“ମୋ ବାପା ଯଦି ମତେ ପଢ଼ିବାକୁ ଦେଇଥାନ୍ତେ ମୁଁ ହୋଇ ପାରିଥାଆନ୍ତି ଜଣେ ପୁଲିସ ଅଫିସର”, ସେ ଇଚ୍ଛାପୂର୍ଣ୍ଣ ଭାବନା ସହ କହିସାରି ସାବୁନ ଫେଣରେ ବତୁରା ହେଇଥିବା ସିଙ୍କ୍ ଭର୍ତ୍ତି ବାସନ ଆଡ଼କୁ ମୁହଁ ବୁଲାଉଛନ୍ତି । ଏବେ ସକାଳ ନ’ଟା ବାଜିଛି ଓ ଏହାପରେ ସୁରକ୍ଷିତ ଆବାସ ସ୍ଥଳର ଅନ୍ୟ ଆପାର୍ଟମେଣ୍ଟଗୁଡ଼ିକୁ ତାକୁ ଯିବାକୁ ହେବ। ଜଣେ ଘରୋଇ ସହାୟିକା ଭାବେ କାମ କରୁଥିବା ସ୍ଥାନୀୟ କଲୋନୀରେ ତାକୁ ସମସ୍ତେ ଅନିତା ଦିଦି ବୋଲି ଜାଣନ୍ତି । ଉତ୍ତର-ପଶ୍ଚିମ ହାଇଦ୍ରାବାଦରେ କ୍ରମେ ବଢୁଥିବା ନଲଗଣ୍ଡଲା ଜନବସତିରେ ଯେଉଁଠି ସେ କାମ କରୁଛି ସେଠାରୁ ସେ ରହୁଥିବା ପଡ଼ୋଶୀ ସଙ୍ଗାରେଡ୍ଡୀ ଜିଲ୍ଲାର ପଟାନଚେରୁସ୍ଥିତ ଘରକୁ ଯିବାକୁ ତାକୁ ୧୦ କି. ମି. ବାଟ ଯିବା ଆସିବା କରିବାକୁ ପଡ଼େ ।
ତେଲେଙ୍ଗାନାରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ ଲମ୍ବାଡ଼ି ଗୋଷ୍ଠୀର ଅନିତା ରାଥୋଡଙ୍କ ବୟସ ମାତ୍ର ୨୫ ବର୍ଷ, କିନ୍ତୁ ସେ ଚାରିଟି ପିଲାଙ୍କ ମା’ ହେଇସାରିଲେଣି । ହାଇଦ୍ରାବାଦରେ ସୁରକ୍ଷିତ ଭାବେ ରହୁଥିବା ଆପାର୍ଟମେଣ୍ଟ ବାସିନ୍ଦାଙ୍କ ଘରେ କାମ କରୁଥିବା ଅନେକ ପ୍ରବାସୀ ଶ୍ରମିକଙ୍କ ଭିତରୁ ସେ ଜଣେ – ଦେଶରେ ପ୍ରବାସୀ ଶ୍ରମିକମାନଙ୍କୁ ଆକର୍ଷିତ କରୁଥିବା ସହରଗୁଡ଼ିକ ମଧ୍ୟରୁ ହାଇଦ୍ରାବାଦର ସ୍ଥାନ ହେଉଛି ପଞ୍ଚମ। ଦୀର୍ଘ ସମୟ ଧରି କାମ କରିବା ପାଇଁ ସେ ଘରେ ପିଲାମାନଙ୍କୁ ତା’ ବାପା ମା’ଙ୍କ ପାଖରେ ଛାଡ଼ିଆସିଛି, ଆଉ ଛାଡ଼ିଆସିଛି ନିଜ ଚଲାଗିଡ଼ା ତାଣ୍ଡା ଗାଁର ଜୀବନ ଏବଂ ଛାଡ଼ିଛି ନିଜର ସବୁ ସ୍ଵପ୍ନ।
ପ୍ରତିଦିନ ସକାଳ ୪ଟାରୁ ରାନ୍ଧିବା, ଲୁଗା ସଫା କରିବା ଓ ଘର ପରିଷ୍କାର କରିବା ସହ ଆରମ୍ଭ ହୁଏ ତା’ର ଦିନ। ସକାଳ ସାଢ଼େ ପାଞ୍ଚଟାରେ ତାଙ୍କ ଘରପାଖରୁ ରଙ୍ଗାରେଡ୍ଡୀ ଜିଲ୍ଲାସ୍ଥିତ ଲିଙ୍ଗମପଲ୍ଲୀକୁ ବସ୍ ଧରେ। ସେଠାରୁ ୨୦ ଟଙ୍କା ଦେଇ ଅଟୋରେ ନାଲାଗାଣ୍ଡଲାସ୍ଥିତ ସୁରକ୍ଷିତ ଆବାସସ୍ଥଳୀ ନିକଟରେ ପହଞ୍ଚେ। ୨୦୨୩ ରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ରାଜ୍ୟ ପରିବହନ ବିଭାଗର ବସ୍ଗୁଡ଼ିକରେ ମହାଲକ୍ଷ୍ମୀ ଯୋଜନା ଅନୁଯାୟୀ ମହିଳାମାନେ ମାଗଣାରେ ଯାତ୍ରା କରୁଛନ୍ତି, ଓ ତାହା ଦ୍ଵାରା ଅନିତା ନିଜ କର୍ମସ୍ଥଳୀକୁ ଯିବା ପାଇଁ କିଛିଟା କମ୍ ଖର୍ଚ୍ଚ କରୁଥିଲେ ବି ଯିବା ଆସିବା କରିବା ପାଇଁ ପ୍ରତିଦିନ ତାଙ୍କୁ ୮୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।














