ପରୀ ଚଳଚ୍ଚିତ୍ର ବିଭାଗ ପାଇଁ ୨୦୨୩ ବର୍ଷ ସବୁଠୁ ଫଳପ୍ରଦ ଥିଲା - ଗ୍ରାମୀଣ ଭାରତର ଲୋକମାନଙ୍କ ଉପରେ ବହୁ ସଂଖ୍ୟାରେ ଭିଡ଼ିଓ, ପ୍ରମାଣିକ ଚଳଚ୍ଚିତ୍ର, କ୍ଷୁଦ୍ର କ୍ଲିପ୍ ଏବଂ ଫିଚର ଫିଲ୍ମ ପ୍ରସ୍ତୁତ କରାଯାଇଥିଲା।
ଏକ ଅନଲାଇନ ଜର୍ଣ୍ଣାଲ ରୂପରେ, ଆମେ ସେହି ସବୁ ଚଳଚ୍ଚିତ୍ରଗୁଡ଼ିକୁ ପ୍ରୋତ୍ସାହିତ କରିଥାଉ ଯେଉଁଗୁଡ଼ିକ ଆମ ଆଖପାଖର ଖବର ଓ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି। ବିହାରର ବିହାରଶରୀଫ ସହରରେ ଥିବା ମଦ୍ରାସା ଅଜିଜିଆ ଉପରେ ଆମର ଚଳଚ୍ଚିତ୍ର ଏକ ୧୧୩ ବର୍ଷ ପୁରୁଣା ପାଠଗାରକୁ ସାମ୍ପ୍ରଦାୟିକ ଦଙ୍ଗାରେ ଜଳାଇ ଦିଆଯିବା ଘଟଣାର ନିରୀକ୍ଷଣ କରିଥିଲା। ଆମେ ଜୈଶାଲମେର୍ ଜିଲ୍ଲାର ପବିତ୍ର ଉପବନକୁ ନେଇ ଅକ୍ଷୟ ଶକ୍ତି ଉପରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲୁ। ସୌର ଏବଂ ବାୟୁ ଶକ୍ତି ପ୍ଲାଣ୍ଟକୁ ହସ୍ତାନ୍ତର କରିବା ଲାଗି ଏହି ଝଟା ବଣକୁ ‘ଅନୁର୍ବର ଜମି’ ରୂପରେ ତ୍ରୁଟିପୂର୍ଣ୍ଣ ଭାବେ ବର୍ଗୀକୃତ କରାଯିବା ନିଷ୍ପତ୍ତିକୁ ଏଥିରେ ଚାଲେଞ୍ଜ କରାଯାଇଛି ।
ଆସାମର ବ୍ରହ୍ମପୁତ୍ର ନଦୀରେ ଜଣେ ଆଦିବାସୀ ମଈଁଷି ଚରାଳିଙ୍କ ମଧୁର ପ୍ରେମ ଗୀତକୁ ନେଇ ଆମେ ଚଳିତ ବର୍ଷର ପ୍ରାରମ୍ଭ କରିଥିଲୁ। ସାରା ବର୍ଷ ଆମେ ଦେଶର ବିଭିନ୍ନ ଭାଗ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଅନ୍ୟ ପ୍ରାନ୍ତରୁ ଗୀତ ଓ ନୃତ୍ୟଗୁଡ଼ିକର ସଂଗ୍ରହ ପ୍ରସ୍ତୁତ କରିବା ଜାରି ରଖିଥିଲୁ।
ପରୀର ଗ୍ରାଇଣ୍ଡମିଲ୍ ସଙ୍ଗୀତ ପ୍ରକଳ୍ପ ଉପରେ ଏକ ଚଳଚ୍ଚିତ୍ର ସହ ଆମେ ବର୍ଷ ଶେଷ କରିବାକୁ ଯାଉଛୁ - ଯାହାକି ବହୁ ଦଶନ୍ଧି ଧରି ଚାଲି ଆସିଥିବା ଏହି ଅଭୂତପୂର୍ବ କାର୍ଯ୍ୟର ଯାତ୍ରାକୁ ଧରି ରଖିଥାଏ।
ଚଳିତ ବର୍ଷ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ୱର୍ଥ ପ୍ରସ୍ତୁତ କରିଛୁ ଯାହା ପୁଣେରେ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାଙ୍କ ସ୍ୱରକୁ ସାମ୍ନାକୁ ଆଣିଛି ଯେଉଁମାନେ ପ୍ରଶ୍ନ କରୁଛନ୍ତି, ‘‘ଯଦି ଆପଣମାନେ ଅଳିଆ ସୃଷ୍ଟି କରୁଛନ୍ତି, ତା’ହେଲେ ଆମେ କେମିତି ‘କଚରେୱାଲି’ (‘ଅଳିଆବାଲି’) ହେଲୁ?’’ ଆଉ ପରିବର୍ତ୍ତିତ ଜଳବାୟୁର ପ୍ରଭାବ ଉପରେ ଆମ ଚଳଚ୍ଚିତ୍ର ମଧ୍ୟରେ ଆମେ ଆଲଫୋନ୍ସୋ ଆମ୍ବକୁ ନେଇ ଏକ ଚଳଚ୍ଚିତ୍ର ପ୍ରକାଶ କରିଛୁ, ଯାହାର ଉତ୍ପାଦନକାରୀ ଅନିୟମିତ ପାଗକୁ ନେଇ ଚିନ୍ତିତ।
ବର୍ଷ ସାରା ଆମେ ବିଭିନ୍ନ ଜନସମୁଦାୟ ଉପରେ ପ୍ରସ୍ତୁତ ନିଜ ଚଳଚ୍ଚିତ୍ର ସଂଗ୍ରହରେ ଯେଉଁସବୁ ଚଳଚ୍ଚିତ୍ର ସାମିଲ କରିଛୁ ସେଥିରେ ରହିଛି : ମେଡ଼ିଗା ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ମେଦାପୁରମ୍ରେ ଉଗାଦୀ ସମାରୋହ ଉପରେ ପ୍ରସ୍ତୁତ ଏ ଚଳଚ୍ଚିତ୍ର ଏକ ନୂଆ ଦଳିତ ପରମ୍ପରାର ଧ୍ୱନି ଓ ରଙ୍ଗକୁ ଜୀବନ୍ତ କରି ଦେଇଛି। ମାଲାବାର କ୍ଷେତ୍ରରେ ବିଭିନ୍ନ ଜାତି ଓ ସମ୍ପ୍ରଦାୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ତୋଲପାୱାକୁତୁ କଳା ଉପରେ ଏହି ଲମ୍ବା ଚଳଚ୍ଚିତ୍ର ଛାୟା କଣ୍ଢେଇ ନାଚର ଉପଯୋଗ କରି ବହୁମୁଖୀ ସଂସ୍କୃତିର କାହାଣୀ ବର୍ଣ୍ଣନା କରିଥାଏ। ଆହୁରି ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକରୁ, ଜଣେ ନାଦସ୍ୱରମ୍ ବାଦକଙ୍କ ଜୀବନକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ଯିଏକି ଭୂତ ପୂଜାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଅଟନ୍ତି। ପଶ୍ଚିମବଙ୍ଗର ବିଲୁପ୍ତ ପ୍ରାୟ ହୋଇଯାଇଥିବା ମହମ ଢାଞ୍ଚାରେ ମୂର୍ତ୍ତି ତିଆରି ପଦ୍ଧତି - ଡୋକ୍ରାକୁ ନେଇ ଏ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି ।
ଏସବୁ ଚଳଚ୍ଚିତ୍ରକୁ ଦେଖନ୍ତୁ!











