“ଏହା ହେଉଛି ସେହି ସ୍ଥାନ, ଯେଉଁଠି ମୁଁ ବରଫ ତଳେ ପ୍ରାୟ ପୋତି ହୋଇଯାଇଥିଲି। ଅନେକ ଧରି ନେଇଇଥିଲେ ଯେ, ମୋର ମୃତ୍ୟୁ ହୋଇସାରିଛି।”
ଶାରାପ ୧୭,୪୮୦ ଫୁଟ ଉଚ୍ଚରେ ତାଙ୍ଗଲାଙ୍ଗ ଲା’ ମାଉଣ୍ଟେନ ପାସରେ ଭୀଷଣ ବରଫପାତ କଥା ମନେ ପକାଉଛନ୍ତି। “ଅନ୍ୟ ଶ୍ରମିକମାନେ ମତେ ବଞ୍ଚାଇବା ପାଇଁ ଦୌଡ଼ି ଆସିଥିଲେ,” ଵୋଲି ସେ କହିଲେ। ସେ ଅତ୍ୟନ୍ତ ଭାଗ୍ୟଶାଳୀ ଥିଲେ, ପାଖରେ ସେନାର ଡାକ୍ତରଖାନା ରହିଥିବାରୁ ତୁରନ୍ତ ତାଙ୍କର ଚିକିତ୍ସା ହୋଇପାରିଥିଲା ବୋଲି ସେ କହିଥିଲେ।
ଲଦାଖର ସୁଉଚ୍ଚ ପର୍ଵତମାଳାରେ କାମ କରୁଥିବା ରାସ୍ତାଘାଟ ନିର୍ମାଣ ଶ୍ରମିକମାନଙ୍କୁ ନିୟମିତ ଭାବେ ଅନିଶ୍ଚିତ ଜଳବାୟୁ ଏବଂ ତା’ ସହିତ ଯୋଡ଼ିହୋଇ ରହିଥିବା ବିପଦର ସମ୍ମୁଖୀନ ହେବାକୁ ପଡୁଛି। ନିୟମିତ ଭାବେ ତାପମାତ୍ରା ହିମାଙ୍କ ତଳକୁ ଖସିଆସିଥାଏ, କିନ୍ତୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହାର ମାତ୍ରା ଆହୁରି ବୃଦ୍ଧି ପାଇଛି। ଲେହ ଜିଲ୍ଲା ଅନ୍ତର୍ଗତ ଗ୍ୟା ଗ୍ରାମର ନିବାସୀ ଶାରାପ କୁହନ୍ତି,”ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଳମ୍ଵିତ ବରଫପାତ କାରଣରୁ ବର୍ତ୍ତମାନ ଆମକୁ ଅଧିକ ବିପଦର ସମ୍ମୁଖୀନ ହେବାକୁ ପଡୁଛି, ଏଥିପାଇଁ ମଧ୍ୟ ଅଧିକ ବରଫପାତ ହେଉଛି।”
ଶାରାପଙ୍କ ଭଳି ଶ୍ରମିକ ଏବଂ ତାଙ୍କ ଟିମ୍ର ଦାୟିତ୍ଵ ହେଉଛି ତାଙ୍ଗଲାଙ୍ଗ ଲା’ - ଅଞ୍ଚଳର ଦ୍ଵିତୀୟ ସର୍ବୋଚ୍ଚ ପାସ୍ - କୁ ପୁଣି ଖୋଲିବା। ତୀବ୍ର ଥଣ୍ଡା ଏବଂ ଚରମ ଜଳବାୟୁ କାରଣରୁ ଏହି ପାସ୍ ଅକ୍ଟୋବରରୁ ମେ’ ମାସ ପର୍ଯ୍ୟନ୍ତ ବନ୍ଦ ରହିଥାଏ। ପାସ ଖୋଲିବା ପରେ ଲେହରୁ ମନାଲି ଜାତୀୟ ରାଜପଥରେ ସୁଗମ ଯାତାୟାତ ସୁନିଶ୍ଚିତ ହୋଇଥାଏ- ଏହି ୪୨୮ କିଲୋମିଟର ଯାତ୍ରାରେ ଚାରିଟି ପାସ ଅତିକ୍ରମ କରିବାକୁ ପଡ଼ିଥାଏ ଏବଂ ତାଙ୍ଗଲାଙ୍ଗ ଲା’ ହେଉଛି ସବୁଠାରୁ ଉଚ୍ଚତମ ସ୍ଥାନ। ଯଦିଓ ଏହି ସ୍ଥାନର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ତଥାପି ଭୀଷଣ ପବନ ଏବଂ ଥଣ୍ଡା କାରଣରୁ ଜଣେ ୧୦ରୁ ୧୫ ମିନିଟରୁ ଅଧିକ ସମୟ ଠିଆହୋଇ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା କଷ୍ଟକର ହୋଇପଡ଼ିଥାଏ।


















