ମୋ’ ନାଁ ଇନ୍ଦୁ, କିନ୍ତୁ ମୋର ପ୍ରଥମ ଆଧାର କାର୍ଡରେ ଏହା ‘ହିନ୍ଦୁ’ ବୋଲି ଲେଖାଯାଇଥିଲା। ତେଣୁ (ତ୍ରୁଟି ସୁଧାର ପାଇଁ)ମୁଁ ଏକ ନୂଆ କାର୍ଡ ପାଇଁ ଆବେଦନ କଲି, କିନ୍ତୁ ସେମାନେ ପୁଣି ତାକୁ ‘ହିନ୍ଦୁ’ କରିଦେଲେ ।
ତେଣୁ ଆମାଡାଗୁର ସରକାରୀ ପ୍ରାଇମେରୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷୀୟ ଦଳିତ ଛାତ୍ରୀ ଜେ. ଇନ୍ଦୁ ଏବଂ ଅନ୍ୟ ଚାରି ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ସେମାନଙ୍କର ଛାତ୍ରବୃତ୍ତି ପାଇବେ ନାହିଁ। କାରଣ ସେମାନଙ୍କ ଆଧାର କାର୍ଡରେ ସେମାନଙ୍କ ନାଁକୁ ଭୁଲ ଭାବେ ଲେଖାଯାଇଛି। ସେହି ଚାରି ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ଇନ୍ଦୁଙ୍କ ପରି ଦଳିତ। ଜଣେ ମୁସଲମାନ୍। ଆମାଡାଗୁର ହେଉଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ସବୁଠୁ ଗରିବ ମଣ୍ଡଳ ମଧ୍ୟରୁ ଅନ୍ୟତମ ।
ଯେତେବେଳେ ଏହି ସମସ୍ୟା ସୃଷ୍ଟି ହେଲା, ଜଗରାସୁପାଲିସ୍ଥିତ ଇନ୍ଦୁଙ୍କ ସ୍କୁଲ ଏବଂ ପରିବାର ତାଙ୍କ ପାଇଁ ଏକ ନୂଆ କାର୍ଡ ଚାହିଁଲେ। ତା’ର ଜନ୍ମ ତାରିଖ ଏବଂ ଗୋଟିଏ ନୂଆ ଫଟୋ ପୁଣିଥରେ ପଞ୍ଜୀକୃତ କରାଗଲା ଏବଂ ସଂଶୋଧିତ ଆଧାର କାର୍ଡ ଜାରି ହେଲା। କିନ୍ତୁ ଏହି କାର୍ଡରେ ବି ତାର ନାମ ହିନ୍ଦୁ ହିଁ ରହିଲା। ଏହାଫଳରେ ଇନ୍ଦୁର ସ୍କୁଲ ତରଫରୁ ତା’ ପାଇଁ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇପାରିଲା ନାହିଁ - ଯେଉଁଥିପାଇଁ ଠିକ୍ ନାଁ ଥିବା ଆଧାର କାର୍ଡ ବାଧ୍ୟତାମୂଳକ। ଅନ୍ୟ ଚାରି ଜଣ ଛାତ୍ର, ସମସ୍ତେ ପୁଅ ମଧ୍ୟ, ସମାନ ସ୍ଥିତିର ସାମ୍ନା କରୁଥିଲେ।
ଆନ୍ଧ୍ରପ୍ରଦେଶର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ମାନେ ପଞ୍ଚମ ଶ୍ରେଣୀରୁ ବାର୍ଷିକ ୧,୨୦୦ ଟଙ୍କାର ବୃତ୍ତି ପାଆନ୍ତି। ଆମାଡାଗୁର ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ୨୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ଜଣେ ଉଚ୍ଚ ଜାତିର ଥିଲା। ଇନ୍ଦୁ ଏବଂ ଅନ୍ୟ ୨୧ ଜଣ ଛାତ୍ରଛାତ୍ରୀଙ୍କର ବୃତ୍ତି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆସନ୍ତା ଶୁକ୍ରବାର ଜମା ହେବ, କିନ୍ତୁ ଏହି ପାଞ୍ଚ ଜଣଙ୍କର କୌଣସି ଆକାଉଣ୍ଟ ନାହିଁ ।
ଏହି ସ୍କୁଲରେ ପିଲାମାନଙ୍କର ପିତାମାତାଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟମ ଚାଷୀ ବା କୃଷି ଶ୍ରମିକ ଶ୍ରେଣୀର, ଯେଉଁମାନେ ସମୟ ସମୟରେ କାମ ପାଇଁ ବେଙ୍ଗାଲୁରୁକୁ ଯାଆନ୍ତି। ସ୍କୁଲ ପ୍ରଧାନଶିକ୍ଷକ ଏସ୍ ରୋସିଆଙ୍କ ଅନୁସାରେ ଏହି ବୃତ୍ତି ଟଙ୍କାକୁ ବାପା ମା’ ମାନେ ସେମାନଙ୍କର ପିଲାମାନଙ୍କର ସେହି ସବୁ ଜିନିଷ କିଣିବାରେ ବ୍ୟବହାର କରନ୍ତି, ଯାହା ସବୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉନାହିଁ , ଯେମିତିକି କଲମ, ଅତିରିକ୍ତ ବହି, ବେଳେବେଳେ ପୋଷାକ ଇତ୍ୟାଦି। ଏଥର ଇନ୍ଦୁ ଓ ତା’ର ଚାରି ଜଣ ସହପାଠୀଙ୍କ ପାଇଁ ନୂଆ ବର୍ଷ ହେଲା ନାହିଁ।