଫେଲୋସିପ୍ ୨୦୨୫ଅଧୀନରେ ପ୍ରକାଶିତ ହୋଇଛି।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/in-gurez-home-is-not-where-the-word-is-or