“ଯଦି ତୁମେ ଘୁଂଘୁ ପିନ୍ଧି ଜଙ୍ଗଲକୁ ଯାଅ, ବିଜୁଳି ଚଡ଼ଚଡ଼ି କେବେ ହେଁ ତୁମ ଉପରେ ପଡ଼ିବ ନାହିଁ”, କହନ୍ତି ସୁଖନି ଅସୁର, ଯିଏ କି ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ଅନ୍ତର୍ଗତ କୁଜାମ ଗାଁର ଅଧିବାସୀ। ଘୁଂଘୁ ମଲୁ ବା ଶିଆଳି (ଫନେରା ବାହିଲି) ଲତାର ପତ୍ରରେ ତିଆରି ହୁଏ, ଓ ଏହି ଅଞ୍ଚଳରେ ମଲୁ ସାଧାରଣ ଭାବେ ମିଳୁଥିବା ଏକ ଲତା।
ଘୁଂଘୁକୁ ସାରା ବର୍ଷ ବ୍ୟବହାର କରାଯାଏ। ଖରାଦିନେ ଏହା ଲୁରୁ (ଗରମ ପବନରୁ) ସୁରକ୍ଷା ଦିଏ, ଶୀତ ଦିନେ ଥଣ୍ଡା ପବନରୁ ଓ ବର୍ଷା ଦିନେ ବର୍ଷାରୁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଏହି ଗମ୍ବୁଜାକୃତି ଘୁଂଘୁ ମୁଣ୍ଡରେ ପିନ୍ଧିଲେ ପିନ୍ଧିଥିବା ଲୋକର ଦୁଇ ହାତ କାମ କରିବାକୁ ମୁକ୍ତ ରହେ।
ସୁଖନି ଛୋଟ ପିଲାବେଳୁ ତାଙ୍କ ମା’ଙ୍କଠାରୁ ଘୁଂଘୁ କେମିତି ବନାହୁଏ ଶିଖିଥିଲେ। “ପୂର୍ବରୁ ସମସ୍ତେ ଜଙ୍ଗଲରୁ ମଲୁ (ଶିଆଳି) ପତ୍ର ଆଣୁଥିଲେ ଓ ଘୁଂଘୁ ବନାଉଥିଲେ”, କହନ୍ତି ୫୬-ବର୍ଷୀୟା ସୁଖନି। “କିନ୍ତୁ ଏବେ ଏହାକୁ କମ ଲୋକ ବ୍ୟବହାର କରୁଛନ୍ତି ଓ ବହୁତ କମ ଲୋକ ତିଆରି କରୁଛନ୍ତି”।
ସୁଖନି ହେଉଛନ୍ତି ଅସୁର ଗୋଷ୍ଠୀର ଲୋକ – ଯେଉଁ ଗୋଷ୍ଠୀ ରାଜ୍ୟରେ ବିଶେଷ ପଛୁଆ ଆଦିବାସୀ ଶ୍ରେଣୀ (ପିଭିଟିଜି) ଭାବେ ପରିଗଣିତ। ତାଙ୍କ ପରିବାର ନିଜର ୧୦ ଏକର ଜମିରେ ଚାଷ କରନ୍ତି, ଅଧିକାଂଶତଃ ଧାନ, ମକା ଓ ସୁଆଁ, ଇତ୍ୟାଦି।
ବିଶୁନପୁର ବନ ଉପଖଣ୍ଡ ସୁଖନିଙ୍କ ୧୨ ଜଣିଆ ପରିବାର ଲୋକେ ରହୁଥିବା ତିନି ବଖରାର ମାଟିଘରଠାରୁ ଅତି ବେଶୀରେ ମାତ୍ର ୫୦୦ ମିଟର ଦୂରତାରୁ ଆରମ୍ଭ ହୋଇଛି। କୁଜମ ଗାଁର ଲୋକମାନେ ଜାଳେଣି କାଠ, ଫଳମୂଳ, ଗାଈଗୋରୁଙ୍କୁ ଚରାଇବା ଓ ଅନ୍ୟ ସବୁକିଛି ଆବଶ୍ୟକତା ପାଇଁ ଏହି ଜଙ୍ଗଲ ଉପରେ ନିର୍ଭର କରନ୍ତି – “ହମରା ରୋଜିରୋଟି ସବ ୟହି ହୈ [ଏହା ଆମର ଜୀବନ ଜୀବିକା ସବୁକିଛି]”, କହନ୍ତି ସୁଖନି।
























