ରୋଷେଇ ଶାଳର ଚୁଲି ଜଳିଲାଣି। ତିଆମୋଙ୍ଗଲାଙ୍କ ପାଖରେ ନଷ୍ଟ କରିବାକୁ ଆଦୌ ବେଳ ନାହିଁ। ସେ ରୋଷେଇ ଘରେ ବ୍ୟସ୍ତତା ସହ ଏପଟ ସେପଟ ହେଉଛନ୍ତି, ଆଜି ସକାଳୁ ବଗିଚାରୁ ତୋଳିଥିବା ମିପାଙ୍ଗ (ସାରୁ) ପତ୍ର, ରସୁଣିଆ ଗନ୍ଧଯୁକ୍ତ ଚିଭ୍ସ, ଜଙ୍ଗଲରୁ ସଂଗ୍ରହ କରିଥିବା ‘ଥୋତୁ’ ଗଛର ପତ୍ର ଏବଂ କଙ୍କଡ଼ା ପେଷ୍ଟ ଇତ୍ୟାଦି ଏକାଠି କରିବାରେ ଲାଗିଛନ୍ତି।
ଚାଙ୍ଗକିର ଏହି ୫୫ ବର୍ଷୀୟା ମହିଳା ଚାଷୀ ଜଣକ ‘ମିପାଙ୍ଗମିଙ୍ଗ୍’ ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଯାହା ଆଓ ନାଗା ସମ୍ପ୍ରଦାୟର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ। ସେ ଅତିଥିମାନଙ୍କ ପାଇଁ କିମ୍ବା ସ୍ୱତନ୍ତ୍ର ଅବସରରେ ରୋଷେଇ କରନ୍ତି। ଚାଙ୍ଗକି ଭାଷାରେ କଥା ହୋଇ ତିଆମୋଙ୍ଗଲା ଲୋଙ୍ଗଚାରି ବୁଝାଇ କୁହନ୍ତି, "ଆମ ଜାତିରେ ଲୋକପ୍ରିୟ ଥିବା ପନିପରିବା ମିଶା ତରକାରି ‘ରୋସୁପ୍’ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ।" ସେ ଏହି ମିପାଙ୍ଗମିଙ୍ଗକୁ ନିଜ ବିଲରୁ ଅମଳ ହୋଇଥିବା ଚାଉଳରେ ପ୍ରସ୍ତୁତ ଭାତ ଏବଂ ସ୍ଥାନୀୟ ଦେଶୀ କୁକୁଡ଼ା ଭଜା ସହିତ ପରିଷେଣ କରିବେ।
ମିପାଙ୍ଗମିଙ୍ଗକୁ ଏକ ସ୍ୱତନ୍ତ୍ର ସ୍ୱାଦ ପ୍ରଦାନ କରୁଥିବା ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ହେଲା ଲୁଣ, କଞ୍ଚାଲଙ୍କା, ବିଲାତି ବାଇଗଣ, ମିଚିଗାନ୍ (ସିଚୁଆନ୍ ପେପର) ପତ୍ର, ତେଜାଙ୍ଗଲେହସୁନ୍ (ସ୍ଥାନୀୟ ରସୁଣ ଚିଭ୍ସ), ଅଦା ପତ୍ର ଏବଂ ଜାଙ୍ଗପାଙ୍ଗନାସୁ (ଫର୍ମେଣ୍ଟେଡ କଙ୍କଡ଼ା ପେଷ୍ଟ)। ଏହା ସହିତ ସେ ସେହି ଋତୁରେ ମିଳୁଥିବା ତାଜା ପନିପରିବା ମଧ୍ୟ ବ୍ୟବହାର କରନ୍ତି।
ଚାଙ୍ଗକି ଗାଁର ଜନସଂଖ୍ୟା (୨୦୧୧ ଜନଗଣନା ଅନୁଯାୟୀ) ୨,୪୮୬ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଓ ନାଗା ସମ୍ପ୍ରଦାୟର (ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ)। ଚାଙ୍ଗକି ଭାଷା କେବଳ ଏହି ଗାଁର ଲୋକମାନେ ହିଁ କହିଥାନ୍ତି। ଚାଙ୍ଗକି ହେଉଛି ଆଓ ନାଗା ଭାଷା ଗୋଷ୍ଠୀର ଏକ ଅସୁରକ୍ଷିତ କିସମ, ଯାହା ସ୍ଵୟଂ ୟୁନେସ୍କୋ ଦ୍ଵାରା ଅସୁରକ୍ଷିତ ଭାଵରେ ଶ୍ରେଣୀଭୁକ୍ତ ହୋଇଛି।
ଅନ୍ୟ ଚାଙ୍ଗକି ମହିଳାମାନଙ୍କ ପରି ତିଆମୋଙ୍ଗଲା ମଧ୍ୟ ସ୍ଥାନୀୟ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ପ୍ରାୟ ଦୁଇ ଘଣ୍ଟା ଧରି ବିଲ ହୁଡ଼ା, ଜଙ୍ଗଲିଆ ରାସ୍ତା ଓ ଜଳାଶୟ କୂଳରେ ଚାଲି ଚାଲି ମିପାଙ୍ଗ, ଥୋତୁ ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ସଂଗ୍ରହ କରନ୍ତି।
ସେ ପରୀକୁ କୁହନ୍ତି, "ପୂର୍ବ କାଳରେ ଜଙ୍ଗଲରେ ବୁଲି ବୁଲି ଖାଦ୍ୟ ସାମଗ୍ରୀ ସଂଗ୍ରହ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ବାହାରୁ ଜିନିଷ ପାଇବା ସହଜ ନଥିଲା।" ତାଙ୍କ ପିଢ଼ିର ମହିଳାମାନଙ୍କ ପାଇଁ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରିବା ଏକ ସ୍ୱାଭାବିକ କଥା। "ଆଜିକାଲି ଆମେ ମଧ୍ୟ ବଜାରରୁ ଜିନିଷ କିଣୁଛୁ, ହେଲେ ସେତେବେଳେ ଆମେ କେବଳ ଝୁମ୍ ଚାଷ ଜମି, ଧାନ ବିଲ ଏବଂ ବାଡ଼ି ବଗିଚାରେ ଯାହା ଉତ୍ପାଦନ କରୁଥିଲୁ, ତାହାକୁ ହିଁ ଖାଉଥିଲୁ।"
ଜଙ୍ଗଲରୁ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିବା ମୁଖ୍ୟତଃ ମହିଳାମାନେ ହିଁ କରନ୍ତି, ଯଦିଓ ପୁରୁଷମାନେ ମଧ୍ୟ ଜଙ୍ଗଲ ବା ବିଲକୁ ଗଲେ କିଛି ନା କିଛି ନେଇ ଆସନ୍ତି। ସେ କୁହନ୍ତି, "ବାପା-ମାଆ କିମ୍ବା ଅଭିଜ୍ଞ ସଂଗ୍ରହକାରୀଙ୍କ ସାଙ୍ଗରେ ଯାଇ ଆମେ ଜଙ୍ଗଲରୁ କ’ଣ ଖାଇବା ଯୋଗ୍ୟ ଏବଂ କ’ଣ ନୁହେଁ, ସେହି ଜ୍ଞାନ ଓ କୌଶଳ ଶିଖିଛୁ। ନୂଆ ପିଢ଼ିର ପିଲାମାନେ ଚାଷ କିମ୍ବା ଜଙ୍ଗଲରୁ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିବା ପରିବର୍ତ୍ତେ ଅନ୍ୟ ରୋଜଗାର ପନ୍ଥା ଆପଣାଉଛନ୍ତି" ବୋଲି ସେ ତାଙ୍କ ଘର ପାଖରେ ଥିବା ଦିମାପୁର ବଜାରରୁ ଆଣିଥିବା ‘ଓଏଷ୍ଟର ମସରୁମ୍’ ଏବଂ ମୂଲ୍ୟବାନ ‘ଥୋତୁ’ ପତ୍ରକୁ ବାଛିବା କାମ କରିବା ସହିତ କହିଲେ। "ଥୋତୁ ସହିତ ମିପାଙ୍ଗ [ସାରୁ ପତ୍ର] କୁ ଏକାଠି ରାନ୍ଧିଲେ ଖାଇବାକୁ ବହୁତ ଭଲ ଲାଗେ।"
ଏହାର ଏକ ମୁଖ୍ୟ ସାମଗ୍ରୀ ହେଉଛି କଙ୍କଡ଼ା ପେଷ୍ଟ, ଯାହା ଆଓ ନାଗା ରୋଷେଇରେ ବହୁଳ ଭାବରେ ବ୍ୟବହୃତ ହୁଏ। ତିଆମୋଙ୍ଗଲା ଗର୍ବର ସହ କୁହନ୍ତି, "ଚାଙ୍ଗକିରେ ତିଆରି ହେଉଥିବା କଙ୍କଡ଼ା ପେଷ୍ଟ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ ଏବଂ ଏହାର ବହୁତ ଚାହିଦା ରହିଛି।"
ସେ ବୋତଲର ଠିପି ଖୋଲିବା ମାତ୍ରେ ରୋଷେଇ ଘରଟି ଏକ ମିଠା ଏବଂ ଫେର୍ମେଣ୍ଟ ହୋଇଥିବା ମାଛ ଭଳି ଗନ୍ଧରେ ଭରିଗଲା। ଜାଙ୍ଗପାଙ୍ଗନାସୁ ହେଉଛି ଆଓ ନାଗାମାନଙ୍କର ଏକ ବିଶେଷ ସାମଗ୍ରୀ, ଯାହା ଧାନ କ୍ଷେତ କଡ଼ରେ ଥିବା ଅଳ୍ପ ଗଭୀର ପାଣିରୁ ମିଳୁଥିବା କଙ୍କଡ଼ାରୁ ତିଆରି ହୁଏ। କଙ୍କଡ଼ାଗୁଡ଼ିକୁ ପୋଡ଼ି ଖୋଳପା ଛଡ଼ାଯାଏ, ତା’ପରେ ସେଗୁଡ଼ିକୁ ଭଲ ଭାବେ କୁଟାଯାଏ ଓ କଳା ରାଶି ସହିତ ମିଶାଇ ରଖାଯାଏ । ତା’ପରେ ଏହାକୁ କଦଳୀ ପତ୍ରରେ ଗୁଡ଼ାଇ ଚୁଲି ପାଖରେ କିଛି ଦିନ ପର୍ଯ୍ୟନ୍ତ ଫର୍ମେଣ୍ଟ ହେବା ପାଇଁ ରଖାଯାଏ। ଆଓ ନାଗା ରୋଷେଇରେ ବିଭିନ୍ନ ପ୍ରକାରର ଚଟଣି, ତରକାରି ଏବଂ ଷ୍ଟ୍ୟୁର ସ୍ୱାଦ ବଢ଼ାଇବା ପାଇଁ ଏହା ହେଉଛି ଏକ ଅତ୍ୟାବଶ୍ୟକ ସାମଗ୍ରୀ।
ତିଆମୋଙ୍ଗଲା ବହୁ ପ୍ରତିଭାର ଅଧିକାରୀ, ସେ କେବଳ ଜଣେ ଚାଷୀ ନୁହନ୍ତି, ବରଂ ଜଣେ ନିପୁଣ କୁମ୍ଭାର ମଧ୍ୟ. ପଢ଼ନ୍ତୁ :ଚାଙ୍ଗକିର ମହିଳା କୁମ୍ଭକାର
ସେ କୁହନ୍ତି ଯେ ଚଳିତ ବର୍ଷ (୨୦୨୫) ପାଗ ବହୁତ ଅସ୍ୱାଭାବିକ ରହିଛି ଏବଂ ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଧାନ ବିଲ ନଷ୍ଟ ହୋଇଯାଇଛି। "ଭୂସ୍ଖଳନରେ ମୋର ତଳିଘେରା ସମେତ ବିଲର କିଛି ଅଂଶ ନଷ୍ଟ ହୋଇଗଲା, ତେଣୁ ଏବେ ମୋର ଝୁମ୍ କ୍ଷେତରେ ମୁଖ୍ୟତଃ ଅଦା ଚାଷ କରିଛି କାରଣ ଏହା ବିକ୍ରି କଲେ ଭଲ ଦୁଇ ପଇସା ମିଳିବ।"
ସେ ନିଜେ ତିଆରି କରିଥିବା ଏକ ଚାଙ୍ଗକି ମାଟି ହାଣ୍ଡିରେ ରୋଷେଇ କରୁଛନ୍ତି, କାରଣ ତାଙ୍କ ମତରେ ଏହି ସ୍ଥାନୀୟ ପାତ୍ରରେ ରାନ୍ଧିଲେ ତରକାରି ସବୁଠାରୁ ସୁଆଦିଆ ଲାଗେ। ସୋରିଷ ତେଲରେ ଦିଆ ଛୁଙ୍କର ତୀବ୍ର ଗନ୍ଧ ଆଉ ଭଲ ଭାବେ ଫର୍ମେଣ୍ଟ ହୋଇଥିବା କଙ୍କଡ଼ାର ମହକ ଏକାଠିହୋଇ ପୁରା ରୋଷେଇ ଘରେ ଭର୍ତ୍ତି ହୋଇଗଲାଣି। ଖାଇବା ଆରମ୍ଭ କରିବା ପାଇଁ ଅପେକ୍ଷା କରିବାକୁ ଆମର ଆଉ ଧର୍ଯ୍ୟ ନାହିଁ।


