ସନ୍ତୋଷି କୋରି ମାଲିକାନା ସତ୍ତ୍ଵର ନୂଆ ଅନୁଭୂତିକୁ ଉପଭୋଗ କରୁଛନ୍ତି। “ଆମେ ମହିଳାମାନେ କୃଷକ ସମବାୟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ବର୍ତ୍ତମାନ ଗାଁର ପୁରୁଷମାନେ ଏହାକୁ ଏକ ଭଲ ବିଚାର ବୋଲି ମାନୁଛନ୍ତି”, ହସିହସି ସେ କହନ୍ତି।

ସେ ଭୈରାହା ପଞ୍ଚାୟତ ଅନ୍ତର୍ଗତ ଗୁଚରା ପଡ଼ାର ଜଣେ ଦଳିତ ଚାଷୀ, ଯେ କି ପାନ୍ନା ଜିଲ୍ଲାର ୩୦୦ ଆଦିବାସୀ, ଦଳିତ ଓ ଅନ୍ୟ ପଛୁଆ ବର୍ଗର ମହିଳାମାନଙ୍କ ମଧ୍ୟରୁ ଜଣେ – ୨୦୨୪ରେ ଆରମ୍ଭ ହୋଇଥିବା ରୁଞ୍ଜ ମହିଳା ଫାର୍ମର ପ୍ରଡ଼୍ୟୁସର କୋପରେଟିଭ ଲିମିଟେଡ(ଏମଏଫପିଓ) କୁ ଗଢ଼ିବା ପାଇଁ ସଭ୍ୟ ଚାନ୍ଦା ୧,୦୦୦ ଟଙ୍କା ଦେଇଥିଲେ। ରୁଞ୍ଜର ପାଞ୍ଚ ଜଣ ମହିଳା ବୋର୍ଡ ମେମ୍ବରମାନଙ୍କ ମଧ୍ୟରୁ ସନ୍ତୋଷି ହେଉଛନ୍ତି ଜଣେ ଓ ସଭାସମିତିରେ କହିବା ପାଇଁ ଓ ଏ ସମ୍ପର୍କରେ କଥା ପ୍ରସାର କରିବା ପାଇଁ ତାଙ୍କୁ ଡକାଯାଏ।

“ପୂର୍ବରୁ ବିଚୋଲିୟା [ବ୍ୟବସାୟୀ] ଆସି ମିଲ୍‌ରେ ପ୍ରକ୍ରିୟାକରଣ ହୋଇନଥିବା ଯୋଗୁଁ ଆମ ହରଡ଼ ଡାଲିକୁ କମ୍‌ ଦାମ୍‌ରେ ନେଇ ଯାଉଥିଲେ। ପୁଣି ସେ ଠିକ୍‌ ସମୟରେ ଆସୁ ନଥିଲେ କି ଆମେ କେବେ ବି ଠିକ୍‌ ସମୟରେ ଆମ ପଇସା ପାଉ ନଥିଲୁ”, ସେ ‘ପରୀ’କୁ କହନ୍ତି। ୪୫-ବର୍ଷୀୟା ସେହି ତିନିଟି ପିଲାଙ୍କ ମା’ ତାଙ୍କ ପରିବାରର ବର୍ଷା-ଜଳ-ନିର୍ଭର ଦୁଇ ଏକର ଜମିରେ ହରଡ଼ ଡାଲି ଚାଷ କରନ୍ତି ଓ ସେ ମଧ୍ୟ ଆଉ ଗୋଟିଏ ଏକର ଭାଗ-ଚାଷ କରିବାକୁ ଠିକାରେ ନେଇଛନ୍ତି। ଆମ ଦେଶର ମାତ୍ର ୧୧ ପ୍ରତିଶତ ମହିଳାଙ୍କ ନିକଟରେ ଜମିର ମାଲିକାନା ସତ୍ତ୍ଵ ରହିଛି ଓ ମଧ୍ୟପ୍ରଦେଶ ସେଥିରୁ କିଛି ଅଲଗା ନୁହେଁ।

ଯମୁନା ନଦୀରେ ପଡ଼ିଥିବା ବାଘେନର ଉପନଦୀ ରୁଞ୍ଜ ନାମରେ ନାମିତ ରୁଞ୍ଜ (ଏମଏଫପିଓ) ହେଉଛି ଅଜୟଗଡ଼ ଓ ପାନ୍ନା ବ୍ଲକ ଅନ୍ତର୍ଗତ ୨୮ଟି ଗାଁର ମହିଳାମାନଙ୍କର ଗୋଟିଏ ସମୁଦାୟ। ମାତ୍ର ଛ’ ମାସ ହେଲା ଗଢ଼ା ହେଇଛି, ତେବେ ୪୦ ଲକ୍ଷ ଟଙ୍କାର ବ୍ୟବସାୟ କଲାଣି ଏବଂ ଆସନ୍ତା ବର୍ଷ ଏହାକୁ ଦୁଇ ଗୁଣା କରିବା ଲକ୍ଷ୍ୟ ରଖିଛି।

PHOTO • Priti David
PHOTO • Priti David

ବାମରେ: ପାନ୍ନା ଜିଲ୍ଲାର ଭୈରାହା ପଞ୍ଚାୟତରେ ଥିବା ନିଜ ଚାଷ ଜମିରେ ସନ୍ତୋଷି। ଡାହାଣରେ: ରୁଞ୍ଜ ନଦୀ [ଯେଉଁ ନଦୀର ନାମ ଅନୁଯାୟୀ ସମବାୟ ନାମକରଣ କରାଯାଇଛି] ଯାହାର କୂଳରେ ଚାଷୀମାନେ ହରଡ଼ ଡାଲି ଚାଷ କରନ୍ତି

PHOTO • Priti David
PHOTO • Priti David

ବାମରେ: ପାନ୍ନା ଜିଲ୍ଲାର ଅଜୟଗଡ଼ଠାରେ ଥିବା ରୁଞ୍ଜ ଏଫପିଓରେ ରହିଥିବା ଡାଲି ଫାଳ କରିବା ମେସିନ। ଭୂପେନ କଉଣ୍ଡର (ନାଲି ଜାମା) ଓ କାଲୁ ଆଦିବାସୀ (ନୀଳ ଜାମା) ବିନ-ମଞ୍ଜି ବାଛିବା ମେସିନ ନିକଟରେ। ଡାହାଣରେ: ଅମର ଶଙ୍କର କଉଣ୍ଡର ବିନ-ମଞ୍ଜି ବାଛୁଥିବା ବେଳେ

“ଆମ ଗାଁରେ ପ୍ରାୟ ସବୁ ପରିବାରଙ୍କର ୨-୪ ଏକର ଜମି ଅଛି। ଆମେ ଭାବିଲୁ କି ସମସ୍ତେ ଜୈବିକ ଫସଲ କରିବୁ, ତେଣୁ ହରଡ଼ ଡାଲିକୁ ଦୃଷ୍ଟିରେ ରଖିଲୁ ଓ ଫାଳ କରିବା ମେସିନ କିଣିବାକୁ ସମସ୍ତେ ପଇସା ଦେଲୁ”, ସମବାୟ ସ୍ଥାପନ କରିବାର କାରଣ ଦର୍ଶାଇବାକୁ ଯାଇ କହନ୍ତି ସନ୍ତୋଷି।

ଅଜୟଗଡ଼ ଅଞ୍ଚଳର ହରଡ଼ ଡାଲିକୁ ବହୁତ ପସନ୍ଦ କରାଯାଏ। “ପୁଞ୍ଜ ନଦୀ ଅବବାହିକାରେ ଥିବା ଧରମପୁର ପ୍ରାନ୍ତରରେ ହେଉଥିବା ଡାଲିର ସ୍ଵାଦ ଓ ମହକ ପାଇଁ ଭାରି ପ୍ରସିଦ୍ଧ”, କହନ୍ତି ପ୍ରଦାନର ଗର୍ଜନ ସିଂ। ସ୍ଥାନୀୟ ଲୋକମାନେ କହନ୍ତି କି ବିନ୍ଧ୍ୟାଚଳ ପର୍ବତମାଳାରୁ ବାହାରିଥିବା ପୁଞ୍ଜ ନଦୀର ଅବବାହିକାରେ ଥିବା ଜମି ଚାଷ ପାଇଁ ଅତି ଉର୍ବର। ଏଠାରେ ଚାଷୀମାନଙ୍କ ପାଇଁ କାମ କରୁଥିବା ପ୍ରଦାନ ହେଉଛି ଗୋଟିଏ ଅଣ-ସରକାରୀ ସଂସ୍ଥା ଏବଂ ଏଠାରେ କେବଳ ମହିଳାମାନଙ୍କ ପରିଚାଳନା କ୍ରମେ ଅନୁଷ୍ଠାନ ସ୍ଥାପନ କରିବାରେ ଏହା ମୁଖ୍ୟ ଭୂମିକା ନେଇଥିଲା।

ସନ୍ତୋଷିଙ୍କ ଭଳି ଚାଷୀମାନେ ଠିକ୍‌ ମୂଲ୍ୟ ମିଳିବ ବୋଲି ସ୍ଥିର ନିଶ୍ଚିତ ଥିଲେ। “ବର୍ତ୍ତମାନ ଆମେ ଆମ ଏଫପିଓକୁ ଜିନିଷ ଦେଇ ପାରିବୁ ଓ ଠିକ୍‌ ସମୟରେ ଆମ ଟଙ୍କା ପାଇବୁ”, କହନ୍ତି ସେ। ହରଡ଼ ଡାଲି କ୍ଵିଣ୍ଟାଲକୁ ୧୦,୦୦୦ ଟଙ୍କାରେ ବିକ୍ରି ହୁଏ, ତେବେ ୨୦୨୪ ମେ ମାସରେ ଏହି ଦାମ୍‌ ଖସି ୯,୪୦୦ ଟଙ୍କା ହେଇ ଯାଇଥିଲା। କିନ୍ତୁ ରୁଞ୍ଜ ସଭ୍ୟମାନେ ଅନୁଭବ କଲେ କି ସେମାନଙ୍କ ସମୁଦାୟ ଅମଳ ଜମି ନିକଟରୁ କିଣିବା ଦ୍ୱାରା ସେମାନଙ୍କର ଭଲ କାରବାର ହେବ।

ରାକେଶ ରାଜପୁତ ହେଉଛନ୍ତି ରୁଞ୍ଜର ସିଇଓ (କେବଳ ଜଣେ କର୍ମଚାରୀ) ଓ ସେ କହନ୍ତି ଯେ ସେମାନେ କେବଳ ବଂଶାନୁକ୍ରମିକ ବିହନ ବ୍ୟବହାର କରନ୍ତି, ହାଇବ୍ରିଡ୍‌ ରକମ ଏଠାରେ କେଉଁଠି ଦେଖିବାକୁ ମିଳିବନି। ସେ ୧୨ ଟି ସଂଗ୍ରହ କେନ୍ଦ୍ରର ଦାୟିତ୍ଵ ବୁଝନ୍ତି, ଯେଉଁଠାରେ ଓଜନ ମେସିନ, ବସ୍ତା ଓ ପ୍ରତି ବସ୍ତାରେ କ’ଣ ଅଛି ତନଖି କରିବା ପରଖି ରହିଛି।

PHOTO • Priti David
PHOTO • Priti David

ବାମରେ: ମେସିନରେ ଡାଲିକୁ ଦୁଇ ଫାଳ କରି ସାରିଲା ପରେ। ଡାହାଣରେ: ଏମ ଏଫପିଓର ସିଇଓ ରାକେଶ ରାଜପୁତ ବସ୍ତା କରା ଯାଇଥିବା ଡାଲି ଦେଖାଉଛନ୍ତି

PHOTO • Priti David
PHOTO • Priti David

ବାମରେ: ସନ୍ତୋଷି କୋରି ଗୁଚରାସ୍ଥିତ ତାଙ୍କ ଘରେ। ଡାହାଣରେ: ତାଙ୍କ ବାଡ଼ିରେ, ଯେଉଁଠାରେ ସେ ନିଜ ଖାଇବା ପାଇଁ ପନିପରିବା ଚାଷ କରନ୍ତି

ରୁଞ୍ଜ ଆସନ୍ତା ବର୍ଷକୁ ସଭ୍ୟ ସଂଖ୍ୟା ପାଞ୍ଚଗୁଣା ବଢ଼େଇବାକୁ ଲକ୍ଷ୍ୟ ରଖିଛି ଏବଂ ବର୍ତ୍ତମାନ ପ୍ରସ୍ତୁତ କରୁଥିବା ହରଡ଼ ଡାଲି ଛଡ଼ା ଚଣା, ପଶୁପାଳନ (ବୁନ୍ଦେଲଖଣ୍ଡି ପ୍ରଜାତିର ଛେଳି) ଓ ଜୈବିକ ସାର ତଥା ବିହନ ଆଦି ଅଧିକ ଜିନିଷ ପ୍ରସ୍ତୁତ କରିବା ପାଇଁ ଚାହେଁ, କହନ୍ତି ପ୍ରଦାନରେ କାମ କରୁଥିବା ସୁଗନ୍ଧା ଶର୍ମା। “ଆମର ଚାଷୀମାନଙ୍କ ସହ ଦ୍ଵାରଠାରୁ ଦ୍ଵାର ଯୋଗସୂତ୍ର ରଖିବା ପାଇଁ ଆମେ ଚାହୁଁ”, ସେ ଯୋଗ କରନ୍ତି।

ନିଜ ଘର ପଛପଟେ ଥିବା ଜମିରେ ସନ୍ତୋଷି ଲଗେଇଥିବା ଲାଉ ଓ ଅନ୍ୟାନ୍ୟ ପନିପରିବାକୁ ସେ ଆମକୁ ଦେଖାଉଛନ୍ତି। ତାଙ୍କ ପରିବାରରେ ଥିବା ଦୁଇଟି ମଇଁଷିକୁ ତାଙ୍କ ସ୍ଵାମୀ ଚଢ଼େଇବାକୁ ନେଇ ଯାଇଛନ୍ତି ଓ ସେମାନେ କିଛି ସମୟ ଭିତରେ ଫେରି ଆସିବେ।

“ମୁଁ କେବେ ବି ଅନ୍ୟ କୌଣସି ଡାଲି ଖାଇନାହିଁ। ଆମ ଜମିର ଡାଲି ଚାଉଳ ଭାତ ହେବା ପରି ଶୀଘ୍ର ସିଝିଯାଏ ଓ ତାହାର ସ୍ଵାଦ ଭାରି ମଧୁର”, ଗର୍ବର ସହ ସେ କହନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Priti David

پریتی ڈیوڈ، پاری کی ایگزیکٹو ایڈیٹر ہیں۔ وہ جنگلات، آدیواسیوں اور معاش جیسے موضوعات پر لکھتی ہیں۔ پریتی، پاری کے ’ایجوکیشن‘ والے حصہ کی سربراہ بھی ہیں اور دیہی علاقوں کے مسائل کو کلاس روم اور نصاب تک پہنچانے کے لیے اسکولوں اور کالجوں کے ساتھ مل کر کام کرتی ہیں۔

کے ذریعہ دیگر اسٹوریز Priti David
Editor : Sarbajaya Bhattacharya

سربجیہ بھٹاچاریہ، پاری کی سینئر اسسٹنٹ ایڈیٹر ہیں۔ وہ ایک تجربہ کار بنگالی مترجم ہیں۔ وہ کولکاتا میں رہتی ہیں اور شہر کی تاریخ اور سیاحتی ادب میں دلچسپی رکھتی ہیں۔

کے ذریعہ دیگر اسٹوریز Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE