ହରିଆଣା ଗ୍ରାମାଞ୍ଚଳରେ ଅନୁଷ୍ଠିତ ସମାରୋହଗୁଡ଼ିକରେ ସାଧାରଣତଃ ହୁକ୍କା କେନ୍ଦ୍ର ବିନ୍ଦୁ ପାଲଟିଥାଏ। “ହୁକ୍କା କେ ସାହାରେ ପଞ୍ଚାୟତ ଚଲତିରେ ୟା କରତି (ପଞ୍ଚାୟତଗୁଡ଼ିକ ହୁକ୍କା ସାହାରାରେ ଚାଲିଆସିଛି)”, ପିଲାଦିନେ ଗାଁ ଛକର ସାଧାରଣ ଦୃଶ୍ୟ ମନେପକାଇ ରୋହତାସ ଏଭଳି କୁହନ୍ତି।
“ଚାହା କିମ୍ୱା ପାଣି ଆମକୁ ଦିନସାରା ଫୁର୍ତ୍ତି ଦେଇପାରେନା, ହୁକ୍କା କିନ୍ତୁ ବ୍ୟବହାରିକ ହୋଇଥାଏ----ଥରେ ଏଥିରେ ତମାଖୁ ଭର୍ତ୍ତି କରି ଅଗ୍ନି ସଂଯୋଗ କରିବା ପରେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ। ପାଞ୍ଚରୁ ଦଶଜଣ ଲୋକ ଏକାଠି ବସି ଘଣ୍ଟା ଘଣ୍ଟା ପରସ୍ପର ମଧ୍ୟରେ ହୁକ୍କା ଦିଆନିଆ କରି ସହଜରେ ବ୍ୟବହାର କରିପାରିବେ। ଏହାସହିତ ରୋହତାସ (ସେ କେବଳ ଏହି ନାମ ବ୍ୟବହାର କରନ୍ତି) କୁହନ୍ତି ଯେ ସମୟ ଅତିବାହିତ କରିବା ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ ବୋଲି।”
ଜଣେ ୪୦ ବର୍ଷୀୟ ହୁକ୍କା କାରିଗର ସ୍ମିତହାସ୍ୟ କରି କହିଲେ, “ବର୍ତ୍ତମାନ ପ୍ରତି ଘର ନିଜର ଚୌପାଲ (ଗ୍ରାମ ଛକ) ପାଲଟିଛି ଏବଂ ପ୍ରତ୍ୟେକ ଘରର ନିଜସ୍ୱ ହୁକ୍କା ଅଛି”। ପରୀ ସହିତ କଥା ହେବା ବେଳେ, ସେ ଗୋଟିଏ ଥର ହୁକ୍କା ଟାଣିଥିଲେ- ଏକ ଅଭ୍ୟାସ ଯାହାକୁ ସେ ୧୨ବର୍ଷ ତଳେ ଆପଣାଇଥିଲେ, ଏକି କାରିଗରୀ କାମ ଆରମ୍ଭ କରିବା ପରେ।
ଷୋଡ଼ଶ ଶତାବ୍ଦୀରେ ଉତ୍ତର ଭାରତରେ ହୁକ୍କା ନଳୀ ବ୍ୟବହାର ମୋଗଲ ଶାସନ କାଳରେ ଆରମ୍ଭ ହୋଇଥିଲା। କେତେକ ବିବରଣୀ ଅନୁଯାୟୀ ଆକବର, ତୃତୀୟ ମୋଗଲ ସମ୍ରାଟ, ହେଉଛନ୍ତି ସର୍ବପ୍ରଥମେ ଏହି ହୁକ୍କା ବ୍ୟବହାର କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ଯଦିଓ କିଛି ଐତିହାସିକ ତଥ୍ୟ ଏକଥା ବି କହେ ଯେ, ଏହାର ବ୍ୟବହାର ଆହୁରି ପୂର୍ବରୁ କେନ୍ଦ୍ରୀୟ ଓ ପଶ୍ଚିମ ଏସିଆରୁ ଆରମ୍ଭ ହୋଇଛି।
ସେ ଯାହା ବି ହେଉ, ହରିଆଣାବାସୀଙ୍କ ଦୈନନ୍ଦିନ ଜୀବନର ଏହା ହେଉଛି ଏକ ଜନପ୍ରିୟ ପରମ୍ପରା, ଆମ ସଂସ୍କୃତି ର ଏକ ଅଂଶ, ବୋଲି କୁହନ୍ତି ଧରମବୀର। ”ହୁକ୍କା ଧରି ନିଆଯାଉଛି ବଡ଼ ବଡ଼ ନିଷ୍ପତ୍ତି”।




















