ଅହମୀୟା ପର୍ବ ରଙ୍ଗୋଲି ବିହୁ ପୂର୍ବ ଦିନଗୁଡ଼ିକରେ ତନ୍ତର କାଠ ଫ୍ରେମ୍ ଉପରେ ଚାଲୁଥିବା ସୂତା ଓ ଶଟଲ୍ର ଖଟ୍ ଖଟ୍ ସ୍ୱର ଆଖପାଖ ଅଞ୍ଚଳରେ ଶୁଣିବାକୁ ମିଳିଥାଏ।
ଭେଲାପାଡ଼ା ଅଞ୍ଚଳର ଏକ ଶାନ୍ତ ଗଳିରେ ପତ୍ନେ ଦେଉରୀ ନିଜ ହସ୍ତତନ୍ତରେ କାମ କରିବାରେ ବ୍ୟସ୍ତ ରହିଛନ୍ତି। ସେ ବଜ୍ରାଝର ଗାଁରେ ଥିବା ନିଜ ଘରେ ଏଣ୍ଡି ଗାମୁସା ବୁଣୁଛନ୍ତି। ଏପ୍ରିଲ ମାସରେ ଆୟୋଜିତ ହେଉଥିବା ଅହମୀୟା ନବବର୍ଷ ଏବଂ ଫସଲ ଉତ୍ସବ ପାଇଁ ସେଗୁଡ଼ିକୁ ଠିକ୍ ସମୟରେ ପ୍ରସ୍ତୁତ କରିବାକୁ ହେବ।
କିନ୍ତୁ ଏଗୁଡ଼ିକ ଅନ୍ୟ ସାଧାରଣ ଗାମୁସା ଭଳି ନୁହେଁ । ଏହି ୫୮ ବର୍ଷୀୟା ମହିଳା ଜଣଙ୍କ ଖୁବ୍ ନିଖୁଣ ଫୁଲ ଡିଜାଇନ ସବୁ ବୁଣିପାରନ୍ତି ଓ ଏଥିପାଇଁ ତାଙ୍କର ପ୍ରସିଦ୍ଧି ରହିଛି। “ବିହୁ ପୂର୍ବରୁ ମୋତେ ୩୦ଟି ଗାମୁସା ବୁଣିବା ଲାଗି ଅର୍ଡର ମିଳିଛି, କାରଣ ଲୋକମାନେ ଏସବୁକୁ ସେମାନଙ୍କ ଅତିଥିଙ୍କୁ ଉପହାର ରୂପେ ଭେଟିଦେବେ। ଗାମୁସା - ସାଧାରଣତଃ ଦେଢ଼ ମିଟର ଲମ୍ବ କପଡ଼ାରେ ବୁଣାହୁଏ ଏବଂ ଅହମୀୟା ସଂସ୍କୃତିରେ ଏହାର ବିଶେଷ ଗୁରୁତ୍ୱ ରହିଛି । ପର୍ବପର୍ବାଣୀ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାର ବିଶେଷ ଚାହିଦା ରହିଥାଏ, ଲାଲ ରଙ୍ଗର ସୂତା ଏହାକୁ ଉତ୍ସବମୟ ପରିବେଶର ପ୍ରତୀକ ରୂପେ ଦର୍ଶାଇଥାଏ।
“କପଡ଼ା ଉପରେ ଫୁଲ ବୁଣିବାରେ ମୋର ବିଶେଷ ରୁଚି ରହିଛି । ଯେତେବେଳେ ମୁଁ କୌଣସି ଫୁଲକୁ ଦେଖିବି, ମୁଁ ବୁଣୁଥିବା କପଡ଼ା ଉପରେ ଠିକ୍ ସେହିପରି ଫୁଲର ଡିଜାଇନ୍ କରିପାରିବି । ଥରେ ଖାଲି ସେହି ଫୁଲ ଦେଖିଲେ ମୁଁ ବୁଣିପାରିବି,” ଗର୍ବର ସହିତ ସ୍ମିତ ହସି ଦେଉରୀ କୁହନ୍ତି। ଦେଉରୀ ସମ୍ପ୍ରଦାୟ ଆସାମରେ ଅନୁସୂଚୀତ ଜନଜାତି ରୂପେ ତାଲିକାଭୁକ୍ତ ।












