ଝାଡ଼ଖଣ୍ଡର ଚେଚରିୟା ଗାଁରେ ସବିତା ଦେବୀଙ୍କ ମାଟି ଘର କାନ୍ଥରେ ଡକ୍ଟର ବି.ଆର ଆମ୍ବେଦକରଙ୍କ ଫଟୋ ତଳକୁ ଚାହିଁ ରହିଛି। ସବିତା କୁହନ୍ତି, ‘‘ବାବାସାହେବ ଆମକୁ (ମତଦାନ ଅଧିକାର) ଦେଇଛନ୍ତି, ସେଥିପାଇଁ ଆମେ ମତଦାନ କରୁଛୁ।’’
ସବିତାଙ୍କର ଗୋଟିଏ ବିଘା (୦.୭୫ ଏକର) ଜମି ରହିଛି ଯେଉଁଥିରେ ସେ ଖରିଫ୍ ଋତୁରେ ଧାନ ଓ ମକା ଚାଷ କରନ୍ତି ଏବଂ ରବି ଋତୁରେ ଗହମ, ଚଣା ଓ ତୈଳବୀଜ ଚାଷ କରନ୍ତି। ସେ ଭାବିଥିଲେ ତାଙ୍କର ବାଡ଼ି ପଟେ ପନିପରିବା ଚାଷ କରିବେ। ‘‘କିନ୍ତୁ ଦୁଇ ବର୍ଷ ହେବ ପାଣି ଆସିନାହିଁ।’’ ଲଗାତାର ଅନେକ ବର୍ଷ ଧରି ମରୁଡ଼ି କାରଣରୁ ତାଙ୍କ ପରିବାର କରଜରେ ବୁଡ଼ିଯାଇଛି।
୩୨
ବର୍ଷୀୟା ସବିତା ପଲାମୁ ଜିଲ୍ଲାର ଏହି ଗାଁରେ ନିଜର ଚାରି ପିଲାଙ୍କ ସହିତ ରୁହନ୍ତି; ତାଙ୍କ
ସ୍ୱାମୀ ପ୍ରମୋଦ ରାମ (୩୭) ୨,୦୦୦ କିଲୋମିଟର ଦୂର ବେ ଙ୍ଗାଲୁରୁରେ ଜଣେ ପ୍ରବାସୀ ଶ୍ରମିକ ଭାବେ କାମ
କରନ୍ତି। ଏହି ଦଳିତ ଦିନ ମଜୁରିଆ କୁହନ୍ତି, ‘‘ସରକାର ଆମକୁ ଚାକିରି ଦେଉନାହିଁ । ପିଲାଙ୍କୁ
ଖୁଆଇବା ପାଇଁ ଅତି କଷ୍ଟରେ ଯଥେଷ୍ଟ ଟଙ୍କା ଯୋଗାଡ଼ ହୋଇଥାଏ।’’
ନିର୍ମାଣ ସ୍ଥଳୀରେ କାମ କରି, ପ୍ରମୋଦ ମାସିକ ପାଖାପାଖି ୧୦,୦୦୦-୧୨,୦୦୦ ଟଙ୍କା ରୋଜଗାର କରିଥାନ୍ତି। ବେଳେବେଳେ ସେ ଜଣେ ଟ୍ରକ୍ ଡ୍ରାଇଭର୍ ଭାବେ କାମ କରନ୍ତି, କିନ୍ତୁ ଏହି ବିକଳ୍ପ ବର୍ଷ ସାରା ମିଳିନଥାଏ। ‘‘ଯଦି ପୁରୁଷ ଚାରି ମାସ ପାଇଁ ଘରେ ବସନ୍ତି, ତା’ହେଲେ ଆମକୁ ଭିକ ମାଗିବାକୁ ଆରମ୍ଭ କରିବାକୁ ହେବ। ଆମେ କ’ଣ କରିପାରିବୁ (ଯେମିତି ହେଉ ପ୍ରବାସ କରିବୁ)?’’ ସବିତା ପଚାରନ୍ତି।
୯୬୦ ଜଣ ନିବାସୀ (ଜନଗଣନା ୨୦୧୧) ଥିବା ଚେଚରିୟା ଗାଁର ଅଧିକାଂଶ ପୁରୁଷ କାମ ସନ୍ଧାନରେ ବାହାରକୁ ଚାଲିଯାଆନ୍ତି କାରଣ ‘‘ଏଠାରେ ଚାକିରି ସୁଯୋଗ ନାହିଁ । ଯଦି ଚାକିରି ଥାଆନ୍ତା, ଲୋକମାନେ ବାହାରକୁ କାହିଁକି ଯାଆନ୍ତେ?’’ ସବିତାଙ୍କ ଶାଶୂ ସୁର୍ପତୀ ଦେବୀ (୬୦) କହିଥାନ୍ତି।
ଆଠ ଲକ୍ଷରୁ ଅଧିକ ଲୋକ କାମ ଓ ରୋଜଗାର ପାଇଁ ଝାଡ଼ଖଣ୍ଡରୁ ବାହାରକୁ ଯାଆନ୍ତି (ଜନଗଣନା ୨୦୧୧)। ଚେଚରିୟା ଗାଁ ବାସନା ପଞ୍ଚାୟତ ସମିତି ଅଧୀନରେ ଆସିଥାଏ। ସମିତିର ସଦସ୍ୟ ହରିଶଙ୍କର ଦୁବେ କୁହନ୍ତି, ‘‘ଏହି ଗାଁରେ, ଆପଣ ୨୦ରୁ ୫୨ ବର୍ଷ ବୟସ୍କ ଜଣେ ହେଲେ କର୍ମଜୀବୀ ଲୋକ ପାଇବେ ନାହିଁ । କେବଳ ପାଞ୍ଚ ପ୍ରତିଶତ ଲୋକ ଅଛନ୍ତି; ଅବଶିଷ୍ଟ ବାହାରକୁ କାମ ପାଇଁ ଚାଲି ଯାଇଛନ୍ତି ।’’
‘‘ଏଥର ସେମାନେ ଯେତେବେଳେ ଭୋଟ୍ ମାଗିବାକୁ ଆସିବେ, ଆମେ ପଚାରିବୁ, ଆପଣ ଆମ ଗାଁ ପାଇଁ କ’ଣ କରିଛନ୍ତି?’’ ସବିତା କ୍ରୋଧିତ ଓ ଦୃଢ଼ ସଂକଳ୍ପବଦ୍ଧ ହୋଇ କୁହନ୍ତି। ଗୋଲାପୀ ରଙ୍ଗର ନାଇଟି ପିନ୍ଧି ଓ ହଳଦିଆ ରଙ୍ଗର ଓଢ଼ଣି ଘୋଡ଼େଇ ସେ ତାଙ୍କର ଘର ବାହାରେ, ଅନ୍ୟ ପରିବାର ସଦସ୍ୟଙ୍କ ସହିତ ବସିଛନ୍ତି। ପ୍ରାୟ ମଧ୍ୟାହ୍ନ ସମୟ ହେବ ଏବଂ ପାଠ ପଢ଼ୁଥିବା ତାଙ୍କର ପିଲାମାନେ ଏବେ ସ୍କୁଲରୁ ମଧ୍ୟାହ୍ନ ଭୋଜନ ଆକାରରେ ଖିଚଡ଼ି ଖାଇ ଘରକୁ ଫେରିଛନ୍ତି।
ଗାଁର ୭୦ ପ୍ରତିଶତ ଲୋକ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି। ଥରେ ଗାଁ ଲୋକଙ୍କ ଦ୍ୱାରା ଆମ୍ବେଦକର ଜୟନ୍ତୀ ସମାରୋହ ପାଳନ କରାଯାଉଥିବା ବେଳେ ସବିତା ଭାରତର ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଦକରଙ୍କ ବିଷୟରେ ଜାଣିବାକୁ ପାଇଥିଲେ ବୋଲି କୁହନ୍ତି । ସେ ଦଳିତ ଚମାର ସମ୍ପ୍ରଦାୟର ଜଣେ ମହିଳା। ଏଠାରୁ ୨୫ କିଲୋମିଟର ଦୂର ଗଡ଼ୱା ସହରରୁ କିଛି ବର୍ଷ ପୂର୍ବରୁ ସେ ଆମ୍ବେଦକରଙ୍କର ଗୋଟିଏ ଫ୍ରେମ୍ ହୋଇଥିବା ଫଟୋ ଆଣିଥିଲେ।
୨୦୨୨ରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜ୍ୱର ହୋଇଥିବା ସତ୍ତ୍ୱେ ମୁଖିୟା (ମୁଖିଆ)ଙ୍କ ପତ୍ନୀଙ୍କ ଅନୁରୋଧ କ୍ରମେ ସେ ଏକ ପ୍ରଚାର ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ‘‘ଜିତିଲେ ଆମ ପାଇଁ ଗୋଟିଏ ନଳକୂଅ ବସେଇବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ,’’ ସବିତା କୁହନ୍ତି । ସେ ଜିତିଲେ କିନ୍ତୁ ତାଙ୍କର ପ୍ରତିଶ୍ରୁତି ଅପୂରଣୀୟ ହୋଇ ରହିଗଲା, ସବିତା ଦୁଇ ଥର ତାଙ୍କ ଘରକୁ ଯାଇଥିଲେ। ‘‘ମୋତେ ଭେଟିବା ତ’ ଦୂରର କଥା, ସେ ମୋ ଆଡ଼କୁ ସୁଦ୍ଧା ଚାହିଁନଥିଲେ। ସେ ଜଣେ ମହିଳା, କିନ୍ତୁ ଆଉ ଜଣେ ମହିଳାର ଦୁଃଖକୁ ହୃଦୟଙ୍ଗମ କଲେ ନାହିଁ।’’
୧୦ ବର୍ଷ ହେବ ଚେଚରିୟା ଗାଁରେ ଜଳ ସଂକଟ ଲାଗି ରହିଛି। ଏଠାରେ ଏକମାତ୍ର କାର୍ଯ୍ୟକ୍ଷମ କୂଅ ରହିଛି ଯାହାକି ୧୭୯ ପରିବାରର ଆବଶ୍ୟକତା ପୂରଣ କରିଥାଏ। ପ୍ରତିଦିନ, ସବିତା ୨୦୦ ମିଟର ପାହାଡ଼ିଆ ରାସ୍ତା ଚଢ଼ି ନଳକୂଅକୁ ପାଣି ଆଣିବା ପାଇଁ ଯାଆନ୍ତି। ଭୋର୍ ଚାରିଟା କିମ୍ବା ପାଞ୍ଚଟାରୁ ଆରମ୍ଭ କରି ପାଣି ଆଣିବାରେ ତାଙ୍କର ଦୈନିକ ଚାରିରୁ ପାଞ୍ଚ ଘଣ୍ଟା ସମୟ ଯାଇଥାଏ। ‘‘ଆମକୁ ନଳକୂଅ ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ ନୁହେଁ କି?’’ ସେ ପ୍ରଶ୍ନ କରନ୍ତି।
୨୦୨୨ରେ ଝାଡ଼ଖଣ୍ଡ କ୍ରମାଗତ ମରୁଡ଼ିରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏହି ବର୍ଷ ସାରା ରାଜ୍ୟର ୨୨୬ଟି ବ୍ଲକ୍ କୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଥିଲା। ଏହା ପର ବର୍ଷ ୨୦୨୩ରେ, ୧୫୮ ବ୍ଲକ୍ ମରୁଡ଼ି ଦ୍ୱାରା ପ୍ରଭାବିତ ହୋଇଥିଲା।
ଆମ କପଡ଼ା ସଫା କରିବା ଓ ପିଇବା ପାଇଁ ଆମକୁ କେତେ ପାଣି ଖର୍ଚ୍ଚ କରିବାକୁ ହେବ ସେ ବିଷୟରେ ଆମକୁ ଚିନ୍ତା କରିବାକୁ ହୁଏ,’’ ସବିତା କୁହନ୍ତି । ସେ ଆମକୁ ତାଙ୍କ କଚ୍ଚା ଘର ପଛ ପଟେ ଥିବା କୂଅକୁ ଦେଖାଇ ଦିଅନ୍ତି ଯାହାକି ୨୦୨୪ ଗ୍ରୀଷ୍ମ ଋତୁ ଆରମ୍ଭରୁ ପ୍ରାୟ ଏକ ମାସ ହେବ ଶୁଖିଲା ପଡ଼ି ରହିଛି ।
୨୦୨୪ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମେ ୧୩ ତାରିଖରେ ଚେଚରିୟାରେ ମତଦାନ ହେବ । ପ୍ରମୋଦ ଓ ତାଙ୍କର ପ୍ରବାସୀ ଶ୍ରମିକ ସାନ ଭାଇ ତା’ ପୂର୍ବରୁ ଘରକୁ ଫେରିଆସିବେ। ‘‘ସେମାନେ କେବଳ ଭୋଟ୍ ଦେବାକୁ ଆସୁଛନ୍ତି,’’ ସବିତା କୁହନ୍ତି । ଘରକୁ ଫେରିବା ଲାଗି ସେମାନଙ୍କୁ ପ୍ରାୟ ୭୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହାଦ୍ୱାରା ସେମାନଙ୍କର ବର୍ତ୍ତମାନର ଚାକିରି ମଧ୍ୟ ଯିବ ଏବଂ ସେମାନେ ପୁଣିଥରେ ଶ୍ରମିକ ଭାବେ କାମ କରିବା ଲାଗି ପଛକୁ ଫେରିବାକୁ ବାଧ୍ୟ ହେବ।
*****
ଚେଚରିୟା ଠାରୁ କିଛି କିଲୋମିଟର ଦୂରରେ ଗୋଟିଏ ଛଅ ଲେନ୍ ବିଶିଷ୍ଟ ରାଜପଥ ନିର୍ମାଣାଧୀନ ରହିଛି, କିନ୍ତୁ ଗାଁକୁ ଏଯାଏଁ ରାସ୍ତାଟିଏ ପହଞ୍ଚି ପାରିନାହିଁ । ତେଣୁ, ରେଣୁ ଦେବୀ, ୨୫, ଙ୍କର ଯେତେବେଳେ ପ୍ରସବ ଯନ୍ତ୍ରଣା ହୋଇଥିଲା ସରକାରୀ ଗାଡ଼ି (ସରକାରୀ ଆମ୍ବୁଲାନ୍ସ) ତାଙ୍କ ଘର ପାଖରେ ପହଞ୍ଚି ପାରିନଥିଲା। ‘‘ସେଭଳି ସ୍ଥିତିରେ ମୋତେ ମୁଖ୍ୟ ରାସ୍ତା (ପ୍ରାୟ ୩୦୦ ମିଟର) ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ହେଲା,’’ ସେ କୁହନ୍ତି। ରାତି ୧୧ଟା ବେଳେ ଚାଲି ଚାଲି ଯିବା କଥା ତାଙ୍କର ସ୍ପଷ୍ଟ ଭାବେ ମନେ ଅଛି।
କେବଳ ଆମ୍ବୁଲାନ୍ସ ନୁହେଁ, ଅନ୍ୟ ସରକାରୀ ଯୋଜନା ମଧ୍ୟ ସେମାନଙ୍କ ଘର ପାଖରେ ପହଞ୍ଚି ପାରିନଥିବା ଦେଖିବାକୁ ମିଳିଛି।
ଚେଚରିୟାର ଅଧିକାଂଶ ପରିବାର ଗୋଟିଏ ଚୁଲ୍ହା ରେ ରୋଷେଇ କରନ୍ତି - ସେମାନେ କେବେ ବି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏଲପିଜି ସିଲିଣ୍ଡର ପାଇନାହାନ୍ତି କିମ୍ବା ସେମାନଙ୍କ ପାଖରେ ସିଲିଣ୍ଡର ଭରିବା ପାଇଁ ଟଙ୍କା ମଧ୍ୟ ନାହିଁ ।
ଚେଚରିୟାର ସବୁ ବାସିନ୍ଦାଙ୍କ ପାଖରେ ବାର୍ଷିକ ୧୦୦ ଦିନର କାମ ଗ୍ୟାରେଣ୍ଟି ଦେଉଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) କାର୍ଡ (ଖାତା) ଅଛି । ପାଞ୍ଚ କିମ୍ବା ଛଅ ବର୍ଷ ପୂର୍ବରୁ ସେମାନଙ୍କୁ କାର୍ଡ ମିଳିଥିଲା, କିନ୍ତୁ ସେଥିରେ ପୃଷ୍ଠାଗୁଡ଼ିକ ଖାଲି ରହିଛି। କାଗଜ ସମ୍ପୂର୍ଣ୍ଣ ନୂଆ ଲାଗୁଛି ।
ରେଣୁଙ୍କ ଭଉଣୀ ପ୍ରିୟଙ୍କା ଦ୍ୱାଦଶ ପରେ ପାଠପଢ଼ା ଛାଡ଼ି ଦେଇଥିଲେ କାରଣ ତାଙ୍କ ପରିବାର ସ୍କୁଲ୍ ଫି’ ଦେବାକୁ ସକ୍ଷମ ନଥିଲେ। ସିଲେଇ କାମ କରି ଗୁଜରାଟ ମେଣ୍ଟାଇବା ଲାଗି ଚିନ୍ତା କରି ୨୦ ବର୍ଷୀୟା ଏହି ଯୁବତୀ ଜଣଙ୍କ ନିକଟରେ ନିଜର ମାଉସୀଙ୍କଠାରୁ ଗୋଟିଏ ସିଲେଇ ମେସିନ କିଣି ଆଣିଛନ୍ତି । ‘‘ଖୁବଶୀଘ୍ର ତା’ର ବାହାଘର ହେବ,’’ ରେଣୁ କୁହନ୍ତି । ପିଲା ଜନ୍ମ ହେବା ପରେ ରେଣୁ ତାଙ୍କର ବାପ ଘରେ ରହୁଛନ୍ତି । ‘‘ବରର ଚାକିରି ନାହିଁ କି ଗୋଟିଏ ପକ୍କା ଘର ନାହିଁ, କିନ୍ତୁ ସେ ୨ ଲକ୍ଷ ଟଙ୍କା ଯୌତୁକ ମାଗୁଛି।’’ ବାହାଘର ପାଇଁ ପରିବାର ଲୋକମାନେ ଟଙ୍କା ଉଧାର ଆଣିସାରିଛନ୍ତି ।
କୌଣସି ରୋଜଗାର ନଥିଲେ, ଚେଚରିୟାର ଅଧିକାଂଶ ବାସିନ୍ଦା ସାହୁକାରଙ୍କଠାରୁ ଟଙ୍କା ଉଧାର ଆଣିଥା’ନ୍ତି ଯେଉଁମାନେ ଚଢ଼ା ସୁଧ ଅସୁଲ କରନ୍ତି। ‘‘ଗାଁରେ ଏମିତି କୌଣସି ଗୋଟିଏ ଘର ନାହିଁ ଯାହା ଉପରେ ଋଣ ବୋଝ ନଥିବ,’’ ସୁନୀତା ଦେବୀ କୁହନ୍ତି। ସୁନୀତାଙ୍କ ଯାଆଁଳା ପୁଅ ଲବ ଓ କୁଶ କାମ ପାଇଁ ମହାରାଷ୍ଟ୍ରର କୋହ୍ଲାପୁର ଚାଲି ଯାଇଥାନ୍ତି । ସେମାନେ ଘରକୁ ଯେଉଁ ଟଙ୍କା ପଠାନ୍ତି ସେଥିରେ ହିଁ ଗୁଜୁରାଣ ମେଣ୍ଟିଥାଏ।
ଗତବର୍ଷ ସେମାନଙ୍କ ଝିଅର ବାହାଘର ପାଇଁ ସୁନୀତା ଓ ତାଙ୍କ ସ୍ୱାମୀ ରାଜକୁମାର ରାମ ଏକ ଲକ୍ଷ ଟଙ୍କା ଜଣେ ସ୍ଥାନୀୟ ସାହୁକାରଙ୍କଠାରୁ ପାଞ୍ଚ ପ୍ରତିଶତ ସୁଧ ହାରରେ ଏକ ଲକ୍ଷ ଟଙ୍କା ଉଧାର ଆଣିଥିଲେ - ସେମାନେ ଯେମିତି ହେଉ ୨୦,୦୦୦ ଟଙ୍କା ସୁଝିବାରେ ସକ୍ଷମ ହୋଇଛନ୍ତି। ଆହୁରି ୧.୫ ଲକ୍ଷ ଟଙ୍କା ବାକି ପଡ଼ିଛି ।
‘‘ଗରିବ କେ ଛାଓ ଦେଓ ଲା କୋଇ ନଇକେ। ଅଗର୍ ଏକ ଦିନ୍ ହମନ୍ ଝୁରି ନହିଁଲା ନାଓ, ତ ଅଗଲା ଦିନ ହମନ୍କେ ଚୁଲ୍ହା ନହି ଜଲତି (ଗରିବ ଲୋକଙ୍କୁ ସାହାଯ୍ୟ କରିବା ଲାଗି କେହି ନାହିଁ । ଯଦି ଆମେ ଗୋଟିଏ ଦିନ ଜାଳେଣି ଆଣିବୁ ନାହିଁ ତା’ହେଲେ ପରଦିନ ଆମ ଘରେ ଚୁଲି ଜଳିବ ନାହିଁ),’’ ସୁନୀତା ଦେବୀ କୁହନ୍ତି।
ଗାଁର ଅନ୍ୟ ମହିଳାଙ୍କ ସାଥୀରେ, ସେ ପାହାଡ଼କୁ ଜାଳେଣି କାଠ ସଂଗ୍ରହ କରିବା ଲାଗି ସବୁଦିନ ପ୍ରାୟ ୧୦-୧୫ କିଲୋମିଟର ଚାଲି ଚାଲି ଯାଆନ୍ତି ଏବଂ ବନ ରକ୍ଷକଙ୍କଠାରୁ ନିୟମିତ ନିର୍ଯାତନାର ଶିକାର ହୋଇଥା’ନ୍ତି ।
୨୦୧୯ରେ, ସାଧାରଣ ନିର୍ବାଚନ ପୂର୍ବରୁ, ସୁନୀତା ଦେବୀ ଗାଁର ଅନ୍ୟ ମହିଳାଙ୍କ ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ଗୋଟିଏ ଘର ପାଇଁ ଆବେଦନ କରିଥିଲେ। ‘‘କାହାରିକୁ ଗୋଟିଏ ହେଲେ ଘର ମିଳିନାହିଁ,’’ ସେ କୁହନ୍ତି ଏବଂ ଆହୁରି କହିଥାନ୍ତି, ‘‘ଆମେ ଯେଉଁ ଏକମାତ୍ର ସୁବିଧା ପାଇଥାଉ ତାହା ହେଉଛି ରାସନ। ତାହାପୁଣି ୫ କିଲୋଗ୍ରାମ ବଦଳରେ ଆମକୁ ୪.୫ କିଲୋଗ୍ରାମ ମିଳିଥାଏ।’’
ପାଞ୍ଚ ବର୍ଷ ପୂର୍ବରୁ, ଭାରତୀୟ ଜନତା ପାର୍ଟୀର ବିଷ୍ଣୁ ଦୟାଲ ରାମ ମୋଟ୍ ଭୋଟ୍ରୁ ୬୨ ପ୍ରତିଶତ ଭୋଟ୍ ପାଇଁ ବିଜୟ ହାସଲ କରିଥିଲେ। ସେ ରାଷ୍ଟ୍ରୀୟ ଜନତା ଦଳର ପ୍ରାର୍ଥୀ ଘୁରନ୍ ରାମଙ୍କୁ ପରାସ୍ତ କରିଥିଲେ। ଚଳିତ ବର୍ଷ ମଧ୍ୟ ସେ ସମାନ ଆସନରୁ ଲଢ଼ୁଛନ୍ତି।
ଗତ ବର୍ଷ ୨୦୨୩ ସୁଦ୍ଧା, ସୁନୀତା ତାଙ୍କ ବିଷୟରେ କିଛି ଜାଣିନଥିଲେ। ଗୋଟିଏ ସ୍ଥାନୀୟ ମେଳାରେ ସେ ତାଙ୍କ ନାଁରେ କିଛି ନାରାବାଜି ଶୁଣିଥିଲେ । ‘‘ ହମାରା ନେତା କୈସା ହୋ? ଭି ଡି ରାମ୍ ଜୈସା ହୋ! ’’
ସୁନୀତା କୁହନ୍ତି, ‘‘ ଆଜ୍ ତକ୍ ଉନ୍କୋ ହମ୍ ଲୋଗ୍ ଦେଖେ ନହିଁ ହୈ (ଆମେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଦେଖିନାହୁଁ)।’’
ଅନୁବାଦ : ଓଡ଼ିଶାଲାଇଭ୍