ପଚାଶ ବର୍ଷୀୟା ଅଶୋକ ରାଣୀ ଗୋଣ୍ଡ କେବେ ହେଲେ ବିଦ୍ୟାଳୟକୁ ଯାଇନାହାନ୍ତି, କିନ୍ତୁ ତାଙ୍କ ୯ ବର୍ଷ ବୟସର ନାତି ଦିନେ ହେଲେ ସ୍କୁଲ ଯିବା ବନ୍ଦ କରେ ନାହିଁ, ସେ ହସିହସି କହନ୍ତି, “ଏକ ଭି ଦିନ ନହିଁ ଛୋଡ଼ା [ଦିନେ ହେଲେ ଯିବା ବନ୍ଦ କରେନି]”, ସେ ‘ପରୀ’କୁ କହନ୍ତି।
ଡବା ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖେଇଥିବା ୩୯ ଜଣଙ୍କ ଭିତରୁ ତାଙ୍କ ନାତି ହେଉଛି ଜଣେ। ମୁଣ୍ଡିଆମାଳ, ଖୋଲା ଘାସଜମି (ତୃଣଭୂମି) ଓ ମଝିରେ ମଝିରେ ଚାଷଜମି ଦ୍ଵାରା ପରିବେଷ୍ଟିତ ଏହି ଗାଁଟିର ଜନସଂଖ୍ୟା (୨୦୧୧ ଜନଗଣନା) ପ୍ରାୟ ୫୦୦। ଗାଁର ଅଧିକାଂଶ ପରିବାର – ମୁଖ୍ୟତଃ ଗୋଣ୍ଡ ଆଦିବାସୀ – କିଛି ମାତ୍ରାରେ ଚାଷବାସ କରନ୍ତି ଓ ଗୋରୁଗାଈ ପାଳନ୍ତି।
ଗାଁର ଅଧିକାଂଶ ବୟସ୍କ ଲୋକ ଆଦୌ ସ୍କୁଲ ଯାଇ ନାହାନ୍ତି – ୨୦୧୩ର ରିପୋର୍ଟ ଅନୁଯାୟୀ ଗୋଣ୍ଡ ଆଦିବାସୀମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ସାକ୍ଷର ନୁହନ୍ତି।
ତେଣୁ ଦବା ବିଦ୍ୟାଳୟରେ ସର୍ବଦା କେତେକ ଅନିଚ୍ଛୁକ ଛାତ୍ର ରହିଥିଲେ ଓ ସେମାନଙ୍କ ସଂଖ୍ୟା ଋତୁ ଅନୁଯାୟୀ ବଦଳେ: ଯେତେବେଳେ କାମ କମିଯାଏ ସେତେବେଳେ ସ୍କୁଲ ଯାଉନଥିବା ପିଲାମାନଙ୍କ ସଂଖ୍ୟା ବୃଦ୍ଧିପାଏ ଓ ସ୍ଥାନାନ୍ତର ହେଉଥିବା ପରିବାରଗୁଡ଼ିକ ଛୋଟ ପିଲାମାନଙ୍କୁ ସେମାନଙ୍କ ସାଙ୍ଗରେ ନେଇଯାଆନ୍ତି। କେତେକ ପିଲା ଘରେ ରହିବାକୁ ପସନ୍ଦ କରନ୍ତି ଓ ଘର ଚାରିପଟେ ଖେଳକୁଦ କରନ୍ତି – ଆମ୍ବ, ପିଜୁଳି ଓ ଅନ୍ୟାନ୍ୟ ଗଛରେ ଚଢ଼ିବା ହେଉଛି ୬ରୁ ୯ ବର୍ଷ ବୟସର ପିଲାମାନଙ୍କ ପାଇଁ ସର୍ବଦା ଆକର୍ଷଣୀୟ।
ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ – ଏହିଠାରେ ଜନ୍ମ ହୋଇ ବଢ଼ିଛନ୍ତି – ତାରାଚାନ୍ଦ ଯାଦବଙ୍କର ଅନିଚ୍ଛୁକ ଛାତ୍ରମାନଙ୍କ ପାଇଁ ଏକ ରଣନୀତି ରହିଛି। ସେ ଦିନେ ଦୁଇଦିନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି, ଓ ତା’ପରେ ନିଜକୁ କିଛି ଚକଲେଟ ଅସ୍ତ୍ର ଦ୍ଵାରା ସଜ୍ଜିତ କରି ସେ ସେହି ନୀତିନିଷ୍ଠ ପିଲାଟିର ଘରେ ଯାଇ ପହଞ୍ଚନ୍ତି। “ମୁଁ ପ୍ରଥମେ ପିଲାମାନଙ୍କ ବାପ ମା’ଙ୍କ ସହ କଥାହୁଏ, ପିଲାମାନଙ୍କୁ ପଠେଇବାକୁ ବୁଝାଏ”, ସେ କହନ୍ତି। “ସେମାନେ କହନ୍ତି, ‘ମାଷ୍ଟ୍ରେ, ମଜୁରି ଖଟିବାକୁ ଆମେ ବହୁତ ସକାଳୁ ବାହାରି ଯାଉଛୁ... ଆମେ କ’ଣ କରିବୁ?”















