“ହରିୟାଣା, ପଞ୍ଜାବ ହୁଁ ଲେଗେ ଜଇସାଲମାର ତକ ସାରୋ ଦେଶ ମାହୋରୋ ପଗା ହୁ ନାପେଦୋ ହୈନ୍ [ହରିୟାନା ଓ ପଞ୍ଜାବଠାରୁ ନେଇ ଜୟସାଲମାର ପର୍ଯ୍ୟନ୍ତ ଆମ ଦେଶର ମାନଚିତ୍ରକୁ ଆମେ ପାଦରେ ଚାଲି ଚାଲି ମାପି ଦେଇଛୁ]”, କହନ୍ତି ଭଦର ଭୋପା। ଏହି ୬୫-ବର୍ଷୀୟ ବ୍ୟକ୍ତି ଜଣକ ଉତ୍ତର-ପଶ୍ଚିମ ରାଜସ୍ଥାନରେ ତାଙ୍କ ଘର ପାଖରେ ଥିବା ଗଛମୂଳେ ବସିଛନ୍ତି। “ଏମିତି କିଛି ଜାଗା ନାହିଁ ଯାହା ଆମେ ଦେଖିନାହୁଁ”, ସେ ଯୋଗ କରି କହନ୍ତି।
ଭଦର ହେଉଛନ୍ତି ଗୁଜରାଟ ଓ ରାଜସ୍ଥାନରେ ରହୁଥିବା ଭୋପା ଯାଯାବର ଗୋଷ୍ଠୀର ଲୋକ, ଯେ କି ଦେଶର ଚାରିଆଡ଼େ ବୁଲି ବୁଲି ବାଉଁଶ ଓ ଷଢ଼େଇରେ ତିଆରି ରାଭଣହଥା (ରାଭଣ ହସ୍ତବୀଣା) ନାମକ ତାର ବାଦ୍ୟଯନ୍ତ୍ର ବଜାଇ ଜୀବନ କାଟିଛନ୍ତି। “”ଆମେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଉ, ସେଠାରେ ରହୁ, ବାଦ୍ୟଯନ୍ତ୍ର ବଜାଉ, ଓ ସେଠାରୁ ଆଗକୁ ବଢୁ”, ସେ ‘ପରୀ’କୁ କହନ୍ତି।
ଶେଷକୁ, ୧୧ ବର୍ଷ ତଳେ, ଭଦର ଓ ଓ ତାଙ୍କର ପାଞ୍ଚ ପୁଅ ସେମାନଙ୍କ ମୂଳ ଜୀବନକୁ ଛାଡ଼ି ଚୁରୁ ଜିଲ୍ଲାରେ ବସବାସ କରୁଛନ୍ତି। “ମୁଁ ସେହି ଜୀବନ [ଯାଯାବର ଜୀବନ] ଜୀଇଁବାରେ କ୍ଳାନ୍ତ ହେଇଗଲି, ତେଣୁ ଗୋଟିଏ ଗାଁରେ ମୁଁ ବସବାସ କଲି”, ବର୍ତ୍ତମାନ ଧୀରୱାସ ବାରାରେ ରହୁଥିବା ଭଦର କହନ୍ତି। ଏହି ଗାଁ ଦେଇ ସେ ଅନେକ ଥର ଯିବା ଆସିବା କରିଥିଲେ ଓ ସେଠାକାର ଲୋକଙ୍କ ସହ ବେଶ୍ ପରିଚିତ ହୋଇଯାଇଥିଲେ, ତେଣୁ ରହିବା ପାଇଁ ସେ ଏହାକୁ ବାଛିଲେ। ମୋ ଜେଜେବାପାଙ୍କର ଆମ ଗାଁ ଦେଇ ଏହି ବାଦ୍ୟକାର ଭୋପା ପରିବାର ଯିବା ଆସିବା କରୁଥିବା କଥା ମନେ ଅଛି।
ଏହି ପରିବାର ନାୟକ ଗୋଷ୍ଠୀ (ଅନୁସୂଚୀତ ଜାତି ଭାବେ ତାଲିକାଭୁକ୍ତ) ସହିତ ସମ୍ପୃକ୍ତ କରେ, ଯଦିଓ ବା ରାଜସ୍ଥାନରେ ଭୋପାମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗର (ଓବିସି) ମାନ୍ୟତା ଦିଆଯାଏ। ନାୟକମାନେ ମଧ୍ୟ ସେମାନଙ୍କୁ ନିଜ ଗୋଷ୍ଠୀର ଅଂଶ ଭାବେ ଗ୍ରହଣ କରିବାକୁ ଅମଙ୍ଗ ହୁଅନ୍ତି।
ପ୍ରଥମତଃ, ଧୀରୱାସ ବାରାରେ ଜମି କିଣିବା ଅତ୍ୟଧିକ ମହଙ୍ଗା, ତେଣୁ ସେମାନେ ପ୍ରଥମ ଦୁଇବର୍ଷ ଗାଁ ବାହାରେ ରହିଲେ। “ପରବର୍ତ୍ତୀ ସମୟରେ ଆମେ ଗାଁର ସରପଞ୍ଚଙ୍କୁ ଭେଟିଲୁ, ଏବଂ ସେ ଆମକୁ ଏହି ଜମି ପାଇଁ ଅନୁମତି ଦେଲେ”, କହନ୍ତି ଭଦର ଭୋପାଙ୍କ ପୁଅ ଭୱନର ଲାଲ। “ଏହା ପ୍ରାୟ ଏକ ବିଘା ଓ ତିନି ବିଶ୍ଵା [ପ୍ରାୟ ୦.୭୫ ଏକର]”।
ଧୀରୱାସ ବାରା ଗାଁର ମୁଖ୍ୟ ବସ ଷ୍ଟାଣ୍ଡଠାରୁ ଦକ୍ଷିଣରେ ଚାଷଜମିକୁ ଯାଉଥିବା ଗଲେ ଦୁଇଟି ଶ୍ମଶାନ ଭୂମିକୁ (ଶ୍ମଶାନ) ପାର କରି ଯିବାକୁ ପଡ଼ିବ। ପ୍ରଥମଟିକୁ ସ୍ଵାମୀ ଗୋଷ୍ଠୀ (ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ସୂଚୀତ) ଲୋକମାନେ ବ୍ୟବହାର କରୁଛନ୍ତି, ଏବଂ କିଛି ଦୂରରେ ଥିବା ଅନ୍ୟ ଶ୍ମଶାନଟି ଅନୁସୂଚୀତ ଜାତି ପାଇଁ ରହିଛି। ଦୁଇଟିଯାକ ଶ୍ମଶାନକୁ ଏହି ରାସ୍ତାଟି ଏହାର ଅନ୍ୟ ପାର୍ଶ୍ଵରେ ଥିବା ଦଳିତ ମହଲାଠାରୁ ଅଲଗା କରୁଛି। ଏଠାରୁ ଆହୁରି ଆଗରେ ଅଛି ହାଡ୍ଡୱାର – ଯେଉଁଠାରେ ମୃତ ଗୋରୁଗାଈଙ୍କୁ ଫୋପଡ଼ା ଯାଏ।
ଏହି ହାଡ୍ଡୱାରର ଗୋଟିଏ ପାର୍ଶ୍ଵରେ ଥିବା କଚ୍ଚା ଘରଗୁଡ଼ିକରେ ଭଦର ଭୋପାଙ୍କ ସମ୍ପ୍ରସାରିତ ପରିବାରର ପ୍ରାୟ ପଚାଶ ଜଣ ଲୋକ ରହନ୍ତି। ସେମାନେ ବର୍ତ୍ତମାନ ସ୍ଥାୟୀ ଭାବେ ରହୁଛନ୍ତି, ଯାହା କି ସେମାନେ ପୂର୍ବରୁ ବଞ୍ଚୁଥିବା ଜୀବନଠାରୁ ସମ୍ପୂର୍ଣ୍ଣ ଅଲଗା।










