“ଏ ବିଷୟରେ ଗତକାଲି ରାତିରେ ହିଁ ମୁଁ ଓ ମୋ ମାଆଙ୍କ ଭିତରେ ଝଗଡ଼ା ଲାଗିଥିଲା,” ୨୧ ବର୍ଷୀୟା ଆଶା ବସ୍ସି କହନ୍ତି । ତାଙ୍କ କଥା ବୁଝାଇ ଦେବାକୁ ଯାଇ ସେ ଆହୁରି କହନ୍ତି, “ଗଲା ସାଢ଼େ ତିନି ବର୍ଷ ହେଲା ମୋ ବାପାମାଆ ମୋତେ ପାଠପଢ଼ା ଛାଡ଼ି ବାହା ହେବାକୁ କହିଆସୁଛନ୍ତି ।”
ୟବତମାଲ ସହରର ସାବିତ୍ରୀ ଜ୍ୟୋତିରାଓ ସମାଜକାର୍ୟ୍ୟ ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ରୀ ଆଶା ଏବେ ସାମାଜିକ କାର୍ଯ୍ୟ ବା ‘ସୋସିଆଲ ୱର୍କ’ରେ ସ୍ନାତକ ଡିଗ୍ରୀ ଲାଗି ଶିକ୍ଷାଲାଭ କରୁଛନ୍ତି । ଆନୁଷ୍ଠାନିକ ଶିକ୍ଷା ହାସଲ କରିବାରେ ସେ ତାଙ୍କ ପରିବାରର ପ୍ରଥମ ସଦସ୍ୟା । “ଆମ ସମାଜରେ ଯେଉଁ ଝିଅମାନେ ଜଲ୍ଦି ବାହା ହୋଇଯାଆନ୍ତି, ସେମାନଙ୍କୁ ପ୍ରଶଂସା କରାଯାଏ,” ସେ କହନ୍ତି, ଏବଂ କଥା ଯୋଡ଼ନ୍ତି, “କିନ୍ତୁ ମୁଁ ନିଜକୁ ଶିକ୍ଷିତା କରାଇବାକୁ ଚାହେଁ, ଏହି ବାଟ ଦେଇ ଗଲେ ହିଁ ମୁଁ ମୁକ୍ତ ଜୀବନ ବିତାଇ ପାରିବି ।”
ମହାରାଷ୍ଟ୍ରର ୟବତମାଲ ଜିଲ୍ଲା ଅନ୍ତର୍ଗତ ଜେୱଲି ଗାଁ ବାସିନ୍ଦା ଆଶା ମଥିୁରା ଲଭାନ ସଂପ୍ରଦାୟର ଏବଂ ରାଜ୍ୟରେ ଏହି ସଂପ୍ରଦାୟ ଅଣ-ଅଧିସୂଚିତ ବା ବିମୁକ୍ତ ଜନଜାତି (ବିମୁକ୍ତ ଜାତି) ରୂପେ ତାଲିକାଭୁକ୍ତ । ତାଙ୍କ ବାପାମାଆ କୃଷକ ଏବଂ ସେମାନେ ସୋୟା, କପା, ଗହମ ଏବଂ ବାଜରା ଚାଷ କରନ୍ତି ।
ତିନି ଝିଅ ଓ ଗୋଟିଏ ପୁଅ - ଏମିତି ଚାରି ଜଣ ପିଲାଙ୍କୁ ମଣିଷ କରିବା ପାଇଁ ଚାଷବାସ ଉପରେ ନିର୍ଭର କରେ ତାଙ୍କ ପରିବାର । ଆଶା ସବୁଠାରୁ ବଡ଼ ଏବଂ ସେ ୟବତମାଲ ସହରରେ ତାଙ୍କ ମାମୁଁ ଓ ମାଇଁଙ୍କ ପାଖରେ ରହି ସ୍ନାତକ ଡିଗ୍ରୀ ପାଇଁ ପଢ଼ନ୍ତି ।
ସେଠାକାର କେତେକ ଶିକ୍ଷକ ବାରମ୍ବାର କହିବାରୁ, ଆଶାଙ୍କୁ ୭ ବର୍ଷ ବୟସ ହୋଇଥିବା ବେଳେ ବାପାମାଆ ଘର ପାଖ ଜିଲ୍ଲା ପରିଷଦ ସ୍କୁଲରେ ତାଙ୍କ ନାଁ ଲେଖାଇ ଦେଇଥିଲେ । ସେଠାରେ ସେ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲେ ଏବଂ ତା’ପରେ ଜେୱଲି ଗାଁରୁ ୧୧୨ କିଲୋମିଟର ଦୂର ୟବତମାଲ ସହରକୁ ପଢ଼ିବା ପାଇଁ ଗଲେ । ସେଠାରେ ସେ ମହାରାଷ୍ଟ୍ର ରାଜ୍ୟ ବୋର୍ଡ ସହ ଅନୁବନ୍ଧିତ ଏକ ସ୍କୁଲରେ ପାଠପଢ଼ା ସାରିବା ପରେ ପାଖ କଲେଜରେ ନାଁ ଲେଖାଇଲେ ।
“ସାଧାରଣତଃ ଆମ ସଂପ୍ରଦାୟର ଝିଅମାନେ ୭ମ ଶ୍ରେଣୀ ଯାଏଁ ପଢ଼ିଥାଆନ୍ତି, ତା’ପରେ ଧୀରେ ଧୀରେ ସେମାନଙ୍କୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ କରାଯାଇଥାଏ । ମାତ୍ର ଅଳ୍ପ କେଇ ଜଣ କଲେଜରେ ନାଁ ଲେଖାନ୍ତି,” ଆଶା କହନ୍ତି । ଏମିତି କି ତିନି ବର୍ଷ ତଳେ ତାଙ୍କ ସାନ ଭଉଣୀକୁ ମଧ୍ୟ ବାହା କରିଦିଆଯାଇଛି ।
“ଆମ ସଂପ୍ରଦାୟ ରକ୍ଷଣଶୀଳ,” ଆଶା କହନ୍ତି । ହୁଏତ ଝିଅମାନେ ପ୍ରେମ କରି ବିବାହ କରିବେ କିମ୍ବା ଅନ୍ୟ ଜାତିର ଲୋକଙ୍କୁ ବିବାହ କରିବେ ବୋଲି ସମାଜରେ ଯେଉଁ ଆଶଙ୍କା ଲାଗି ରହିଥାଏ, ତାହା ମଧ୍ୟ ଝିଅମାନଙ୍କୁ ଜଲ୍ଦି ବିବାହ କରିବା ନିମନ୍ତେ ଚାପର ସମ୍ମୁଖୀନ କରାଇଥାଏ । “ଯଦି ଜଣେ ଝିଅ ତା’ର ପ୍ରେମିକ ସହିତ ଘରୁ ଲୁଚି ପଳାଏ, ତେବେ ତା ସାଙ୍ଗମାନଙ୍କର ସ୍କୁଲ ଯିବା ବନ୍ଦ କରିଦିଆଯାଏ,” ପରିସ୍ଥିତି ସଂପର୍କରେ ବୁଝାଇ ଦିଅନ୍ତି ଆଶା । “ଆମ ସଂପ୍ରଦାୟର କୌଣସି ଝିଅ ଅନ୍ୟ ଜାତିରେ ବିବାହ କରିଥିବା କଥା ମୁଁ ଜାଣିନି ।”
ଆଶା କହନ୍ତି ଯେ, କୋଭିଡ୍-୧୯ ବିଶ୍ୱ ମହାମାରୀ ସମୟରେ ସେ ଜେୱଲି ଗାଁରେ ତାଙ୍କ ଘରକୁ ଫେରି ଯାଇଥିବା ସମୟରେ ବିବାହ କରିବା ଲାଗି ତାଙ୍କ ଉପରେ ପ୍ରବଳ ଚାପ ପଡ଼ିଲା । ଏମିତି କି ବିବାହ ଲାଗି ଆଶାୟୀ କେତେକ ଲୋକଙ୍କୁ ମଧ୍ୟ ସେ ଭେଟିଥିଲେ । “ବିଶ୍ୱ ମହାମାରୀ ସମୟରେ ଆମ ଅଞ୍ଚଳରେ ୨୧ ବର୍ଷରୁ କମ୍ ବୟସର ୩୦ରୁ ଅଧିକ ଝିଅଙ୍କୁ ବାହା କରିଦିଆଯାଇଥିଲା,” ଆଶା କହନ୍ତି ।
ଜେୱଲିରେ ଝିଅମାନଙ୍କୁ ଉଚ୍ଚ ଶିକ୍ଷାଲାଭ ଦିଗରେ ଉତ୍ସାହିତ କରାଯାଉ ନଥିବା କାରଣରୁ, ଝିଅର ପାଠପଢ଼ା ବାହାଘର ବିଳମ୍ବର ଏକ ଯଥାର୍ଥ କାରଣ ବୋଲି ବିବେଚିତ ହୁଏ ନାହିଁ । “ମୋ ସାନ ଭଉଣୀ ବିବାହ କରି ସାରିଥିବା ବେଳେ ମୋର ହୋଇ ନଥିବାରୁ ଲୋକେ ମୋତେ ସନ୍ଦେହ ଚକ୍ଷୁରେ ଦେଖୁଥିଲେ,” ଆଶା କହନ୍ତି ।
“ମୁଁ (ମୋର ଶିକ୍ଷାଲାଭ ପାଇଁ) ଯାହା କିଛି ବି କରେ, ସବୁ କିଛି ନିଜେ ନିଜେ କରେ,” ଆଶା କହନ୍ତି, ତାଙ୍କ କଥାରେ ତାଙ୍କ ହତାଶା ସ୍ପଷ୍ଟ ପ୍ରତିଫଳିତ ହୁଏ । ଯେହେତୁ ଉଚ୍ଚଶିକ୍ଷା ଲାଭ କରିବାରେ ସେ ହିଁ ପରିବାରର ପ୍ରଥମ ସଦସ୍ୟା, ତେଣୁ ପରିବାରର ଅନ୍ୟମାନଙ୍କ ପାଖରୁ ତାଙ୍କୁ ସେତେଟା ମାର୍ଗଦର୍ଶନ ମିଳେ ନାହିଁ । ତାଙ୍କ ବାପା, ବଲସିଂ ବସ୍ସି, ୧୧ଶ ଶ୍ରେଣୀ ଯାଏଁ, ଏବଂ ମାଆ ବିମଲ, ୫ମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି । “ଏବେ ମଧ୍ୟ, ମୋ ପାଠପଢ଼ାରୁ ସେମାନେ ବେଶି କିଛି ଆଶା କରନ୍ତିନି, କାରଣ ମୁଁ ଗୋଟିଏ ଝିଅ,” ଆଶା କହନ୍ତି ଏବଂ ଆହୁରି କହନ୍ତି ଯେ, ତାଙ୍କ ପାଇଁ ପାଠପଢ଼ା “ଲୋଟାୟିଚା କାମ୍”ରେ ପରିଣତ ହେଲାଣି- ଅର୍ଥାତ୍, ଯେଉଁ କାମରେ ଅତ୍ୟଧିକ ଶାରୀରିକ ଏବଂ ମାନସିକ ସଂଘର୍ଷ କରିବାକୁ ପଡ଼େ ।
ଆଶା କହନ୍ତି, “ଘରେ କେହି ହେଲେ ମୋ ପଢ଼ାପଢ଼ିରେ ମୁଣ୍ଡ ପୂରାନ୍ତି ନାହିଁ । ମୋର ଇଚ୍ଛା ଯେ, ମୋ ମାଆ ମୋତେ କହନ୍ତେ କି, “ତୁ କର୍, ମେ ତୁଜୈ ପାଟିଶି ଆହେ” ( ତୁ ପାଠପଢ଼, ମୁଁ ତୋ ପଛରେ ଅଛି) ।” କିନ୍ତୁ ଆଶା କହନ୍ତି ଯେ ତାଙ୍କ ପାଠପଢ଼ାକୁ ତାଙ୍କ ମାଆ ହିଁ ସବୁଠାରୁ ଅଧିକ ନାପସନ୍ଦ କରନ୍ତି ।
ଜେୱଲି ଗାଁ ପାଇଁ ସବୁଠାରୁ ନିକଟବର୍ତ୍ତୀ କଲେଜ ରହିଛି ୧୨ କିଲୋମିଟର ଦୂର ବିଟ୍ଟରଗାଓଁରେ । “ଝିଅମାନେ ସ୍କୁଲକୁ ଏକୁଟିଆ ଯିବାଆସିବା କଲେ ସେମାନଙ୍କ ସୁରକ୍ଷାକୁ ନେଇ ବାପାମାଆ ଆଶଙ୍କା କରୁଥାଆନ୍ତି । ତେଣୁ, ସାଧାରଣତଃ ଝିଅମାନେ ଦଳଦଳ ହୋଇ ଯା’ଆସ କରନ୍ତି,” ଆଶା କହନ୍ତି । ଆମ ଶିକ୍ଷା ଭିତ୍ତିଭୂମିରେ ଝିଅମାନଙ୍କ ଶିକ୍ଷାଲାଭ ଲାଗି ରହିଥିବା ବ୍ୟବସ୍ଥା କେତେ ସଶକ୍ତ ତାହା ତାଙ୍କ କଥାରେ ପ୍ରତିଫଳିତ ହୁଏ । “ଯଦି ଜଣେ ଝିଅ ସ୍କୁଲ ଛାଡ଼ି ଦିଏ, ତେବେ ଅନ୍ୟ ଝିଅମାନଙ୍କର ବାପାମାଆ ବି ନିଜ ନିଜ ଝିଅକୁ ସ୍କୁଲ ଛାଡ଼ି ଦେବା ପାଇଁ କହନ୍ତି । କାରଣ, ସ୍କୁଲ ଯିବାଆସିବା କରିବା ପାଇଁ ସାଙ୍ଗମାନଙ୍କ ସଂଖ୍ୟା କମିଯାଏ ।”
ପାଠ ପଢ଼ିବା ଲାଗି ୟବତମାଲ ସହରର ସ୍କୁଲକୁ ଆସିବା ତାଙ୍କ ପକ୍ଷରେ ଆଦୌ ସହଜ ନଥିଲା ବୋଲି ଆଶା ମନେ ପକାନ୍ତି । ସେ ମଥୁରା ଲଭାନ ନାମକ ମରାଠୀର ଏକ ଉପଭାଷାରେ କଥା କହୁଥିଲେ ଏବଂ ତାଙ୍କ ସ୍କୁଲରେ ଶିକ୍ଷାଦାନର ମାଧ୍ୟମ ରୂପେ ବ୍ୟବହୃତ ମରାଠୀ ଭାଷାଠାରୁ ଏହା ଭିନ୍ନ ଥିଲା । ଏହି କାରଣରୁ ଶ୍ରେଣୀରେ ଏବଂ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ତାଙ୍କ ପକ୍ଷରେ କଷ୍ଟକର ଥିଲା । “ମୋ ଶ୍ରେଣୀର ସାଙ୍ଗମାନେ ମୋ ଭାଷାକୁ ଉପହାସ କରୁଥିଲେ,” ଆଶା କହନ୍ତି ଏବଂ କଥା ଆଗକୁ ବଢ଼ାଇ କହନ୍ତି, “ମୁଁ ଯଦି ଶ୍ରେଣୀରେ ମୋ ନିଜ ଭାଷାରେ କହିବି, ତେବେ ସେମାନେ ମୋତେ ପରିହାସ କରିବେ ବୋଲି ମୁଁ ଆଶଙ୍କା କରୁଥିଲି ।”
ଆଶାଙ୍କର ଏହି ଦ୍ୱିଧାବୋଧ ସ୍କୁଲ ପଢ଼ାରେ ତାଙ୍କ ଅଗ୍ରଗତିରେ ବ୍ୟାଘାତ ସୃଷ୍ଟି କଲା । “ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ମୁଁ କେବଳ ମରାଠୀ ଭାଷାରେ ଅକ୍ଷର ଲେଖିପାରୁଥିଲି, କିନ୍ତୁ ପୂରା ବାକ୍ୟ ଲେଖିପାରୁ ନଥିଲି । ପଞ୍ଚମ ଶ୍ରେଣୀ ଯାଏଁ ମୁଁ କୁତ୍ରା (କୁକୁର) ଏବଂ ମାଞ୍ଜର ଭଳି (ବିଲେଇ) ସରଳ ଶବ୍ଦ ବି ପଢ଼ିପାରୁ ନଥିଲି ।”
କିନ୍ତୁ ଯେତେବେଳେ ସେ ମହାରାଷ୍ଟ୍ର ରାଜ୍ୟ ବୋର୍ଡ ପରିଚାଳିତ ସିନିଅର ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ (ଏସ୍ଏସ୍ସି)ର ୧୦ମ ଶ୍ରେଣୀ ପରୀକ୍ଷାରେ ୭୯ ପ୍ରତିଶତ ମାର୍କ ରଖିଲେ, ତାଙ୍କର ସବୁ ସନ୍ଦେହ ମଉଳି ଗଲା ଏବଂ ଦୃଢ଼ ଆତ୍ମବିଶ୍ୱାସରେ ଆଗକୁ ଆହୁରି ପଢ଼ିବା ଲାଗି ସେ ତାଙ୍କ ମାମୁଙ୍କୁ କହିଲେ । ୧୨ଶ ଶ୍ରେଣୀରେ ସେ ୬୩ ପ୍ରତିଶତ ମାର୍କ ରଖିଲେ ।
ତଥାପି, ଆଶାଙ୍କ ଏହି ଶିକ୍ଷାଗତ ସଫଳତା ତାଙ୍କ ଆଖପାଖର ଲୋକଙ୍କୁ ପ୍ରଭାବିତ କରିପାରିଲା ନାହିଁ – “ସେମାନଙ୍କ ଝିଅ କଲେଜରେ ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିବାକୁ ପଢୁଛି ବୋଲି ମୋ ବାପାମାଆ କେବେହେଲେ ଗର୍ବରେ କହିପାରିବେ ନାହିଁ, କାରଣ, ଆମ ସମାଜରେ ଏହା କୌଣସି ଯୋଗ୍ୟତା ହାସଲ କରିବାର କଥା ନୁହେଁ ।”
ଝିଅମାନେ ଶୀଘ୍ର ବିବାହ କରିବାର ସାମାଜିକ ଚଳଣି ଯୋଗୁଁ ସେମାନଙ୍କ ମନରେ ଶିକ୍ଷା ପ୍ରତି ଥିବା ସମସ୍ତ ଆଗ୍ରହ ମିଳେଇ ଯାଏ । “ଯଦି ସେମାନେ ୧୬ ବର୍ଷ ବୟସରେ ବିବାହ କରିବା ନିଶ୍ଚିତ, ତେବେ ସେମାନେ କାହିଁକି ବା କଠିନ ପରିଶ୍ରମ କରି ପାଠ ପଢ଼ିବେ ?” ଆଶା ପଚାରନ୍ତି । ତଥାପି ଜୀବନର ଲକ୍ଷ୍ୟ ହାସଲ ଦିଗରେ ତାଙ୍କ ଆକାଂକ୍ଷା ଉଜ୍ଜୀବିତ ରହିଥାଏ । ତାଙ୍କ ଶିକ୍ଷାର ଉତ୍କର୍ଷତା ସଂପର୍କରେ ସଚେତନ ଆଶା କହନ୍ତି, “କେବଳ ମୋ ଶିକ୍ଷା ଯୋଗୁଁ ହିଁ ମୁଁ ଏକ ସୁରକ୍ଷିତ ଭବିଷ୍ୟତର ସ୍ୱପ୍ନ ଦେଖିପାରୁଛି ।”
ଆଶା ପଢ଼ିବାକୁ ଭଲ ପାଆନ୍ତି । ତାଙ୍କର କେତେକ ପ୍ରିୟ ବହି ହେଲା, ସରିତା ଆୱାଦଙ୍କ ରଚିତ ହମ୍ରାସ୍ତା ନାକରତାନା ଏବଂ ସୁନୀତା ବର୍ଡେଙ୍କ ରଚିତ ଫିନ୍ଦ୍ରି - ସମାଜରେ ନିଷ୍ପେଷିତ ମହିଳାଙ୍କ ଜୀବନଯାତ୍ରାରୁ ସଂଗୃହୀତ ତଥ୍ୟକୁ ନେଇ ଏହି ବହିଗୁଡ଼ିକ ଲେଖାଯାଇଛି । ମହିଳାଙ୍କ ସଂପର୍କିତ ପାଠ ବା ୱମେନ୍ ଷ୍ଟଡିଜ୍ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ସେ ଚାହାଁନ୍ତି ଏବଂ ସୋନିପତସ୍ଥିତ ଅଶୋକା ବିଶ୍ୱବିଦ୍ୟାଳୟର ୟଙ୍ଗ ଇଣ୍ଡିଆ ଫେଲୋ ରୂପେ ସେ ମନୋନୀତ ହୋଇସାରିଛନ୍ତି ।
ୟବତମାଲ ସହରକୁ ଚାଲିଆସିବା ଫଳରେ ଆଶାଙ୍କ ଆତ୍ମବିଶ୍ୱାସ ସୁଦୃଢ଼ ହୋଇଥିଲା । ସେ କହନ୍ତି, “ଯଦିଓ ସାମାଜିକ କାର୍ଯ୍ୟ ବିଷୟରେ ଡିଗ୍ରୀକୁ ମୋ ସଂପର୍କୀୟମାନେ ନିକୃଷ୍ଟ ବୋଲି ମନେ କରନ୍ତି, ତଥାପି ମୋ ପାଇଁ ଏହା ବେଶ୍ ସନ୍ତୋଷଜନକ ।” ଜେୱଲିରେ, ଆଶାଙ୍କ ମଥୁରା ଲଭାନ ସଂପ୍ରଦାୟର ଘରଗୁଡ଼ିକୁ ସାମୂହିକ ଭାବେ ତାଣ୍ଡେ ବୋଲି କହନ୍ତି । ସାଧାରଣତଃ ଏଗୁଡ଼ିକ ମୁଖ୍ୟ ଜନବସତିଠାରୁ ଦୂରରେ ଅବସ୍ଥିତ । ଆଶା କହନ୍ତି, “ଏଭଳି ନିଃସଙ୍ଗତା କାରଣରୁ ଆଧୁନିକ ଓ ପ୍ରଗତିଶୀଳ ଚିନ୍ତାଧାରା ସହିତ ଯୋଡ଼ି ହୋଇ ରହିବା ଆମ ପାଇଁ କଷ୍ଟକର ହୋଇପଡ଼େ ।” କଲେଜରେ ତାଙ୍କ ଅଧ୍ୟାପକମାନେ, ବିଶେଷତଃ ତାଙ୍କୁ ମରାଠୀ ପଢ଼ାଇଥିବା ଅଧ୍ୟାପକ ଘନଶ୍ୟାମ ଦରନେ, ତାଙ୍କୁ ଜଣେ ପରିଶ୍ରମୀ ଛାତ୍ରୀ ବୋଲି କହନ୍ତି, ।
“ଲୋକଙ୍କ ଧାରଣା ଯେ, ମହିଳାମାନେ କୌଣସି ସଫଳତା ହାସଲ କରିବାରେ ସକ୍ଷମ ନୁହଁନ୍ତି,” ଦୁଃଖ ଅପେକ୍ଷା ଅଧିକ କ୍ରୋଧମିଶ୍ରିତ ସ୍ୱରରେ କହନ୍ତି ଆଶା । “ମୁଁ ଏହି ଧାରଣା ବଦଳାଇବାକୁ ଚାହେଁ,” ସେ କହନ୍ତି ଏବଂ ଆହୁରି କହନ୍ତି, “ଥରେ ମୁଁ କୌଣସିମତେ କିଛି ଗୋଟାଏ ବଡ଼ ହୋଇଗଲେ, ମୁଁ ମୋ ଗାଁକୁ ଫେରି ଆସିବାକୁ ଚାହେଁ ଏବଂ ଝିଅମାନଙ୍କର ପ୍ରଗତିଶୀଳ ପରିବର୍ତ୍ତନ କରିବାକୁ ଚାହେଁ । ମୁଁ କିଛି ନକରି ଖସି ଯିବାକୁ ଚାହେଁ ନାହିଁ।”
କିନ୍ତୁ ପ୍ରଥମେ ତାଙ୍କୁ ଆଗାମୀ ବିବାହ ଋତୁକୁ ସଫଳତାର ସହିତ ପାର କରିବାକୁ ପଡ଼ିବ । ଯେଉଁ ସମୟରେ କି ବିବାହ କରିବାକୁ ତାଙ୍କ ଉପରେ ପଡ଼ିଆସୁଥିବା ଚାପ ଆହୁରି ଅଧିକ ହେବ । ଆଶା କହନ୍ତି, “ଏ ପରିସ୍ଥିତିରେ ଦୃଢ଼ମନା ହୋଇ ରହିବା ଲାଗି ଆବଶ୍ୟକ ପ୍ରଚୁର ଶକ୍ତି ସଂଗ୍ରହ କରିବାକୁ ମୁଁ ସ୍ଥିର କରିସାରିଛି ।”
ଅନୁବାଦ: ଓଡ଼ିଶାଲାଇଭ୍