ଅଥଚ, ଅତୀତରେ ଦିନେ ଗୋଣ୍ଡି ଭାଷାର ଆଦୃତି ଥିଲା ।
“...ଗୋଣ୍ଡି ଥିଲା ପ୍ରାଚୀନ ଗୋଣ୍ଡବାନା ରାଜ୍ୟର ରାଜଭାଷା ଏବଂ ଏହି ଭାଷାର ନିଜସ୍ୱ ଲିପି, ବ୍ୟାକରଣ, ଭାଷାର ଅଳଙ୍କାର, ଶବ୍ଦତତ୍ତ୍ବ, ଏବଂ ସାହିତ୍ୟ ରହିଥିଲା, ଯାହା କି ଆଜି ମଧ୍ୟ ଉପଲବ୍ଧ,” ଗୋଣ୍ଡି ସାହିତ୍ୟର ଜଣେ ପଣ୍ଡିତ ମୋତିରାମ କାଙ୍ଗାଲିଙ୍କର ଏହି ଉକ୍ତି ଭାଷା ଗବେଷଣା ଏବଂ ପ୍ରକାଶନ କେନ୍ଦ୍ରର ୱେବ୍ସାଇଟ୍ରେ ରହିଛି ।
ଏକଦା, ଏବକାର ମଧ୍ୟପ୍ରଦେଶର ଅଧିକାଂଶ ଭାଗ ଗୋଣ୍ଡିମାନଙ୍କ ଶାସନାଧୀନ ଥିଲା । “ଆମେମାନେ ଦେବୀ ଗୌରାଙ୍କର (ବିଭିନ୍ନ ହିନ୍ଦୁ ପୁରାଣ ଶାସ୍ତ୍ରରେ ପାର୍ବତୀ ଏବଂ ଦୁର୍ଗା ନାମରେ ପରିଚିତ) ବଂଶଧର । ସେଥିପାଇଁ ଆମେ ନିଜକୁ ଗୋଣ୍ଡ ବୋଲି କହିଥାଉ,” ଛିନ୍ଦୱାଡ଼ାର ଜଣେ ଗୋଣ୍ଡ ସାମାଜିକ କର୍ମୀ ରାମନାଥ ପରତେତି କହନ୍ତି । ଅଥଚ, ବର୍ତ୍ତମାନ ସମୟରେ ଗୋଣ୍ଡ ସମାଜର ଏହି ସମୃଦ୍ଧ ଇତିହାସ ଓ ବଂଶ ପରମ୍ପରାକୁ କଦବା କେମିତି ସ୍ୱୀକୃତି ମିଳିଥିବା ଦେଖାଯାଏ । ଯେମିତି କି ଗୋଣ୍ଡ ରାଣୀ କମଲାପତିଙ୍କ ନାମ ଅନୁସାରେ ଗୋଟିଏ ରେଳ ଷ୍ଟେସନର ନାମକରଣ କରାଯାଇଛି ।
ସେମାନଙ୍କ ଭାଷାର ମଧ୍ୟ ଅବକ୍ଷୟ ଘଟିଛି ଏବଂ ନିମ୍ନାଭିମୁଖୀ ହୋଇ ଏହା ଏବେ ପ୍ରାୟ ସେମାନଙ୍କ ଘରର ଚାରି କାନ୍ଥ ଭିତରେ ସୀମିତ । ବାହାରେ, ସର୍ବସାଧାରଣ ସ୍ଥାନରେ, ଏହି ସଂପ୍ରଦାୟର ଲୋକମାନେ ସର୍ବଦା ହିନ୍ଦୀ ଭାଷା ବ୍ୟବହାର କରିବାକୁ ପସନ୍ଦ କରନ୍ତି । ମୁଖ୍ୟତଃ ଏହି ଜନଜାତିର ବୟୋଜ୍ୟେଷ୍ଠ ଲୋକେ ଏବେ ବି ଗୋଣ୍ଡି ଭାଷା କହନ୍ତି; କିନ୍ତୁ ଏହି ଭାଷା ଶିଖିବାକୁ କିମ୍ବା କହିବାକୁ ଯୁବ ପିଢ଼ି ମଧ୍ୟରେ ଦ୍ୱିଧାବୋଧ ବୃଦ୍ଧି ପାଇବାରେ ଲାଗିଛି । ଅନେକଙ୍କ ମତରେ, ଏହାର କାରଣ, ଶ୍ରୋତାଙ୍କ ପାଖରେ ଏହି ଭାଷାର ଭୁଲ ଅର୍ଥ ବାହାରିବାର ସମ୍ଭାବନା କିମ୍ବା ଅଣ-ଗୋଣ୍ଡି ଭାଷାଭାଷୀଙ୍କ ଦ୍ୱାରା ଉପହସିତ ହେବାର ଆଶଙ୍କା, ଯାହା କି ଆହୁରି ଖରାପ କଥା ।
ପ୍ରାର୍ଥନାଙ୍କ ବାପା ମନ୍ତରାମ ପରତେତି ଲୋନାଦେଇର ଜଣେ କୃଷକ ଏବଂ ଘରେ ଥିବା ସମୟରେ ସେ ତାଙ୍କ ପିଲାମାନଙ୍କ ସହିତ କେବଳ ଗୋଣ୍ଡି ଭାଷାରେ କଥାବାର୍ତ୍ତା କରନ୍ତି ସିନା, ବାହାରେ ତାଙ୍କ ପରିବାରର ଲୋକେ ହିନ୍ଦୀରେ କଥାବାର୍ତ୍ତା କରନ୍ତି । ଏମିତି କି ପରସ୍ପର ମଧ୍ୟରେ କଥାବାର୍ତ୍ତାରେ ମଧ୍ୟ ହିନ୍ଦୀ ବ୍ୟବହାର କରନ୍ତି । ସେ କହନ୍ତି, “ସେମାନେ (ଅଣ-ଗୋଣ୍ଡି ଭାଷାଭାଷୀ ଲୋକେ) ଆମକୁ ଉପହାସ କରନ୍ତି ଏବଂ ବେଳେବେଳେ ଆମ କଥାକୁ ଭୁଲ ବୁଝନ୍ତି । ଏବେ ବି (ଆମେ ଗୋଣ୍ଡି ଭାଷା କହିଲେ) ଲୋକେ ଆମକୁ ଚିଡ଼ାନ୍ତି ।”
ନିକଟରେ ସେ ତାଙ୍କ ପୁଅ ପୃଥ୍ୱୀରାଜକୁ ଭେଟିବା ଲାଗି ସେ ପଢୁଥିବା ଆବାସିକ ବିଦ୍ୟାଳୟକୁ ଯାଇଥିବା ସମୟର ଗୋଟିଏ ଘଟଣା ବର୍ଣ୍ଣନା କରନ୍ତି ମନ୍ତରାମ । “ମୁଁ ତାକୁ ଗୋଣ୍ଡି ଭାଷାରେ କହିବା ଆରମ୍ଭ କଲି । ଗୋଣ୍ଡି ଭାଷା ଜାଣି ନଥିବା ସେଠାକାର ଶିକ୍ଷକ ଓ ଅନ୍ୟ ପିଲାମାନେ ଆମକୁ ଉପହାସ କରିବା ଆରମ୍ଭ କଲେ । ମୁଁ ଲଜ୍ଜା ଅନୁଭବ କଲି,” ସେ କହନ୍ତି । ତା’ପରଠାରୁ ତାଙ୍କ ସ୍କୁଲକୁ ଗଲେ ଗୋଣ୍ଡି ଭାଷାରେ କଥା କହିବା ଲାଗି ତାଙ୍କ ପୁଅ ତାଙ୍କୁ ବାରଣ କରିଛି: “ସେ ମୋତେ କହିଲା, ମୁଁ ଘରେ ଥିବା ବେଳେ ତୁମେ ମୋତେ ଯେତେ ଇଚ୍ଛା ସେତେ ଗୋଣ୍ଡି ଭାଷା କହିପାର ।”
ମୁଖ୍ୟତଃ ଗୋଣ୍ଡମାନଙ୍କର ଗାଁ ହୋଇଥିଲେ ହେଁ ଲୋନାଦେଇ ଏହାର ଯୁବ ପିଢ଼ିକୁ ମାତୃଭାଷାରେ କଥାବାର୍ତ୍ତା କରି ଏଥିରେ ଗର୍ବ ଅନୁଭବ କରାଇବା କ୍ଷେତ୍ରରେ ଏକ ବିଷମ ସ୍ଥିତିର ସମ୍ମୁଖୀନ ହୋଇଛି । ରାମନାଥ କହନ୍ତି ଯେ, ଲୋନାଦେଇରେ ଯାହା ଘଟୁଛି ତାହା କେବଳ ସାରା ଜିଲ୍ଲାରେ ଦେଖାଦେଇଥିବା ସାମଗ୍ରିକ ପରିସ୍ଥିତିର ପ୍ରତିଫଳନ ମାତ୍ର । “ ଆମ ଏଠାରେ, ଛିନ୍ଦୱାଡ଼ାରେ, ଗୋଣ୍ଡମାନେ ନୀଚ ଜାତିର ବୋଲି ବିଚାର କରାଯାଏ । ତେଣୁ, ସର୍ବସାଧାରଣ ସ୍ଥାନରେ ଗୋଣ୍ଡି ଭାଷାରେ କଥାବାର୍ତ୍ତା କଲେ ସେମାନଙ୍କୁ ଅନ୍ୟମାନେ ଘୃଣାଚକ୍ଷୁରେ ଦେଖିପାରନ୍ତି ବୋଲି ସେମାନେ ଆଶଙ୍କା କରନ୍ତି । ଏଥିପାଇଁ ସେମାନେ କେବଳ ନିଜ ନିଜ ମଧ୍ୟରେ ହିଁ ଗୋଣ୍ଡି ଭାଷାରେ କଥାବାର୍ତ୍ତା କରନ୍ତି,” ସେ କହନ୍ତି ।
ରାମନାଥଙ୍କ ମତରେ ଏଠାକାର ସ୍କୁଲ ଶିକ୍ଷା ପଦ୍ଧତି ମଧ୍ୟ ଗୋଣ୍ଡମାନଙ୍କ ବିରୋଧରେ ରହିଥିବା ଭେଦଭାବକୁ ଅଧିକ ଖୋରାକ ଯୋଗାଇଥାଏ ଏବଂ ଏହା ସହିତ ଗୋଣ୍ଡି ବ୍ୟବହାରକାରୀଙ୍କ ପାଖରୁ ଏହି ଭାଷାକୁ ଦୂରେଇ ନେବାରେ ଭୂମିକା ନିର୍ବାହ କରିଥାଏ । ଏହି ପ୍ରସଙ୍ଗରେ, ଅତରୱାଡ଼ା ବ୍ଲକ୍ ଅନ୍ତର୍ଗତ ତାଙ୍କ ଗାଁରେ ଥିବା ସରକାରୀ ସ୍କୁଲରେ ପଢୁଥିବା ତାଙ୍କ ସଂପ୍ରଦାୟର ପିଲାମାନେ କିଭଳି ଅପମାନର ସମ୍ମୁଖୀନ ହେଉଥିଲେ, ସେ କଥାକୁ ସେ ମନେ ପକାନ୍ତି ।
ଉଚ୍ଚ ଜାତିର ଶିକ୍ଷକମାନେ ଗୋଣ୍ଡ ପିଲାମାନଙ୍କୁ ଅନ୍ୟ ଜାତିର ଏବଂ ଆଦିବାସୀ ସହପାଠୀମାନଙ୍କ ପାଖରୁ କିଛି ଦୂରରେ ଅଲଗା ବସାଉଥିଲେ । ସେତିକିରେ କହି ସେ ଅଟକି ଯାଇ ନଥିଲେ । “ବୋଧହୁଏ ମୁଁ ସେତେବେଳେ ୧୦ମ ଶ୍ରେଣୀର ଛାତ୍ର ଥିଲି, ଯେତେବେଳେ ଶର୍ମା ସାର୍ ଆମ ଗାଁର ଦୁଇ ଜଣ ଗୋଣ୍ଡ ପିଲାଙ୍କୁ ମାଡ଼ ମାରିବା ସହିତ ଗାଳି ଦେଇ କହୁଥିଲେ, ‘ତୁମେମାନେ ଗୋଣ୍ଡ ପିଲା । ତୁମମାନଙ୍କୁ ପଢ଼ାଇବା ଲାଗି ମୁଁ ଯେତେ କଷ୍ଟ କରି ଚେଷ୍ଟା କଲେ ବି ତୁମେମାନେ କେବେ ବି କିଛି ଶିଖି ପାରିବ ନାହିଁ ।’ ତା’ପର ଦିନରୁ ସେହି ପିଲାମାନେ ସ୍କୁଲ ଆସିବା ବନ୍ଦ କରିଦେଲେ ।