ଯେତେବେଳେ ରୀନା ପାର୍ତ୍ତେତି ବିବାହ ପରେ ପ୍ରଥମ କରି ଲୋନାଦେଇ ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରେ ପାଦ ଦେଇଥିଲେ, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
“ପରିବାରର ଛୋଟ ପିଲାମାନେ ମଧ୍ୟ ମୋର ମାତୃଭାଷା [ଗୋଣ୍ଡି] ଅତି ସ୍ପଷ୍ଟ ଭାବରେ କହିପାରୁଥିଲେ । ରୀନା ମନେପକାଇଲେ । “ଅନ୍ୟପଟେ ରୀନା ନିଜ ଗୋଣ୍ଡ ସମ୍ପ୍ରଦାୟର ଭାଷା କଷ୍ଟେମଷ୍ଟେ ବୁଝି ପାରୁଥିଲେ, ଯେହେତୁ “ମୋ ଗାଁ [ମୋୟା]ରେ କେହି ଗୋଣ୍ଡି କହୁନଥିଲେ” ଵୋଲି ୩୪ ବର୍ଷୀୟା ଏହି ଆଦିବାସୀ ଚାଷୀ କହିଲେ ।
ଲୋନାଦେଇ ଗ୍ରାମର ପ୍ରାୟ ୮୦ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ଗୋଣ୍ଡ ଆଦିବାସୀ । ସେ କୁହନ୍ତି, “ଏପରିକି ଯେଉଁମାନେ ଗୋଣ୍ଡ ସମ୍ପ୍ରଦାୟର ନୁହନ୍ତି, ସେହିଭଳି ଲୋକମାନେ ମଧ୍ୟ ଏହି ଭାଷା କହି ପାରୁଛନ୍ତି ।”
ରୀନାଙ୍କ ପୁତୁରା ଓ ଭାଣିଜୀମାନେ ତାଙ୍କୁ ଥଟ୍ଟାରେ କହୁଥିଲେ, “ମାମିକୋ ଗୋଣ୍ଡି ଵୋଲତେ ନହିଁ ଆତି, ଚାଚି କୋ ଗୋଣ୍ଡି ଵୋଲତେ ନହିଁ ଆତି ” [ମାଇଁଙ୍କୁ ଗୋଣ୍ଡି କହି ଆସେନି, ଖୁଡ଼ୀଙ୍କୁ ଗୋଣ୍ଡି କହିଆସେନି]! ଏହି ଘଟଣାକୁ ମନେପକାଇ ସେ ହସି ହସି କହନ୍ତି, “ଯଦିଓ ପ୍ରଥମେ ପ୍ରଥମେ ମୁଁ କହିବା ବେଳେ ବହୁତ ଖନେଇ ଯାଉଥିଲି, କିନ୍ତୁ ପରିଶେଷରେ ମୁଁ ସେମାନଙ୍କ ସହ ନିଜ ମାତୃଭାଷାରେ କଥା ହେବା ଆରମ୍ଭ କଲି ।”
ଗୋଣ୍ଡି ଏକ ଦ୍ରାବିଡ଼ ଭାଷା, ଯାହା କେବଳ ମଧ୍ୟପ୍ରଦେଶ ନୁହେଁ ବରଂ ମଧ୍ୟଭାରତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବହୁଳ ଭାବରେ ବ୍ୟବହାର ହେଉଥିଲା । ଆଜି ଏହା ୟୁନେସ୍କୋ ଦ୍ୱାରା ଏକ ସମ୍ଭାବ୍ୟ ବିପଦାପନ୍ନ ଭାଷା ଭାବରେ ତାଲିକାଭୁକ୍ତ ହୋଇଛି । ଯଦିଓ ଗୋଣ୍ଡ ସମ୍ପ୍ରଦାୟ ରାଜ୍ୟର ଅନ୍ୟତମ ବୃହତ୍ତମ ଆଦିବାସୀ ସମ୍ପ୍ରଦାୟ, ତଥାପି ସେମାନଙ୍କ ଭାଷା ଏବେ ବିପଦରେ ଅଛି ।
















