“ଘରେ ଜମା ରଖାଯାଇଥିବା କପାର ରଙ୍ଗ ଛାଡୁଛି ଓ ଏହାର ଓଜନ କମୁଛି। ଏହାର ରଙ୍ଗ ଯେତେ ଫିକା ପଡ଼ି ପଡ଼ି ଯିବ ବେପାରୀମାନେ ଆମକୁ ସେତେ କମ୍ ଦର ଦେବେ,” ଚିନ୍ତିତ କଣ୍ଠରେ କହିଲେ ସନ୍ଦୀପ। ମଧ୍ୟ ପ୍ରଦେଶ ଖରଗୋନ୍ ଜିଲ୍ଲାର ଗୋଗାଓଁ ତହସିଲର ଜଣେ କପାଚାଷୀ ସନ୍ଦୀପ, ୨୦୨୨ ଅକ୍ଟୋବରରେ କପା ଅମଳ ହେବା ପରଠାରୁ କପାର ଦର ବଢ଼ିବ ବୋଲି ଆଶା ବାନ୍ଧି ଅପେକ୍ଷା କରିଆସୁଛନ୍ତି।
ମଧ୍ୟ ପ୍ରଦେଶର ସର୍ବାଧିକ କପା ଉତ୍ପାଦନକାରୀ ଜିଲ୍ଲା ମଧ୍ୟରୁ ଅନ୍ୟତମ ଖରଗୋନ୍ ଜିଲ୍ଲାର ୨.୧୫ ଲକ୍ଷ ହେକ୍ଟର ଜମିରେ କପାଚାଷ କରାଯାଏ। ପ୍ରତି ବର୍ଷ ମେ ମାସରେ କପା ବିହନ ବୁଣାଯାଏ ଏବଂ ଅକ୍ଟୋବରରୁ ଡିସେମ୍ବରର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଅମଳ କରାଯାଏ। ଏହି ଆଠ ମାସ (ଅକ୍ଟୋବରରୁ ମେ) ଭିତରେ ଖରଗୋନର କପା ମଣ୍ଡିରୁ ଦୈନିକ ପ୍ରାୟ ୬ କୋଟି ଟଙ୍କାର କପା କିଣାଯାଏ। ମଧ୍ୟ ପ୍ରଦେଶରେ ତାଙ୍କର ମୋଟ ୧୮ ଏକର ଚାଷ ଜମିରୁ ୧୦ ଏକରରେ ସନ୍ଦୀପ କପାଚାଷ କରନ୍ତି।
୨୦୨୨ ଅକ୍ଟୋବରରେ ପ୍ରାୟ ୩୦ କୁଇଣ୍ଟାଲ କପା ଅମଳ କରି ସନ୍ଦୀପ ଖୁସି ହୋଇଥିଲେ। ବହରମପୁରା ଗାଁରେ ଥିବା ତାଙ୍କ ଜମିରୁ ପ୍ରଥମ ପର୍ଯ୍ୟାୟ କପା ତୋଳାରୁ ସେ ଏତକ ଅମଳ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ କପାତୋଳାରୁ ସେ ସମାନ ପରିମାଣର କପା ପାଇବେ ବୋଲି ଆକଳନ କରିଥିଲେ ଏବଂ ୨୬ କୁଇଣ୍ଟାଲ ପାଇଥିଲେ।
କିନ୍ତୁ କିଛି ଦିନ ପରେ, ଖରଗୋନର କପା ମଣ୍ଡିରେ ୩୦ କୁଇଣ୍ଟାଲ କପା ବିକିବାରେ ସେ ଅସମର୍ଥ ବୋଲି ଜାଣିପାରିଥିଲେ। ପ୍ରକୃତ କଥା ହେଲା, ୨୦୨୨ ଅକ୍ଟୋବର ୧୧ ତାରିଖରୁ କପା ବ୍ୟବସାୟୀମାନଙ୍କ ଆନ୍ଦୋଳନ କାରଣରୁ ମଧ୍ୟ ପ୍ରଦେଶର ସବୁ କପା ମଣ୍ଡି ବନ୍ଦ ରହିଥିଲା। ବ୍ୟବସାୟୀମାନେ ମଣ୍ଡି ଟିକସରେ ରିହାତି ଦାବି କରୁଥିଲେ। ମଧ୍ୟ ପ୍ରଦେଶରେ ଏହି ଟିକସ ହାର ପ୍ରତି ୧୦୦ ଟଙ୍କା ଉପରେ ୧ ଟଙ୍କା ୭୦ ପଇସା ଥିଲା ଏବଂ ସାରା ଦେଶରେ ଏହା ସର୍ବାଧିକ। ବ୍ୟବସାୟୀମାନଙ୍କ ଧର୍ମଘଟ ଆଠ ଦିନ ଚାଲିଲା।
ଧର୍ମଘଟର ଦିନକ ପୂର୍ବରୁ (ଅକ୍ଟୋବର ୧୦) ଖରଗୋନ୍ କପା ମଣ୍ଡିରେ କପା ଦର କୁଇଣ୍ଟାଲ ପିଛା ୮,୭୪୦ ଟଙ୍କା ଥିଲା। ଧର୍ମଘଟ ସରିବା ପରେ ଏହି ଦର କୁଇଣ୍ଟାଲ ପିଛା ୮୯୦ ଟଙ୍କା ହ୍ରାସ ପାଇ ୭,୮୫୦ ଟଙ୍କା ହେଲା। ୨୦୨୨ ମସିହା ଅକ୍ଟୋବର ୧୯ ତାରିଖ ଦିନ ମଣ୍ଡି ପୁଣି ଖୋଲିଲା ସତ, ହେଲେ ଦର କମିଯାଇଥିବାରୁ ସେ ତାଙ୍କ କପା ବିକିଲେ ନାହିଁ। ୨୦୨୨ ଅକ୍ଟୋବର ମାସରେ PARI ସହ କଥାବାର୍ତ୍ତା ଅବସରରେ ଏହି ୩୪ ବର୍ଷୀୟ ଚାଷୀ କହିଲେ, “ମୁଁ ଏବେ ଯଦି ମୋ ଫସଲ ବିକିବି, ତେବେ କିଛି ଲାଭ ପାଇବି ନାହିଁ।”
ଏହା ନୁହେଁ ଯେ ସନ୍ଦୀପଙ୍କୁ ପ୍ରଥମ ଥର ପାଇଁ ତାଙ୍କ କପା ଅମଳ ଗଚ୍ଛିତ ରଖିବାକୁ ପଡୁଥିଲା। ସେ କହନ୍ତି ଯେ, ମହାମାରୀ ସମୟରେ ବି ମଣ୍ଡିଗୁଡ଼ିକ ବନ୍ଦ ରହିଥିଲା ଏବଂ “(୨୦୨୧ରେ) ଫସଲରେ ପୋକ ଲାଗି ଯାଇଥିବାରୁ ଅଧାରୁ ଅଧିକ ଫସଲ ନଷ୍ଟ ହୋଇଯାଇଥିଲା।”
ତେଣୁ, ୨୦୨୨ରେ ତାଙ୍କ ଅମଳରୁ ଭଲ ଲାଭ ହେବା ସହିତ ପୂର୍ବ ବର୍ଷର କ୍ଷତିଭରଣା ହୋଇପାରିବ ଏବଂ ତାଙ୍କର ୧୫ ଲକ୍ଷ ଟଙ୍କା ଋଣ ଶୁଝିବାରେ ଏହା ସହାୟକ ହେବ ବୋଲି ସେ ଆଶା ରଖିଥିଲେ। ସେ କହନ୍ତି, “ଏ ବର୍ଷ (୨୦୨୨) ଋଣ କିସ୍ତି ଦେଇସାରିବା ପରେ ହାତରେ ଆଉ କିଛି ବଳକା ରହିବନି।”
ଚାଷୀମାନଙ୍କ ପୋର୍ଟାଲରେ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୨୨-୨୦୨୩ ବର୍ଷରେ କେନ୍ଦ୍ର ସରକାର କପାର ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ସରକାରୀ କିଣା ଦର କୁଇଣ୍ଟାଲ ପିଛା ୬,୩୮୦ ଟଙ୍କା ଧାର୍ଯ୍ୟ କରିଥିଲେ। ୨୦୨୧-୨୦୨୨ ବର୍ଷ ପାଇଁ ଧାର୍ଯ୍ୟ ଦର ତୁଳନାରେ ଏହା ୩୫୫ ଟଙ୍କା ଅଧିକ। ଭାରତୀୟ କିଷାନ ସଂଘର ଇନ୍ଦୋର ଡିଭିଜନ ସଭାପତି ଶ୍ୟାମ ସିଂହ ପାନୱାର କହନ୍ତି, “ସର୍ବନିମ୍ନ ସମର୍ଥନ ମୂଲ୍ୟ ଅତି କମ୍ରେ ୮,୫୦୦ ଟଙ୍କା ରହିବା ଉଚିତ। ଏହି ଦରରୁ କମ୍ରେ କୌଣସି ବ୍ୟବସାୟୀ କପା କିଣି ପାରିବେ ନାହିଁ ବୋଲି ସରକାର ଆଇନ ପ୍ରଣୟନ କରିବା ଉଚିତ।”
ବଡ଼ୱାହା ତହସିଲ ଅନ୍ତର୍ଗତ ନଭଲପୁରା ଗାଁର ଜଣେ ଚାଷୀ ସଞ୍ଜୟ ଯାଦବଙ୍କ ମତରେ କପା ଦର କୁଇଣ୍ଟାଲ ପିଛା ୭,୪୦୫ ଟଙ୍କା ରହିଛି, ଯାହାକି ଖୁବ୍ କମ୍। ଖରଗୋନ୍ ମଣ୍ଡିରେ ସେ ମାତ୍ର ୧୨ କୁଇଣ୍ଟାଲ କପା ବିକିଲେ, ଯାହାକି ତାଙ୍କ ମୋଟ ଅମଳର ଗୋଟିଏ ଅଂଶ। ଏହି ୨୦ ବର୍ଷୀୟ ଚାଷୀଙ୍କ ମତରେ କପା ଦର କୁଇଣ୍ଟାଲ ପିଛା ଅତି କମ୍ରେ ୧୦,୦୦୦ ଟଙ୍କା ରହିବା ଉଚିତ, ଯାହାକି ବର୍ତ୍ତମାନର ଦର ତୁଳନାରେ ୨,୫୯୫ ଟଙ୍କା ଅଧିକ।
ସନ୍ଦୀପ କହନ୍ତି, “ଆମେ (ଚାଷୀମାନେ) ଏଥିରେ (ନ୍ୟୂନତମ ସମର୍ଥନ ମୂଲ୍ୟ ସଂପର୍କରେ) କିଛି କରିପାରିବୁ ନାହିଁ। ଆମ ଫସଲର ଦର ଆମ ହାତରେ ନାହିଁ।”
ସନ୍ଦୀପ କହିଲେ, “କପାଚାଷରେ ବିହନ କିଣିବା ଭଳି ମୌଳିକ ଖର୍ଚ୍ଚକୁ ବାଦ୍ ଦେଲେ ଏକର ପିଛା ଡିଏପି (Diammonium Phosphate) ସାର ବାବଦରେ ୧,୪୦୦ ଟଙ୍କା ଖର୍ଚ୍ଚ ହୁଏ। ଧରି ନିଅନ୍ତୁ ଦିନକର ମୂଲିଆ ମଜୁରି ବାବଦ ଖର୍ଚ୍ଚ ୧,୫୦୦ ଟଙ୍କା। ତା ସହିତ ସଁବାଳୁଆ ମାରିବା ଲାଗି ୧,୦୦୦ର (ଟଙ୍କା) ତିନିଟି ସ୍ପ୍ରେ ଦରକାର। ଏ ସବୁ ଖର୍ଚ୍ଚକୁ ଯଦି ମିଶାଇ ଦେବା ତେବେ, ଗୋଟିଏ ଏକର ପାଇଁ ମୋତେ ୧,୫୦୦୦ (ଟଙ୍କା) ଆବଶ୍ୟକ।
କପା ତୋଳିବାରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରି ଦେବା ଲାଗି ସନ୍ଦୀପ ୨୦୨୨ ଅକ୍ଟୋବର ମାସରେ ୩୦,୦୦୦ ଟଙ୍କା ଋଣ କରିଥିଲେ। ସେ କହିଲେ, “ଦୀପାବଳି ପାଇଁ ସମସ୍ତେ ନୂଆ ଲୁଗାପଟା କିଣନ୍ତି। ଆମେ ସେମାନଙ୍କୁ ପଇସା ନ ଦେଲେ ସେମାନେ କେମିତି ଏହି ଖର୍ଚ୍ଚ ତୁଲାଇବେ।”
ସନ୍ଦୀପ ତାଙ୍କର ନୂଆ ଘର ତିଆରି କରିବା ପାଇଁ ଜଣେ କରଜଦାତାଙ୍କ (ସାହୁକାର) ପାଖରୁ ୯ ଲକ୍ଷ ଟଙ୍କା ଋଣ ନେଇଛନ୍ତି। ସେ ଅଞ୍ଚଳରେ ଭଲ ସ୍କୁଲ ନଥିବାରୁ କୋଭିଡ୍-୧୯ ପୂର୍ବରୁ ସେ ନିକଟବର୍ତ୍ତୀ ଏକ ବେସରକାରୀ ସ୍କୁଲରେ ତାଙ୍କ ପିଲାମାନଙ୍କ ନାଁ ଲେଖାଇଥିଲେ ଏବଂ ଏବେ ସ୍କୁଲର ବାର୍ଷିକ ଫି’ଦେବା ଲାଗି ତାଙ୍କୁ ସଂଘର୍ଷ କରିବାକୁ ପଡୁଛି।
କପାଚାଷ ବ୍ୟୟବହୁଳ ବୋଲି ଏକମତ ହୁଅନ୍ତି ସବଦା ଗାଁର ଚାଷୀ ରାଧେଶ୍ୟାମ ପଟେଲ। ୪୭ ବର୍ଷୀୟ ପଟେଲ କହନ୍ତି, “ଏବେ (ଅକ୍ଟୋବର, ୨୦୨୨) ଯଦି ଆମେ ରବି ଫସଲ ପାଇଁ ବୁଣାବୁଣି କରିବୁ ତେବେ ସେଥିପାଇଁ ବି ଟଙ୍କା ଦରକାର ହେବ। ଆମକୁ ସୁଧରେ ଟଙ୍କା ଋଣ କରିବାକୁ ପଡ଼ିବ।” ସେ ଆହୁରି କହନ୍ତି, “ଯଦି ପରବର୍ତ୍ତୀ ସମୟରେ (ଟଙ୍କା ଋଣ କରିବା ପରେ) ଅମଳ ନହୁଏ, ତେବେ କେବଳ ଚାଷୀଙ୍କୁ ହିଁ କ୍ଷତି ସହିବାକୁ ପଡ଼ିବ। ସେହି କାରଣରୁ ହିଁ ଚାଷୀ ବିଷ ପିଇଦିଏ କିମ୍ବା ଏହି ସୁଧ ଜାଲରେ ପଡ଼ି ନିଜ ଜମି ବିକିବାକୁ ବାଧ୍ୟ ହୁଏ।”
କୃଷି ବିଶେଷଜ୍ଞ ଦେବେନ୍ଦ୍ର ଶର୍ମା କହନ୍ତି, “କେବଳ ଜଣେ ଚାଷୀ ହିଁ ତାଙ୍କ ଫସଲର ମୂଲ୍ୟ ଜାଣନ୍ତି। ନିଜ ଫସଲ ବିକି ଚାଷୀ ଯେମିତି ନ୍ୟୂନତମ ସମର୍ଥନ ମୂଲ୍ୟ ପାଇପାରିବେ, ଅତି କମ୍ରେ ସରକାର ଏହାକୁ ସୁନିଶ୍ଚିତ କରିବା ଦରକାର।”
୨୦୨୩ ଜାନୁଆରୀ ସୁଦ୍ଧା, ସନ୍ଦୀପଙ୍କ ଘରଖର୍ଚ୍ଚ ବଢ଼ିବାରେ ଲାଗିଥିଲା। ଫେବ୍ରୁଆରୀ ପ୍ରଥମ ସପ୍ତାହରେ ତାଙ୍କ ସାନଭାଇ ବିବାହ କଲେ। ଜାନୁଆରୀରେ ସେ PARIକୁ କହିଲେ ଯେ, ତାଙ୍କର ଟଙ୍କା ଦରକାର ଥିବାରୁ କୁଇଣ୍ଟାଲ ପିଛା ୮,୯୦୦ ଟଙ୍କା ଦରରେ ସେ ପ୍ରାୟ ୩୦ କୁଇଣ୍ଟାଲ କପା ବିକି ଦେଇଛନ୍ତି।
ସେ କହନ୍ତି ଯେ ଏହି ଦର ପୂର୍ବାପେକ୍ଷା ଭଲ ହୋଇଥିଲେ ହେଁ ସବୁ ଖର୍ଚ୍ଚ ତୁଲାଇବା ପରେ ତାଙ୍କ ହାତରେ ଆଉ କିଛି ପଇସା ବଳିବ ନାହିଁ।
କପାଦରକୁ ନେଇ ହତାଶ ହୋଇପଡ଼ିଥିବା ସନ୍ଦୀପ କହନ୍ତି, “ଚାଷୀର କେଉଁଠି ହେଲେ କିଛି କହିବାର ନାହିଁ।”
ଅନୁବାଦ : ଓଡ଼ିଶାଲାଇଭ୍