ତାଙ୍କ ଦିନ ଆରମ୍ଭ ହୁଏ ସକାଳ ସାଢ଼େ ପାଞ୍ଚଟାରେ। “ସକାଳ ସାଢ଼େ ଆଠଟା ସୁଦ୍ଧା ରନ୍ଧାବଢ଼ା, ଖିଆପିଆ ସାରି ପ୍ରସ୍ତୁତ ହେଇଯାଉ ଓ କାମକୁ ବାହାରିଯାଉ। ଅଧିକାଂଶ ଦିନ ଆମେ ଭାତ, ସବଜି [ପରିବା ତରକାରୀ] ଓ ଡାଲ୍ [ଡାଲି] ଖାଉ”, ସେ କହନ୍ତି। ସେହି ସମାନ ଖାଦ୍ୟ ସେମାନେ ଦିନବେଳା କାମ କରୁଥିବା ଜାଗାରେ ଖାଇବାକୁ [ଲଞ୍ଚ] ସାଙ୍ଗରେ ନେଇଯାଆନ୍ତି। “ଦିନସାରା ଗଧ ଖଟଣି ଖଟିଖଟି ଯଦି ରାତିରେ ଟିକିଏ ଭଲ ଖାଇବନି ତା’ର କିଛି ମାନେ ନାହିଁ। ତାହା ହେଲା ରୁଟି ଓ କୁକୁଡ଼ା ମାଂସ, କିମ୍ବା ମଛଲି [ମାଛ] ଓ ଚାୱଲ [ଭାତ]”। ସେମାନେ ରାନ୍ଧିବା ଓ ତେଜରାତି ଜିନିଷ କିଣାକିଣି ପାଳି କରି କରନ୍ତି। ନବୀନ ତାଙ୍କର ରୁଟି ତିଆରି କରିବା ଦକ୍ଷତାକୁ ଛାତି ଫୁଲେଇ କହନ୍ତି। ସେ କହନ୍ତି ଯେ ସେ ଖୁବ କମ୍ ସମୟରେ ତାଙ୍କ ସହକର୍ମୀମାନଙ୍କ ପାଇଁ ଜଣ ପିଛା ଛ’ଟାରୁ ସାତଟା ଲେଖାଏଁ ରୁଟି କରିଦେଇ ପାରନ୍ତି।
ଗୋଟିଏ ଲମ୍ବା ଦିନ ଶେଷରେ କ୍ଳାନ୍ତ ହୋଇ ଯାଇଥିବା ଛ’ରୁ ଆଠ ଜଣ ଲୋକ ଗୋଟିଏ ୧୦” x ୧୦” ସ୍ଥାନରେ ଭିଡ଼ିଭାଡ଼ି ହେଇ ଶୋଇ ଯାଆନ୍ତି ଓ ବିଶ୍ରାମ ନିଅନ୍ତି, କର୍ମ ସ୍ଥଳରେ ଆଉ ଗୋଟିଏ କଷ୍ଟକର କର୍ମ ଦିବସ ଆରମ୍ଭ କରିବା ପାଇଁ। “ନିର୍ମାଣ ସ୍ଥଳରେ ଆମେ ମୁଣ୍ଡା [ମଜବୁତ, ସିଧା କାଠପଟା], ସାରିୟା [ଲୁହାଛଡ଼], ଟିନ [ଟିଣ] ଓ ଟାରପଲିନ [ପାଲ] ଦ୍ଵାରା ନିଜ ନିଜ ପାଇଁ ଗୋଟିଏ ଗୋଟିଏ ଛୋଟ ସ୍ୱଳ୍ପସ୍ଥାୟୀ କ୍ୟାବିନ ତିଆରି କରିଥାଉ”। ନବୀନ ତାଙ୍କ ଫୋନରେ ଥିବା କିଛି ଫଟୋ ଦେଖାନ୍ତି।
“ସେଠ ବା ନିର୍ମାଣକାରୀ [ବିଲଡର] କେତେକ ଅତି ଦରକାରୀ ବ୍ୟବସ୍ଥା ଯୋଗାଇ ଦେବା ସହ ଟଙ୍କା ଦିଅନ୍ତି। ମଶା, ମୂଷା ଓ ମାଛି ଆମ କ୍ୟାବିନ ଭିତରେ ସବୁବେଳେ ବୁଲୁଥାନ୍ତି। ଏବଂ ସେଠି ଟଙ୍କା ଓ ମୋବାଇଲ ଫୋନ ଚୋରିଚାରୀ ବି ହୁଏ”, ସେ ଜଣାନ୍ତି। ନିର୍ମାଣକାରୀଙ୍କ ପକ୍ଷରୁ ଇଲେକ୍ଟ୍ରିସିଟି ଓ ପାଣି ଯୋଗାଇ ଦିଆଯାଏ, କିନ୍ତୁ କାମ କରୁଥିବା ଲୋକମାନେ ବାରମ୍ବାର ଇଲେକଟ୍ରି ଲାଇନ ଚାଲି ଯାଉଥିବା ଅଭିଯୋଗ କରନ୍ତି। “ଆମେ ଟେଣ୍ଟରେ ରହୁଥିବା ସମୁଦାୟ ୫୦-୬୦ ଜଣଙ୍କ ବ୍ୟବହାର ପାଇଁ କେବଳ ଗୋଟିଏ ବା ଦୁଇଟି ପାଇଖାନା ଥାଏ, ଯେଉଁଥିପାଇଁ ସକାଳେ ସମସ୍ତେ ପ୍ରସ୍ତୁତ ହେବା ବେଳକୁ ଭୀଷଣ ବିଶୃଙ୍ଖଳା ହୁଏ।
“ନିର୍ମାଣ ସ୍ଥଳରେ ଆମର ସୁରକ୍ଷା ଓ ସ୍ଵାସ୍ଥ୍ୟ ରକ୍ଷା ପାଇଁ କିଛି ନିୟମ ନଥାଏ। ଆତ୍ମରକ୍ଷା ପାଇଁ ଆମ ପାଖରେ କୌଣସି ଉପକରଣ ନଥାଏ”, କହନ୍ତି ନବୀନ। କିଛି ବର୍ଷ ତଳେ ସେ ଦେଖିଛନ୍ତି ଯେ କେମିତି ଜଣେ ଶ୍ରମିକ କାମ କରୁଥିବା ବେଳେ ଉପରୁ ଗୋଟିଏ ଢାଙ୍କୁଣୀ ପଡ଼ି ସେ ମରିଯିବା ଯୋଗୁ ଯେଉଁ ପୋଲିସ କେସ୍ ହେଇଥିଲା ସେଥିରୁ ଠିକାଦାର ଓ ମାଲିକ କେବଳ ନିଜ ନିଜକୁ ବଞ୍ଚେଇବା ପାଇଁ କେମିତି ସେମାନଙ୍କ ସମସ୍ତ ଶକ୍ତି ଲଗେଇ ଦେଇଥିଲେ। “ମଣିଷମାନେ କେମିତି ଏତେ ହାରାମି ହୁଅନ୍ତି?” ସେଇ ଘଟଣାକୁ ମନେ ପକେଇ ନବୀନ ବିମର୍ଷ ହୁଅନ୍ତି।
କୋଭିଡ-୧୯ ମହାମାରୀ ସମୟରେ ସମ୍ପୂର୍ଣ୍ଣ ବନ୍ଦ [ଲକଡାଉନ] ଆରମ୍ଭ ହେବାର ପ୍ରଥମ ଦୁଇ ମାସ ଏହି ଯୁବକଙ୍କୁ ବହୁତ ବଡ଼ ଆଘାତ ଦେଇଥିଲା। “ତାହା ଅତି ନିର୍ମମ ଥିଲା। ନିର୍ମାଣକାରୀଙ୍କଠାରୁ ଆମକୁ କିଛି ବି ଟଙ୍କା ମିଳି ନଥିଲା। ଖାଦ୍ୟ ମିଳୁ ନଥିଲା। ଯଦି ଆମେ ଅତି ଦରକାରୀ କିଛି ଜିନିଷ ଆଣିବାକୁ ବାହାରୁଥିଲୁ ପୋଲିସ ଆମକୁ ଗୋଡ଼େଇ ଗୋଡ଼େଇ ପିଟୁଥିଲା। ପୁରା ଦୁଇମାସ ପରେ ଆମ ଗାଁର ପ୍ରାୟ ୫୦ ଜଣ ଲୋକ ଏକାଠି ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଟିଏ ଲରିରେ ଗାଁକୁ ଫେରିଲେ”।